ଦିନେ ଚୁଲ୍ଲଲୋହିତ ବଡଭାଇକୁ ଦୁଃଖରେ କହିଲା – “ଭାଇ ! ମାଲିକ ଓ ମାଲିକାଣୀ ଆମ ପ୍ରତି ଭଲ ବ୍ୟବହାର କରୁନାହାଁନ୍ତି । ଆମେ ତାଙ୍କର ଜମି ଚାଷ କରୁଚେ । ଶଗଡ ଟାଣୁଚେ । ସବୁ କିଛି କଠିନ କାମ ତୁଲାଉଚେ । ହେଲେ ଖାଇବା ବେଳକୁ ଆମେ ପାଉଚେ ଶୁଖିଲା କୁଟା ମୁଠେ । ମାଲିକ ଆମକୁ ପେଟପୂରା ବି ଖାଇବାକୁ ଦଉନି । ଅଥଚ ଏଇ ମେଣ୍ଢାକୁ ସେମାନେ କେତେ ଭଲପାଉଚନ୍ତି । ତାକୁ କେତେ ଆଦର କରୁଚନ୍ତି । ମାଲିକାଣୀ ତାକୁ ଭାତ ଓ ପିଠା ଖାଇବାକୁ ଦେଉଚି । ତା’ପାଇଁ କଅଁଳ ଛନଛନିଆ ଘାସ, ଡାଳପତ୍ର କାଟି ଆଣି ଦେଉଚି । ଆମେ ଯେତିକି ଝଡିଯାଉଚେ ମୁନିକ ସେତିକି ମୋଟା ହେଉଚି । ମାଲିକର ଏ ପାତରଅନ୍ତର କେମିତି ସହିବା? ଆମ ଭାଗ୍ୟଟା କେଡେ ମନ୍ଦ ।”
ଏହା ଶୁଣି ମହାଲୋହିତ କହିଲା – “ଭାଇ ! ତୁ ଅକାରଣରେ ମନ ଖରାପ କରୁଚୁ । ମୁନିକକୁ ଭଲ ଜିନିଷ ଖାଇବାକୁ ମିଳୁଚି – ଆମକୁ ମିଳୁନି – ଏ କଥା ସତ । ତେବେ ସେଥିପାଇଁ ତୁ ମାଲିକକୁ ଦୋଷ ଦେବା ଠିକ୍ ନୁହେଁ । ଏହାର ଏକ କାରଣ ଅଛି । ତେଣୁ ଆମେ ତୁନି ରହିବା ଭଲ । କାହାପ୍ରତି ହିଂସା ବା ଈର୍ଷା କରିବା ଭଲ ନୁହେଁ । ତୁ ମୁନିକକୁ ଈର୍ଷା କରନାହିଁ ।”