ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସଦ୍ ଗୁଣ

ମାନବୀୟ ସଦ୍ ଗୁଣ ତା’ଆବଶ୍ୟକତା

ଏ ଭବମୟ ସଂସାରରେ ଚଳିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କେତେକ ଗୁଣ ଥିବା ନିହାତି ଭାବେ ଆବଶ୍ୟକ । ଯାହାକୁ ନେଇ ସେ ତା’ର ଜୀବନଚର୍ଯ୍ୟାକୁ ଉପଯୁକ୍ତ ମାର୍ଗରେ ନେଇ ପାରିବ । ସେହି ସେହି ଗୁଣ ଗୁଡିକ ହିଁ ତା’ର ଜୀବନ ଯାତ୍ରାର ଏକାନ୍ତ ପ୍ରୟୋଜନ ।

                ଜଣେ ବ୍ୟକ୍ତି ବା ମାନବ, ବା ଜଣେ ଛାତ୍ରଛାତ୍ରୀ ପାଖରେ କିଛି ନା କିଛି ଗୁଣ ରହିବା ଏକାନ୍ତ ଆବଶ୍ୟକ । ତା’ପାଖରେ କେଉଁ କେଉଁ ଗୁଣ ରହିଲେ ତାହାଙ୍କୁ ଉଚ୍ଚ ମୂଲ୍ୟବୋଧ ସମ୍ପର୍କୀୟ ମାନବ କୁହାଯାଇପାରିବ ତା’ର କେତେକ ଦୃଷ୍ଟାନ୍ତ ନିମ୍ନରେ ଦିଆଗଲା । ଯଥା–

(୧)         ବ୍ୟବହାର

ଆଚାର ବ୍ୟବହାରରୁ ହିଁ ମଣିଷର ଆଭିଜାତ୍ୟ ଜଣାପଡେ । ଘରେ ହେଉ ବା ବାହାରେ ପ୍ରତ୍ୟେକ ମଣିଷର ବ୍ୟବହାର ଉଚ୍ଚ ଧରଣର ହେବା ଉଚିତ୍ । ତା’ର ବ୍ୟବହାର ହିଁ ଶୁଚାଇ ଦିଏ ତା’ର ବଂଶ, ପରଂପରା ଓ ଆଭିଜାତ୍ୟର ମହନୀୟତା ।

ଅପରପକ୍ଷରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ବ୍ୟବହାର ଉତ୍ତମ ହେବା ଦରକାର । ଏହି ବ୍ୟବହାର ଯେ କେବଳ ବିଦ୍ୟାଳୟରୁ ପାଠପଢି ସେ ଶିଖାଯାଇଥାଏ ତାହା ନୁହେଁ, ସେ ବାସ୍ତବରେ ବ୍ୟବହାର ଶିକ୍ଷାଲାଭ କରିଥାଏ ତା’ର ବାପା, ମାଆ, ଭାଇ, ବନ୍ଧୁ, କୁଟୁମ୍ବମାନଙ୍କଠାରୁ । ପାରିପାଶ୍ୱିର୍କ ପରିବେଶରୁ ମଧ୍ୟ ଉତ୍ତମ ବ୍ୟବହାର ଶିକ୍ଷା କରାଯାଇଥାଏ ।

ସାଧାରଣ ଅର୍ଥରେ କହିବାକୁ ଗଲେ ବ୍ୟବହାରକୁ ଦୁଇଭାଗରେ ବିଭକ୍ତ କରାଯାଇଛି ଯଥା ‘ସୁ’ ବ୍ୟବହାର ଏବଂ ‘କୁ’ ବ୍ୟବହାର । କୁବ୍ୟବହାର ମଣିଷକୁ ଅଧପତନ କରାଏ । ମାତ୍ର ସୁବ୍ୟବହାର ତାକୁ ଭଲ ମଣିଷ ହେବାରେ ସହାୟକ ହୁଏ । ଏଣୁ ପ୍ରତ୍ୟେକ ମଣିଷ କୁବ୍ୟବହାରକୁ ପରିତ୍ୟାଗ କରି ସଦା ଉତ୍ତମ ବ୍ୟବହାର କରିବା ଉଚିତ୍ । ଉତ୍ତମ ବ୍ୟବହାରର କେତେକ ଦୃଷ୍ଟାନ୍ତ ପ୍ରଦତ୍ତ କରାଗଲା- ଯଥା:-

୧-           ଗୁରୁଜନମାନଙ୍କ ସହିତ କଥାବାର୍ତ୍ତା ହେବା ବେଳେ ଭକ୍ତିର ସହିତ ‘ଆପଣ’ କହିବା ।

୨-           ଅନ୍ୟମାନଙ୍କ ସହିତ ସଦା ଭଦ୍ର ଓ ନମ୍ରତା ପ୍ରଦର୍ଶନ କରିବା ।

୩-           ଗୁରୁଜନମାନଙ୍କ ସହିତ ବିନମ୍ରତାର ସହିତ କଥାବାର୍ତ୍ତା କରିବା ।

୪-           ଅଯଥାରେ ଅଧିକ କଥା ନ କହିବା ।

୫-           ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କଲେ ବା ଭଦ୍ରାମି ଦେଖାଇଲେ ତାହାକୁ ସମ୍ମାନର ସହିତ ଗ୍ରହଣ କରିବା ।

୬-           କର୍କଷ ଭାଷାରେ କଥା ନହେବା ।

୭-           ଗୁରୁଜନ ଓ ପିତାମାତାଙ୍କ କଥା ବା ଉପଦେଶକୁ ଅବମାନନା ନକରିବା ।

୮-           ସବୁବେଳେ ନ ରାଗିବା ବା କ୍ରୋଧାନ୍ୱିତ ହୋଇ କାହାରି ସହିତ କଥାବାର୍ତ୍ତା ନକରିବା ।

୯-           ନିଜ ବିଷୟରେ ଅଧିକ ନିଜର ପ୍ରଶଂସା ନ ବଖାଣିବା ।

୧୦-        ଆବଶ୍ୟକତାଠାରୁ ଅଧିକ ନ କହିବା ।

୧୧-        ସର୍ବଦା ସତ୍ୟ କହିବାକୁ ଚେଷ୍ଟା କରିବା ।

୧୨-        କାହାରିକୁ ଆକ୍ଷେପକରି କଥା ନକହିବା ।

୧୩-        କୌଣସି କାରଣବଶତଃ ରାଗିଗଲେ କୁଭାଷା ପ୍ରୟୋଗ ନ କରିବା ।

୧୪-        ସମୟାନୁବର୍ତ୍ତିତାକୁ ସର୍ବଦା ପ୍ରାଧାନ୍ୟ ଦେବା ।

୧୫-        ନିଜ ପରିବାରରେ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ।

୧୬-        ପରିବାରରେ ପିତାମାତାଙ୍କୁ ପ୍ରତ୍ୟକ୍ଷ ଈଶ୍ୱର ମନେକରିବା ।

୧୭-        ପିତାମାତାଙ୍କ ପ୍ରତ୍ୟେକ ଉପଦେଶକୁ ନତମସ୍ତକ ପୂର୍ବକ ଗ୍ରହଣ କରିବା ।

୧୮-        ବଡ ଭାଇ ଓ ବଡ ଭଉଣୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ।

୧୯-        ସାନ ଭାଇଭଉଣୀମାନଙ୍କୁ ସ୍ନେହ ଓ ଶ୍ରଦ୍ଧା ପ୍ରଦର୍ଶନ କରିବା ।

୨୦-        ଗୁରୁଜନମାନଙ୍କ ସହିତ କଥାବାର୍ତ୍ତା ହେବା ବେଳେ ହାତ ଗୋଡ ନ ହଲାଇବା ।

୨୧-        କାହାରି ସ୍ୱାଧୀନତାରେ ବାଧା ନଦେବା ବା କେହି କଥା ହେଉଥିବା ସମୟରେ ମଝିରେ ପଶି   ବିନା ଅନୁମତିରେ କିଛି ବି ନ କହିବା ।

୨୨-        କଥାବାର୍ତ୍ତା ସମୟରେ ଆତ୍ମିୟତା ପ୍ରଦର୍ଶନ କରିବା ।

୨୩-        ନିଜର ବ୍ୟବହାରରେ କାହାରିକୁ ଆଘାତ ନ ଦେବା ବା କାହାରି ମନକୁ କଷ୍ଟ ନ ଦେବା ।

୨୪-        ବ୍ୟବହାରରେ ମନ୍ଦ ଆଚରଣ ନ ଦେଖାଇବା (ଇତ୍ୟାଦି)

(୨)         ଆଚରଣ

ଯାହା କହିବା ଓ ତାହାକୁ କାର୍ଯ୍ୟରେ କରି ଦେଖାଇବା ହିଁ ‘ଆଚରଣ’ । ଅପରପକ୍ଷରେ ଯାହାଦ୍ୱାରା ଅନ୍ୟମାନେ ପ୍ରୀତ ହେବେ ବା ଯାହାର ପ୍ରଦର୍ଶନରେ ଅନ୍ୟର ମନକୁ ଆକର୍ଷିତ କରିହେବ ତାହାକୁ ମଧ୍ୟ ଆଚରଣ କୁହାଯାଏ । ଜୀବନକୁ ସରସ ସୁନ୍ଦର ଓ ମଧୁମୟ କରିବାକୁ ହେଲେ ପ୍ରଥମେ ଆଚରଣରେ ଶୁଦ୍ଧତା ଆଣିବା ଏକାନ୍ତ ଆବଶ୍ୟକ, ଏହି ଆଚରଣ ହିଁ ମନୁଷ୍ୟ, ବ୍ୟକ୍ତି ବା ଛାତ୍ରଛାତ୍ରୀମାନଙ୍କୁ ଉନ୍ନତି ପଥରେ ଅଗ୍ରସର କରାଏ, ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ବା ବ୍ୟକ୍ତି ଆଚରଣ ପ୍ରତି ଗୁରୁତ୍ୱ ଦେବା ଉଚିତ୍ ।

ଜଣେ ଲୋକର ବ୍ୟକ୍ତିତ୍ୱ ଜଣାପଡିଥାଏ ତା’ର ଆଚରଣରୁ । ଏଣୁ ଆଚରଣକୁ ସର୍ବଦା ଗୁରୁତ୍ୱ ଦେବା ଉଚିତ୍ । ଛାତ୍ରଛାତ୍ରୀଙ୍କ ଅବଗତି ନିମନ୍ତେ କେତେକ ଆଚରଣର ଦୃଷ୍ଟାନ୍ତ ନିମ୍ନରେ ଦିଆଗଲା ।

ଯଥା–

୧-           ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ମୁଖରେ ହସହସ ଭାବ ପ୍ରଦର୍ଶନ କରିବା ।

୨-           କଥା କହିବା ସମୟରେ ଧୀର ଓ ନମ୍ରତା ପ୍ରଦର୍ଶନ କରିବା ।

୩-           ପିତାମାତା ଓ ଗୁରୁଜନଙ୍କ ପ୍ରତ୍ୟେକ କଥାକୁ ସମ୍ମାନର ସହିତ ଗ୍ରହଣ କରିବା ।

୪-           ଚାଲିଚଳଣ ଓ କଥାବାର୍ତ୍ତାରେ ଭଦ୍ରବ୍ୟବହାର ଦେଖାଇବା ।

୫-           ସମସ୍ତଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ।

୬-           ଦୀନ ଦରିଦ୍ରଙ୍କୁ ସାହାଯ୍ୟ କରିବା ।

୭-           ବୃଦ୍ଧ ଓ ପଙ୍ଗୁମାନଙ୍କୁ ସମବେଦନା ଜଣାଇବା ।

୮-           ଅନ୍ୟର ଦୁଃଖରେ ଦୁଃଖି ଓ ସୁଖରେ ସୁଖୀ ହେବା ।

୯-           ଗୁରୁଜନ ଓ ଶିକ୍ଷକଙ୍କୁ ଉପଯୁକ୍ତ ସମ୍ମାନ ଦେବା ।

୧୦-        କାହାରିକୁ ଖରାପ ବ୍ୟବହାର ନ ଦେଖାଇବା ।

୧୧-        ଗୁରୁଜନ, ଶିକ୍ଷକ ଓ ପିତାମାତାଙ୍କ ଆଶୀର୍ବାଦକୁ ଈଶ୍ୱରଙ୍କ ଆଶୀର୍ବାଦ ବୋଲି ମନେ କରିବା ।

୧୨-        ନିଜର ଗୁଣକୁ ନେଇ ଗର୍ବ ନକରିବା ।

୧୩-        ଭୋଜନ ପୂର୍ବରୁ ଗୋଡ, ହାତ ଓ ମୁହଁ ଭଲଭାବରେ ଧୋଇବା ।

୧୪-        ଗୃହକୁ ଅତିଥି ଆସିଲେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ।

୧୫-        କୌଣସି ଛୋଟିଆ କଥାକୁ ନେଇ ଜିଦ୍ ନ ଧରିବା ବା କ୍ରୋଧାନ୍ୱିତ ନହେବା ।

୧୬-        ଅନ୍ୟ ପ୍ରତି ସଦା ବିନୟଭାବ ପ୍ରଦର୍ଶନ କରିବା ।

୧୭-        ସ୍ୱ ବିବେକାନୁବର୍ତ୍ତିତା ହୋଇ କାର୍ଯ୍ୟ କରିବା ।

୧୮-        ହଠାତ୍ ରାଗିଯାଇ କୌଣସି ବିଷୟରେ ନବୁଝି ନଶୁଝି କାହାରିକୁ ଗାଳିଦେବା ଅନୁଚିତ୍ ।

୧୯-        ଶୃଙ୍ଖଳିତ ଜୀବନ ଅତିବାହିତ କରିବା ।

୨୦-        କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ କାର୍ଯ୍ୟ ବିଷୟରେ ଭଲଭାବରେ ବୁଝିବା ।

୨୧-        ପ୍ରତିଦିନ ପୋଷାକ ପରିଚ୍ଛେଦକୁ ସଫା ସୁତୁରା ରଖିବା ।

୨୨-        ନିଜ ଶରୀର ପ୍ରତି ଯତ୍ନ ନେବା ଏବଂ ପ୍ରତିଦିନ ଯୋଗ କରିବା ।

୨୩-        ଖାଇବା, ଶୋଇବା, ଖେଳିବା, ଯୋଗ କରିବା ଓ ପାଠ ପଢିବା ଏହି କାର୍ଯ୍ୟକୁ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କରିବା ।

୨୪-        ଶୋଇବାଠାରୁ ଅଧିକ ନ ଶୋଇବା, ଖାଇବାଠାରୁ ଅଧିକ ନଖାଇବା ଏପରିକି ଅଯଥାରେ ସମୟ ଅପଚୟ ନ କରିବା ଆଦି ଦିଗପ୍ରତି ଗୁରୁତ୍ୱ ଦେବା ଇତ୍ୟାଦି ।

ଗପ ସାରଣୀ

ତାଲିକାଭୁକ୍ତ ଗପ