ଜଣେ ପଣ୍ଡିତ ତାଙ୍କର ଚାକରକୁ ନେଇ କୌଣସି ଏକ ସ୍ଥାନକୁ ଶାସ୍ତ୍ର ଆଲୋଚନା କରିବା ପାଇଁ ଯାଉଥାନ୍ତି । ଆଗେ ଆଗେ ପଣ୍ଡିତ ଛତାମୁଣ୍ଡେଇ ଯାଉଥିଲା ବେଳେ ପଛେ ପଛେ ଚାକର ଶାସ୍ତ୍ର ଲେଖାଥିବା ବହିଗୁଡିକ ଗଣ୍ଠିଲି କରି ମୁଣ୍ଡେଇ ଚାଲିଥାଏ । ବାଟରେ ଯିଏ ପଚାରେ ତାକୁ ପଣ୍ଡିତେ କହନ୍ତି ଇଏ ମୋର ଚାକର ନିହାତି ଗଜମୂର୍ଖଟାଏ ।”
ଏହିଭଳି ସମସ୍ତଙ୍କ ଆଗରେ କହି କହି ଚାକରଟିକୁ ସତେଯେମିତି ଘୃଣା କରି ଦେଇଛନ୍ତି, କେବଳ ନିଜର ପ୍ରଭୁପଣିଆ ଜାହିର କରିବା ଲାଗି । ହେଲେ ଚାକର ଏକଥା ଶୁଣିଶୁଣି ଦୁଃଖରେ ଭାଙ୍ଗିପଡିଲାଣି । ଶେଷରେ କିଛି ଉପାୟ ନପାଇ ଚାକର ଠିକ୍ କଲା ବେଳକାଳ ଦେଖି ପଣ୍ଡିତଙ୍କୁ ଆଚ୍ଛା କରି ପାନେ ଦେବ ।
ଏମିତି ଦୁହେଁ ବାଟ ଚାଲିଥାନ୍ତି । ଏକ ଜଙ୍ଗଲିଆ ରାସ୍ତା ପଡିଲା । ବାଟରେ ପଣ୍ଡିତେ ତ ଆଗରେ ଚାଲିଥାନ୍ତି, ହଠାତ୍ ସେ ଦେଖିଲେ ରାସ୍ତା ଉପରେ ଏକ ବିରାଟ ନାଗସାପ ଫଣା ଟେକି ରହିଛି । ସାପକୁ ଦେଖି ପଣ୍ଡିତେ ଚମକି ପଡି କହିଲେ, “ଆରେ ଚାକର ପିଲା, ଏ ସାପଟାକୁ ଠେଙ୍ଗାରେ ପିଟି ପିଟି ମାରିଦେ ।”
ଚାକର ତ ଏଭଳି କିଛି ଅଘଟଣ ଘଟୁବୋଲି ଚାହୁଁଥିଲା । ତାକୁ ଏବେ ମଉକା ମିଳିଗଲା । ସୁତରାଂ ସେ କହିଲା “ନାଈଁ ଆଜ୍ଞା! ସାପଟିକୁ ବିନା ଦୋଷରେ ମାରିଦେଲେ ପାପ ହେବ । ସେ ଚାଲିଗଲା ପରେ ଆମେ ପଛେ ଯିବା, ତାକୁ ମାରିବା ନାହିଁ ।”