ସଂନ୍ଧ୍ୟା ସମୟରେ ସ୍ୱୟଂ ପଦ୍ମମୁଖୀ ତଳକୁ ଆସିଲେ । ଆଜି ସେ ଏଇ ପ୍ରଥମ ଥର ପାଇଁ ତଳକୁ ଆସିଲେ । ତା’ଙ୍କ ସୌନ୍ଦର୍ଯ୍ୟ ଦର୍ଶନ ମାତ୍ରକେ ସମସ୍ତେ ଅଚାନକ ତନ୍ମୟ, ବିମୁଗ୍ଧ ହୋଇଗଲେ । ସେ ତାଙ୍କ ପୁତ୍ରକୁ କହିଲେ, “ପୁତ୍ର, ଏଠି ଏ ସବୁ କ’ଣ ଚାଲିଛି? ତୁମେ ବି କିପରି ବଦଳି ଗଲ? ଜଣେ ଅପରିଚିତ ବ୍ୟକ୍ତି ଆମ ଘରକୁ ଆସିଛନ୍ତି । ତାଙ୍କ ଉପରେ ଏ ପ୍ରକାର ଆକ୍ରମଣ ତୁମେ ଦେଖି ଚୁପ୍ ରହିଛ? ଯଦି ତା’ଙ୍କର କିଛି କ୍ଷତି ହୁଏ ଆମର ସମ୍ମାନ କ’ଣ ଧୂଳିସାତ୍ ହେବ ନାହିଁ କି?”
ପୁତ୍ର କହିଲା “ମା, ତୁମର କ୍ରୋଧ ତ ସ୍ୱାଭାବିକ ଅଟେ । ଏମାନେ ସମସ୍ତେ ରୁଣ୍ଡ ହୋଇ ମୋର ମତିଭ୍ରଷ୍ଟ କରୁଛନ୍ତି । ମତେ ନିଃସହାୟ କରିଦେଉଛନ୍ତି । ମୁଁ ଏବେ ଆଉ କ’ଣ ବା କରିପାରିବି? କିନ୍ତୁ ଏହା ଉଚିତ୍ ହେଇଛି ଓ ଏହି ଦୂତକୁ ଉପଯୁକ୍ତ ଦଣ୍ଡ ମିଳିଛି ।”
ଅନତି ଦୂରରେ ଠିଆ ହୋଇଥିବା ବିପୁଳ ଯୋଦ୍ଧା ନାମକ ଜଣେ ରାଜକୁମାର କହିଲେ, “ପଦ୍ମମୁଖୀ, ତୁମର ସୌନ୍ଦର୍ଯ୍ୟ, ଯଦି ଦେଶର ସବୁ ଲୋକ ବି ଦେଖନ୍ତି, ସମସ୍ତେ କାଲି ଆସି ଏଠି ବସି ରହିବେ । ସମସ୍ତେ ତୁମକୁ ବିବାହ କରିବାର ଅଭିଳାଷ ପୋଷଣ କରିବେ । ଅତି ଅଦ୍ଭୁତ, ଅତୁଳନୀୟ ତୁମର ରୂପଶ୍ରୀ ।”
ଏଭଳି କଥା ଶୁଣି ପଦ୍ମମୁଖୀ କହିଲେ “ମୋର ସୌନ୍ଦର୍ଯ୍ୟର ସମସ୍ତ ଆଭା ସେହିଦିନଠାରୁ ମଉଳି ଯାଇଛି, ଯେଉଁ ଦିନ ମୋର ସ୍ୱାମୀ ଏଠାରୁ ଚାଲିଯାଇଛନ୍ତି । ହଁ, ଯିବା ସମୟରେ ସେ ମୋତେ କହି ଯାଇଥିଲେ, ଯଦି ଯୁଦ୍ଧକ୍ଷେତ୍ରରେ ମୋର ମୃତ୍ୟୁ ଘଟେ, ତେବେ ତୁମେ ଆଉ କାହାକୁ ବିବାହ କରିନେବ । କିନ୍ତୁ ମୁଁ କେବେ ମୋ ସ୍ୱପ୍ନରେ ସୁଦ୍ଧାବି ଭାବି ନ ଥିଲି, ମୋର ଏପରି ଅପମାନଜନକ ସ୍ୱୟମ୍ବର ହେବ । କେଉଁଠି କ’ଣ ଏପରି ହୋଇଛି? ବିଧି ଅନୁଯାୟୀ, ବରପକ୍ଷ ଅଳଙ୍କାର ଓ ପଶୁ ସମ୍ପଦ ଭେଟି ସ୍ୱରୂପ ଆଣନ୍ତି । ଏପରି ବସି ବସି ସବୁ ସମ୍ପତ୍ତି ଧ୍ୱଂସ କରି ଖାଆନ୍ତି ନାହିଁ ।” ଏହିପରି ପଦ୍ମମୁଖୀ ନିଃସଙ୍କୋଚରେ ସବୁ କହିଗଲେ ।
ଦୁର୍ବୁଦ୍ଧି କହିଲା, “ତୁମେ ଯାହା କହୁଛ, ତାହା ସତ୍ୟ ପଦ୍ମମୁଖୀ । ତୁମେ ଯେଉଁ ଭେଟି କଥା କହୁଛ, ତାହା ଦେବା ପାଇଁ ଆମେ ସଭିଏଁ ତ ପ୍ରସ୍ତୁତ । କିନ୍ତୁ ଯେ ପର୍ଯ୍ୟନ୍ତ ତୁମେ ଆମ ଭିତରୁ ଜଣକୁ କାହାକୁ ନିଜର ପତିରୂପେ ମନୋନୀତ କରି ନାହଁ, ଆମେ କେହି ବି ଏଠାରୁ ଯିବୁ ନାହିଁ ।”
ତା’ପରେ ସେ ନିଜର ଅନୁଚରମାନଙ୍କ ହାତରେ ମୂଲ୍ୟବାନ ଉପହାରମାନ ମଗାଇଲେ । ପଦ୍ମମୁଖୀ ସେ ସବୁ ଦାସୀମାନଙ୍କୁ ଅର୍ପଣ କରି ନିଜ କୋଠରୀକୁ ଚାଲିଗଲେ ।
ସେତେବେଳେ ଅନ୍ଧକାର ଘୋଟି ଆସିଥାଏ । ସମ୍ମୁଖ କୋଠରୀଗୁଡିକରେ ଜଳନ୍ତା ପ୍ରଦୀପ ଓ ମଶାଲ ପ୍ରଜ୍ୱଳିତ ହେଲା । ବିଳମ୍ବିତ ପ୍ରହର ଯାଏଁ ସେ ଦୁଷ୍ଟମାନେ ଆନନ୍ଦରେ ମଦ୍ୟପାନ କରୁଥାନ୍ତି । ବିପୁଳ ଯୋଦ୍ଧା ରୂପଧରଙ୍କୁ ଚାକିରିଟିଏ ପ୍ରଦାନ କରିବାର ଆଶ୍ୱସନା ଦେଇ କହିଲେ, “ତୁମକୁ ଦେଖିଲେ ମନେହୁଏ, ମଜୁରି କରି ତୁମେ ନିଜ ପେଟ ପୋଷି ପାରିବ ।”
ରୂପଧର କହିଲେ “ହଳ ବୁଲେଇବା, ଘାସ କାଟିବାରେ ମୋର ସମକକ୍ଷ ତ ଆଉ କେହିବି ହୋଇପାରିବେ ନାହିଁ, ଚାହାଁନ୍ତି ଯଦି ମୋ ସହିତ ବାଜି ରଖନ୍ତୁ, ତାହେଲେ ସିନା ଜଣାପଡିବ, କିଏ ଉତ୍ତମ ଶ୍ରମିକ? ମୋ ଦୃଷ୍ଟିରେ ତ ଆପଣ ଜଣେ ଭୀରୁ । ରୂପଧର ଯଦି ଫେରି ଆସନ୍ତି ନା, ତେବେ ଆପଣଙ୍କର ଅସଲ ସ୍ୱରୂପ ଖୋଲି ଯାଆନ୍ତା ।”
ରୂପଧରଙ୍କ ଏଇ କଥାରେ ବିପୁଳ ଯୋଦ୍ଧା ଭୟଙ୍କର ରାଗି ଉଠି ପୁଣି ଏକ ପିଢା ତାଙ୍କ ଉପରକୁ ଫିଙ୍ଗିଲେ । ରୂପଧର ସେଥିରୁ ବର୍ତ୍ତୀଗଲେ, ମାତ୍ର ତାହା ଯାଇ ଅନ୍ୟ ଜଣଙ୍କ ଦେହରେ ବାଜିଲା । ଫଳରେ ସେ ଆକୁଳରେ ଚିତ୍କାର କରିବାକୁ ଲାଗିଲା । ତା’ପରେ ସମସ୍ତେ ମିଶି ଗର୍ଜନ କଲେ ।
ଧୀରମତି ଗମ୍ଭୀର ସ୍ୱରରେ କହିଲେ, “ଏସବୁ କ’ଣ ଚାଲିଛି? ଖୁବ୍ ଖାଇପିଇ ମଦ ନିଶାରେ ପାଗଳଙ୍କ ପରି ଆଚରଣ କରୁଛ । ଏହା ଉଚିତ୍ ହେଉନାହିଁ ଏବେ ଶୋଇବାକୁ ସମୟ ଉପଗତ । ସମସ୍ତେ ଶୋଇବାକୁ ଚାଲିଯାଅ ।”
ତାଙ୍କ କଥା ମାନି ସମସ୍ତେ ଶୋଇବାକୁ ଚାଲିଗଲେ । ଏବେ ସେଠାରେ କେବଳ ରୂପଧର ଓ ଧୀରମତି ରହିଗଲେ ।