ମହୀରାବଣର କଥା ହନୁମାନଙ୍କୁ ହାସ୍ୟାସ୍ପଦ ଲାଗିଲା । ସେ ହସିହସି କହିଲେ, “ତୁ ଯେଉଁ ଅପରାଧ କରିଛୁ, ସେଥିପାଇଁ ତୋତେ ମୃତ୍ୟୁଦଣ୍ଡ ମିଳିବା ଉଚିତ୍ । ତୁ ଶ୍ରୀରାମଲକ୍ଷ୍ମଣଙ୍କୁ ଶୟନ ଅବସ୍ଥାରେ ଯାଦୁମନ୍ତ୍ରଦ୍ୱାରା ବାନ୍ଧି ଏଠାକୁ ବଳୀ ଦେବା ପାଇଁ ନେଇ ଆସିଲୁ? ଏବେ ଯଦି କୌଣସି ମନ୍ତ୍ର ତନ୍ତ୍ର ବାକି ଥାଏ ତେବେ ପ୍ରୟୋଗ କରି ପରୀକ୍ଷା କରିପକା । ଆଉ କାଳବିଳମ୍ବ କରନା । ତୁ ଏବେ ଭଲଭାବରେ ଜାଣିପାରିଛୁ ଯେ ତୋର ମୃତ୍ୟୁ ସୁନିଶ୍ଚିତ । ଏବେ ମଧ୍ୟ ସମୟ ଅଛି । ତୁଷ୍ଟ ବୁଦ୍ଧି ଛାଡି ଭଗବାନ ଶ୍ରୀରାମଙ୍କ ନିକଟରେ ଆତ୍ମସମର୍ପଣ କର ତାହେଲେ ଯାଇ ତୋର ଓ ତୋ ରାଜ୍ୟର ମଙ୍ଗଳ ହେବ । ନଚେତ୍ ଏବେ ସବଂଶେ ଯମ ପୁରୀକୁ ଯିବୁ ।”
ହନୁମାନଙ୍କର ଏପରି ନିର୍ଭିକ ଭକ୍ତି ଦେଖି ମହୀରାବଣ ଡରିଗଲା । ସେ ଚିତ୍କାର କରି କଂଟକୀକୁ ଡାକ ଛାଡି କହିଲା, “ହେ କଂଟକୀ, ଏ ବାନର କିପରି ଏସବୁ ଗୁପ୍ତ ରହସ୍ୟ ଭେଦ କଲା । ତୁ ଥାଉଁ ଥାଉଁ ସେ କିପରି ବା ଚନ୍ଦ୍ରସେନା ପାଖକୁ ଯାଇ ମୋର ମୃତ୍ୟୁଭେଦ ଜାଣି ପାରିଲା? ଚନ୍ଦ୍ରସେନା ବ୍ୟତୀତ ତ ଆଉ କେହିବି ସେ କଥା ଜାଣି ନାହାଁନ୍ତି । ତୁ ଶୀଘ୍ର ସେହି ପାପିନୀ ଚନ୍ଦ୍ରସେନାକୁ ଏଠାକୁ ନେଇଆସ, ମୁଁ ତାକୁ ସ୍ୱହସ୍ତରେ ବଧ କରିବି । ସେହି ବିଷକନ୍ୟାକୁ ମୁଁ ବିବାହ କରିବାକୁ ଚାହୁଁଥିଲି ଯିଏକି ମୋତେ ମାରିବାକୁ ଚାହୁଁଛି କଂଟକୀ, ତୁ ଏତେବେଳେ କୁଆଡେ ଗଲୁ? କାହିଁକି ମୋ କଥାର ଉତ୍ତର କେହିବି ଦେଉ ନାହିଁ?”
ହନୁମାନ ପୁଣି ହସିହସି କହିଲେ, “ଆରେ ମାୟାବୀ, କଂଟକୀର ବୁଦ୍ଧି ତୋ ଠାରୁ ଅଧିକ । ତୋର ଆଦେଶ ପାଇବା ପୂର୍ବରୁ ସେ ଚନ୍ଦ୍ରସେନାକୁ ମାରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ସେଥିପାଇଁ ସେ ବିଚାରା ନିଜର ପ୍ରାଣ ଦେଲା ।”
ଏବେ ମହୀରାବଣ ବୁଝିଗଲା ପରିସ୍ଥିତି କୁଆଡକୁ ଗତି କରୁଛି । ସେ ଚିତ୍କାର କରି ଯାହା ହାତରେ ପାଇଲା ଧରି ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନଙ୍କୁ ମାରିବାକୁ ଲାଗିଲା । ଏଥର ନିଜର ଦେହ କାଟି କାଟି ରକ୍ତ ଝରାଉଥାଏ ଯଦ୍ୱାରା ହଜାର ହଜାର ମହୀରାବଣ ସେଥିରୁ ବାହାରିବେ ।
ଏସବୁ ଦେଖି ହନୁମାନ ଭଗବାନ୍ ଶିବକୁ ସ୍ମରଣ କଲେ ଓ ତାଙ୍କର ପଂଚମୁଖ ହୋଇ ଗଲା । ସେହି ପାଂଚମୁଖରେ ସେ ପ୍ରଳୟଙ୍କାରୀ ହୁଙ୍କାର କଲେ ଓ ସେହି ରତ୍ନ ପେଟିକା ଖୋଲିଲେ । ତା’ଭିତରୁ ଭୟଙ୍କର ଗୁଞ୍ଜନ ଶବ୍ଦ ହେଲା ଓ ପାଂଚଟି ଭ୍ରମର ସେଥିରୁ ବାହାରି ହନୁମାନଙ୍କୁ ଦଂଶନ କରିବାକୁ ଚେଷ୍ଟା କଲେ । ହନୁମାନ ପ୍ରତ୍ୟେକ ମୁଖରେ ଗୋଟିଏ ଗୋଟିଏ ଭ୍ରମର ଧରି ଦାନ୍ତରେ ଦାବି ସେମାନଙ୍କୁ ମାରି ଦେଲେ । ତତ୍କ୍ଷଣାତ୍ ମହୀରାବଣ ଓ ତାର ରୂପମାନେ ଟଳି ପଡିଲେ । ଏହିପରି ଭାବେ ସେ ମହୀରାବଣର ବଧ ହେଲା ।
ମାୟାବୀ ମହୀରାବଣ ମରିଯିବାପରେ ତା’ର ସେନାମାନଙ୍କୁ ଶେଷ କରିବାକୁ କେତେ ସମୟ ବା ଲାଗିବ । ଶ୍ରୀରାମ ଓ ଲକ୍ଷ୍ମଣଙ୍କ ବାଣରେ ସେମାନେ ଅଳ୍ପ ସମୟ ମଧ୍ୟରେ ଶେଷ ହେଲେ । ତା’ପରେ ଶ୍ରୀରାମ, ଲକ୍ଷ୍ମଣ ଓ ପଂଚମୁଖୀ ହନୁମାନଙ୍କ ଉପରେ ସ୍ୱର୍ଗରୁ ପୁଷ୍ପବୃଷ୍ଟି ହେଲା । ସ୍ୱୟଂ ଶିବ ଓ ବ୍ରହ୍ମା ମଧ୍ୟ ସେଠାକୁ ଆସିଲେ । ବ୍ରହ୍ମା କହିଲେ, “ହେ ଶ୍ରୀରାମ, ଏହି ମହୀରାବଣ କାଳନେମୀର ଅଂଶ । ହନୁମାନ ଶିବଙ୍କ ଅଂଶ । ତେଣୁ ସେ ତାଙ୍କୁ ମାରିପାରିଲେ । ସେଥିପାଇଁ ମହୀରାବଣର ସଂହାର ପାଇଁ ସେ ସାତସମୁଦ୍ର ମଧ୍ୟରୁ ରତ୍ନପେଟିକାକୁ ଆଣିବାରେ ସଫଳ ହେଲେ ।”
ଭଗବାନ ଶିବ ହନୁମାନଙ୍କୁ ଆଶିର୍ବାଦ ଦେଇ କହିଲେ, “ହେ ହନୁମାନ, ତୁମର ସାମର୍ଥ୍ୟ ଓ ପରାକ୍ରମ ଅଦ୍ଭୁତପୂର୍ବ । ଅସାଧ୍ୟ ସାଧନ କେବଳ ତୁମେହିଁ କରିପାର । ନହେଲେ ମହୀରାବଣର ବଧ କଦାପି ମଧ୍ୟ ସମ୍ଭବ ହୁଅନ୍ତା ନାହିଁ । ଭବିଷ୍ୟତରେ ଯିଏବି ଏହି ପଂଚମୁଖୀ ହନୁମାନଙ୍କୁ ସ୍ମରଣ କରିବ, ତାର ଭୂତ, ପ୍ରେତ ଓ ପିଶାଚ, କୌଣସି ପ୍ରକାରେ ମଧ୍ୟ କିଛିବି କ୍ଷତି କରି ପାରିବେ ନାହିଁ ।”
ତା’ପରେ ହନୁମାନ ପଂଚମୁଖୀ ରୂପକୁ ସମ୍ବରଣ କଲେ ଓ ଶିବ ଏବଂ ବ୍ରହ୍ମାଙ୍କୁ ପ୍ରଣାମ କଲେ । ଶିବ ଓ ବ୍ରହ୍ମା ତାଙ୍କୁ ଆଶିର୍ବାଦ ଦେଇ ସେଠାରୁ ଚାଲିଗଲେ । ଯିବା ପୂର୍ବରୁ ବ୍ରହ୍ମା ଶ୍ରୀରାମଙ୍କୁ କହିଲେ “ହେ ଶ୍ରୀରାମ, ଏହି ବିଶାଳ ସାମ୍ରାଜ୍ୟର ଅଧିପତି ଏବେ କିଏ ହେବ ସେ କଥା ଭାବି ଦେଖିଛନ୍ତି କି? ମୋ ମତରେ ହନୁମାନଙ୍କର ପୁତ୍ର ମକରଧ୍ୱଜକୁ ଏହି ରାଜ୍ୟ ଦେବା ଉଚିତ୍ । କାରଣ ହନୁମାନହିଁ ବହୁ କଷ୍ଟ ସ୍ୱୀକାର କରି ମହୀରାବଣକୁ ମାରିଛନ୍ତି । ଅସମ୍ଭବକୁ ସମ୍ଭବ କରିଛନ୍ତି । ତେଣୁ ତାହା କେବଳ ମକରଧ୍ୱଜରହିଁ ପ୍ରାପ୍ୟ, ବ୍ରହ୍ମାଙ୍କ ପ୍ରସ୍ତାବ ଅଚିରେ ପାଳନ ହେଲା ।”
ତା’ପରେ ହନୁମାନଙ୍କ ମନେ ପଡିଲା ଚନ୍ଦ୍ରସେନା ତାଙ୍କ ଅପେକ୍ଷାରେ ଥିବେ । ସେ ଶ୍ରୀରାମଙ୍କୁ କହିଲେ, “ପ୍ରଭୁ, ଚନ୍ଦ୍ରସେନା ସହାୟତା କରି ନ ଥିଲେ ମହୀରାବଣକୁ ମାରିବା ମୋଟେ ସମ୍ଭବ ହୋଇ ନଥାନ୍ତା । ମୁଁ ତାଙ୍କୁ କଥା ଦେଇଛି ମହୀରାବଣର ମୃତ୍ୟୁ ପରେ ଥରେ ଆପଣଙ୍କୁ ସେଠାକୁ ନେଇଯିବି ।”
ଶ୍ରୀରାମ କିଛି କ୍ଷଣ ନୀରବ ରହିବା ପରେ କହିଲେ, “ଠିକ୍ ଅଛି, ମୁଁ ପ୍ରସ୍ତୁତ ।”
ତା’ପରେ ହନୁମାନ, ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଚନ୍ଦ୍ରସେନାଙ୍କ ମହଲ ଆଡକୁ ବାଟ କଢାଇ ନେଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।