ବୋଲକରା ଖୁବ୍ ଆଗ୍ରହ ହେଲା । ଏ ବିଷୟରେ ତଥ୍ୟ ମାନ ସେ ପାଇବ କିପରି, ତେଣୁ ସେ ବହୁ ଲୋକଙ୍କୁ ସେ ବିଷୟରେ ପଚାରନ୍ତେ କାହାରି ଠାରୁ ମନକୁ ପାଇବା ପରି କଥାଟିଏ ଶୁଣି ପାରିଲା ନାହିଁ । ତହୁଁ ସେ ସ୍ଥିର କଲା ସେ ଯାହା ହେଉନା କାହିଁକି ଶୀତଳା କୋଠାଘରେ ପହଁଚିବା ମାତ୍ରେ ଆଗେ ସେ ଉପଦେଷ୍ଟାଙ୍କୁ ଏ କଥା ପଚାରିବ । ସେ ସେହି କଥାର ଉତ୍ତର ନପାଇବା ଯାଏଁ କିଛିବି କରିବ ନାହିଁ ।
ୟା ମଧ୍ୟରେ ସଞ୍ଜ ହୋଇ ଯାଇଛି । ବୋଲକରା ଆସି କୋଠା ଘରେ ଦେଖିଲା ଚତୁର ବ୍ୟଙ୍ଗକାର ନିତ୍ୟ କର୍ମ ସାରି ମନେ ମନେ ଇଷ୍ଟ ଦେବୀଙ୍କର ନାମ ସ୍ମରଣ କରୁଛନ୍ତି । ବୋଲକରା ଯାଇ ସଉଦା ପତ୍ର ଥୋଇ ଦେଲା । ଦେଖି ଥିବା କଥାକୁ କହି ଏହା କାହିଁକି ହୋଇଛି ତା’ର ଠିକ୍ କଥା ମୋତେ ବୁଝାଇ ଦିଅ । ନହେଲେ କାର୍ଯ୍ୟ ଏହି ଠାରେ ଠପ କରି ମୁଁ ଶୋଇବି ଜାଣ । ଚତୁର ବ୍ୟଙ୍ଗକାର ହସିଲେ ଆଉ କହିଲେ –
ବସ ବୋଲକରା ମଥାକୁ ସ୍ଥିର
କହିବା ସେକଥା ଜଣା ଆମ୍ଭର
ଲଗାଅତୁ ଚୁଲା ବସାଅ ହଣ୍ଡା
କଥା ଚାଲିଥିବ ସରିବ ରନ୍ଧା ।
ବୋଲକରା ଉପଦେଷ୍ଟାଙ୍କ କଥାରେ ଖୁସି ହୋଇ ଯାଇ ରୋଷେଇ କାର୍ଯ୍ୟରେ ଲାଗି ଯାଆନ୍ତେ, ଚତୁର କଥାକାର ସେହି କଥାଟି ଆରମ୍ଭ କଲେ – ପ୍ରାଚୀନ କାଳରେ ଯାଜନଗ୍ର ନାମରେ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଜଣେ ବିଖ୍ୟାତ ସୌଦାଗର ଥିଲେ । ତାହାଙ୍କ ନାମ ଜୟ ସୌଦାଗର । ସେ ଖୁବ୍ ଧନୀ ଥିଲେ । ଅମାପ ଧନ ସମ୍ପଦ, ସେଥି ପାଇଁ ସୌଦାଗରର ପ୍ରତିପତି ଅନେକ ।
ଜୟ ସୌଦାଗର ବୋଇତ ନେଇ ଜାଭା ସୁମାତ୍ରା ଆଦି ବହୁ ଦୂର ସ୍ଥାନକୁ ଯାଇ ବାଣିଜ୍ୟ କରେ । ହେଲେ ଜୟ ସୌଦାଗର ଧନରେ ବଡ ହେଲେ କ’ଣ ହେବ, ଲୋକଙ୍କ ଆଖିରେ ସେ ଖୁବ୍ ଦୁର୍ଦ୍ଦାନ୍ତ ଏବଂ ଅତ୍ୟାଚାରୀ ମଧ୍ୟ ଥିଲା । ସେ ଯେଉଁ ଯେଉଁ ରାଜ୍ୟକୁ ବଣିଜ କରିବାକୁ ଯାଏ ସେହି ରାଜ୍ୟରୁ ସୁନ୍ଦରୀ ସୁନ୍ଦରୀ ଝିଅ ମାନଙ୍କୁ ଅପହରଣ କରି ଆଣି ସେମାନଙ୍କ ପ୍ରତି ଅକଥନୀୟ ପାଶବିକ ଅତ୍ୟାଚାର କରେ । ସେ ସୌଦାଗର ତାର ଜୀବନ ମଧ୍ୟରେ ଏମିତି ବହୁ ପାପ କଲା । ଏହି କାରଣରୁ ତାଙ୍କୁ ଧର୍ମ ସହିଲା ନାହିଁ । ପାପର ସୀମା ଏତେ ଅଧିକ ହୋଇ ଗଲା ଯେ ତା’ର ବଂଶ ରକ୍ଷା ନିମନ୍ତେ ପୁଅ କି ଝିଅଟିଏ ହେଲେ ନାହିଁ ।
ଏଥି ଯୋଗୁଁ ତାଙ୍କ ସ୍ତ୍ରୀଙ୍କ ମନରେ ଖୁବ୍ ଦୁଃଖ ହେଲା । ଆଣ୍ଠୁକୁଡି ହେବା କଥା ଶୁଣି ସେ ବିଷ ଖାଇ ଦେବାକୁ ବସନ୍ତେ ସୌଦାଗର ତାଙ୍କୁ ବହୁତ କରି ବୁଝାଇଲେ । ଆମ ଭାଗ୍ୟରେ ତ ସନ୍ତାନ ନାହାଁନ୍ତି । ତେଣିକି ଆମ ଭାଗ୍ୟରେ ଯାହା ଥିବ ସେଇଆ ଭୋଗିବା । ବିଷ ଖାଇ ମରିବା ଠାରୁ ଆଉ ବଡ ପାପ କିଛି ନାହିଁ । ତୁମେ ସେ କଥାରୁ ସର୍ବଦା ଦୂରେଇ ରୁହ । ସୌଦାଗରର ସ୍ତ୍ରୀ ଜୟ ସୌଦାଗରଙ୍କୁ କହିଲେ ତୁମେ ମୋ କଥା ମାନି ଆଉ ଗୋଟିଏ କନ୍ୟାକୁ ବିବାହ କର । ମୁଁ ତ ହିନୀ କପାଳୀ, ପୁଅ କି ଝିଅ ମୁଖ ଦେଖିବି ନାହିଁ । ହେଲେ ଆଉ ଗୋଟିଏ କନ୍ୟାକୁ ତୁମେ ବିବାହ କଲେ ତୁମର ବଂଶ ରକ୍ଷା ନିଶ୍ଚୟ ହେବ ।
ସ୍ତ୍ରୀଙ୍କର କଥା ମାନି ଜୟ ସୌଦାଗର ଗୋଟି ଗୋଟି କରି ସାତ ବିବାହ କଲେ । ଛଅ ସ୍ତ୍ରୀଙ୍କର କିଛିବି ସନ୍ତାନ ସନ୍ତତି ହେଲେ ନାହିଁ । ସପ୍ତମ ସ୍ତ୍ରୀ ଥିଲେ ମଳୟ ଦେଶର କନ୍ୟା । ଆଗ ଛଅ ରାଣୀଙ୍କ ଠାରୁ ତାଙ୍କର ଆଚାର ଆଚରଣ ଭିନ୍ନ ପ୍ରକାର ଥିଲା । ଦେବ ସ୍ଥାନୀୟ ଦେବତାଙ୍କ ଠାରେ ଥିଲା ତାଙ୍କର ଅସୀମ ଭକ୍ତି । ଆଉ ମଧ୍ୟ ପିଲାଟି ଦିନରୁ ସାନ ଭାରିଜା ମା’ ଦୁର୍ଗାଙ୍କର ପୂଜା କରୁ ଥିଲା । ବିବାହ ଆଗରୁ କନ୍ୟା ଯେତେବେଳେ ମା’ ଦୁର୍ଗାଙ୍କୁ ଆତୁର ହୋଇ ଡାକିଲା – ମା’ ଦୁର୍ଗା ତା’ ଭକ୍ତିରେ ଉଭା ହେଲେ । କନ୍ୟାକୁ କହିଲେ – ଝିଅଲୋ ତୋର ଏଥର ବିଭାଘର ହେବ । ଯିଏ ତୋର ସ୍ୱାମୀ ହେବେ ସେ ତୋତେ ସପ୍ତମ ବିବାହ କରିବେ । ହେଲେ ମା’ ତୋ ଭାଗ୍ୟରେ ଅଛି ସେମିତି ଏକ ପାପୀ ସୌଦାଗରକୁ ବିବାହ କରିବୁ । ତୋର ଯେ ଭକ୍ତି ଆଉ ଧର୍ମ ବଳ ଅଛି, ସେଥି ଲାଗି ସେହି ଆଣ୍ଠୁକୁଡା ସୌଦାଗର ଗୃହକୁ ଗଲେ ତୋର ନିଶ୍ଚୟ କନ୍ୟା ଗୋଟିଏ ହେବ । ହେଲେ ପାପୀ କୁଳରେ କେଉଁ ପୁଣ୍ୟର ଆବିର୍ଭାବ ହୁଏ । ତେଣୁ ତୋ ଭାଗ୍ୟରେ ମଧ୍ୟ ତାହା ଲେଖା ହୋଇଛି । ଧର୍ମ ବଳରୁ ତୁ ସିନା ନିଃସନ୍ତାନ ହେବୁ ନାହିଁ ହେଲେ ତୋର ଯେ କନ୍ୟା ହେବ, ପର ପୁରୁଷର ସ୍ୱଭାବ ଗୁଣର ହେବ । କନ୍ୟାଟିଏ ହେବ । ବାପର ଔରସର ଯେଉଁ ପୁଅ ମାନେ ହେବେ ସେମାନେ ସବୁ ହୁଣ୍ଡା ହେବେ ।
ମାଆଙ୍କ ଠାରୁ ଏ କଥା ଶୁଣିବା ପରେ କନ୍ୟା କହିଲା ମା’ ତୁମେ ମୋତେ ଏପରି ବ୍ୟଭିଚାରିଣୀ ଅସତୀ କରାଅ ନାହିଁ, ବରଂ ତମେ ମୋତେ ମୋର ସ୍ୱାମୀଙ୍କର ଔରସରୁ ହୁଣ୍ଡା ପୁଅ ଦିଅ କିନ୍ତୁ ମୋତେ ପର ପୁରୁଷର କଥା କୁହ ନାହିଁ ।
ଏହା ପରେ ଦେବୀ ତଥାସ୍ତୁ କହି ସେଠାରୁ ଅନ୍ତର୍ଦ୍ଧାନ ହୋଇ ଗଲେ । ତା’ପରେ ସୌଦାଗରଙ୍କର ସାନ କନ୍ୟା ମଳୟାବତୀ ଆଡୁ ଗୋଟି ଗୋଟି ହୋଇ ସାତ ଗୋଟି ପୁତ୍ର ସନ୍ତାନ ଜନ୍ମ ହେଲେ ।
ମଳୟାବତୀର ପୁଅ ମାନେ ସମସ୍ତେ ସମସ୍ତଙ୍କ ଠାରୁ ଗୋଟିଏ ଗୋଟିଏ ବର୍ଷର ସାନ ବଡ ହେଲେ । ସମସ୍ତଙ୍କର ବୟସ ବଢିଲା । ବୟସ ବଢିବା ସହିତ ନିଜର ହୁଣ୍ଡା ଗୁଣରେ ମଧ୍ୟ ସେହି ପରି ବଦମାସି କଲେ । ପ୍ରତି ଦିନ ବାହାରୁ ଝଗଡା ଆଣି ଘରେ ପୂରାଇଲେ । ଘରୁ ଧନ ନେଇ ବାହାରେ ଦେଲେ । ରାସ୍ତା ଘାଟରେ ଯେଉଁ ଝିଅ ବୋହୂକୁ ଦେଖିଲେ ସେମାନଙ୍କୁ ଉଲଗ୍ନ କରି ତାଙ୍କର ଇଜ୍ଜତ ନେଲେ । ଯିଏ ପ୍ରତିବାଦ କଲେ ସେମାନଙ୍କୁ ମାଡ ମାରି ଶାସନ କଲେ ।
ଏଥୁ ଅନ୍ତେ ସୌଦାଗର ଯାହା ନିଜ ମନରେ ଚିନ୍ତା କରି ଥିଲେ ପୁତ୍ରମାନେ ତା’ର ବିପରୀତ କଥା କଲେ । ପରିଶେଷରେ ସୌଦାଗର ବୁଢା ଏହି କଥା ଚିନ୍ତା କରି ହୀନ ବଳ ହୋଇ ପଡି ମରି ଗଲେ । ବୁଢା ସୌଦାଗର ମରି ଯିବାରୁ ସଉତୁଣୀ ମାନେ ନିଜ ନିଜ ମଧ୍ୟରେ ଝଗଡା ଲାଗିଲେ । କାହାରି କଥା କାହାରି ମନକୁ ପାଇଲା ନାହିଁ । ସେମାନେ ଏକତା ହୋଇ ସାନ ଉପରେ ଇମିତି ଅଦଉତି ସାଧିଲେ ଯେ ସାନ ଭାରିଜା ମଳୟାବତୀ ନିଜର ସ୍ୱାମୀ ଗୃହ ଛାଡି ଚାଲି ଗଲେ । ଏହା ପରେ ଛଅ ବୋହୂ ଯାକ ସ୍ୱାମୀଙ୍କର ସମ୍ପତିକୁ ଭାଗ କରି ନିଜର ସୁଖରେ ନିଜେ ରହିଲେ । ଯାହାର ଯେତେବେଳେ ଇଚ୍ଛା ହେଲା ସେତେବେଳେ ସେ ପର ପୁରୁଷ କଲା । ସୌଦାଗରର ସାନ ଭାରିଜା ମଳୟାବତୀ ସେ ଘରୁ ଚାଲି ଗଲେ ।