ବଣ ଭିତରେ, ନଦୀକୂଳରେ ଥିବା ଗୋଟିଏ ଗୁରୁକୂଳରେ ରହି ଦଳେ ପିଲା ଜଣେ ପ୍ରଖ୍ୟାତ ଗୁରୁଙ୍କଠାରୁ ଶିକ୍ଷା ଲାଭ କରୁଥିଲେ । ସେମାନଙ୍କ ଭିତରେ ରଘୁନାଥ ଥିଲା । ସେ ମୋଟେ ପାଠ ପଢୁ ନଥାଏ । ଗୁରୁ ଯାହା କହୁଥାନ୍ତି, ସେସବୁ ସେ କିଛି ମନେ ରଖୁ ନଥାଏ । ତେବେ ତା’ ସ୍ୱଭାବ ବହୁତ ଭଲ ଥିଲା । ଗୁରୁଙ୍କ ପ୍ରତି ତା’ର ପ୍ରଗାଢ ଭକ୍ତି ମଧ୍ୟ ଥାଏ । ତେଣୁ ଗୁରୁ ତାକୁ କଡାକରି କେବେବି କିଛି କହିପାରୁ ନଥାନ୍ତି ।
ଯେଉଁ ଛାତ୍ରମାନେ ରଘୁନାଥ ସହ ଏକ ସମୟରେ ଗୁରୁକୂଳରେ ଭର୍ତ୍ତି ହୋଇଥିଲେ, ସେମାନଙ୍କର ପାଠ ପଢା ଶେଷ ହେଲା । ସେମାନେ ସମସ୍ତେ ଗୁରୁଙ୍କଠୁଁ ବିଦାୟ ନେଇ ଚାଲିଗଲେ । ରଘୁନାଥ ଆସି ଗୁରୁଙ୍କୁ କହିଲା, “ଗୁରୁଦେବ, ମୁଁ ବି ଏଥର ଯିବି ତ? ମୋ ପାଠପଢା ବି ଶେଷ ହେଲାଟି? ଯଦି କିଛି ବାକି ରହିଯାଇଛି, ତେବେ କହିଦିଅନ୍ତୁ ।”
ତା’ର ଏଭଳି କଥାରେ ଗୁରୁ କିଛି କହିଲେ ନାହିଁ । ରଘୁନାଥ ଉଦ୍ଗ୍ରୀବ ଭାବରେ ତାଙ୍କ ଆଖିକୁ ଏକ ଧ୍ୟାନରେ ଚାହିଁ ରହିଥାଏ । କିଛି ସମୟ ପରେ ସେ ପୁଣି ପଚାରିଲା, “ଗୁରୁଦେବ! ବୋଧହୁଏ ଆପଣ ଅନ୍ୟମନସ୍କ ଥାଇ ମୋ ପ୍ରଶ୍ନଟି ଠିକ୍ସେ ଶୁଣି ପାରିଲେ ନାହିଁ । ମୁଁ ପଚାରୁଥିଲି କି ମୋର ବିଦ୍ୟାଧ୍ୟୟନ ବି ଶେଷ ହେଲା ତ? ଏଥର ମୁଁ ଏଠୁ ଯାଇ ପାରେ? ଅବଶ୍ୟ ଆପଣଙ୍କ ଅନୁମତି ହେଲେ ମୁଁ ଯିବି ।”
ରଘୁନାଥର ଏତାଦୃଶ ସରଳତା ଗୁରୁଙ୍କ ହୃଦୟରେ ଅନୁକମ୍ପା ଭାବର ସୃଷ୍ଟି କଲା । କିନ୍ତୁ ରଘୁନାଥ ତ ଆଦୌ କିଛି ବି ବିଦ୍ୟା ଶିଖିନାହିଁ । ସେ କ’ଣ କହିବେ? ସେ ଆଖି ବୁଜି କିଛି ସମୟ ବସି ରହିଲେ । ରଘୁନାଥ ପୁଣି କହିଲା, “ଗୁରୁଜୀ!”
ଗୁରୁ ଦୀର୍ଘନିଃଶ୍ୱାସ ଛାଡି କହିଲେ, “ବାପା! କେତେ ଶିଖିଲୁ, କେତେ ବାକି ରହିଲା, ତା’ର ହିସାବ କରି ଆଉ କିଛି ବି ଲାଭ ନାହିଁ । ତୋତେ ମୁଁ ଆଜି ତିନୋଟି ସରଳ କଥା କହୁଛି । ସେତିକି ମନେ ରଖି କାମ କରୁଥିବୁ । ଭଗବାନ ତୋର ସମସ୍ତ ମଙ୍ଗଳ କରନ୍ତୁ ।” ଏହାପରେ ସେ ଗୁରୁ ତାକୁ ଏହି ତିନି ସୁତ୍ର ଶିଖାଇଲେ: (୧) ବାଟ ଚାଲୁଥିଲେ ପାଇବୁ ସ୍ଥାନ (୨) ବୁଝି ସମଝିଲେ ପାଇବୁ ଜ୍ଞାନ (୩) ଜାଗିଥିଲେ ହେବ ନାହିଁ ମରଣ!
ଗୁରୁଙ୍କଠୁଁ ବିଦାୟ ନେଇ ରଘୁନାଥ ବାଟ ଚାଲିଲା । ଚାଲୁ ଚାଲୁ ସେ ଯାଇ ରାଜ୍ୟର ରାଜଧାନୀରେ ପହଁଚିଗଲା । ଭାବିଲା, ଏହି ହେଲା ‘ସ୍ଥାନ’ । ଗୁରୁଙ୍କର ପ୍ରଥମ ଉପଦେଶ ସେ ତେବେ ଠିକ୍ ଠିକ୍ ପାଳନ କରି ଉପଯୁକ୍ତ ଫଳ ପାଇଛି । ବର୍ତ୍ତମାନ ଏଠାରେ ରହି ବୁଝି ସମଝି ଜ୍ଞାନ ଉପାର୍ଜନ କରିବା କଥା । ସେ ଜଣେ ବ୍ୟବସାୟୀଙ୍କ ଗୋଦାମ ଘରେ ରାତିରେ ପ୍ରହରୀ ରୂପେ ରହିବା କାମ ପାଇଲା । ଦିନବେଳେ ତା’ର ଛୁଟି । ସେ ଅଧାଦିନ ଶୋଇ କଟାଏ, ବାକି ଅଧାଦିନ ସହରରେ ବୁଲାବୁଲି କରି ନାନା ବିଷୟରେ ଲୋକଙ୍କ ସହ ସେ ଆଲୋଚନା କରେ । କୌଣସି ସ୍ଥାନରେ କିଛି ଆଲୋଚନା ହେଉଥିଲେ ତାହା ସେ ମନଦେଇ ଶୁଣେ ।
ସେ କ୍ରମେ ଗୋଟାଏ ଅଦ୍ଭୁତ କଥା ଜାଣିଲା: ସେ ଦେଶର ରାଜା ମରିଯାଇଥାନ୍ତି । ଉକ୍ତ ରାଜାଙ୍କର କେହିବି ପୁଅ ନଥିଲେ । ତାଙ୍କ ଝିଅକୁ ଯିଏ ବିଭା ହେବ, ସିଏ ହିଁ ଜାଣ ତାଙ୍କ ରାଜ୍ୟର ରାଜା ହେବ । କିନ୍ତୁ ଝିଅକୁ କେହି ଯୁବକ ଆଉ ବିଭା ହେବାକୁ ଆଗଭର ହେଉ ନଥିଲେ । ଏହାର କାରଣ ହେଲା, ସେଠିକାର ବିଧି ଅନୁସାରେ ବରପାତ୍ର ଆସି ନଅରରେ ବିବାହର ତିନିଦିନ ଆଗରୁ ରହିବା କଥା । ତାକୁ କେତେ ପ୍ରକାର ଆଚାର ଅନୁଷ୍ଠାନ ପାଳିବାକୁ ହୁଏ । କିନ୍ତୁ ତିନିଥର ଧରି ତିନିଜଣ ବରହିଁ ସେଠି ପ୍ରଥମ ରାତି ରହିବା ପରେ ସକାଳେ ନିଜ ଶଯ୍ୟାରେ ମରି ଶୋଇଥିବାର ଦେଖା ଯାଇଥାଏ । ଏହାପରେ ଆଉ କୌଣସି ପାତ୍ର ଆଗଭର ହୋଇ ସେଠାକୁ ଆସୁ ନଥାନ୍ତି ।
ରଘୁନାଥ ଭାବିଲା, ବୁଝି ସମଝି ସେ ଜ୍ଞାନ ପାଇଗଲା!
ଯେଉଁଦିନ ସେ ରଘୁନାଥ ତା’ ପ୍ରଥମ ମାସର ଦରମା ପାଇଲା, ସେହିଦିନ ସେ ଭଲ ପୋଷାକ କିଣିଲା ଓ ମନ୍ତ୍ରୀଙ୍କ ପାଖକୁ ଯାଇ ଗୁରୁକୂଳରେ ଶିଖିଥିବା ଶୁଦ୍ଧ ଭାଷାରେ କଥା କହି ନିଜେ ରାଜଜେମାଙ୍କ ପାତ୍ର ହେବାର ପ୍ରସ୍ତାବ ଦେଲା । ମନ୍ତ୍ରୀ ରଘୁନାଥର ଏପ୍ରକାର ବ୍ୟବହାରରେ ସନ୍ତୁଷ୍ଟ ହେଲେ ଓ ତାକୁ ସ୍ୱାଗତ କରି ନଅରକୁ ନେଲେ ।
ପ୍ରଥମ ଦିନ ଯେପରି ବିଧି ଓ ଅନୁଷ୍ଠାନ ହେବା କଥା, ସବୁ ହୋଇଗଲା । ରାତିରେ ସେ ନଅରକୁ ଲାଗିଥିବା ଅତିଥିଭବନର କୋଠରୀରେ ଶୋଇବାର ବ୍ୟବସ୍ଥା ହେଲା । ସେ ଭାବିଲା, ବର୍ତ୍ତମାନ ଗୁରୁ ଶିଖାଇଥିବା ତୃତୀୟ ନୀତି ପାଳନ କରିବା କଥା । ସେ ଯଦି ଜାଗି ରହିବ, ତେବେ ତା’ର ମରଣ କଦାପି ମଧ୍ୟ ହେବ ନାହିଁ । ସେ ଦେଖିଲା, ସେ କୋଠରୀକୁ ଗୋଟିଏ ଉଦ୍ୟାନ ଲାଗିଛି । ପଛ କବାଟ ଖୋଲି ସେ ଗୋଟାଏ କଦଳି ଗଛ କାଟି ଆଣି ତାକୁ ଶେଯରେ ଥୋଇ ତା’ ଉପରେ ସେ ଚଦର ଢାଙ୍କିଦେଲା – ସତେ ଯେମିତି ମଣିଷଟିଏ ସେଠାରେ ଶୋଇଛି । ତା’ପରେ ସେ ପର୍ଦ୍ଦା ଆଢୁଆଳରେ ଯାଇ ଜଗି ରହିଲା ।
ଠିକ୍ ମଝି ରାତି ବେଳକୁ ସେ ଉଦ୍ୟାନ ଭିତରୁ କଳା ନାଗଟିଏ ଆସି ଖଟ ଉପରକୁ ଉଠି ସେ କଦଳି ଗଛ ଦେହରେ ଚୋଟ ବସାଇଲା । ରଘୁନାଥ ବି ସଙ୍ଗେ ସଙ୍ଗେ ଦୌଡିଯାଇ ସେ ସାପ ଦେହରେ ତରବାରୀର ଏକ ଚୋଟ ଦେଲା । ଫଳରେ ସାପଟି ସେହିଠାରେ ହିଁ ମଲା । ସେ ସାପ ଓ କଦଳି ଗଛ ଉଦ୍ୟାନକୁ ଫୋପାଡି ଦେଇ ଏଥର ସେ ଗାଢ ନିଦରେ ଶୋଇଗଲା ।
ସକାଳେ ମନ୍ତ୍ରୀ ଓ ପୁରୋହିତ ଆସି ଦେଖିଲେ, ପାତ୍ର ସଜୀବ ଅଛନ୍ତି । ଏହା ଦେଖି ସେମାନେ ବଡ ଖୁସି ହେଲେ । ଜେମାଙ୍କ ସହ ରଘୁନାଥର ବାହାଘର ହୋଇଗଲା । ରଘୁନାଥ ରାଜା ହେଲା ଓ ପରେ ସେ ରାଜା ଶ୍ରୀ ରଘୁନାଥ ବାଘସିଂହ ନାଗବୀର ନାମ ଗ୍ରହଣ କଲା ।