ଦାନ

ବିଳାସପୁରରେ ଗୁରୁଦତ ନାମକ ଜଣେ ଧନୀବ୍ୟକ୍ତି ଥା’ନ୍ତି । ଥରେ ସେ ରୋଗରେ ପଡି ଶଯ୍ୟାଶାୟୀ ହେଲେ । ଅନେକ ବୈଦ୍ୟ ଚେଷ୍ଟା କଲେ ମଧ୍ୟ କୌଣସି ଫଳ ହେଲା ନାହିଁ ।

                ଦିନେ ସେ ବୈଦ୍ୟ ଜଗଦୀଶଙ୍କୁ ପାଖକୁ ଡାକି କହିଲେ, “ବୈଦ୍ୟରାଜ, ମୁଁ ତ ଆଜିପର୍ଯ୍ୟନ୍ତ କୌଣସି ପୁଣ୍ୟକାର୍ଯ୍ୟ କରିନାହିଁ । ଏବେ ମୁଁ ଉପଲବ୍ଧି କରୁଛି ଯେ, ମୃତ୍ୟୁ ପରେ ମୋର ନରକ ଭୋଗହିଁ ଯାହା ସାର ହେବ ।”

                ବୈଦ୍ୟ ଜଗଦୀଶ ସବୁ ଶୁଣି ବୁଝିଗଲେ କି ସେଠଜୀ ପଶ୍ଚାତାପରୂପକ ମାନସିକ ରୋଗରେ ଆକ୍ରାନ୍ତ । ସେ କହିଲେ, “ସେଠ୍ଜୀ, ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ମୁଁ ଆଜିହିଁ ଆପଣଙ୍କ ହାତରେ କୌଣସି ପୁଣ୍ୟକାର୍ଯ୍ୟ କରାଇ ନେବି । ଯାହାଦ୍ୱାରା କି ଆପଣଙ୍କର ସମସ୍ତ ପାପ ଧୋଇଯିବ ଓ ଔଷଧ ମଧ୍ୟ କାମ କରିବ ।”

ସେହି ଗ୍ରାମରେ ରାଜୁ ନାମକ ଜଣେ ଗରୀବ ଚାଷୀ ଥିଲା । ତା’ର ସ୍ତ୍ରୀ ଚମ୍ପା ଅତ୍ୟନ୍ତ ପରିଶ୍ରମୀ ଥିଲା । ସେମାନଙ୍କର ଦୁଇଟି ପିଲା ମଧ୍ୟ ଥା’ନ୍ତି । ରାଜୁ ମଧ୍ୟ ବହୁତ ପରିଶ୍ରମ କରୁଥାଏ । ତଥାପିବି ଭାଗ୍ୟ ତାଙ୍କର ଅନୁକୂଳ ନଥିଲା । ଥରେ ଧାନ ସବୁ ବରଷାରେ ପଚିଗଲା ତ ଆଉ ଥରେ ସବୁ ଚୋର ନେଇଗଲା । ଆଉ ଥରେ ପୁଣି ତା’ ଧାନଗଦାରେ ନିଆଁ ଲାଗିଗଲା । ସେଥିଯୋଗୁଁ ସେ ପ୍ରତିବର୍ଷ କିଛି ନା କିଛି କରଜ ଅବଶ୍ୟ କରୁଥାଏ ।

ବୈଦ୍ୟ ତାକୁ ସେଠ୍ଜୀଙ୍କ ପାଖକୁ ନେଇଯାଇ କହିଲେ, “ସେଠ୍ଜୀ, ରାଜୁ ବିଚରା ବହୁତ ଅସୁବିଧାରେ ପଡି ଅନେକ କରଜ କରିଛି । ତାକୁ କିଛି ଧନ ଦାନ ଦେଇ ପୁଣ୍ୟ ଅର୍ଜନ କରନ୍ତୁ ।”

ସେଠ୍ଜୀ ରାଜୁକୁ ସମଗ୍ର କରଜ ଶୁଝିବା ପାଇଁ ଟଙ୍କା ଦେବା ସଙ୍ଗେ ସଙ୍ଗେ ଆଗାମୀ ଏକ ବର୍ଷ ପାଇଁ ଖାଦ୍ୟ ଓ ଟଙ୍କା ଦେଇ ତାକୁ ସେଠାରୁ ବିଦା କଲେ ।

ଏବେ ପୁଣ୍ୟ କରିବା ଯୋଗୁଁ ବୈଦ୍ୟଙ୍କ ଔଷଧ ଠିକ୍ କାମ କଲା ଓ ସେଠ୍ଜୀ ସପ୍ତାହକ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଗଲେ । ଏ ଖବର ଚାରିଆଡେ ପ୍ରଚାର ହୋଇଗଲା ।

ଲୋକମାନେ କହିଲେ, “ଆମେ ତ ଯଥା ଶକ୍ତି କିଛି ନା କିଛି ଦାନ କରୁଛୁ କିନ୍ତୁ ଏପରି ଆଶ୍ଚର୍ଯ୍ୟ ଘଟଣା ତ କେବେବି ଦେଖିନାହୁଁ! ଏଥିରୁ ଯାହା ଜଣାପଡୁଛି ଯେ ନିଶ୍ଚୟ ରାଜୁ ଭିତରେ କିଛି ଅଲୌକିକ ଶକ୍ତି ଅଛି ।”

ଏକଥା ରାଜୁ ଶୁଣିବା ପରେ ତା’ର କାମ ହେଲା ସମସ୍ତିଙ୍କ ଆଗରେ ବନେଇ ଚୁନେଇ ଘଟଣା ବର୍ଣ୍ଣନା କରିବା । ଲୋକମାନେ ଏସବୁ ଶୁଣି ତା’ର ଅଲୌକିକ ଶକ୍ତିରେ ପୁରାପୁରି ବିଶ୍ୱାସ କରିଗଲେ । ତେଣୁ ସମସ୍ତେ ନିଜର ବିପଦଆପଦରେ ରାଜୁକୁ ଦାନ ଦେବାକୁ ଲାଗିଲେ । ଏଣେ ଦାନସବୁ ପାଇ ରାଜୁ ତ ମହା ଖୁସି । ଏଥର କାମ ନ କରି ଆରାମ୍ରେ ସେ ତା’ ଦିନ କଟାଉଥାଏ । କିଛି ଲୋକଙ୍କ ଭାଗ୍ୟ ଭଲ ଥିଲେ ରାଜୁର ସୁନାମ ମଧ୍ୟ ହେଉଥାଏ । ଯିଏ କିଛିବି ଫଳ ନ ପାଏ ଚୁପ୍ଚାପ୍ ହୋଇ ସେ ରହିଯାଏ । କ୍ରମେ ନିଜ ଗ୍ରାମ ଛଡା ରାଜୁ ଅନ୍ୟ ପଡୋଶୀ ଗ୍ରାମକୁ ଯାଇ ମଧ୍ୟ ନିଜ କୃତିତ୍ତ୍ୱ ଶୁଣାଇ ଦାନ ସବୁ ପାଇଲା । ଦିନେ ରାଜୁର ସ୍ତ୍ରୀ ଚମ୍ପା ରାଜୁକୁ କହିଲା, “ଶୁଣ, ତମେ ଲୋଭବଶତଃ ଚାଷ କାମ ଛାଡି ଦାନ ନେଇ ଭିକାରୀ ହୋଇଗଲଣି । ଏବେ ଏସବୁ ଛାଡ । ଚାଲ ପୂର୍ବପରି ଆମେ କାମଦାମ କରିବା ।

ସ୍ତ୍ରୀର ଏଭଳି କଥାଶୁଣି ରାଜୁ କହିଲା “ଯେତେବେଳେ ମୁଁ କଷ୍ଟ କରୁଥିଲି କିଛିବି ପାଉ ନଥିଲି । ଏବେ ଯଦି ପାଉଛି ସେଥିରେ ଖରାପ କ’ଣ?”

ତହୁଁ ଚମ୍ପା କହିଲା “ଯେତେବେଳେ ଆମର ପ୍ରକୃତରେ ସଙ୍କଟ ସମୟ ଥିଲା ସେତେବେଳେ ସେଠ୍ଜୀଙ୍କ ଦାନର ପୁଣ୍ୟଫଳ ଦେଖାଦେଲା । ଏବେ ଆମର କୌଣସି ବିପଦ ନାହିଁ, ତେଣୁ ଆମକୁ ଯିଏ କିଛି ଦାନ ଦେବ ସେଥିରେ କିଛି ପୁଣ୍ୟ ହେବ ନାହିଁ । ପୁଣି ସେମାନେ ଦାନ ଦେବା ବନ୍ଦ କରିଦେଲେ ଆମ ଅବସ୍ଥା କ’ଣ ହେବ? ଏବେ ତ ବସି ବସି ପଇସା ପାଇବାର ଅଭ୍ୟାସ ରଖୁଛ, ପଇସା ସରିଗଲେ କେବଳ ଆଳସ୍ୟଟିହିଁ ରହିଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ