ବିଂଶ ଦିବସ ପ୍ରଭାତରେ ନିଜକୁ ପ୍ରସ୍ତୁତ କରି ଭୋଜରାଜ ଯାଇ ସିଂହାସନ ନିକଟରେ ଉପସ୍ଥିତ ହେବାକ୍ଷଣି ପରବର୍ତ୍ତି ପୁତ୍ତଳିକା ଜ୍ଞାନବତୀ କହିଲା, “ମହାରାଜ ବିକ୍ରମାଦିତ୍ୟ ଥିଲେ ଅନେକ ବିଲକ୍ଷଣ କଳାର ଅଧିକାରୀ । ସେ ବଡ ବଡ ପଣ୍ଡିତମାନଙ୍କୁ ମଧ୍ୟ ସେମାନଙ୍କ ଜ୍ଞାନର ପରିଭାଷା ଶିକ୍ଷାଦେଉ ଥିଲେ । ତାଙ୍କ ସଂପର୍କରେ ଏକ କାହାଣୀ କହୁଛି ଶୁଣନ୍ତୁ ଏବଂ ନିଜକୁ ସେଇ ଅନୁସାରେ ପରୀକ୍ଷା କରି କର୍ତ୍ତବ୍ୟ ପଥରେ ଅଗ୍ରସର ହୁଅନ୍ତୁ ।”
ଏକଦା ବିକ୍ରମାଦିତ୍ୟ ଧ୍ୟାନ କରିବା ପାଇଁ ଘୋର ଜଙ୍ଗଲକୁ ଗଲେ ଏବଂ ସେଠାରେ ପହଁଚି ଦେଖିଲେ ଯେ ଦୁଇଜଣ ପଣ୍ଡିତ ନିଜ ନିଜ ବିଦ୍ୟାକୁ ନେଇ ଚର୍ଚ୍ଚା କରୁଥାନ୍ତି । ସେମାନଙ୍କ କଥା ଶୁଣିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ହେଲା । ମାତ୍ର ସଶରୀରେ ସେମାନଙ୍କ ପାଖକୁ ଗଲେ ସେମାନେ ତାଙ୍କୁ ଦେଖି ଆଲୋଚନା ବନ୍ଦ କରି ଦେଇ ପାରନ୍ତି । ଏଣୁ ସେ ନିଜ ପାଖରେ ଥିବା ଚମତ୍କାରୀ କାଠକୁ ଘୋରି ମସ୍ତକରେ ତିଳକ ବୋଳିଲେ ଯାହା ଫଳରେ ସେ ଅଦୃଶ୍ୟ ଭାବରେ ସବୁ ଦେଖି ପାରିବେ ଏବଂ ଶୁଣି ପାରିବେ ଅଥଚ ତାଙ୍କୁ କେହି ଦେଖି ପାରିବେ ନାହିଁ ।
ମହାରାଜ ଅଦୃଶ୍ୟ ଭାବରେ ଯାଇ ପଣ୍ଡିତଙ୍କ ପାଖରେ ପହଁଚିଲେ । ପ୍ରଥମ ପଣ୍ଡିତ କୌଣସି ମୃତ ପଶୁର ହାଡ ପଡିଥିବାର ଦେଖି କହିଲେ, “ଏହା ଏକ ହରିଣୀର ହାଡ ଏବଂ ଏହା ମରିବାର ଚାରିବର୍ଷ ବିତିଗଲାଣି ।
ଦ୍ୱିତୀୟ ପଣ୍ଡିତ କହିଲେ, “କିଏ ଜାଣେ ଏକଥା ସତ କି ମିଛ? ମୃତ ହରିଣୀକୁ ତ ଡାକି ପଚାରି ହେବନି ଯେ ଏହା ତାର ହାଡ କି ନୁହେଁ ତଥା ସେ ମରିବାର କେତେବର୍ଷ ବିତିଲାଣି?”
“ତୁମ କଥା ଠିକ୍ ହୋଇପାରେ । ମାତ୍ର ଜ୍ଞାନ ଏପରି ହେବା ଦରକାର ଯାହାକୁ ସମସ୍ତେ ବୁଝି ପାରିବେ । ଯାହାର ପ୍ରତ୍ୟକ୍ଷ ପ୍ରମାଣ ଦିଆ ଯାଇପାରେ । ତୁମେ ନିଜ ବିଦ୍ୟାର ପରୀକ୍ଷା କରି ଦେଖାଇ ଦେଲେତ ମୁଁ ବିଶ୍ୱାସ କରିବି?” ଦ୍ୱିତୀୟ ପଣ୍ଡିତ କହିଲେ ।