ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧିମାନ ଗୁରୁନାଥ

ଗୁରୁନାଥ ନାମକ ବୁଦ୍ଧିମାନ ଯୁବକଟିଏ ଥାଏ । ସେ ଚାହିଁଲା ଗ୍ରାମ ଛାଡି ସହରରେ ବସବାସ କରିବ । ସହରରେ ବୁଲୁବୁଲୁ ରାମରାଜ ନାମକ ଜଣେ ବ୍ୟକ୍ତିଙ୍କ ସହ ତା’ର ଦେଖା ହେଲା । କଥା ହେଉହେଉ ସେ ରାମରାଜ କହିଲେ, “ମୁଁ ବାହାରେ ସ୍ୱାସ୍ଥ୍ୟବାନ୍ ଦେଖା ଗଲେ ମଧ୍ୟ ଭିତରେ ଶ୍ୱାସ ବେମାରୀ ଯୋଗୁଁ ବଡ କଷ୍ଟପାଉଛି । ଡାକ୍ତର କହିଛି ଜଳବାୟୁ ପରିବର୍ତ୍ତନ ନକଲେ ମୋ ବେମାରୀର କିଛି ବି ଉପଶମ ହେବ ନାହିଁ । ତେଣୁ ମୁଁ ଚାହେଁ ଭଲ ଘରଟିଏ କୌଣସି ଗ୍ରାମରେ ମିଳିଲେ ମୁଁ ତାକୁ କିଣନ୍ତି ।”

                ତାଙ୍କ କଥା ଶୁଣି ଗୁରୁନାଥ ଅତ୍ୟନ୍ତ ଉତ୍ସାହିତ ହୋଇ କହିଲା “ଆହା, ଭଗବାନ୍ ତ ଆମ ଦୁହିଁଙ୍କୁ ଠିକ୍ ସମୟରେ ଯୁଟାଇଛନ୍ତି । ମୋର ତ ସହରରେ ରହିବାକୁ ଭାରି ଇଚ୍ଛା, ଆଉ ଆପଣଙ୍କର ଗ୍ରାମରେ । ମୋର ଜାଗା ଘର ତ ଗ୍ରାମରେ ଅଛି; ମୁଁ ସେସବୁ ମାତ୍ର ପନ୍ଦର ହଜାରରେ ବିକି ଦେବି । ଏଥର ଆପଣ ଯାଇ ସେଇଠି ହିଁ ରହନ୍ତୁ । ସହରରେ ଆପଣଙ୍କ ବଗିଚା ପାଖରୁ ଖଣ୍ଡେ ଜାଗା ମୋତେ ଦେଲେ ମୁଁ ସେଠାରେ ଘରଖଣ୍ଡେ କରି ରହିଯା’ନ୍ତି ।”

                ସବୁ କଥା ଶୁଣି ରାମରାଜ କହିଲେ, “ଓ ଏପରି କଥା? ତେବେ ତ ଖୁବ୍ ଭଲ ହେଲା । କିନ୍ତୁ ମୁଁ ପ୍ରଥମେ ଯାଇ ଦେଖିବି ସେଠାକାର ପାଣିପବନ ମୋ ଦେହରେ ଯାଉଛି ନା ନାହିଁ ।”

                ତହୁଁ ସେ ଗୁରୁନାଥ କହିଲା “ଅବଶ୍ୟ ଯାଇ ଦେଖନ୍ତୁ । କିନ୍ତୁ ମୋତେ ଦେଖି ପାରୁଛନ୍ତି ନା ନାହିଁ । ମୋର ଏ ସ୍ୱାସ୍ଥ୍ୟ ସେଇଗାଁର ପାଣିପବନ ଯୋଗୁଁ ହୋଇଛି ତ? କେତେବର୍ଷ ତଳେ ମୁଁ ତ ପୁଣି ପଲଙ୍କରେ ଶୋଇ ରହୁଥିଲି ଆଉ ଆଜି ଏତେ ବଡ ସ୍ୱାସ୍ଥ୍ୟବାନ ଯୁବକ ।”

                ରାମରାଜ ଗୁରୁନାଥ କଥାରେ ପ୍ରଭାବିତ ହେଲେ । ଗ୍ରାମକୁ ଯାଇ ଘରଟିକୁ ଦେଖି ସେ ସନ୍ତୁଷ୍ଟ ହୋଇ ତାହା କିଣିଲେ ।

ସେ ଗ୍ରାମରେ ଭୋଳା ନାମକ ଜଣେ ଲୋକ ଗୁରୁନାଥର ଶତ୍ରୁ ଥିଲା । ସେ ରାମ ରାଜଙ୍କ ସହ ଦେଖାକରି ତାଙ୍କଠାରୁ ସବୁ କଥା ଶୁଣିଲା ଓ କହିଲା, “ଗୁରୁନାଥ ଆପଣଙ୍କୁ ଏତେ ମିଛ କହିଛି । ସେ ତ କାହିଁ କେବେ ବି ଶଯ୍ୟାଶାୟୀ ହୋଇ ପଡି ନାହିଁ । ସେ ଠକ କଥାରେ ପଡି ଆପଣ ଏତେ ଗୁଡିଏ ଟଙ୍କା ପାଣିରେ ପକାଇଲେ?”

ଏଣେ ରାମରାଜ ତ ରାଗିକରି ଥା’ନ୍ତି । ତେଣୁ ସେ ଗୁରୁନାଥକୁ ଡକାଇ କହିଲେ, “ହଇହୋ ତମେ ଏତେ ବଡ ଠକ? ମିଛ କଥା ଗୁଡିଏ କାହିଁକି କହିଲ? ମୁଁ ତ ଜାଗା କିଣିଥା’ନ୍ତି । କିନ୍ତୁ ତୁମ ଉପରେ ମୋର ବିଶ୍ୱାସ ସାରାଜୀବନ ପାଇଁ କଟି ଗଲା । ସବୁ କଥାର କିଛି ନା କିଛି ପ୍ରାୟଶ୍ଚିତ ଅଛି । ହେଲେ ମିଛକଥାର କିନ୍ତୁ କୌଣସି ପ୍ରାୟଶ୍ଚିତ ନାହିଁ । ଯିଏ କହିଲା ତ ନିହାତି ଖରାପ ଲୋକ, ଆଉ ଯିଏ ବିଶ୍ୱାସ କରି ଶୁଣିଲା, ପୁଣି ପ୍ରଭାବିତ ହେଲା, ସେ ବିଚାରା ଠକ ହାବୁଡରେ ପଡିଲା ।”

ଏପରି କଥା ଶୁଣି ଗୁରୁନାଥ ପଚାରିଲା “ମୁଁ ପୁଣି ମିଛକଥା? ଅସମ୍ଭବ । ଆପଣମାନେ ସହରୀ ଲୋକ ମିଛ କହନ୍ତି । ଆମେ ତ କହୁନା । କ’ଣ କହିବାକୁ ଚାହୁଁଛନ୍ତି କହନ୍ତୁ ତ?”

ରାମରାଜ କହିଲେ “ତମେ ଯେ କହିଲ ତମେ ପଲଙ୍କ ଉପରେ ପଡି ରହିଥିଲ, ଶଯ୍ୟାଶାୟୀ । କିନ୍ତୁ ମୁଁ ଶୁଣିଲି ତୁମକୁ ତ କାହିଁ କେବେବି, ସେପରି ରୋଗ ଧରି ନାହିଁ ।”

ଗୁରୁନାଥ କହିଲା “ଓ ଏଇକଥା? ମୁଁ ବେମାରୀ କଥା ତ କହିନାହିଁ । ମାମୁଁ ଘରେ ଜନ୍ମ ହେବାପରେ ଏ ଗାଁକୁ ଆସିଲାବେଳକୁ ମୁଁ ତ ମାତ୍ର ଦିମାସର ହୋଇଥିଲି । ସେତେବେଳେ ପଲଙ୍କରେ ପଡିରହି ନଥିଲି ତ ଆଉ କ’ଣ? ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ମୋର ଅତୁଟ ସ୍ୱାସ୍ଥ୍ୟ କେବଳ ଏଇ ଗାଁର ପାଣିପବନ ଯୋଗୁଁ ହିଁ ସମ୍ଭବ ହୋଇଛି । ଏଥର ବୁଝିଲେ?” ତା’ପରେ ସେ ଦୁହେଁ ଖୁବ୍ ହସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ