ଏହାପରେ ଦିନେ ଯୁବକଟି ଚାଣ୍ଡାଳଙ୍କର ଘରକୁ ଗଲା । ସେତେବେଳେ ଚାଣ୍ଡାଳ ଘରେ ନଥିଲେ । କିଛିସମୟ ପରେ ସେ ଫେରିଆସିଲା । ଯୁବକ ତାକୁ ଘରକାମରେ ସାହାଯ୍ୟ କଲା । ତା’ପରେ ସେ ଚାଣ୍ଡାଳଙ୍କୁ ବିନୟ ହୋଇ କହିଲା – “ମତେ ଆପଣଙ୍କର ଶିଷ୍ୟ କରନ୍ତୁ ।”
ଚାଣ୍ଡାଳ ସବୁ କଥା ଜାଣିପାରୁଥିଲେ । ସେ ଯୁବକର ମନକଥା ବୁଝିଥିଲେ । ତଥାପି ଚାଣ୍ଡାଳ ତାଙ୍କୁ ପାଖରେ ରଖିଲେ । ଯୁବକ ଗୁରୁଙ୍କ ପାଇଁ ବଣରୁ କାଠ ଆଣି ଦେଉଥିଲା । ନଈରୁ ପାଣି ନେଇଆସୁଥିଲା । ଗୁରୁ ଶୋଇଲା ବେଳେ ତାଙ୍କର ଗୋଡ ଘଷିଦେଉଥିଲା ।
ଦିନେ ଚାଣ୍ଡାଳଗୁରୁ ଶିଷ୍ୟକୁ କହିଲେ – “ପାଦ ରଖିବା ପାଇଁ ଉଚ୍ଚ ପିଢାଟିଏ ଆଣ ।” ଯୁବକ ପିଢା ପାଇଲା ନାହିଁ । ତେଣୁ ସେ ଗୁରୁଙ୍କର ପାଦକୁ ନିଜ କୋଳ ଉପରେ ରଖି ସାରାରାତି ସେଠାରେ ବସିରହିଲା । ଏହା ଦେଖି ଚାଣ୍ଡାଳଙ୍କର ସ୍ତ୍ରୀ ଭାରି ଖୁସୀ ହେଲେ । ସେ ତାଙ୍କ ସ୍ୱାମୀଙ୍କୁ କହିଲେ – “ଯୁବକଟି ତୁମର ବହୁତ ସେବା କରୁଚି । ତାକୁ ଆମ୍ବ ଫଳାଇବା ମନ୍ତ୍ରଟି ଶିଖାଇଦିଅ ।”
ଚାଣ୍ଡାଳ ଉତ୍ତର ଦେଲେ – “ସେ ମୋର ବହୁତ ସେବା କରୁଚି ସତ, ହେଲେ ତା’ର ମନ ପବିତ୍ର ନୁହେଁ । ମୁଁ ତାକୁ ମନ୍ତ୍ର ଦେଲେ ବି ସେ ତାହା ରଖିପାରିବନି ।”
ସ୍ତ୍ରୀ କହିଲେ – “ସେ ଯଦି ତା’ର ଭୁଲ୍ରୁ ରଖିନପାରେ, ତେବେ ତୁମେ କ’ଣ କରିବ? ଆଗେ ମନ୍ତ୍ରଟି ତାକୁ ଶିଖାଇଦିଅ – ଦେଖ, ସେ କ’ଣ କରୁଚି ।”