ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ତାମ୍ର ଯନ୍ତ୍ର

ବୀରଭଦ୍ର ନାମକ ଜଣେ ବଣିକ ସହରରୁ ଘରକୁ ଫେରୁଥାନ୍ତି । ସେତେବେଳକୁ ତ ରାତି ହୋଇଯାଇଥାଏ । ଅଳ୍ପବାଟ ଯିବା ପରେ ଜଣେ ଦାଢିବାଲା ବ୍ୟକ୍ତି ଗାଡି ଅଟକାଇ କହିଲେ, “ମହାଶୟ, ମୁଁ ଏକଘଂଟା ଧରି ଏଠାରେ ଗାଡିଟିଏ ପାଇଁ ଅପେକ୍ଷା କରିଛି, କିନ୍ତୁ ପାଉନାହିଁ । ମୁଁ ଗାଜିପୁର ଯିବି । ଦୟାକରି ଆପଣଙ୍କ ଗାଡିରେ ମୋତେ ଟିକିଏ ଜାଗା ଦିଅନ୍ତୁ ।”

                ଗାଡିବାଲା ଏଥିରେ ଆପତ୍ତି କଲା । କିନ୍ତୁ ବୀରଭଦ୍ର ଗମ୍ଭୀର ହୋଇ କହିଲେ, “ଜଣକ ସ୍ଥାନରେ ଦି’ଜଣ ଗଲେ କ୍ଷତି କ’ଣ? ଆମେ ତ ଗାଜିପୁର ଭିତର ଦେଇ ଯିବୁ । ଆସନ୍ତୁ । ବସନ୍ତୁ ।”

                ବ୍ୟକ୍ତିଟି ଗାଡିରେ ବସି ବୀରଭଦ୍ରଙ୍କ ସହିତ ଆଳାପ ଆଲୋଚନା କରୁ କରୁ କହିଲେ, “ଆପଣ ମୋତେ ବହୁତ ସାହାଯ୍ୟ କଲେ । କିନ୍ତୁ ମୋର ଦାଢୀ ଓ ଏ ମଇଳା ଲୁଗା ଦେଖି କିଛି ଖରାପ ଭାବିବେ ନାହିଁ । ମୋ ନାମ ରମେଶ । ବହୁତ କଷ୍ଟ କରି ମୁଁ ହିମାଳୟ ଯାଇଥିଲି । ଏବେ ମୁଁ ମୋ ଗ୍ରାମକୁ ଫେରୁଛି ।”

                ତା’ପରେ ରମେଶ ନିଜ ଥଳୀରୁ ଏକ ତମ୍ବାନିର୍ମିତ ଯନ୍ତ୍ର ବାହାର କରି କହିଲେ, “ଏଇଟି ଦେଖି କୁହନ୍ତୁ ଏହା କି ପ୍ରକାରର ବସ୍ତୁ?”

                ବୀରଭଦ୍ର ସେହି ଯନ୍ତ୍ରଟିକୁ ଧରି ଓଲଟ ପାଲଟ କରି ଦେଖିଲେ ଓ କହିଲେ, “ଏହି ତାମ୍ରପତ୍ର ଉପରେ କୌଣସି ମନ୍ତ୍ରର ବୀଜାକ୍ଷର ଲେଖା ହୋଇଛି ।”

                ସେଇଟିକୁ ପୁଣି ନିଜ ଥଳୀରେ ରଖି ରମେଶ କହିଲେ, “ବୀଜାକ୍ଷର ତ ଅଛି । ଏହା କିଛି ସାଧାରଣ ତାମ୍ରପତ୍ର ନୁହେଁ । ହିମାଳୟରେ ତପସ୍ୟା କରୁଥିବା ଜଣେ ଯୋଗୀ ମୋର ଦୁଃଖକଷ୍ଟର କାହାଣୀ ଶୁଣି ଦୟାକରି ମୋତେ ଏଇଟି ସେ ଦେଇଛନ୍ତି । ସେ ମୋତେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଯଦି ଏଇଟିକୁ ମୋର ପୂଜା ଘରେ ରଖିଦିଏ ତେବେ ମୋର ସମସ୍ତ ଦୁଃଖ କଷ୍ଟ ଅଚିରେ ଦୂର ହୋଇଯିବ । ବର୍ଷକ ପୂର୍ବରୁ ମୁଁ ଘର ଛାଡି ଚାଲିଯାଇଥିଲି । ଏବେ ଏହି ତାମ୍ରପତ୍ରଟି ପାଇ ମୁଁ ବହୁତ ଆଶା କରି ଘରକୁ ଲେଉଟି ଆସିଲି । ବୋଧହୁଏ ମୋର ଆଉ କୌଣସି ସମସ୍ୟା ଦେଖାଦେବ ନାହିଁ ଓ ଜୀବନର ଶେଷ କେତେଦିନ ମୁଁ ଏଥର ମହା ସୁଖରେ ବିତାଇବି ।”

                ଏମିତି କେତେ କଥା କହୁ କହୁ ସେ ଦୁହେଁ ଶୋଇ ପଡିଲେ ।

                “ମହାଶୟ, ଆମେ ଗାଜିପୁରରେ ପହଁଚି ଯାଇଛୁ ।” ଗାଡିବାଲା କଣ୍ଠରେ ବୀରଭଦ୍ରଙ୍କର ନିଦ ଭାଙ୍ଗିଲା । ସେ ରମେଶଙ୍କୁ ଉଠାଇବାକୁ ଯାଇ ତାଙ୍କ ଦେହରେ ହାତ ଦେଇ ହଠାତ୍ ଚମକି ପଡିଲେ । ତାଙ୍କର ପ୍ରାଣହୀନ ଶରୀର ମାତ୍ର ସେଠାରେ ପଡିଥିଲା । ବୀରଭଦ୍ର ରମେଶଙ୍କର ଠିକଣା ପଚାରି ତାଙ୍କ ଘର ପାଖରେ ଗାଡି ରଖି ନିଜେ ଓହ୍ଲାଇ ଯାଇ ରମେଶଙ୍କ ପତ୍ନୀଙ୍କୁ ସବୁ କିଛି କହିଲେ । ବର୍ଷକ ପୂର୍ବରୁ ଘର ଛାଡି ଯାଇଥିବା ଲୋକର ନିର୍ଜୀବ ଦେହମାତ୍ର ଫେରି ଆସିଛି ଏହା ଦେଖି ସ୍ତ୍ରୀ ପୁଅ ଝିଅ ସବୁ ଖାଲି କାନ୍ଦିବାରେ ଲାଗିଲେ । ବୀରଭଦ୍ରଙ୍କୁ ଏସବୁ ବହୁତ ଖରାପ ଲାଗିଲା ।

ସେମାନଙ୍କୁ ସାନ୍ତ୍ୱନା ଦେବା ପରେ ବୀରଭଦ୍ର ନିଜ ଘରକୁ ଫେରିଲେ । ସେତେବେଳକୁ ତ ସକାଳ ହୋଇ ଯାଇଥାଏ । ବୀରଭଦ୍ର ଜିନିଷ ସବୁ ଗାଡିରୁ ଉତାରିବା ବେଳେ ଦେଖିଲେ ରମେଶଙ୍କର ତାମ୍ରପତ୍ରଟି ପଡିଛି । ସେ ପରେ ଯାଇ ସେଇଟିକୁ ଫେରାଇ ଦେବାର ମନସ୍ଥ କରି ତାକୁ ନିଜ ପୂଜା ଘରେ ନେଇ ଯତ୍ନପୂର୍ବକ ରଖିଲେ ।

ସେଦିନ ରାତିରେ ଶୋଇବାକୁ ଯାଇ ବୀରଭଦ୍ର ଖାଲି ଗୁଡାଏ ଦୁଃସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ସେ ନିଜର ବାଲ୍ୟବନ୍ଧୁ ପ୍ରବୀଣଙ୍କୁ ଦେଖିଲେ । ସେ ତାଙ୍କୁ ପଚାରୁଛନ୍ତି, “ଆରେ ବୀରଭଦ୍ର, ଆଜିକାଲି ତୋର ଓ ତୋ ପୁଅର ଆଉ ଝଗଡା ହେଉନାହିଁ ତ? ତୋ ପୁଅ ଗ୍ରାମର ସମସ୍ତିଙ୍କ ପାଖକୁ ଯାଇ ଚାକିରୀ ଦେବାପାଇଁ ଅନୁରୋଧ କରୁଛି ।”

ବନ୍ଧୁ ଚାଲିଯିବା ପରେ ବୀରଭଦ୍ର ନିଜ ପୁଅକୁ ପଚାରିଲେ, “ମୁଁ କ’ଣ ଶୁଣିଲି ତୁ ଯାଇ ଗାଁର ଯାହାକୁ ନାଇଁ ତାହାକୁ ଚାକିରୀ ପାଇଁ କହୁଛୁ!”

ପୁଅ କହିଲା “ହଁ ହଁ ସତ । ମୋର ବୟସ ହେଲାଣି । କିଛି ନା କିଛି ତ କରିବି? ନହେଲେ ମୁଁ ମୋ ପେଟ କେମିତି ପୋଷିବି? ମୁଁ ତ ଆଉ ଚୋରୀ କରୁନାହିଁ ଯେ ତୁମକୁ ଲଜ୍ଜା ହେବ?”

ପିତା ବୀରଭଦ୍ର ଆଶ୍ଚର୍ଯ୍ୟ ଓ ବିରକ୍ତ ହୋଇ କହିଲେ “ଆରେ ମୂର୍ଖ, ତୋର ଏମିତି ହଠାତ୍ କ’ଣ ପରିସ୍ଥିତି ହୋଇଗଲା ଯେ ଚାକିରୀ ନ କଲେ ନ ଚଳେ? ସେକଥା ପୁଣି ଯେ କୌଣସି ଲୋକକୁ ଦେଖି କହି ବୁଲିବୁ? ଆମର ତ ବ୍ୟବସାୟ ଲକ୍ଷ୍ୟାଧିକ ଟଙ୍କାରେ ଚଳୁଛି । ତାକୁ ଛାଡି ତୁ କାହିଁକି ଚାକିରୀ କରିବୁ?”

ଏତିକିରେ ବୀରଭଦ୍ରଙ୍କର ନିଦ ଭାଙ୍ଗିଗଲା । ସେ ଚମକି ପଡି ନିଦରୁ ଉଠିଲେ ଓ ଭାବିଲେ, “ମୁଁ ତ ଏପରି ଦୁଃସ୍ୱପ୍ନ କେବେବି ଦେଖିନାହିଁ । ଆଜି ମୋର କ’ଣ ଏପରି ହୋଇଗଲା?”

ପରଦିନ ମଧ୍ୟ ସେ ଆଉ ଏକ ଦୁଃସ୍ୱପ୍ନ ଦେଖିଲେ । ତାଙ୍କ ପତ୍ନୀ ତ ସ୍ଥୁଳକାୟ ଥିଲେ । ବେଶି ଖାଇଲେ ନିଶ୍ୱାସ ନେବାରେ କଷ୍ଟ ହୁଏ । ଅଳ୍ପ ଖାଇଲେ ତାଙ୍କୁ ଦୁର୍ବଳ ଲାଗେ । ତେଣୁ ବୈଦ୍ୟ ତାଙ୍କୁ କହିଥିଲେ ଦିନରେ ଥରେ ମାତ୍ର ଭଲ କରି ଖାଇବେ, ରାତିରେ ସେ ଦୁଧ ପିଇ ଶୋଇବେ । ତା’ଛଡା ସେ ଆଉକିଛି ଔଷଧ ମଧ୍ୟ ଖାଇବାକୁ ଦେଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ