ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୁର୍ଖ ପଣ୍ଡିତ କଥା

ଦିନକର କଥା । ଭୋଜପୁର ଶାସନର ଆନନ୍ଦ ଶର୍ମା ଯେଜେମାନି କାର୍ଯ୍ୟରେ ଦୂର ଗ୍ରାମକୁ ଯାଇଥିଲେ । ସେଠାରେ ରାମ ଥାଟୋଇ ନାମକ ଜଣେ ଦିନ ମଜୁରିଆର ଶ୍ରାଦ୍ଧ କର୍ମ ସାରି ଫେରିବା ସମୟରେ ସେ ଦକ୍ଷିଣା ସ୍ୱରୂପ ବ୍ରାହ୍ମଣଙ୍କୁ ଛେଳି ଗୋଟିଏ ଦେଲେ ।

                ବ୍ରାହ୍ମଣ ଛେଳିଟିକୁ ପାଇ ଆନନ୍ଦ ହୋଇଗଲା । କାରଣ ସେ ଜଣେ କର୍ମାଙ୍ଗ ସିଦ୍ଧି ପୂତ ବ୍ରାହ୍ମଣ ହୋଇଥିବା କାରଣରୁ ମାଛ ମାଂସ ଭକ୍ଷଣ କରନ୍ତି ନାହିଁ । ସେଥିପାଇଁ ଭାବିଲେ ସାଧାରଣ ଦକ୍ଷିଣାଠାରୁ ଏ ଛେଳିର ମୂଲ୍ୟ ନିଶ୍ଚିତ ଭାବରେ ଅଧିକ ହେବ । ତେଣୁ ଛେଳିକୁ ନିଜ ଗ୍ରାମରେ ନ ବିକି ୟାକୁ ନେଇ ହାଟରେ ବିକିବାକୁ ହେବ ।

                ବ୍ରାହ୍ମଣ ଏହିପରି ଭାବନା ଚିତ୍ତରେ ମାର୍ଗ ଗମନ କରୁଥାଆନ୍ତି । ସେତେବେଳେ ସେହି ମାର୍ଗ ଦେଇ ତିନିଜଣ ଯୁବକ ମଧ୍ୟ ଯାଉଥିଲେ । ସେମାନେ ଦୂରରୁ ଏହି ଛେଳିକୁ ଦେଖି ଲୋଭ କଲେ । ସେମାନଙ୍କର ଠକିବା ହେଉଛି ବୃତ୍ତି ଏବଂ ପ୍ରକୃତି । ତେଣୁ ସେମାନେ ଛେଳିଟିକୁ କିପରି କରଛଡ଼ା କରାଇ ନେବେ ସେହି ଚିନ୍ତାରେ ରହିଲେ । ଏହାପରେ ସେମାନେ ବସି ବସି କିଛି ଯୋଜନା ମଧ୍ୟ ପ୍ରସ୍ତୁତ କରିଲେ । ଏହି ଯୋଜନା ମଧ୍ୟରେ ଠକ ତିନିଜଣ ଯାକ ସେହିଠାରୁ ପୃଥକ୍ ପୃଥକ୍ ହୋଇ ଚାଲିଗଲେ ।

                ବ୍ରାହ୍ମଣ କାହିଁକି ଏକଥା ଜାଣିବେ । ସେ ମନ ଖୁସିରେ ତାଙ୍କ ମାର୍ଗ ଲକ୍ଷ୍ୟରେ ସେ ଚାଲିଥାଆନ୍ତି । ଏହି ଯିବା ମାର୍ଗରେ ପ୍ରଥମ ଠକ ସାଥିରେ ବ୍ରାହ୍ମଣଙ୍କର ଦେଖାହେଲା । ସେ ବ୍ରାହ୍ମଣଙ୍କୁ ଦେଖୁ ଦେଖୁ ହସି ପକାଇ କହିଲା – କିହୋ ପଣ୍ଡିତେ କେଉଁଆଡ଼େ ଯିବାର ହୋଇଥିଲା । ଆଜି କ’ଣ କେଉଁ ଯଜମାନର କାର୍ଯ୍ୟ ଥିଲା ନା କ’ଣ? ହଁ ଗଣ୍ଠିଲିତ ଖୁବ୍ ବଡ଼ ଦେଖାଯାଉଛି । ଆଜି କାହା ମୁହଁ ଚାହିଁ ଯାଇଥିଲେ କେଜାଣି ଗୋସାଇଁ ରୋଜଗାର ଭଲ ହୋଇଛି । ଠିକ୍ କଥା ଶୁଣି ବ୍ରାହ୍ମଣ ମନରେ ଆନନ୍ଦ କହିଲେ ନ ସରେ । ସେ ମନେ ମନେ ଭାବୁଥିଲେ ଦକ୍ଷିଣାଠାରୁ ଛେଳି ଗୋଟିକ ବହୁ ଗୁଣରେ ଦାମ୍ ଅଧିକ ହେବ । ଠକ ଜଣଙ୍କ ଠାରୁ ସେହି କଥା ଶୁଣିବାମାତ୍ରେ ବ୍ରାହ୍ମଣଙ୍କର ମନଟା ଆହୁରି ଅଧିକ ଆନନ୍ଦ ହୋଇଗଲା । ବ୍ରାହ୍ମଣ କହିଲେ – ହଁରେ ପୁଅ । ତୁ ଯୋଉ ବାକ୍ୟ କହିଲୁ ତାହାକୁ ନିନ୍ଦା କରିବା ଆମ୍ଭର ଧର୍ମ ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ