ଅଧିକାର

ଏହାପରେ ବେତାଳ କହିଲା, “ବିକ୍ରମ ରାସ୍ତା କାଟିବା ପାଇଁ ମୁଁ ତୁମକୁ ବର୍ତ୍ତମାନ ଆଉ ଏକ କାହାଣୀ କହୁଛି ଶୁଣ । କାହାଣୀ ଶୁଣିବା ପରେ ତୁମେ ତୁମର ମତାମତ ପ୍ରଦାନ କରିବ । ଯଦି ମୋର ପ୍ରଶ୍ନର କୌଣସି ଉତ୍ତର ନଦିଅ ତା’ହେଲେ ତୁମର ମୁଣ୍ଡ ଶରୀରରୁ ଅଲଗା ହୋଇଯିବ ।” ବେତାଳ କଥାର କୌଣସି ଉତ୍ତର ନଦେଇ ବିକ୍ରମ ବାଟ ଚାଲିବାକୁ ଆରମ୍ଭ କଲେ । ବେତାଳ କାହାଣୀ କହିବାକୁ ଆରମ୍ଭ କଲା ।

        ମଗଧ ଦେଶର ରାଜକୁମାରୀ ଅନିନ୍ଦ୍ୟ ସୁନ୍ଦରୀ ଥିଲେ । କେବଳ ରୂପବତୀ ଥିଲେ ତାହା ନୁହେଁ, ଗୁଣବତୀ ମଧ୍ୟ ଥିଲେ । ରାଜକୁମାରୀ ବିବାହ ଯୋଗ୍ୟା ହେବାପରେ ତାଙ୍କୁ ବିବାହ କରିବାପାଇଁ ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ଆସିଲା । କିନ୍ତୁ ରାଜକୁମାରୀ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିଲେ । ସମୟ ପରେ ସମୟ ଗଡି ଚାଲିଲା । ରାଜକୁମାରୀଙ୍କର ଏହିପରି ଗୋଟିଏ ପରେ ଗୋଟିଏ ପ୍ରସ୍ତାବ ପ୍ରତ୍ୟାଖ୍ୟାନ ଦେଖି ରାଜମାତା ମଧ୍ୟ ବ୍ୟସ୍ତ ବିବ୍ରତ ହୋଇପଡିଲେ । ଦିନେ ସେ ରାଜକୁମାରୀଙ୍କୁ ପଚାରିଲେ- “ମା’ରେ! ତୁ ଏମିତି ପ୍ରତ୍ୟେକ ପ୍ରସ୍ତାବକୁ କାହିଁକି ପ୍ରତ୍ୟାଖ୍ୟାନ କରୁଛୁ? ଏପରି କରିବାର କାରଣ କ’ଣ? ପ୍ରକୃତରେ ତୋର ମନରେ କ’ଣ ଅଛି ମୋତେ କହ”? ମାତାଙ୍କ କଥା ଶୁଣି ରାଜକୁମାରୀ କହିଲେ, “ପ୍ରକୃତରେ ମା’ ମୋତେ ସେମାନେ କେହି ଯୋଗ୍ୟ ଲାଗୁ ନାହାଁନ୍ତି ।” ରାଜକୁମାରୀଙ୍କ କଥା ଶୁଣି ମା’ କହିଲେ- “ତୋର କହିବା ଅନୁସାରେ ଯୋଗ୍ୟତା କାହାକୁ କୁହାଯାଏ”? ରାଜକୁମାରୀ କହିଲେ, “ଯୋଗ୍ୟତା କହିଲେ ମୁଁ ବୁଝେ ଯିଏ ଶକ୍ତିଶାଳୀ ଏପରିକି ନିଜ ପତ୍ନୀର ସୁରକ୍ଷା ପାଇଁ ସମର୍ଥ ହୋଇଥିବ । ମୁଁ ସେହିପରି ଏକ ବ୍ୟକ୍ତିକୁ ବିବାହ କରିବାକୁ ଚାହେଁ ।” ରାଜମାତା କହିଲେ, “ଏହି ରାଜକୁମାର ମାନେ ତ’ ଏକକୁ ଆରେକ । ତୁମେ ଏମାନଙ୍କୁ ପ୍ରଥମେ ପରୀକ୍ଷା କର, ଯିଏ ତୁମ ମନକୁ ଆସିବେ ଆମେ ତା’ ସହିତ ତୁମର ବିବାହ କରାଇଦେବୁ ।” ରାଜମାତାଙ୍କ କଥାରେ ରାଜକୁମାରୀ ସମ୍ମତି ପ୍ରଦାନ କଲେ ।

        କିଛି ଦିନ ପରେ ଜଣେ ରାଜକୁମାର ରାଜକୁମାରୀ ଚନ୍ଦ୍ରଲେଖାଙ୍କୁ ବିବାହ କରିବା ନିମନ୍ତେ ରାଜାଙ୍କ ନିକଟରେ ଆସି ପହଁଚିଲା । ରାଜକୁମାରୀ ଚନ୍ଦ୍ରଲେଖା ତାକୁ ପରୀକ୍ଷା କରିବାକୁ ଯାଇ ପଚାରିଲେ, “ତୁମେ ମୋତେ ବିବାହ କରିବାକୁ ଚାହୁଁଛ?” ରାଜକୁମାର କହିଲେ, “ମୁଁ ଏକ ତ୍ରିକାଳଦର୍ଶୀ ଅଟେ । ମୁଁ ସମସ୍ତଙ୍କର ଅତୀତ, ବର୍ତ୍ତମାନ, ଭବିଷ୍ୟତ ସଂପର୍କରେ କହିଦେଇପାରିବି ।” ରାଜକୁମାରଙ୍କର କଥା ଶୁଣି ରାଜକୁମାରୀ ତାଙ୍କୁ ଅତିଥି ଗୃହରେ ରହିବାପାଇଁ କହିଲେ ଏବଂ ବିବାହ ସଂପର୍କରେ ଚିନ୍ତା କରି କହିବେ ବୋଲି କହିଲେ । ଏହାପରେ ଆଉ ଜଣେ ରାଜକୁମାର ଆସିଲେ । ରାଜକୁମାରୀ ଚନ୍ଦ୍ରଲେଖା ତାଙ୍କୁ ମଧ୍ୟ ବହୁ ପ୍ରଶ୍ନ ପଚାରିଲେ । ରାଜକୁମାର କହିଲେ, “ମୋ ପାଖରେ ଏକ ଏପରି ଅଲୌକିକ ରଥ ଅଛି ଯାହା ଆକାଶ, ପୃଥିବୀ, ପାହାଡ, ଏବଂ ସମୁଦ୍ର ମଧ୍ୟରେ ମଧ୍ୟ ଯାଇପାରେ । ରଥର ଗତିକୁ କାହା ସହିତ ତୁଳନା କରାଯାଇ ପାରିବ ନାହିଁ । ରାଜକୁମାରୀ ତାକୁ ମଧ୍ୟ ଅତିଥି ଗୃହରେ ରହିବାପାଇଁ କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ