ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

କୌରବମାନଙ୍କ ସହିତ ଦ୍ୟୁତକ୍ରୀଡାରେ ହାରିଯାଇ ପଂଚୁପାଣ୍ଡବ ଓ ଦ୍ରୌପଦୀ ବନବାସ କରିବାକୁ ଗଲେ । ଦିନେ ହିମାଳୟ ନିକଟରେ ଭୀମ ଓ ଦ୍ରୌପଦୀ ବନବିହାର କରିବାବେଳେ ଏକ ଅପୂର୍ବ ପଦ୍ମ କେଉଁଠୁ ଉଡି ଆସି ସେଠାରେ ପଡିଲା । ସେଇଟି ଦେଖି ଦ୍ରୌପଦୀ ବଡ ମୁଗ୍ଧ ହେଲେ । ସେହି ପଦ୍ମର ମଧୁର ସୁଗନ୍ଧରେ ସମଗ୍ରପ୍ରଦେଶ ଚହଟି ଉଠୁଥିଲା ।

                ଏହି ଅପୂର୍ବ ପଦ୍ମ ଅଳକାପୁରୀ ନିକଟସ୍ଥ ଏକ ସରୋବରରେ ଦିନକୁ ଗୋଟିଏ ଲେଖାଏଁ ଫୁଟେ । କୁବେର ସେଇଟି ତୋଳି ନେଇ ପ୍ରତିଦିନ ଶିବଙ୍କୁ ସମର୍ପଣ କରି ତାଙ୍କର ପୂଜା କରନ୍ତି । ପରଦିନ ପୁଣି ଆଉ ଗୋଟିଏ ନୂଆ ଫୁଲକୁ ଦେଇ ସେହି ପୁରୁଣା ଫୁଲଟିକୁ ସେ ନେଇ ଆସନ୍ତି । ସେଦିନ ପୂର୍ବଦିନର ଫୁଲଟି ହୁଏତ କୁବେରଙ୍କ ହାତରୁ ଖସି ପଡିଥିଲା ।

                ଦ୍ରୌପଦୀ ସେହି ଫୁଲଟିର ମଧୁର ବାସ୍ନାରେ ଅତ୍ୟନ୍ତ ମୁଗ୍ଧ ହୋଇ ଭୀମଙ୍କୁ କହିଲେ, “ଆହା ଏପରି ଏକ ସଦ୍ୟପ୍ରସ୍ଫୁଟିତ ଫୁଲଟିଏ ମୋତେ ଆଣି କିଏ ଦିଅନ୍ତା କି?” ଦ୍ରୌପଦୀଙ୍କ ମୁହଁରୁ ଏହି କଥା ଶେଷ ନହେଣୁ ଭୀମସେନ ତାଙ୍କ ଗଦାଟି କାନ୍ଧରେ ପକାଇ ତୁରନ୍ତ ବାହାରି ପଡିଲେ । ଯାଉଯାଉ ସେ ହିମାଳୟର କଦଳୀବନରେ ଯାଇ ପ୍ରବେଶ କଲେ । ସେଠାରେ ବୀରଶ୍ରେଷ୍ଠ ତଥା ଭକ୍ତଶ୍ରେଷ୍ଠ ହନୁମାନ ବୃଦ୍ଧ ରୂପରେ ହାତ ପାଦ ଲମ୍ବାଇ ବସିଥା’ନ୍ତି ଓ ରାମନାମ ଜପ କରିବାରେ ମଗ୍ନ ଥା’ନ୍ତି । ତାଙ୍କର ଲମ୍ବା ଲାଞ୍ଜ ରାସ୍ତା ଉପରେ ପଡି ଭୀମସେନଙ୍କ ପଥରୋଧ କରିଥାଏ ।

                ଭୀମ ସେହି ପଥ ଦେଇ ଯାଉଥିଲେ । ବୃଦ୍ଧବାନରର ଲାଞ୍ଜକୁ ସେ କିପରି ବା ଅତିକ୍ରମ କରିଯିବେ । ତେଣୁ ସେ ଏକ ବଡ ଶବ୍ଦ କଲେ, ଯଦ୍ୱାରା ବାନରର ଧ୍ୟାନ ଭାଙ୍ଗିବ । ହନୁମାନ ଧୀରେଧୀରେ ଆଖି ଖୋଲି କହିଲେ, “ବତ୍ସ, ମୁଁ ବୃଦ୍ଧ, ଶକ୍ତିହୀନ, ଉଠିବା ମୋ ପକ୍ଷେ ଭୀଷଣ କଷ୍ଟକର; ମୋ ଲାଞ୍ଜଟିକୁ ତୁମେ ଘୁଂଚାଇ ଦେଇ ଚାଲିଯାଅ ।”

                ଏହାପରେ ଭୀମ ତାଙ୍କ ଗଦାକୁ ତଳେ ରଖି ହନୁମାନଙ୍କ ଲାଞ୍ଜ ଟେକିବାକୁ ଲାଗିଲେ । ପ୍ରଥମେ ସେ ଗୋଟିଏ ହାତରେ, ତା’ପରେ ସେ ପୁଣି ତାଙ୍କ ଦୁଇହାତରେ; କ୍ରମେ ସମସ୍ତ ବଳଖର୍ଚ୍ଚ କରି । କିନ୍ତୁ ତାଙ୍କର ସମସ୍ତ ପ୍ରୟାସ ଶେଷରେ ବ୍ୟର୍ଥ ହେଲା, ଏହିପରି ଭାବେ ଭୀମ କୌଣସିମତେବି ହନୁମାନଙ୍କର ଲାଞ୍ଜ ଟେକି ପାରିଲେ ନାହିଁ ।

                ହନୁମାନ ତାଙ୍କ ଆଖି ଅଧା ଖୋଲାରଖି ଭୀମଙ୍କୁ ଚାହିଁ କହିଲେ, “ବତ୍ସ, ତୁ ମୋ ଲାଙ୍ଗୁଡଟାକୁ ଏତେ ଜୋର୍ରେ ଧରିଛୁ ଯେ ମୋତେ ଭାରି କଷ୍ଟ ହେଉଛି, ଅଥଚ ତୁ ଏହାକୁ ଘୁଂଚାଇ ଦେଇ ପାରୁନାହୁଁ? ହାତରେ ଗଦା, ପୁଣି ଯୁବା ବୟସ, ମନେହୁଏ ତୁ କୌଣସି ମହାନ୍ କାର୍ଯ୍ୟ ସାଧନ କରିବାକୁ ଯାଉଛୁ । ତୁମେ ଯୁବକମାନେ ସର୍ବଦା ଉତ୍ତେଜିତ ହୋଇଥାଅ, ଚିନ୍ତାଶକ୍ତି କିଛିଟା କମ୍ । ସ୍ତ୍ରୀର ଇଚ୍ଛା ପୂରଣ କରିବାକୁ ଜୀବନ ଦେବ, ଅଥଚ ଏଠାରେ ତୁମର ବୀରତ୍ୱ ଗଲା କୁଆଡେ?”

                ଏଭଳି ତାତ୍ସଲ୍ୟଭରା କଥାଶୁଣି ଭୀମ ହଠାତ୍ ରାଗିଯାଇ କହିଲେ, “ଆବଶ୍ୟକତା ଅପେକ୍ଷା ଅଧିକ କଥା ଆଦୌ କୁହନାହିଁ?” ତା’ପରେ ସେ ହନୁମାନଙ୍କ ଉପରକୁ ନିଜ ଗଦା ଉଂଚାଇଲେ । ଏଥିରେ ହନୁମାନ ହସିହସି କହିଲେ, “ଆଚ୍ଛା, ତମେ କ’ଣ ମୋତେ ଗଦା ଯୁଦ୍ଧ ପାଇଁ ଆହ୍ୱାନ କରୁଛ? ତୁମପରି ସାନଭାଇ ଥିଲେ ବଡଭାଇଙ୍କୁ ତ ବନବାସ ଯିବା ବ୍ୟତୀତ ତାଙ୍କ ନିକଟରେ ଆଉ ଅନ୍ୟ କିଛି ବି ଉପାୟ ନାହିଁ । ଏହି ଦେଖ ମୋ ପାଖରେ ମଧ୍ୟ ଗଦା ଅଛି । କିନ୍ତୁ ତାହା ବି ମୋ ସହିତ ବୁଢା ହୋଇଗଲାଣି । ହେ ଅନୁଜ, ମୋ ଗଦାଟି ଟିକିଏ ମୋ ହାତରେ ଦିଅତ । ଗଦା ଯୁଦ୍ଧକୁ ତମେ ଯେତେବେଳେ ମୋତେ ଆହ୍ୱାନ କରୁଛ । ଯୁଦ୍ଧ ତ ମୋତେ ନିଶ୍ଚୟ କରିବାକୁହିଁ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ