ଭୋଜରାଜ ମନେ ମନେ ଭାବିଲେ, ଆଜିକୁ ତିରିଶଦିନ ହେଲାଣି ମୁଁ ଚେଷ୍ଟାକରି ଆସୁଛି ମାତ୍ର ଏଯାଏଁ ସିଂହାସନରେ ବସି ପାରିଲି ନାହିଁ । ଆଉ ଦୁଇଜଣକପରେ ମୋତେ ଆଉ କେହି ବାଧା ଦେଇ ପାରିବେନି । ମୁଁ ଆରାମ୍ ରେ ସିଂହାସନରେ ବସିବି? ଏକଥା ଭାବୁ ଭାବୁ ସେଇ ରାଜ ସିଂହାସନ ପାଖରେ ପହଁଚିଲେ । ପରବର୍ତ୍ତି ପୂତ୍ତଳିକା ଜୟମତୀ ଆସି କହିଲା, “ଭୋଜରାଜ! ଆପଣ ଜାଣନ୍ତିକି ମହାରାଜ ବିକ୍ରମାଦିତ୍ୟ କିପରି ସର୍ବଗୁଣ ସମ୍ପନ୍ନ, ତପସ୍ୱୀ ଏବଂ ମହାତ୍ମା ଥିଲେ । ତାଙ୍କୁ ଦର୍ଶନ କରିବା ମାତ୍ରେ ପ୍ରାଣୀମାନେ ଶାପମୁକ୍ତ ହେଉଥାନ୍ତି । ସେ କେବେ କାହା ମନରେ ଦୁଃଖ ଦେଉ ନଥିଲେ । ପ୍ରଜାଙ୍କ ସୁଖପାଇଁ ସେ ନିଜକୁ ସମର୍ପିତ କରିଥିଲେ । ମୁଁ ତାଙ୍କ ସଂପର୍କରେ ଏକ କାହାଣୀ କହୁଛି ଶୁଣନ୍ତୁ, ଏବଂ ନିଜକୁ ତାଙ୍କ ସହିତ ତୁଳନା କରନ୍ତୁ ।
ମହାରାଜ ବିକ୍ରମାଦିତ୍ୟ ଜଣେ ଏକନିଷ୍ଠ ତପସ୍ୱୀ ଏବଂ ରାଜାଥିଲେ । ତାଙ୍କୁ ନିଜ ମୃତ୍ୟୁର ପୂର୍ବାଭାଷ ମିଳିଲା ଯେ ସେ ଛଅମାସ ମଧ୍ୟରେ ମୃତ୍ୟୁବରଣ କରିବେ । ଏଣୁ ସେ ଜଙ୍ଗଲରେ ଏକ କୁଡିଆ ତିଆରି କରାଇ ଏକାନ୍ତରେ ବାସ କଲେ । ଦିନେ ସେ ଜଙ୍ଗଲରୁ ମହଲ ଆଡକୁ ଆସୁଥିବା ସମୟରେ ଗୋଟିଏ ସୁନ୍ଦର ହରିଣକୁ ଦେଖିଲେ । ସେ ତାକୁ ଲକ୍ଷ୍ୟକରି ତୀର ମାରିବାକୁ ପ୍ରସ୍ତୁତ ହେବା ମାତ୍ରେ ହରିଣଟି ବିକଳ ହୋଇ କହିଲା, “ମହାରାଜ! ଦୟା କରନ୍ତୁ, ମୋତେ ମାରନ୍ତୁ ନାହିଁ ।”
ପଶୁ ମୁଖରୁ ମଣିଷଭଳି କଥା ଶୁଣି ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପଚାରିଲେ, “ତମେ କିଏ? ଏମିତି ମଣିଷ ଭଳିଆ କଥା ହେଉଛ କେମିତି?”
ହରିଣ କହିଲା, “ଏହା ଆପଣଙ୍କ ଦର୍ଶନର ପ୍ରଭାବ । ମୁଁ ଅଭିଶପ୍ତ ଭଅଁରସେନ । ଦିନେ ଏଇ ଜଙ୍ଗଲକୁ ଶିକାର କରିବାକୁ ଆସିଥିଲି । ଜଣେ ଯୋଗୀ ଈଶ୍ୱର ସ୍ମରଣ କରୁଥିବା ଶବ୍ଦକୁ ହରିଣର ସ୍ୱର ଭାବି ଶବ୍ଦଭେଦୀ ବାଣ ମାରିଦେଲି । ଯାହା ହେଉ ଯୋଗୀ ଅଳ୍ପକେ ରକ୍ଷା ପାଇଗଲେ । ବାଣ ତାଙ୍କ ମୁଣ୍ଡ ଉପରଦେଇ ଯାଇ ଗଛରେ ବାଜିଲା । ଯୋଗୀ ମୋତେ ଅଭିଶାପ ଦେଇ ହରିଣ କରିଦେଲା ।”
ମୋର ଆକୁଳ ପ୍ରାର୍ଥନା ଶୁଣି କହିଲେ, “ଯେଉଁଦିନ ମୁଁ ମହାରାଜ ବିକ୍ରମାଦିତ୍ୟଙ୍କ ଦର୍ଶନ ପାଇବି ସେହିକ୍ଷଣି ମୋର କଥା କହିବା ଶକ୍ତି ଫେରି ପାଇବି । ବିକ୍ରମାଦିତ୍ୟ ଆସି ମୋତେ ସାକ୍ଷାତ କଲେ ତୁ ତୋ’ର ପ୍ରକୃତରୂପ ଫେରି ପାଇବୁ ।”
ମହାରାଜ ହରିଣକୁ ନେଇ ଜଙ୍ଗଲ ଭିତରେ ପ୍ରବେଶ କରି ଦେଖିଲେ ଜଣେ ଯୋଗୀ ଓଲଟା ଭାବରେ ଝୁଲି ତପସ୍ୟା କରୁଛନ୍ତି । ସେ ତାଙ୍କୁ ପ୍ରଣାମ କରିବାକୁ ଉଦ୍ୟତ ହେବା ମାତ୍ରେ ଯୋଗୀ ଜଣକ କାକୁସ୍ଥ ହୋଇ କହିଲେ, “ମହାରାଜ! ଆପଣ ମୋତେ ଦର୍ଶନ ଦେଇ ଧନ୍ୟ କରିଛନ୍ତି । ମୁଁ ଆପଣଙ୍କ ଦର୍ଶନ ପାଇଁ ତପସାଧନା କରୁଥିଲି । ଦେବତାମାନେ ମୋତେ ସ୍ୱପ୍ନରେ କହିଥିଲେ, ମହାରାଜ ବିକ୍ରମାଦିତ୍ୟ ଦେବଙ୍କର ଦେବ । ଇନ୍ଦ୍ରଙ୍କର ପ୍ରିୟତମ । ତାଙ୍କୁ ଦର୍ଶନ କରିବା ଅର୍ଥ ଇନ୍ଦ୍ରଙ୍କୁ ଦର୍ଶନ କରିବା ।”
ଯୋଗୀ କହିଲେ, “ଯଦି ମୋତେ କିଛି ଦେବାକୁ ଚାହୁଁଛନ୍ତି ତେବେ ଦେବରାଜ ଇନ୍ଦ୍ର ଆପଣଙ୍କୁ ଯେଉଁ ମୁଙ୍ଗା ଦେଇଛନ୍ତି ତାହା ମୋତେ ଦିଅନ୍ତୁ ଯାହାର ଚମତ୍କାରୀ ଗୁଣ ବଳରେ ମୃତ ମଧ୍ୟ ଜୀବିତ ହୋଇଉଠେ ।”
ମହାରାଜ ଖୁସି ହୋଇ ମୁଙ୍ଗା ଖଚିତ ମୂଲ୍ୟବାନ ହାରଟିକୁ ନିଜ ଗଳାରୁ କାଢି ଯୋଗୀଟିକୁ ଦେଇଦେଲେ । ଯୋଗୀ ମହାରାଜଙ୍କୁ ଆଶୀର୍ବାଦ ଦେବାକୁ ଉଦ୍ୟତ ହେବାମାତ୍ରେ ହରିଣ ରୂପୀ ଭଅଁର ସେନ ନିଜରୂପ ଫେରିପାଇ ମହାରାଜ ଏବଂ ଯୋଗୀଙ୍କୁ ପ୍ରଣାମ କଲେ ।
ମହାରାଜ ଶାପମୁକ୍ତ ଭଅଁରସେନଙ୍କୁ ସାଥିରେ ନେଇ ମହଲକୁ ଫେରିଲେ । ପରଦିନ ସେ ରାଜକୁମାରଙ୍କ ସହିତ ତାଙ୍କ ରାଜ୍ୟକୁ ଗମନ କଲେ । ସେଠାରେ ଯାଇ ଦେଖିଲେ ରାଜାକପାଳସେନ ରାଜକୁମାରଙ୍କ ପିତାମାତାଙ୍କୁ ବନ୍ଦୀ କରି ନିଜେ ରାଜ୍ୟଶାସନ କରୁଛନ୍ତି । ମହାରାଜ ବିକ୍ରମାଦିତ୍ୟ ତାଙ୍କ ସହିତ ଯୁଦ୍ଧ କଲେ । ବେତାଳକୁ ଡାକି ଏଭଳି ଅବସ୍ଥା କଲେ ଯେ କପାଳସେନଙ୍କ ରଥ ଧ୍ୱଂସ ହେବା ସହିତ ସୈନ୍ୟମାନେ ବହୁସଂଖ୍ୟାରେ ମୃତାହତ ହୋଇ ପଛଘୂଂଚା ଦେଲେ । ମହାରାଜଙ୍କ ନିର୍ଧେସରେ କପାଳସେନ ଜୀବନ ବଂଚାଇ ପଳାୟନ କଲେ ।
ରାଜା ମାନସେନ ଏବଂ ରାଣୀଙ୍କୁ ବନ୍ଦୀଶାଳାରୁ ମୁକ୍ତକରି ମହାରାଜ ଭଅଁରସେନଙ୍କୁ ସେମାନଙ୍କ ପାଖରେ ଛାଡି ନିଜରାଜ୍ୟ ଅଭିମୁଖେ ଯାତ୍ରାକଲେ । ଜଙ୍ଗଲ ପାଖରେ ଗୋଟିଏ ହରିଣ ଦୌଡି ଆସି ମହାରାଜଙ୍କୁ କହିଲା, “ମୋତେ ବଂଚାନ୍ତୁ ମୋ ପେଟରେ ଆଘାତ ଲାଗିଛି । ମୋତେ ବାଘ ଗୋଡେଇଛି । ଆପଣ ତାକୁ ମାରି ଜୀବନ ରକ୍ଷା କରନ୍ତୁ ।”
ମହାରାଜ କହିଲେ, “ମୁଁ ତୋତେ ବଂଚାଇ ପାରିବି ନାହିଁ” ଏବଂ ଆଗକୁ ମାଡି ଚାଲିଲେ । ବାଘ ହରିଣକୁ ମାରି ଖାଇ ଦେଲା । ତେବେ କୁହନ୍ତୁ ଭୋଜରାଜ! ମହାରାଜ ଶାପଗ୍ରସ୍ତ ହରିଣକୁ ମୁକ୍ତିଦେଲେ, ତାରିପାଇଁ ଯୋଗୀଙ୍କୁ ମୁଙ୍ଗାହାର ଦାନକଲେ, କପାଳସେନ ସହିତ ଯୁଦ୍ଧକରି ମାନସେନଙ୍କୁ ସିଂହାସନରେ ବସାଇଲେ ଅଥଚ ଆହତ ହରିଣକୁ ବଂଚାଇଲେ ନାହିଁ କାହିଁକି?”
ଭୋଜରାଜ ନୀରବ ରହିବାରୁ ପୁତ୍ତଳିକା କହିଲା, ପ୍ରଥମ ହରିଣଟି ଶାପଗ୍ରସ୍ତ ମଣିଷ ଥିଲା ତେଣୁ ତାକୁ ମୁକ୍ତି ଦେଲେ । କପାଳସେନ ଅନ୍ୟାୟ ଭାବରେ ରାଜାରାଣୀଙ୍କୁ ବନ୍ଦୀକରି ରାଜ୍ୟ ଶାସନ କରୁଥିବାରୁ ତା ସହିତ ଯୁଦ୍ଧ କରି ପ୍ରକୃତ ରାଜାଙ୍କୁ ତାଙ୍କର ଅଧିକାର ପ୍ରଦାନ କଲେ । ମାତ୍ର ଦ୍ୱିତୀୟ ହରିଣଟି ଥିଲା ପଶୁ । ସେ ଯେଉଁ ଆଘାତ ପାଇଥିଲା ସେଥିରେ ବଂଚି ନଥାନ୍ତା । ଏଣୁ ବାଘର ଆହାର ଛଡାଇ ନେବାକୁ ସେ ପସନ୍ଦ କଲେ ନାହିଁ । ଏବେ ଆପଣ କୁହନ୍ତୁ, ମହାରାଜଙ୍କର କେଉଁ ଗୁଣ ପାଖରେ ଅଛି ଯେ ଆପଣ ଏ ସିଂହାସନରେ ବସିବେ?
ଭୋଜରାଜ ସବୁ ଶୁଣି ନୀରବରେ ଫେରିଗଲେ ।