ପରଦିନ ଭୋଜରାଜ ସିଂହାସନ ପହଁଚି ଭାବିଲେ; “ଏ ଯାଏଁ ଅଠେଇଶଜଣ ସୁନ୍ଦରୀ ପୁତ୍ତଳିକା ବିଭିନ୍ନ ପ୍ରକାରର କାହାଣୀ ଶୁଣାଇ ସାରିଲେଣି । ତଥାପି ମନ ବୁଝୁନାହିଁ । ମୁଁନିଜକୁ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ରୂପେ ପ୍ରତିପାଦିତ କରି ପାରୁ ନାହିଁ । କେବେ ଆଉ ସେ ସୁବର୍ଣ୍ଣ ସୁଯୋଗ ଆସିବ । ମୋର ଭାଗ୍ୟ ଉଦୟ ହେବ ଆଉ ମୁଁ ଏ ସିଂହାସନରେ ବସିବି? ହଉ, ଅପେକ୍ଷା କରିବାକୁ ହେବ । ଆଉ ଚାରିଜଣଙ୍କ ପରେତ କେହି ପ୍ରଶ୍ନ ପଚାରିବାକୁ ନଥିବ, ମୁଁ ଅକ୍ଳେଶରେ ସିଂହାସନରେ ବସିପାରିବି । ଏମିତି ଭାବୁଥିବା ସମୟରେ ପରବର୍ତ୍ତି ପୁତ୍ତଳିକା ମାନବତୀ ଉଭା ହୋଇ କହିଲା, “ହେ ଭୋଜରାଜ! ମୁଁ ମାନବତୀ ଆପଣଙ୍କ ଧୈର୍ଯ୍ୟ ଓ ସାହସକୁ ପ୍ରଶଂସା ନକରି ରହିପାରୁନି । ମୁଁ ବି ଚାହେଁ ଆପଣ ଏ ସିଂହାସନରେ ବସନ୍ତୁ । ମାତ୍ର ବିଚିତ୍ର ନିୟମ ଅନୁସାରେ ମହାରାଜ ବିକ୍ରମାଦିତ୍ୟଙ୍କର ସମକକ୍ଷ ନହେବା ଯାଏଁ କେହି ଏହି ସିଂହାସନରେ ବସି ପାରିବେ ନାହିଁ, ଯିଏ ଅପଚେଷ୍ଟା କରିବ ତା’ର କ୍ଷତି ନିଶ୍ଚୟ ହେବ । ତଥାପି ମୁଁ ଗୋଟିଏ କାହାଣୀ କହୁଛି ଶୁଣନ୍ତୁ ।
ଥରେ ମହାରାଜ ବିକ୍ରମାଦିତ୍ୟ ଛଦ୍ମବେଶରେ ବୁଲୁଥିବା ସମୟରେ ତାଙ୍କ କାନରେ ପଡିଲା, “ବଂଚାଅ, ବଂଚାଅ ।” ମହାରାଜ ଦେଖିଲେ ନଦୀର ପ୍ରଖର ସ୍ରୋତରେ ପୁରୁଷଟିଏ ଏବଂ ନାରୀଟିଏ ଭାସି ଯାଉଥାନ୍ତି । ଯେତେ ଚେଷ୍ଟା କଲେ ବି ସେମାନେ କୂଳକୁ ଆସି ପାରୁ ନ ଥାନ୍ତି । ସ୍ରୋତ ସେମାନଙ୍କୁ ଠେଲି ନେଉଥାଏ । ମହାରାଜ ସହସା ନଦୀଗର୍ଭକୁ ଡେଇଁପଡି ସେମାନଙ୍କୁ ରକ୍ଷାକଲେ । ସେମାନଙ୍କୁ ସାଷ୍ଟମ କରିବା ପରେ ସେମାନଙ୍କର ପରିଚୟ ମାଗି ଜାଣିଲେ ଯେ ପୁରୁଷଟିର ନାମ ଦେବକାନ୍ତ ଏବଂ ଯୁବତୀଟିର ନାମ ଦେବକାନ୍ତା । ଦୁହେଁ ଭାଇ ଭଉଣୀ । ସେମାନଙ୍କର ଘର ସାରଙ୍ଗଦେଶ ।
ମହାରାଜ କହିଲେ, ତମମାନଙ୍କୁ ତମ ରାଜ୍ୟକୁ ପଠାଇ ଦିଆଯିବ । ତା’ ପୂର୍ବରୁ ତୁମେ ଏଠାରେ କିଛିଦିନ ରହିଯାଅ । ଅନେକ କଷ୍ଟ, ସହି ଦୁର୍ବଳ ହୋଇ ଯାଇଛ । ମହାରାଜ ସେମାନଙ୍କୁ ନେଇ ମହଲ ଆଡେ ଯାଉ ଯାଉ ସୈନିକମାନେ ତାଙ୍କୁ ଦେଖି ଅଭିବାଦନ କଲେ । ଭାଇ ଭଉଣୀ ଜାଣି ପାରିଲେ ଯେ ଯେଉଁ ବ୍ୟକ୍ତି ସେମାନଙ୍କର ଜୀବନ ବଂଚାଇଛନ୍ତି ସେ ଅନ୍ୟ କେହି ନୁହଁନ୍ତି, ଖୋଦ୍ ମହାରାଜ ବିକ୍ରମାଦିତ୍ୟ । ସେମାନେ କୃତଜ୍ଞତା ଜଣାଇ ପ୍ରଣାମ କଲେ ।
ଭାଇ ଭଉଣୀ ରାଜମହଲରେ ବେଶ୍ ଆନନ୍ଦରେ ରହିଥାନ୍ତି । ଦେବକାନ୍ତର ସର୍ବଦା ଗୋଟିଏ ଚିନ୍ତା ମନରେ ଥାଏ, କିପରି ଭଉଣୀର ବାହାଘର ଭଲ ପାତ୍ର ଦେଖି ବିବାହ ଦେବ । ଦେବକାନ୍ତା ଦେଖିବାକୁ ଖୁବ୍ ସୁନ୍ଦରୀ । ସ୍ୱର୍ଗର ଅପସରୀ ଭଳି ଚେହେରା । ଯେମିତି ଗୋଟିଏ ଚାଉଳରେ ଗଢା । ଯିଏ ଚାହିଁବ ଆଖି ଫେରାଇ ନେଇ ପାରିବ ନାହିଁ । କେତେକ ରାଜକୁମାର ତାକୁ ବିବାହ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ମାତ୍ର ଦେବକାନ୍ତ ମନେ ମନେ ଭାବିଲା, ଯଦି ଦେବକାନ୍ତାର ବିବାହ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ହୋଇ ପାରନ୍ତା, ତେବେ ଖୁବ୍ ଭଲ ହୁଅନ୍ତା । ଦିନେ ସେ ମହାରାଜଙ୍କୁ ସାକ୍ଷାତ କରିବା ପାଇଁ ଅନୁମତି ଭିକ୍ଷା କଲେ ।