ତୃତୀୟ ପ୍ରହର ହୁଅନ୍ତେ ବିକ୍ରମ ରାଜା ଯାଇ ବେତାଳଙ୍କୁ କହିଲେ ତମ୍ଭେ ଯାଇ ଖଟ ଖୁରାରେ ରହିବ । ମୁଁ ଯାହା ପ୍ରଶ୍ନ କରିବି ତୁମ୍ଭେ ଓଲଟା ଉତ୍ତର ଦେବ । ରାଜାଙ୍କ ଆଦେଶ ମାନି ବେତାଳ ଖଟ ଖୁରାରେ ରହିଲେ । ମୌନାବତୀଙ୍କୁ ରାଜା ଡାକିଲେ । ସେ ନଶୁଣନ୍ତେ ଖଟ ଖୁରାକୁ କହିଲେ ତୁମ ଜେମା ତ ଶୁଣୁ ନାହାଁନ୍ତି ତୁମ୍ଭ ସାଙ୍ଗରେ ଆଳାପ କରିବା ।
ଜଣେ ରାଜାଙ୍କର ସେବିକା ଜଣେ ଗଉଡୁଣୀ ଓ ଜଣେ ମାଲ୍ୟାଣୀ ଥିଲେ । ଦୁଇଜଣଙ୍କ ମଧ୍ୟରେ କା’ର ବୁଦ୍ଧି ବେଶୀ । ଏହା କହି କଳି ଲାଗନ୍ତି । ଗଉଡୁଣୀ ଦିନେ ଜେମାଙ୍କ ପାଖକୁ ଯାଇ କହିଲା ଜେମାମଣି ସାଧୁ ପୁତ୍ର ତୁମ୍ଭଙ୍କୁ ଅତି ଭଲପାଏ । ଗୋଟିଏ ରାତ୍ରି ତମ୍ଭେ ତା’ ସଙ୍ଗରେ ରହିଲେ ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ସେ ଦେବ । ଜେମାର ସମ୍ମତି ପାଇ ଗୋପାଳୁଣି ଗଲା । ରାତ୍ରବେଳେ ସାଧୁ ପୁତ୍ରକୁ ଆଣି ଜେମା ପାଖରେ ପହଁଚାଇ ଦେଲା । ଦ୍ୱାର ଦେଶରେ ଏକ କଟୁଆଳକୁ ରଖାଇ ଦେଲା । ଗଉଡୁଣୀର କାରବାର ମାଲ୍ୟାଣୀ ଜାଣି ସାଧୁକୁ ଯାଇ ସମସ୍ତ କଥା କହିଦେଲା । ସାଧୁର ପତ୍ନୀ ଏକଥା ଶୁଣି ପୁତ୍ରବଧୂକୁ ଧରି ମନ୍ଦିର ପାଖରେ ମିଳିଲା । ଦିଅଁ ଦରଶନପାଇଁ ଦେଉଳ ଯିବେ, ତେଣୁ ସମସ୍ତ କଟୁଆଳ ତାକୁ ରାସ୍ତା ଛାଡି ଦେଲେ । ମାଲିଆଣୀ ମଧ୍ୟ ସେଠାରେ ଥିଲେ । ସାଧୁ ପାଖରେ ବଧୂକୁ ଛାଡି ଜେମାକୁ ବେଶକରି ଘରକୁ ଆଣିଲା । କଟୁଆଳମାନେ ଏକଥା କିଛି ଜାଣି ପାରିଲେ ନାହିଁ । ମାଲ୍ୟାଣି ଜେମାକୁ ଘେନି ଅନ୍ତଃପୂରକୁ ଗଲେ । ସାଧବାଣୀ ନିଜ ଗୃହକୁ ଫେରିଗଲେ । ରାତ୍ରୀର ଶେଷ ପ୍ରହରରେ, ପୁରୁଷ ଓ ନାରୀ ଉଭୟଙ୍କୁ ଦରବାରକୁ ନେଲେ । ହେ ଖଟଖୁରା ତୁ କହ ଦୁହିଁଙ୍କ ମଧ୍ୟରେ କିଏ ଚତୁରୀ ।
ଖଟଖୁରାରେ ଥିବା ବେତାଳ କହିଲା ଦୁହିଁଙ୍କ ମଧ୍ୟରେ ଗଉଡୁଣୀ ଚତୁରୀ । ମୌନାବତୀ ଏକଥା ସହ୍ୟ କରି ନପାରି କହିଲା ଦୁହିଁଙ୍କ ମଧ୍ୟରେ ମାଲ୍ୟାଣୀ ଚତୁରୀ । ତୁ ମୋର ଖଟଖୁରା ହୋଇ ଏପରି ଅନିତ୍ୟ କଥା କିପରି କହୁଛୁ । ରାଜଜେମାଙ୍କର ପରିଚାରୀମାନେ ଥିଲେ ଓ ମୌନାବତୀର ତୃତୀୟ ପ୍ରହର କଥା ଶୁଣିଲେ ।