ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସିଂହ ଏବଂ ଗଧ କଥା

       ଲମ୍ବକର୍ଣ୍ଣ କହିଲେ, ‘କଣ କରିବିରେ ଭଣଜା! ମୋର ମାଲିକ ମୋତେ ବହୁତ ଖଟଉଛି । ପ୍ରତିଦିନ ଓଜନଦାର ଲୁଗାପଟା ମୋ ଉପରେ ଲଦି ଦେଉଛି । କିନ୍ତୁ ମୋତେ ପେଟପୂରା ଖାଇବାକୁ ଦେଉନାହିଁ । ତେଣୁ ମୁଁ ଏଠାରେ ଏହି ଧୂଳି ମିଶା ଘାସ ଖାଉଛି । ଏହି ଘାସ ଖାଇଲେ ମୁଁ ଦୁର୍ବଳ ନହୋଇ କ’ଣ ବଳଶାଳୀ ହୋଇପାରିବି । ମାମୁର ଦୁଃଖ ସହିନପାରି ବିଚରା ଭଣଜାଟି କହିଲା, ‘ମାମୁଁ ତୁମେ ମୋ ସହିତ ଚାଲ । ଗୋଟାଏ ଭଲ ଜାଗା ଅଛି । ମୋର ଘର ପାଖରେ ନଦୀ କୂଳରେ କଅଁଳ ସବୁଜ ଘାସ ପୂରିରହିଛି । ତୁମେ ସେଠାରେ ରହି ମନଭରି ଘାସ ଖାଇବ । ଭଣଜାର କଥାଶୁଣି ମାମୁଁ ଲମ୍ବକର୍ଣ୍ଣ କହିଲା, ତୋର କଥା ଠିକ୍ । କିନ୍ତୁ ତୋର ଘର ତ’ ବଣ ଜଙ୍ଗଲରେ । ସେଠାରେ ସବୁ ସମୟରେ ହିଂସ୍ର ଜନ୍ତୁମାନେ ବିଚରଣ କରୁଥାଆନ୍ତି । ମୁଁ ସେଠାରେ କ’ଣ ନିର୍ଭୟରେ ଚରାବୁଲା କରିପାରିବି?

       ଲମ୍ବକର୍ଣ୍ଣର କଥା ଶୁଣି ବିଲୁଆ କହିଲା, ମାମୁଁ ତୁମେ ସେପରି କୁହନାହିଁ । ତୁମର ସେଠାରେ କୌଣସି ଅସୁବିଧା ହେବ ନାହିଁ । ମୋ ବାସଗୃହ ଏପରି ଏକ ସୁରକ୍ଷିତ ସ୍ଥାନରେ ଅବସ୍ଥିତ ଯେ ଶତ୍ରୁ କଦାପି ସେଠାରେ ପହଁଚି ପାରିବ ନାହିଁ । ସବୁଠାରୁ ଭଲ କଥା ହେଲା ମାମୁଁ ମୁଁ ରହୁଥିବା ସ୍ଥାନରେ ତିନିଟା ମାଇଁ ଅଛନ୍ତି । ସେମାନେ ମୋତେ ତୁମର ସନ୍ଧାନରେ ଏଠାକୁ ପଠାଇଛନ୍ତି । ସେମାନେ ମଧ୍ୟ ତୁମକୁ ବିଭା ହେବାପାଇଁ ଇଚ୍ଛୁକ । ତୁମେ ମୋ ସାଙ୍ଗରେ ଗଲେ, ସେଠାରେ ସେମାନଙ୍କୁ ବିଭା ହୋଇ ଆନନ୍ଦରେ ରହିବ । ଭଣଜାର କଥା ଶୁଣି ମାମୁଁ ଲମ୍ବକର୍ଣ୍ଣ ମନେ ମନେ ବହୁତ ଖୁସି ହେଲେ । ଭଣଜା ସହିତ ଖୁସି ମନରେ ଯିବାପାଇଁ ବାହାରିଲେ । ବିଲୁଆ ଆଗେ ଆଗେ ଚାଲିଲା । ପଛେ ପଛେ ମାମୁଁ ଲମ୍ବକର୍ଣ୍ଣ ଚାଲିଲେ । ଯେତେବେଳେ ଲମ୍ବକର୍ଣ୍ଣ ସିଂହର ଗୁହା ନିକଟରେ ଯାଇ ପହଁଚିଲେ, ସିଂହ ସଂଗେ ସଂଗେ ଗଧକୁ ଧରିବା ପାଇଁ ଉଦ୍ୟତ ହେଲେ । ଗଧ ଏହା ଦେଖି ଏକ ଡିଆଁରେ ଆସି ଜଙ୍ଗଲ ମଧ୍ୟରେ ।

       ଏହା ଦେଖି ବିଲୁଆଟି ମନେ ମନେ ବହୁତ ଦୁଃଖିତ ହେଲା ଏବଂ ସିଂହକୁ କହିଲା, ‘ମହାରାଜ’! ଆପଣ ଏପରି କାହିଁକି କଲେ? ସିଂହଟି କହିଲା, ପ୍ରକୃତରେ ମୁଁ ଶିକାର ପାଇଁ ପ୍ରସ୍ତୁତ ହୋଇନଥିଲି । ତାକୁ ହଠାତ୍ ଦେଖି ମୁଁ ତା’ଉପରକୁ ଡେଇଁବି କ’ଣ ସେ ମୋତେ ଦେଖି ପକାଇଲା । ତୁ ଯଦି ତାକୁ ଆଉଥରେ ଡାକି ଆଣିପାରିବୁ ମୁଁ ତାକୁ ନିଶ୍ଚୟ ମାରିପାରିବି । ବିଲୁଆ ପୁଣି ବାହାରିଲା ଲମ୍ବକର୍ଣ୍ଣ ନିକଟକୁ । ଗଧ ବିଲୁଆକୁ ଦେଖି କହିଲା, ‘ଭଣଜା’! ତୁ ତ’ ଭଲ କଲୁ । ମୋତେ ତ’ ତୁ ମାରି ଦେଇଥାଆନ୍ତୁ । ଯାହାହେଉ ଭଗବାନଙ୍କ ଆଶୀର୍ବାଦ ହେତୁ ମୁଁ ବଂଚିଗଲି । ବିଲୁଆ ଲମ୍ବକର୍ଣ୍ଣଙ୍କୁ ଭୁଲାଇବାକୁ ଯାଇ କହିଲା, ‘ମାମୁଁ’! ତୁମେ ଏତେ ବୋକା ବୋଲି ମୁଁ ଜାଣିନଥିଲି । ମାଇଁ ମାନେ ପରା ତୁମକୁ ଅଭ୍ୟର୍ଥନା ଜଣାଇବା ପାଇଁ ସେଠାରେ ଠିଆ ହୋଇ ହାତ ବଢାଇଥିଲେ । ତମେ ସେମାନଙ୍କୁ ଦେଖି ଏମିତି ଡିଆଁମାରି ପଳାଇ ଆସିଲ କାହିଁକି? ତମେ ସେଠାରୁ ଆସିବା ପରେ ମାଇଁମାନେ ବହୁତ କାନ୍ଦୁଛନ୍ତି । ତେଣୁ ତୁମେ ପୁଣିଥରେ ସେଠାକୁ ଚାଲ ।

       ଗଧଟି ବିଚରା ବିଲୁଆର କୁଚକ୍ରାନ୍ତ କଥା ବୁଝିବ କିପରି? ସେ ବିବାହ କରିବା ଆଶାରେ ପୁଣିଥରେ ଯାଇ ଗୁହା ନିକଟରେ ପହଁଚିଲା । ସିଂହ ଗୁହାମଧ୍ୟରେ ଲୁଚି ବସିଥିଲା । ଗଧଟି ସେଠାରେ ପହଁଚିବା ପରେ ସିଂହ ସଂଗେ ସଂଗେ ତାକୁ ମାରିଦେଲା । ଗଧକୁ ମାରିସାରିବା ପରେ ସିଂହ ବିଲୁଆକୁ ଗଧ ପାଖରେ ଜଗାଇ ଦେଇ ଗାଧୋଇବା ପାଇଁ ନଦୀକୁ ଗଲା । ବିଲୁଆ ମଧ୍ୟ ସୁଯୋଗ ଅପେକ୍ଷାରେ ଥାଏ । ସିଂହ ଯେମିତି ଯାଇଛି ଲୋଭ ସମ୍ଭାଳି ନପାରି ଗଧର କାନ ଓ କଲିଜା ବାହାର କରି ଖାଇଦେଲା । ସିଂହ ଆସି ଯେତେବେଳେ ଦେଖିଲା ଗଧର କାନ ଓ କଲିଜା ନାହିଁ, ସେ ବିଲୁଆ ଉପରେ ରାଗିଯାଇ ଗାଳି ଦେଲା । ମାତ୍ର ଚତୁର ବିଲୁଆ ସିଂହକୁ ବୁଝାଇବାକୁ ଯାଇ କହିଲା, ‘ମହାରାଜ’! ଏହି ଗଧଟିର କାନ ଓ କଲିଜା ନଥିଲା । ଯଦି ତାର କାନ ଓ କଲିଜା ଥାଆନ୍ତା ସେ କେବେ ଏଠାକୁ ଆସି ନଥାନ୍ତା । ସିଂହ ସଂଗେ ସଂଗେ ବିଲୁଆର କଥାକୁ ବିଶ୍ୱାସ କରିପକାଇଲା । ଦୁହେଁ ମନଖୁସିରେ ବସି ଗଧ ମାଂସ ଖାଇଲେ । କାହାଣୀଟି କହିସାରି ମାଙ୍କଡ କହିଲା, ‘ତୁମେ ପ୍ରଥମେ ମୋ ସହିତ ବିଶ୍ୱାସ ଘାତକତା କଲ । କିନ୍ତୁ ଯୁଧିଷ୍ଠିର କୁମ୍ଭାର ପରି ସତ କଥାଟା କହିଦେଇ କପଟ ପଣିଆଟା ନାଶ କଲା । କୁମ୍ଭୀର ଏହା ଶୁଣି କହିଲା, କିପରି ଯୁଧିଷ୍ଠିରର ସମ୍ମାନ ଗଲା’? ମାଙ୍କଡଟି କାହାଣୀ କହିବା ଆରମ୍ଭ କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ