ରାଜା ବିକ୍ରମାଦିତ୍ୟ ଏପରି କ୍ରନ୍ଦନ କରୁ କରୁ ରାତ୍ରି ଶେଷ ହୋଇଗଲା । ସେବାକାରୀମାନେ ଆସି ରାଜାଙ୍କର ନିକଟରେ ପ୍ରବେଶ ହେଲେ । ଦେଖିଲେ କମଳିନୀ ନାମ ଧରି ରାଜା ବିକ୍ରମାଦିତ୍ୟ କ୍ରନ୍ଦନ କରୁଛନ୍ତି । ରାଜାଙ୍କର କ୍ରନ୍ଦନ ଦେଖି ସମସ୍ତେ କହିଲେ ରାଜାଙ୍କ ଠାରେ ଶାରୀର ଶାପ ଫଳିଲା । ରାଜା ରାଜ୍ୟ ତ୍ୟାଗ କରି କମଳିନୀ ନାମକୁ ଧରି ଗ୍ରାମକୁ ଗ୍ରାମ ଭ୍ରମଣ କଲେ । ଶେଷରେ ଘୋର ବନସ୍ତକୁ ଚାଲିଗଲେ ।
ଏପରି କମଳିନୀର ନାମଧରି ରାଜା ବିକ୍ରମାଦିତ୍ୟ ଭ୍ରମଣ କରି ଗୋଟିଏ ବର୍ଷ କଟାଇ ଦେଲେ । ବର୍ଷ ପୂରଣ ହୁଅନ୍ତେ ବନ ତ୍ୟାଗକରି ରାଜା ବିକ୍ରମାଦିତ୍ୟ ପଳାଇଗଲେ । ସମୁଦ୍ର କୂଳରେ ପ୍ରବେଶ ହେଲେ ରାଜା ବିକ୍ରମାଦିତ୍ୟ । ଏକ ବଟବୃକ୍ଷ ମୂଳରେ ଶ୍ରମପାଇ ବସିଗଲେ । କମଳିନୀ କମଳିନୀ କହି ଲୋତକ ବର୍ଷଣ କରି ରାଜା କ୍ରନ୍ଦନ କରୁଥାନ୍ତି । ସେ ବୃକ୍ଷରେ ଶୁକ ଶାରୀ ଦୁଇଟି ବହୁତ ଦିନରୁ ବସା କରି ରହିଥାନ୍ତି । ରାଜାଙ୍କର କ୍ରନ୍ଦନ ଦେଖି ଶାରୀ ଶୁକକୁ ପ୍ରଶ୍ନ କଲା । ଏ ପୁରୁଷ ଘର କେଉଁ ଦେଶରେ । ଏ ବଟ ବୃକ୍ଷ ମୂଳରେ ବସି କମଳିନୀ କମଳିନୀ କହୁଛି କାହିଁକି? ଶାରୀର ପ୍ରଶ୍ନର ଉତ୍ତରରେ ଶୁକ କହିଲା ହେ ପ୍ରିୟେ ଯାହା ପ୍ରଶ୍ନକଲ ସେ କଥା କହୁଛି ଏବେ ଶୁଣ । ଏ ଲୋକ ସାମାନ୍ୟ ନୁହଁନ୍ତି । ଏ ବିକ୍ରମାଦିତ୍ୟ ରାଜଚକ୍ରବର୍ତୀ । ମୋହ ସଦୃଶ ଏକ ଶୁକ ପକ୍ଷୀ ଏ ରାଜାଙ୍କ ନିକଟରେ ମନ୍ତ୍ରୀପଣ କରୁଥିଲା । ତାଙ୍କ ସ୍ତ୍ରୀ ଭାନୁମତୀଙ୍କ କଥାରେ ପଡି ସେ ଶୁକର ଗଳା କାଟି ତାକୁ ବଧ କଲେ । ଶୁକର ସ୍ତ୍ରୀ ପତିବ୍ରତା । ସେ କ୍ରୋଧ ହୋଇ ଅଭିଶାପ ଦେଲା । ହେ ନୃପ ବିକ୍ରମାଦିତ୍ୟ ବିନା ଦୋଷରେ ମୋ ସ୍ୱାମୀକୁ ବଧ କଲୁ । କମଳିନୀ କମଳିନୀ ହୋଇ ତୁ ଚତୁର୍ଦ୍ଦିଗ ଭ୍ରମଣ କରିବୁ । ଶୁକ କହିଲା ଏ ଅଘଟଣରୁ ରାଜାଙ୍କୁ ଉଦ୍ଧାର କରିବାକୁ ହେଲେ ଏ ଶାପର ପ୍ରତିକାର ଏକମାତ୍ର ପନ୍ଥା । ମୁଁ ଯେବେ ଏହାର ମନ୍ତ୍ରୀ ହୋଇଯାନ୍ତି ରାଜା ବିକ୍ରମାଦିତ୍ୟଙ୍କୁ ରକ୍ଷା କରିଦିଅନ୍ତି । ଏ ରାଜାଙ୍କୁ ତିଳେମାତ୍ର ବିଶ୍ୱାସ ନାହିଁ ସେ ଶୁକପକ୍ଷୀ ପରି ମୋତେ ମାରି ଦେବ । ଶାରୀ କହିଲା ସ୍ୱାମୀ ଆମ୍ଭେ ପକ୍ଷୀଜାତି, ଆମ୍ଭେ ନର ସଙ୍ଗରେ କାହିଁକି ମନ୍ତ୍ରୀ ହୋଇ ରହିବା ଯେବେ କମଳିନୀ ବିଷୟରେ ଜାଣିଛ ଏ ରାଜାଙ୍କୁ କହିଦିଅ ସେ ରକ୍ଷା ପାଇଯାଉ ।
ଆହୁରି କଥାଏ ଅଛି, ଯେଉଁ ଜନ ପରୋପକାର କରନ୍ତି ସ୍ୱର୍ଗରେ ଦେବତାମାନେ ତାହାକୁ ପୂଜା କରନ୍ତି । ଜାଣିଥିଲେ କହିଦିଅ କମଳିନୀ କଥା । ଶୁକ କହିଲା ଶାରୀ କମଳିନୀ ମୋ ସ୍ଥାନରେ ରହୁଛି, ଅରମ୍ୟ ସେ ସ୍ଥାନ, ସାଧାରଣ ନର ଲୋକ ଯାଇ ପାରିବେନି । ସମୁଦ୍ର ମଧ୍ୟରେ ଶାଳ୍ମଳୀ ନାମରେ ଦ୍ୱୀପ ଅଛି । କଙ୍କାଳ ନାମରେ ଏକ ଦେଶ ରହିଛି । କେଜି ନାମରେ ଜଣେ ରାଜା ସେଠାରେ ଅଛନ୍ତି, ତାଙ୍କର କନ୍ୟାନାମ କମଳିନୀ । କମଳିନୀକୁ କୌଣସି ପୁରୁଷ ଦେଖି ପାରିବେନି । ତା’ର ପିତା ଏକ ଗୃହ ନିର୍ମାଣ କରି ତାକୁ ରଖିଛି । ସେ କନ୍ୟା ଯେଉଁଠି ରହୁଛି ପୁରୁଷମାନଙ୍କର ଛାୟା ସେ ସ୍ଥାନରେ ପଡେ ନାହିଁ । ଚାରିଆଡେ ଜଗୁଆଳୀ, ରାଜାର ଭାଗ୍ୟ ଥିଲେ ସେ ସ୍ଥାନକୁ ଯିବ ।