ପ୍ରତାପଙ୍କ ଉପବାସ

ଏଣେ ନିଶା ଗରଜୁଥାଏ । ବାହାରେ ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଠିକ୍ ସେହି ସମୟରେ ଆଖପାଖର ଅରଣ୍ୟ ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ନିଜ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍! ଏଇ ଘୋର ଅନ୍ଧକାର ରାତ୍ରିରେ, ଭୂତ-ପ୍ରେତ ବିଚରଣ କରୁଥିବା ଏହି ଭୟାନକ ଶ୍ମଶାନରେ ତୁମେ ନାନାଦି ଯାତନା ଭୋଗ କରୁଛ । ଯେଉଁ ଲକ୍ଷ୍ୟପ୍ରାପ୍ତି ପାଇଁ ତୁମେ ଏହି ପରିଶ୍ରମ କରୁଛ, କେବେ ତାହା ତୁମକୁ ମିଳିବ ଓ ତା’ର ସୁଫଳ ତୁମ ଭାଗ୍ୟରେ ଅଛି କି ନାହିଁ, ସେ କଥା ମଧ୍ୟ ତମେ ଜାଣ ନାହିଁ । କେବେକେବେ ଆମର କଳ୍ପନାତୀତ କୌଣସି ଆଶା ମଧ୍ୟ ଅତି ସହଜରେ ପୂରଣ ହୋଇଯାଏ । ଏପରି ଘଟିବାର କାରଣ, ବିଜ୍ଞ ତପସ୍ୱୀ କିମ୍ବା ତର୍କବିଦ୍ମାନେ ମଧ୍ୟ ସଠିକ୍ ଭାବେ କହି ପାରିବେ ନାହିଁ । ଉଦାହରଣ ସ୍ୱରୂପ, ପ୍ରତାପ ନାମକ ଜଣେ ବ୍ୟକ୍ତିଙ୍କ ଉପବାସ ସମ୍ବନ୍ଧରେ ମୁଁ ତୁମକୁ କାହାଣୀଟିଏ କହିବି । ମନଦେଇ ତୁମେ ତାହା ଶୁଣ । ଫଳରେ ତୁମ ଶ୍ରମଭାର କିଛିଟା ଲାଘବ ମନେ ହେବ ।”

ଏହାପରେ ସେ ବେତାଳ ଗପିଲା । ବଳଭଦ୍ରପୁର ଗ୍ରାମର ବଳରାମଙ୍କ ଗୃହ ପଛପଟେ ଥିବା ଜମି ତଳେ ଗୁପ୍ତଧନ ରହିଛି, ଏପରି ଧାରଣା ଅନେକଙ୍କ ମନରେ ଥିଲା । ଏହା ଲାଭ କରିବା ପାଇଁ ବଳରାମ ଅନେକ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି ।

ଏକଦା, ଜଣେ ସନ୍ନ୍ୟାସୀ ତାଙ୍କ ଘରକୁ ଆସି କହିଲେ, “ଜଣେ ଉତ୍ତମ ବ୍ୟକ୍ତିଙ୍କୁ ଆପଣଙ୍କ ଘରେ ତିନିଦିନ ସ୍ୱାଦିଷ୍ଟ ଭୋଜନ ଖାଇବାକୁ ଦେବେ । ଚତୁର୍ଥଦିନ ତାଙ୍କୁ ସମ୍ପୂର୍ଣ୍ଣ ଉପବାସୀ ରଖିବେ । ପଂଚମ ଦିବସରେ ତାଙ୍କ ହାତରେ କୋଦାଳ ଦେଇ ଜମିକୁ ଖୋଳିବା ପାଇଁ କହିବ । ସେ ଯେଉଁଠାରେ କୋଦାଳ ପ୍ରହାର କରିବେ, ଠିକ୍ ସେହିଠାରୁହିଁ ତୁମେ ଗୁପ୍ତଧନ ପାଇବ ।”

ସେହିଦିନଠାରୁ ବଳରାମ, କେତେ ଲୋକଙ୍କୁ ନିଜ ଘରକୁ ଆମନ୍ତ୍ରଣ କଲେ, ଯେଉଁମାନେ କି ଲୋକଚକ୍ଷୁରେ ଉତ୍ତମ ମଣିଷର ଆସନ ପାଇଛନ୍ତି । ସେମାନଙ୍କୁ ମଧ୍ୟ ସେ କହନ୍ତି ଯେ, ଧନ ମିଳିଲେ, ତାହାର ଅର୍ଦ୍ଧେକ ସେ ତାଙ୍କୁ ପ୍ରଦାନ କରିବେ । କିନ୍ତୁ କେହି ବି ତାଙ୍କ ନିମନ୍ତ୍ରଣ ସ୍ୱୀକାର କରୁ ନ ଥାନ୍ତି । ସେମାନେ କହନ୍ତି, ପରଧନ ପ୍ରତି ଲୋଭାସକ୍ତ ହେବା ଏକ ପ୍ରକାର ପାପ ଅଟେ । ଅବଶ୍ୟ ପ୍ରଲୋଭନରେ ପଡି, କେହି କେହି ଆସୁଥିଲେ । ତିନିଦିନ ସ୍ୱାଦିଷ୍ଟ ଭୋଜନ ଖାଇବା ପରେ, ଚତୁର୍ଥ ଦିନ କଠୋର ଉପବାସ ମଧ୍ୟ ରହିଥିଲେ । କିନ୍ତୁ ପଂଚମଦିନ କୋଦାଳରେ ଭୂମି ଖନନ କରିବାରୁ କିଛି ବି ମିଳିଲା ନାହିଁ । ଓଲଟି ସେମାନେ ଉତ୍ତମ ଲୋକ ନୁହଁନ୍ତି ପ୍ରମାଣିତ ହେବାରୁ, ଲଜ୍ଜାରେ ମୁହଁ ଦେଖାଇ ନ ପାରି ଚାଲିଗଲେ । କିଛି ଲୋକ ଖୋଲାଖୋଲି ଭାବେ କହିଲେ, ସନ୍ନ୍ୟାସୀଙ୍କର କଥାରେ ବୋଧହୁଏ ଆଦୌ ସତ୍ୟତା ନାହିଁ ।

କିଛିଦିନ ପରେ ବଳରାମଙ୍କ ଘରକୁ ଭବିଷ୍ୟବାଣୀ କରିଥିବା ସେହି ସନ୍ନ୍ୟାସୀ ଜଣକ ଆସିଲେ । ବଳରାମ ତାଙ୍କୁ ସବୁ ଘଟଣା ଶୁଣାଇଲେ । ସନ୍ନ୍ୟାସୀ ଗମ୍ଭୀର ହୋଇ କହିଲେ, “ଚତୁର୍ଥ ଦିନର କଠୋର ଉପବାସ କହିଲେ, ଜଳ ମଧ୍ୟ ପାନ କରିବା ଅନୁଚିତ୍ । କ’ଣ ଏହି ନିୟମ ତୁମେ ପାଳନ କରିଛ?”

ବଳରାମ ମନେପକେଇଲେ ଯେ କିଛି ଲୋକ ଫଳ ଖାଇଥିଲେ, କେହି କେହି ମଧ୍ୟ ଦୁଧ ପିଇଥିଲେ ଓ ସମସ୍ତେ ପ୍ରାୟ ଜଳପାନ କରିଥିଲେ । ଏବେ ବଳରାମ ଜାଣିଗଲେ, କଠୋର ଉପବାସ କିପରି ପାଳନ କରିବାକୁ ହୁଏ । ସେ ସନ୍ନ୍ୟାସୀଙ୍କୁ କହିଲେ, “ସ୍ୱାମୀ, ଏହି କଠୋର ଉପବାସ ଅନ୍ୟ କେହି ହୁଏତ ପାଳନ କରିବାକୁ ରାଜି ହେବେ ନାହିଁ, ଯଦି ମୁଁ ସ୍ୱୟଂ ଏହି କାମ କରେ ତେବେ କିପରି ହେବ?”


ଗପ ସାରଣୀ

ତାଲିକାଭୁକ୍ତ ଗପ