ପ୍ରାଚୀନ କାଳର କଥା । ଚାଙ୍ଗ ଲା ନାମକ ଟୋପି ବିକୁଥିବା ଜଣେ ଲୋକ ଚୀନ୍ର ଏକ ଗ୍ରାମରେ ରହୁଥାଏ । ତା’ର ପୂର୍ବପୁରୁଷମାନଙ୍କର ମଧ୍ୟ ମୌଳିକ ପେଶା ତାହାହିଁ ଥିଲା । ଚାଙ୍ଗ ଲାର ପିତା ଟୋପି ବ୍ୟବସାୟରୁ ବହୁତ ପଇସା ପାଇଥିଲେ । ତେଣୁ ମରିବା ସମୟରେ ସେ ତାଙ୍କ ପୁଅକୁ ପାଖକୁ ଡାକି କହିଲେ, “ପୁଅ, ଆମ ପରିବାରର ଏହି ବୃତିକୁ ତୁ କେବେ ମଧ୍ୟ ତ୍ୟାଗ କରିବୁ ନାହିଁ ।”
ପିତାଙ୍କ ମୃତ୍ୟୁ ପରେ ଚାଙ୍ଗ ଲା ଭାବିଲା, “ଏତେ ସମ୍ପତ୍ତି ତ ମୋର ଅଛି ପୁଣି କିଏ ଯାଉଛି ଟୋପି ସିଲାଇ କରିବାକୁ । କିନ୍ତୁ ସଂପୂର୍ଣ୍ଣ ଭାବରେ ଛାଡିଦେଲେ ବ୍ୟବସାୟର ଦେବତା ହୁଏତ ମୋ ଉପରେ ରାଗିବେ ।”ତେଣୁ ସେ ଟୋପି ସିଲାଇ କରୁଥାଏ କିନ୍ତୁ ବଡ ଅଳସୁଆ ଭାବରେ । କିନ୍ତୁ ସେଥିରେ ତା’ର ମନ ଆଦୌ ନଥାଏ । ତା’ର ଏପରି ବ୍ୟବହାରରେ ସେଠିକା ଗ୍ରାମଲୋକ ବହୁତ ଅସନ୍ତୁଷ୍ଟ ହେଲେ । ତେଣୁ ସେମାନେ ପାଖ ଗାଁରୁ ବାଙ୍ଗ ଲା ନାମକ ଏକ ଟୋପିବାଲାକୁ ନିଜ ଗାଁରେ ବ୍ୟବସାୟ କରିବାକୁ ଡାକି ଆଣିଲେ ।
ବାଙ୍ଗ ଲା ଅତି ସୁନ୍ଦର ଭାବରେ ଟୋପି ସିଲାଇ କରୁଥାଏ ଓ ଅଳ୍ପ ସମୟ ଭିତରେ ଦେଇ ଦେଉଥାଏ । ତା’ଛଡା ସୁନ୍ଦର ରଙ୍ଗ ବେରଙ୍ଗର ଥଳୀ ଓ ଅନ୍ୟାନ୍ୟ ଛୋଟ ଜିନିଷ ମଧ୍ୟ ସିଲାଇ କରି ସେ ବିକେ । ତା’ ଦୋକାନଟି ଠିକ୍ ଚାଙ୍ଗ ଲାର ଦୋକାନ ପାଖରେ ଥାଏ । ତା’ ଦୋକାନରେ ସାରାଦିନ ଭିଡ ।
ଦିନେ ନିଜ ଦୋକାନରେ ବସି ଚାଙ୍ଗ ଲା ଦେଖିଲା ଜଣେ ସନ୍ନ୍ୟାସୀ ବାଙ୍ଗ ଲାର ଦୋକାନରେ ପ୍ରବେଶ କରି ସୁନାପରି ଝଟକୁ ଥିବା ଏକ ମୃଗଛାଲ ତାକୁ ଦେଇ ସେଥିରେ ଥଳୀଟିଏ ବନାଇ ଦେବାକୁ କହିଲେ । ତା’ପରେ ସେ ସେଠାରୁ ଚାଲିଗଲେ ଓ ତାଙ୍କ କହିବା ମୁତାବକ ବାଙ୍ଗ ଲା ସୁନ୍ଦର ଥଳୀଟିଏ ବନାଇ ତା’ ଦୋକାନରେ ଟଙ୍ଗାଇ ଦେଲା ।