ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

                ତାରା ମଧ୍ୟ ବାଳୀଙ୍କ ଗୁଣବର୍ଣ୍ଣନା କରି ବହୁତ ବିଳାପ କଲେ । ସେ ଅଙ୍ଗଦକୁ ତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିବାକୁ କହିଲେ । ତାରାଙ୍କର ବିଳାପ ଶୁଣି ସୁଗ୍ରୀବ ମଧ୍ୟ ଶୋକରେ ବିହ୍ୱଳ ହୋଇ ନିଜକୁ ଧିକ୍କାର କଲେ ଓ ଅନୁତାପ ବି କଲେ ଯେ କେବଳ ତାଙ୍କରି ଯୋଗୁଁ ତାଙ୍କ ଭାଇଙ୍କର ଆଜି ମୃତ୍ୟୁ ହେଲା । ତେଣୁ ସେ ଦୁଃଖିତ ହୋଇ ରାମଙ୍କୁ କହିଲେ, “ହେ ଶ୍ରୀରାମ, ଆପଣ ଆପଣଙ୍କ ବଚନ କାର୍ଯ୍ୟକାରୀ କଲେ । ବାଳୀ ବଧ ହେଲା, ରାଜ୍ୟପ୍ରାପ୍ତି ମଧ୍ୟ ହେଲା । ତେବେ ଭାତୃବଧ ଦୋଷରେ ମୋର ହୃଦୟ ସନ୍ତପ୍ତ । ଆଉ ରାଜା ହେବାପାଇଁ ମୋର କୌଣସି ଲିପ୍ସା ନାହିଁ । ମୋତେ ସେ ବହୁତ କଷ୍ଟ ଦେଇଥିଲେ ବୋଲି ମୁଁ ତାଙ୍କୁ ମାରିବା ପାଇଁ ଆପଣଙ୍କୁ କହିଲି । ଏବେ ଭାବୁଛି ବାକି ଜୀବନ ଋଷ୍ୟମୁକ ପର୍ବତରେ କଟାଇ ଦେଇଥିଲେ ଭଲ ହୋଇଥା’ନ୍ତା । ବାଳୀ ମୋତେ କଷ୍ଟ ଦେଲେ ମଧ୍ୟ ମାରିଦେଇ ନଥିଲେ, କିନ୍ତୁ ସେ ତ ମୋ ପାଇଁ ପ୍ରାଣତ୍ୟାଗ କଲେ । ଏ ଜଘନ୍ୟ ପାପରେ ମୁଁ ଦଗ୍ଧ ହେଉଛି । ମୁଁ ତ ଯୁବରାଜ ପଦ ପାଇଁ ମଧ୍ୟ ଯୋଗ୍ୟ ନୁହେଁ । ରାଜା କିପରି ହେବି? ମୁଁ ଯଦି ମୋ ଭାଇଙ୍କ ଚିତା ସହିତ ନିଜେ ଜଳିଯା’ନ୍ତି ତେବେ ମୋର ପାପ କ୍ଷୟ ହୁଅନ୍ତା ।” ଏଣେ ତାରା ମଧ୍ୟ ବିଳାପ କରି କରି ରାମଙ୍କୁ କହିଲେ, “ଯେଉଁ ତୀରରେ ଆପଣ ମୋର ପତିଙ୍କୁ ବଧ କଲେ ମୋତେ ମଧ୍ୟ ସେହିଥିରେ ମାରି ଦିଅନ୍ତୁ । ମୁଁ ମଧ୍ୟ ମୋର ପତିଙ୍କ ସହିତ ଦିବ୍ୟଧାମ ପ୍ରାପ୍ତ କରିବାକୁ ଚାହେଁ । ସୀତାଙ୍କ ବିୟୋଗରେ ଆପଣ ଯେପରି ଦୁଃଖି ହୋଇଛନ୍ତି, ମୋ ବିୟୋଗରେ ବାଳୀ ଦିବ୍ୟଧାମରେ ଥିଲେ ମଧ୍ୟ ଦୁଃଖୀ ହୋଇଥିବେ । ଆପଣ ମୋତେ ବଧ କଲେ ବାଳୀ ବଧ ପାପରୁ ମୁକ୍ତ ହେବେ ।”

ରାମ ତାରାଙ୍କ ବିଳାପ ଶୁଣି ବହୁତ ଦୁଃଖିତ ହେଲେ; ତା’ପରେ ସେ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ତୁମେ ଜଣେ ବୀର ପତ୍ନୀ, ତୁମେ ଏତେ ଦୁଃଖିତ ହେବା ଆଦୌ ଉଚିତ୍ ନୁହେଁ । ବାଳୀ ଥିବା ଅବସ୍ଥାରେ ତୁମେ ଯେପରି ସୁଖରେ ଥିଲ, ଏବେ ମଧ୍ୟ ଠିକ୍ ସେହିପରି ସୁଖରେ ତୁମେ ରହିବ । ତୁମ ପୁତ୍ର ଅଙ୍ଗଦ ଯୁବରାଜ ହେବେ ।” ତା’ପରେ ବାନରମାନଙ୍କୁ ଡାକି ଶ୍ରରାମ କହିଲେ, “ଏବେ ଆଉ ଦୁଃଖ କରି ଲାଭ କ’ଣ? ମୃତ ବ୍ୟକ୍ତି ପୁଣି ଲେଉଟି ଆସିବ ନାହିଁ । ତେଣୁ ତାଙ୍କର ପରଲୋକ ପାଇଁ ସମସ୍ତ ପ୍ରକାର ପ୍ରେତକୃତ୍ୟ ଆଦି ଯଥାଶୀଘ୍ର ସମ୍ପନ୍ନ କର ।”

ଲକ୍ଷ୍ମଣ ମଧ୍ୟ ସୁଗ୍ରୀବଙ୍କୁ ସାନ୍ତ୍ୱନା ଦେଇ କହିଲେ, “ହେ ସୁଗ୍ରୀବ, ବାଳୀଙ୍କର ଦାହସଂସ୍କାର ତୁରନ୍ତ ହେବା ଆବଶ୍ୟକ । ସେଥିପାଇଁ ବାନରମାନଙ୍କୁ ଆଦେଶ ଦିଅ ସେମାନେ ଘିଅ, ଚନ୍ଦନକାଠ, ଧୂପ ଦୀପ ଆଦି ସଂଗ୍ରହ କରି ଆଣନ୍ତୁ । ଅଙ୍ଗଦ ମୁଖାଗ୍ନି ଦେବେ । ଏବେ ସାରା କିସ୍କିନ୍ଧ୍ୟାର ଭାର ତୁମ ଉପରେ । ନୂତନ ବସ୍ତ୍ର ଅଣାଇ ଓ ପାଲିଙ୍କି ଅଣାଇ ବାଳୀଙ୍କର ମୃତ ଦେହକୁ ଶ୍ମଶାନ ଭୂମିକୁ ନେଇ ସଂସ୍କାର କର ।” ଲକ୍ଷ୍ମଣଙ୍କ କଥା ଶୁଣି ବୀର ହନୁମାନ ବାଳୀଙ୍କର ଅନ୍ତିମ ଯାତ୍ରା ପାଇଁ ସମସ୍ତ ପ୍ରୟୋଜନ ସାମଗ୍ରୀ ଅଣାଇବାକୁ ଆଦେଶ ଦେଲେ । ଆଦେଶ ଅନୁସାରେ ସମସ୍ତ କାର୍ଯ୍ୟ ତୁରନ୍ତ ସମ୍ପନ୍ନ ହେଲା । ତା’ପରେ ମୃତ ଦେହକୁ ଭଲ ଭାବରେ ସଜାସଜି କରି ପାଲିଙ୍କିରେ ରଖି ଶ୍ମଶାନ ଭୂମିକୁ ନେଲେ । ଦାହ କର୍ମ ପରେ ଜଳତର୍ପଣ ମଧ୍ୟ କରାଗଲା । ଶ୍ରୀରାମ ସ୍ୱୟଂ ସବୁକିଛି ଦେଖାଶୁଣା କରୁଥିଲେ ।

ସୁଗ୍ରୀବ ସ୍ନାନ କରିସାରି ସିକ୍ତ ବସନ ପିନ୍ଧି ରାମ ଲକ୍ଷ୍ମଣଙ୍କ ପାଖକୁ ଆସିଲେ । ସେତେବେଳେ ତାଙ୍କ ସହିତ ଅନ୍ୟାନ୍ୟ ବାନରମାନେ ମଧ୍ୟ ଥିଲେ, ହନୁମାନ କହିଲେ, “ପ୍ରଭୁ, ଆପଣଙ୍କ କୃପାରୁ ସୁଗ୍ରୀବଙ୍କୁ ରାଜ୍ୟ ମିଳିଲା । ଏବେ ଆପଣଙ୍କ ଆଜ୍ଞାରେ ସେ କିସ୍କିନ୍ଧ୍ୟାକୁ ପ୍ରବେଶ କରିବେ ଓ ତାଙ୍କର ବିଧିବଦ୍ଧ ଭାବରେ ରାଜ୍ୟାଭିଷେକ ହେବ । ଅଭିଷେକ ହେବା ପରେ ସେ ଆପଣଙ୍କୁ ମର୍ଯ୍ୟାଦା ଅନୁସାରେ ସମ୍ମାନ ଦେଖାଇବେ । ଆପଣ ସ୍ୱୟଂ ଯଦି କିସ୍କିନ୍ଧ୍ୟା ଯାଇ ତାଙ୍କର ଅଭିଷେକ କରାନ୍ତେ ତେବେ ସମସ୍ତ ବାନରକୁଳ ଖୁବ୍ ଆନନ୍ଦିତ ହୁଅନ୍ତେ ।”

ଏକଥା ଶୁଣି ଶ୍ରରାମ କହିଲେ, “ହେ ହନୁମାନ, ତୁମ କଥା ତ ଯଥାର୍ଥ । ତେବେ ପିତାଙ୍କ ସତ୍ୟ ଅନୁଯାୟୀ ବନବାସ ସମୟରେ କୌଣସି ନଗର ବା ଗ୍ରାମ ମଧ୍ୟକୁ ପ୍ରବେଶ କରିବା ନିଷେଧ । ତେଣୁ ତୁମେମାନେ ରାଜ୍ୟାଭିଷେକର ଆୟୋଜନ କର । ଦରକାର ହେଲେ ଲକ୍ଷ୍ମଣ ଯାଇପାରେ । ଏବେ ତ ଶ୍ରାବଣ ମାସ ହୋଇଛି । ଆମେ ବର୍ଷା ଚାରିମାସ ଏହି ପାହାଡର ପ୍ରଶସ୍ତ ଗୁମ୍ଫାରେ ରହିଥିବୁ । କାର୍ତ୍ତିକ ମାସ ଆରମ୍ଭରେହିଁ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ