ତ୍ରିଲୋଚନା କଥା

ଏକାଦଶଦିନ ପ୍ରଭାତରେ ନିତ୍ୟ କର୍ମାଦି ଶେଷକରି ସିଂହାସନ ପାଖରେ ଉପସ୍ଥିତ ହୋଇ ଉପବେଶନ କରିବାପାଇଁ ଉଦ୍ୟତ ହେବାମାତ୍ରେ ପରବର୍ତ୍ତି ପୁତ୍ତଳିକା ତ୍ରିଲୋଚନା ତାଙ୍କ ସାମ୍ନାକୁ ଆସି କହିଲା, “ମହାରାଜ! ମୁଁ ତ୍ରିଲୋଚନା । ଦୀର୍ଘକାଳ ଧରି ମୁଁ ମହାରାଜ ବିକ୍ରମାଦିତ୍ୟଙ୍କ ସେବାରେ ନିଜକୁ ନିୟୋଜିତ କରି ଆସିଛି । ତାଙ୍କଭଳି ଜଣେ ଦାନୀ, ତ୍ୟାଗୀ, ମହାଜ୍ଞାନୀ, ବିବେକବାନ୍ ଶାସକ ଏ ଧରଣୀ ବକ୍ଷରେ ମିଳିବା ସମ୍ଭବ ନୁହେଁ । ତାଙ୍କ ସମ୍ପର୍କରେ ମୁଁ ଗୋଟିଏ କାହାଣୀ କହୁଛି । ତାହା ଶୁଣି ବିଚାର କରି ଦେଖନ୍ତୁ ଆପଣ ଏ ସିଂହାସନରେ ବସିବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି କି ନାହିଁ ।

       “ମହାରାଜ ବିକ୍ରମାଦିତ୍ୟ ଜଣେ ଉତ୍ତମ ପ୍ରଜାପାଳକ ପ୍ରଶାସକଥିଲେ । ରାଜ୍ୟର ଉନ୍ନତି ତଥା ପ୍ରଜାମାନଙ୍କର ମଙ୍ଗଳ ପାଇଁ ସେ ସର୍ବଦା ତତ୍ପର ରହୁଥିଲେ । ଏକଦା ସେ ମହାଯଜ୍ଞ କରିବା ପାଇଁ ନିଷ୍ପତି ନେଲେ । ବିଭିନ୍ନ ରାଜ୍ୟର ରାଜା, ଗୁଣୀ, ଜ୍ଞାନୀ, ପଣ୍ଡିତମାନଙ୍କୁ ନିମନ୍ତ୍ରଣ କଲେ । ଦେବତାଗଣଙ୍କୁ ମଧ୍ୟ ମହାଯଜ୍ଞରେ ସାମିଲ୍ କରିବା ପାଇଁ ସ୍ଥିର କଲେ । ସାଗର ଦେବତାଙ୍କ ପାଖକୁ ଜଣେ ସାଧୁଙ୍କୁ ପ୍ରେରଣ କରିବା ସଙ୍ଗେ ସଙ୍ଗେ ନିଜେ ବାୟୁ ଦେବତାଙ୍କୁ ନିମନ୍ତ୍ରଣ କରିବା ପାଇଁ ବାହାରିଗଲେ ।

       ଜଙ୍ଗଲ ମଧ୍ୟରେ ଯାଇ ସେ ତପସ୍ୟା ଆରମ୍ଭ କଲେ ଏବଂ ଜାଣିବାକୁ ପାଇଲେ ଯେ ସେତେବେଳେ ବାୟୁଦେବତା ସୁମେରୁ ପର୍ବତରେ ଅବସ୍ଥାନ କରୁଛନ୍ତି । ଏଣୁ ସେ ବେତାଳଙ୍କ ସହାୟତାରେ ସୁମେରୁ ପର୍ବତରେ ଉପସ୍ଥିତ ହୋଇ ବାୟୁ ଦେବଙ୍କୁ ଧ୍ୟାନ କଲେ । କିଛି ସମୟ ମଧ୍ୟରେ ଶୂନ୍ୟବାଣୀ ହେଲା, “ହେ ରାଜାଧିରାଜ, ଦେବରାଜଙ୍କର ଅତି ପ୍ରିୟ ବିକ୍ରମାଦିତ୍ୟ! ମୁଁ ତୁମ ଉପରେ ପ୍ରସନ୍ନ ହୋଇଛି । କୁହ, ତମେ କ’ଣ ଚାହଁ? ତମର ଅଭିଳାଷ କ’ଣ?

       ବିକ୍ରମାଦିତ୍ୟ ବାୟୁଦେବଙ୍କୁ ପ୍ରଣାମ କରି କହିଲେ, “ପ୍ରଭୁ! ମୁଁ ମୋ ରାଜ୍ୟରେ ମହାମେଳନର ଆୟୋଜନ କରିଛି । ମୁଁ ଚାହେଁ ଆପଣ ମୋର ଅତିଥି ହୋଇ ମେଳନରେ ଉପସ୍ଥିତ ହେବେ ଏବଂ ପ୍ରଜାଙ୍କର ମଙ୍ଗଳ ପାଇଁ ଆଶିଷ ବର୍ଷଣ କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ