ବିକ୍ରମପୁରର ରାଜା ବିନୋଦ ବର୍ମା ସାହିତ୍ୟ ଓ ଶାସ୍ତ୍ର ସମ୍ବନ୍ଧୀୟ ଚର୍ଚ୍ଚା କରିବାରେ ଖୁବ୍ ଆଗ୍ରହୀ ଥିଲେ । ନୀରସ ରାଜକାର୍ଯ୍ୟ ମନ୍ତ୍ରୀ ଓ ସେନାପତିଙ୍କୁ ଅର୍ପଣ କରି ସେ ସର୍ବଦା ସାହିତ୍ୟ, ସଙ୍ଗୀତ ଓ ନାନା ଶାସ୍ତ୍ରର ଆଲୋଚନା ସଭା କରି ସମୟ ବିତାଉ ଥା’ନ୍ତି । ଭଲ ଭଲ ପଣ୍ଡିତ, ଲେଖକ ଓ ସଙ୍ଗୀତଜ୍ଞ ମାନଙ୍କୁ ମଧ୍ୟ ସେ ପୁରସ୍କାର ଦେଉଥା’ନ୍ତି । ରାଜକାର୍ଯ୍ୟ ପ୍ରତି ରାଜାଙ୍କର ଏଭଳି ଉଦାସୀନତାର ସୁଯୋଗ ନେଇ ତାଙ୍କ ଭଣଜା, ଯିଏ କି ତାଙ୍କ ରାଜ୍ୟର ପ୍ରଧାନ ସେନାପତି, ବହୁତ ଲାଭ ଉଠାଇଥିଲେ ଓ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ଏସବୁ ଖବର ରାଜା ଜାଣି ପାରନ୍ତି ନାହିଁ ।
ଏପରି କିଛି ବର୍ଷ ବିତିଗଲା । ଏବେ ସେନାପତି ନାଗବର୍ମାଙ୍କ ଭୟରେ ରାଜାଙ୍କୁ କେହି କିଛି ହେଲେବି ଖବର ଦେଇ ପାରନ୍ତି ନାହିଁ । ରାଜା ଭାବନ୍ତି ରାଜ୍ୟ ଠିକ୍ ଠାକ୍ ଚାଲିଛି । ଇତି ମଧ୍ୟରେ ନାଗବର୍ମା ଭାବିଲେ କି ରାଜାଙ୍କର ଏହି ଦୁର୍ବଳତାର ସୁଯୋଗ ନେଇ ଅନ୍ୟ ସେନାପତି ଇତ୍ୟାଦିଙ୍କୁ ହାତରେ ରଖି ରାଜାଙ୍କୁ ସିଂହାସନଚ୍ୟୁତ କରି ନିଜେ ରାଜା ହେବେ । ଏ ଖବର ମନ୍ତ୍ରୀ ପାଇବା ମାତ୍ରେ ଦିନେ ରାଜାଙ୍କୁ ଏକାନ୍ତରେ ଦେଖା କରି ସେ ସେନାପତିଙ୍କ ଷଡଯନ୍ତ୍ର ବିଷୟ କହିଲେ । ରାଜା ସ୍ୱଭାବତଃ ବିବେକଶୀଳ ଓ ବନ୍ଧୁବାନ୍ଧବମାନଙ୍କ ପ୍ରତି ସ୍ନେହଶୀଳ । ତେଣୁ ସେ ହଠାତ୍ ଏ ବିଷୟରେ କିଛି କଠୋର ପଦକ୍ଷେପ ନେଲେ ନାହିଁ ।
କିଛି ଦିନ ବିତିଗଲା । ମନ୍ତ୍ରୀ ପୁଣି ଯାଇ ରାଜାଙ୍କୁ ଏକାନ୍ତରେ ସାକ୍ଷାତ୍ କଲେ ଓ କହିଲେ, “ମହାରାଜ! ମୁଁ ତ ଆସି ବୃଦ୍ଧ ହେଲିଣି । ମୋର ଆଜି ଆଉ କାହା ପ୍ରତି ଭୟ ନାହିଁ । ରାଜ୍ୟ ଯାକର ଲୋକେ ନାଗବର୍ମା ପ୍ରତି ଭୟଭୀତ ହୋଇ ଚୁପ୍ ରହିଯାଇ ପାରନ୍ତି, କିନ୍ତୁ ମୁଁ ପାରିବି ନାହିଁ । ଆପଣଙ୍କୁ ଚେତାବନୀ ଦେଉଛି, ଆପଣ ସଙ୍ଗେ ସଙ୍ଗେ ଯଥାର୍ଥ ବ୍ୟବସ୍ଥା ନକଲେ ପରେ ଯାହା ଖାଲି ଅନୁତାପହିଁ ସାର ହେବ, ପ୍ରତୀକାର କରିପାରିବେ ନାହିଁ ।”
ତା’ ପରଦିନ ରାଜା ନାଗବର୍ମାଙ୍କୁ ଡାକି ସବୁକଥା ପଚାରିଲେ । ନାଗବର୍ମା ଭକ୍ତିର ଛଳନା କରି ହାତଯୋଡି କହିଲେ, “ପ୍ରଭୁ ଏକଥା କ’ଣ ମୁଁ କେବେବି ସ୍ୱପ୍ନରେ ସୁଧା ଭାବି ପାରିବି? ଆପଣଙ୍କ ଉପରେ ରାଜକାର୍ଯ୍ୟର ଚାପା ପଡିବ ନାହିଁ ବୋଲି ମୋତେ ସମୟ ମିଳିଲେ ମୁଁ ପ୍ରଜାମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ଭଲ ମନ୍ଦ ବୁଝେ । ଆପଣ ଏକଥାର ପରୀକ୍ଷା କରି ଦେଖନ୍ତୁ । ମୁଁ ଲୋକପ୍ରିୟ ହେବାରୁ ମନ୍ତ୍ରୀ ହୁଏତ ମୋତେ ଈର୍ଷ୍ୟା କରି ଏପରି କହୁଛନ୍ତି । ଆପଣ କେତେକ ପ୍ରଧାନ ବ୍ୟକ୍ତିଙ୍କୁ ଡାକି ଦରବାରରେ କଥାବାର୍ତ୍ତା କରନ୍ତୁ ।”
ରାଜା କହିଲେ “ତେବେ ମନ୍ତ୍ରୀ କ’ଣ ମିଛ କହିଲେ? ସେ ତ ତାଙ୍କ ଜୀବନରେ କେବେ ବି ମୋ ଆଗରେ ଭୁଲ୍ କଥା କହି ନାହାଁନ୍ତି!”
ନାଗବର୍ମା ନିଜର ଉତ୍ତର ରଖିଲେ “ମହାରାଜ! ସେ ବୁଢା ହେଲେଣି । ତାଙ୍କ ମୁଣ୍ଡ ବୋଧହୁଏ ଆଉ ଠିକ୍ ରହୁନାହିଁ । ତା’ଛଡା ମନ୍ତ୍ରୀମାନେ ତ ସେନାପତିମାନଙ୍କୁ ସର୍ବଦା ଈର୍ଷ୍ୟା କରନ୍ତି । କାରଣ ସେନାପତିମାନେ ଜନସାଧାରଣଙ୍କ ଆଗରେ ବୀର ଭଳି ଦେଖାଯାନ୍ତି! ମୁଁ ତ କହୁଛି, ଆପଣ ଲୋକଙ୍କୁ ଡାକି ସେମାନଙ୍କଠାରୁ ରାଜ୍ୟର ଅବସ୍ଥା ବୁଝନ୍ତୁ । ସନ୍ଦେହ ମୋଚନ ହୋଇଯାଉ ।”
ରାଜା ନାଗବର୍ମାଙ୍କ କଥା ଶୁଣି ଓ ତାଙ୍କର ଦୃଢଭାବ ଦେଖି ଆଶ୍ଚର୍ଯ୍ୟ ହେଲେ । ତା’ପରେ ସେ କହିଲେ, “ଆଚ୍ଛା, ଠିକ୍ ଅଛି । ଏବେ ତମେ ପ୍ରଜାମାନଙ୍କୁ ଖବର ଦିଅ କି ସେମାନେ ସିଧା ଦରବାରକୁ ଆସି ମୋ ସହିତ କଥାବାର୍ତ୍ତା କରନ୍ତୁ ।”
ନାଗବର୍ମା “ଯେ ଆଜ୍ଞା” କହି ଚାଲିଗଲେ । ବାହାରେ ସମସ୍ତିଙ୍କୁ ରାଜାଙ୍କ କହିବା ଅନୁସାରେ ଖବର ଦିଆଗଲା । କିନ୍ତୁ ଭିତରେ ନାଗବର୍ମାଙ୍କ ଲୋକସବୁ ଯାଇ ପ୍ରଜାମାନଙ୍କୁ କହିଲେ କି ନାଗବର୍ମା ବିରୁଦ୍ଧରେ ଯିଏ ବି କହିବ ସିଏ ପ୍ରାଣଦଣ୍ଡ ପାଇବ ।
ଏକଥା ଶୁଣି ଅନେକ ଲୋକ ଭୟରେ ଯିବାକୁ ବି ମଙ୍ଗିଲେ ନାହିଁ । କେହି କେହି ଭାବିଲେ ବରଂ ଯାଇ ରାଜସଭାରେ ନାଗବର୍ମା ସପକ୍ଷରେ କହିଲେ କିଛି ସୁବିଧା ମିଳିବ । କିନ୍ତୁ ଅଧିକାଂଶ ଲୋକ ଗଲେ ନାହିଁ, ଯେଉଁମାନେ ଗଲେ ସେସବୁ ନାଗବର୍ମାଙ୍କର ସମର୍ଥକ, ସେମାନେ ନାଗବର୍ମାର ଭୁରି ଭୁରି ପ୍ରଶଂସା କଲେ । ଏସବୁ ଘଟଣା ଦେଖି ବିଚାରା ମନ୍ତ୍ରୀ ବଡ ଚିନ୍ତିତ ହୋଇ ପଡିଲେ ।