ତ୍ରୟୋଦଶ ଦିନ ଭୋଜରାଜଙ୍କୁ ସିଂହାସନ ପାଖରେ ଦେଖି ପରବର୍ତ୍ତି ପୁତ୍ତଳିକା କୀର୍ତିମତୀ କହିଲା, “ଆପଣ ଥରେ ନିଜକୁ ମହାଦାନୀ ସୁଶାସକ ମହାରାଜ ବିକ୍ରମାଦିତ୍ୟଙ୍କ ସହିତ ନିଜକୁ ତଉଲି ଦେଖନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ ଆପଣ କେତେଦୂର ଯୋଗ୍ୟ ଏହି ସିଂହାସନରେ ବସିବା ପାଇଁ । ସେ ଏକ କାହାଣୀ ମଧ୍ୟ ଶୁଣାଇଲା ।
ଦିନେ ମହାରାଜା ବିକ୍ରମାଦିତ୍ୟ ନିଜର ମନ୍ତ୍ରୀ, ପାରିଷଦ, ପରାମର୍ଶଦାତା, ଜ୍ଞାନୀ, ଗୁଣୀ, ସାଧୁ ଏବଂ ବ୍ୟବସାୟୀମାନଙ୍କୁ ନିମନ୍ତ୍ରଣ କରି ଏକ ଭୋଜିଦେବା ସମୟରେ ଆଲୋଚନା ପ୍ରସଙ୍ଗରେ ପଚାରିଲେ, “ଏ ସୃଷ୍ଟିର ସର୍ବଶ୍ରେଷ୍ଠ ଦାନୀ କିଏ?” ଏ କଥା ଶୁଣି ଉପସ୍ଥିତ ଅଧିକାଂଶ ବ୍ୟକ୍ତି ବିଭିନ୍ନ ଢଙ୍ଗରେ ପ୍ରତିପାଦିତ କରିବାକୁ ଚାହିଁଲେ ଯେ ମହାରାଜ ବିକ୍ରମାଦିତ୍ୟ ହିଁ ସୃଷ୍ଟିର ଏକମାତ୍ର ବିରଳ ବ୍ୟକ୍ତିତ୍ୱ । ତାଙ୍କ ଭଳି ତ୍ୟାଗୀ, ମହାଦାନୀ, ସୁପୁରୁଷ, ସୁଶାସକ, ପରୋପକାରୀ ଅନ୍ୟକେହି ନାହିଁ । ତାଙ୍କର ସମକକ୍ଷ କେହି ନାହାଁନ୍ତି ବା ଅନ୍ୟ କେହି ତାଙ୍କ ପରେ ଜନ୍ମ ହେବେ ନାହିଁ । ସେ ଅତୁଳନୀୟ, ସେ ନିଜେ ହିଁ ନିଜର ତୁଳନା ।
ସବୁରି ମୁହଁରେ ନିଜର ପ୍ରଶଂସା ଶୁଣି ମହାରାଜ ସ୍ତବ୍ଧ ହୋଇଗଲେ । ସେ ଲକ୍ଷ କରି ଦେଖିଲେ ଯେ ସମସ୍ତଙ୍କ ମଧ୍ୟରେ କେବଳ ଜଣେ ବ୍ୟକ୍ତି କାହା ସହିତ କିଛି କଥାବାର୍ତା ନକରି ଏକା ଏକା ନୀରବରେ ବସିଥାନ୍ତି । ମହାରାଜ ତାଙ୍କୁ ସମ୍ବୋଧନ କରି କହିଲେ, “ମହାଶୟ! ସମସ୍ତେ କିଛି ନା କିଛି କହୁଛନ୍ତି ଏବଂ ଆଲୋଚନାରେ ଭାଗ ନେଉଛନ୍ତି । ଅଥଚ ଆପଣ ନୀରବ ଯେ?”
ବ୍ୟକ୍ତି ଜଣକ ଉତ୍ତର ଦେଲେ, “ମହାରାଜ! ସମସ୍ତେ ଯେତେବେଳେ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନାରତ ଏବଂ ଜଣକର ପ୍ରଶଂସାରେ ଶତମୁଖ, ସେଠାରେ ମୋ କଥା କିଏ ଶୁଣିବ? କିଏ ବିଶ୍ୱାସ କରିବ?”
“ଆପଣ କ’ଣ କିଛି କହିବାକୁ ଚାହାଁନ୍ତି?” ମହାରାଜ ପ୍ରଶ୍ନ କଲେ ।