ଦ୍ୱାଦଶଦିନ ସିଂହାସନ ନିକଟରେ ପହଁଚିବାକ୍ଷଣି ପରବର୍ତ୍ତି ପୁତ୍ତଳିକା ପଦ୍ମାବତୀ ଛିଡା ହୋଇ କହିଲା, “ମୁଁ ପଦ୍ମାବତୀ । ମହାରାଜ ବିକ୍ରମାଦିତ୍ୟଙ୍କର ଅନୁଗତ ସେବିକା । ତାଙ୍କ ପରି ପରାକ୍ରମୀ, ପରୋପକାରୀ ତଥା ତ୍ୟାଗୀ ସୁପୁରୁଷ ସୃଷ୍ଟିରେ ବିରଳ । ତଥାପି ଆପଣ ମୋ କଥା ଶୁଣନ୍ତୁ ଏବଂ ନିଜେ ନିଜେ ବିଚାର କରନ୍ତୁ ଯେ ଆପଣ ତାଙ୍କ ସହିତ ସମକକ୍ଷ ତ ସିଂହାସନରେ ବସନ୍ତୁ । ମୋର କିଛି ଆପତ୍ତି ନାହିଁ ।”
ଏକଦା ରାତ୍ରି ସମୟରେ ମହାରାଜ ବିକ୍ରମାଦିତ୍ୟ ନିଜ ରାଜମହଲର ଛାତ ଉପରେ ବସି ଆକାଶର ପୂର୍ଣ୍ଣଚନ୍ଦ୍ରକୁ ଦେଖୁଥାନ୍ତି, ଠିକ୍ ସେଇ ସମୟରେ କୌଣସି ନାରୀର ବିକଳ ଚିତ୍କାର ତାଙ୍କ କାନରେ ବାଜିଲା । ସେ କାଳ ବିଳମ୍ବ ନ କରି ନିର୍ଦ୍ଦିଷ୍ଟ ସ୍ଥାନରେ ପହଁଚିଗଲେ । ଦେଖିଲେ ନାରୀଟିଏ ବଂଚାଅ… ବଂଚାଅ… ଚିତ୍କାର କରି ଦୌଡୁଥାଏ ଏବଂ ତା ପଛେ ପଛେ ଗୋଡାଇଥାଏ ବିକଟାଳ ଦାନବଟିଏ । ରାଜା ତାକୁ ଆହ୍ୱାନ ଦେବାରୁ ସେ ତାଙ୍କ ଆଡକୁ ଝପଟି ଆସିଲା । ଦୁହିଁଙ୍କ ମଧ୍ୟରେ ଭୀଷଣ ଲଢେଇ ହେଲା । କେହି କାହାକୁ ଛାଡୁ ନ ଥାନ୍ତି । କିଛି ସମୟପରେ ଦାନବ ହାରିଗଲା । ମହାରାଜ ସୁଯୋଗ କ୍ରମେ ଦାନବକୁ ଖଣ୍ଡାରେ ହାଣି ପକାଇଲେ । ତା’ର ମୁଣ୍ଡ ଶରୀରରୁ ଅଲଗା ହୋଇ କିଛି ଦୂରରେ ପଡିଲା । ମାତ୍ର ଏ କ’ଣ? ସଙ୍ଗେ ସଙ୍ଗେ ଦାନବର ମୁଣ୍ଡ ଯୋଡି ହୋଇଗଲା ଏବଂ ତାର ରକ୍ତ ପଡିଥିବା ସ୍ଥାନରୁ ଆଉ ଏକ ଦାନବ ଉଠି ଆସିଲା । ଦୁହେଁ ମିଶି ମହାରାଜଙ୍କ ଆଡକୁ ଝପଟି ଆସିଲେ ।
ମହାରାଜ ବିକ୍ରମାଦିତ୍ୟ ହତଚକିତ ହୋଇଗଲେ । ମାତ୍ର ଧୈର୍ଯ୍ୟ ଓ ସାହସ ହରାଇଲେ ନାହିଁ । ଦୁଇ ଦାନବଙ୍କ ସହିତ ଘମାଘୋଟ ଲଢେଇ କଲେ । ପ୍ରଥମେ ଦ୍ୱିତୀୟ ଦାନବର ହାତଗୋଡ କାଟିଦେଲେ । ସେ ତଳେ ପଡି ଛଟପଟ ହେବାର ଦେଖି ପ୍ରଥମ ଦାନବ ରାଜାଙ୍କ ଆଡକୁ ଦ୍ରୁତ ଝପଟି ଆସିଲା । ମହାରାଜ ତାଙ୍କୁ ଏମିତି ଶକ୍ତ ଆଘାତ ଦେଲେ ଯେ ସେ ଦୌଡି ପଳାଇଲା ।
ନାରୀ ଜଣକ ମହାରାଜାଙ୍କ ଘୋଡା ଆଢୁଆଳରେ ଠିଆହୋଇ ସବୁକିଛି ଦେଖୁଥିଲେ । ମହାରାଜ ତା ପାଖରେ ପହଁଚି କହିଲେ, “ଏବେ ତୁମେ ମୁକ୍ତ । କାହାକୁ ଡରିବାର ନାହିଁ । ତମେ ଇଚ୍ଛା ଅନୁସାରେ ଯୁଆଡେ ଯାଇପାର । ନ ହେଲେ ମୋ ସହିତ ମହଲକୁ ଚାଲ । ମୁଁ ତୁମକୁ ନେଇ ତମ ଘରେ ପହଁଚାଇ ଦେବି । ତେବେ ତମେ ଯଦି ଜାଣିଥାଅ ମୋତେ ଏ ରହସ୍ୟ ଜଣାଅ ଯେ କିପରି ଗୋଟିଏ ଦାନବ ଦୁଇଟି ହୋଇଗଲା ଏବଂ ପ୍ରଥମ ଦାନବର କଟାମୁଣ୍ଡ ତୁରନ୍ତ ଯୋଡି ହୋଇଗଲା ।