ପୂର୍ଣ୍ଣବାବୁଙ୍କ ସମସ୍ୟା

ରାମପୁରର ବଡ ବ୍ୟବସାୟୀ ହେଲେ ପୂର୍ଣ୍ଣବାବୁ । ତାଙ୍କୁ ଷାଠିଏ ବର୍ଷ ହେବା ମାତ୍ରେ ସେ ତାଙ୍କ ବ୍ୟବସାୟର ସମସ୍ତ ଦାୟିତ୍ୱ ନିଜ ପୁଅ କେଶବ ଉପରେ ଦେଇ ଘରେ ବସି ବସି ଖାଲି ଆରାମ୍ କଲେ । କାମ ନକରି ବସିବାର ତ ତାଙ୍କର ଅଭ୍ୟାସ ନାହିଁ; ତେଣୁ ସେ ଏବେ କ’ଣ କରିବେ? ବେଳେ ବେଳେ ସେ ତାଙ୍କ ପତ୍ନୀ ବା ପୁଅ ବୋହୁଙ୍କ ସହିତ ଝଗଡା କରନ୍ତି । ପୁଣି ଆପେ ଆପେ ସେ ଚୁପ୍ ହୋଇଥା’ନ୍ତି । ସମସ୍ତେ ଜାଣନ୍ତି ବୁଢା ବୟସ ଯୋଗୁଁ ଏପରି ହେଉଛି ।

                ଦିନସାରା ଭଲ ଭଲ ଖାଦ୍ୟ ଖାଇ ସେ ଅତି ଆରାମ୍ରେ ଶୁଅନ୍ତି । ଫଳରେ ରାତିରେ ତାଙ୍କୁ ଆଉ ନିଦ ହୁଏନାହିଁ । ଏହା କ୍ରମେ ତାଙ୍କର ନିତିଦିନିଆ ଅଭ୍ୟାସରେ ପଡିଗଲା । ସେ ଭାବିଲେ ଏହା ଏକ ରୋଗ । ତେଣୁ ଚାରିଆଡେ ସେ କହି ବୁଲିଲେ ତାଙ୍କୁ ଅନିଦ୍ରା ରୋଗ ଧରିଛି । ତାଙ୍କର ଏସବୁ କଥା ଶୁଣି ଲୋକେ ହସିଲେ । କେହି କେହି ବି ତାଙ୍କୁ ବୁଝାଇ କହିଲେ କି ହଠାତ୍ କାମ ବନ୍ଦ କରିଦେବାରୁ ଓ ଦିନରେ ବେଶି ସମୟ ଶୋଇବାରୁ ତୁମକୁ ରାତିରେ ଆଉ ନିଦ ହଉନାହିଁ । ଏହା ଏକ ରୋଗ ନୁହେଁ ।

                ପୂର୍ଣ୍ଣବାବୁ ସବୁ ଶୁଣନ୍ତି କିନ୍ତୁ କିଛି ବି କରନ୍ତି ନାହିଁ । ଏଣେ ରାତିରେ ଅନ୍ୟମାନେ ଆରାମ୍ରେ ଶୋଇଥିବାର ଦେଖି ତାଙ୍କ ମନରେ ଭାରି ଇର୍ଷ୍ୟା ହୁଏ । ହଠାତ୍ ଯାଇ ସେ ତାଙ୍କ ପତ୍ନୀଙ୍କୁ ଉଠାଇ ଦେଇ କହିବେ, “ହେ ଉଠ, ଦହିହାଣ୍ଡି ଘୋଡାଇଛ ନା ନାହିଁ, ନହେଲେ ବିଲେଇ ତାକୁ ପକାଇ ଭାଙ୍ଗିଦେବ ।”

                କେବେ କେବେ ପୁଅକୁ ସେ ନିଦରୁ ଉଠାଇ କହନ୍ତି, “କେଶବ, ବୋହୁ ଶୋଇଲାଣି ନା କ’ଣ, ତା’ ଛୁଆଟା ବୋଧେ ଭୋକରେ କାନ୍ଦୁଛି ତାକୁ ସେ ଖାଇବାକୁ ଦେଇନାହିଁ କି?” ଏମିତି ସବୁ ବାଜେ କଥା ପଚାରି କାହାକୁ ନା କାହାକୁ ସେ ସବୁବେଳେ ନିଦରୁ ଉଠାଇ ଦେଉଥା’ନ୍ତି । ସେମାନେ ତ ଦିନସାରା କାମ କରି ଶୋଇଥା’ନ୍ତି । ପୂର୍ଣ୍ଣବାବୁ ଏପରି ଉଠାଇବା ଦ୍ୱାରା ସେମାନେ ଖୁବ୍ ବିରକ୍ତ ହୋଇ କହନ୍ତି ଏମିତି କେବେବି କାହାର ନିଦ ଭଙ୍ଗାଇବା ଆଦୌ ଉଚିତ୍ ନୁହେଁ । ବିଚାରା ପୂର୍ଣ୍ଣବାବୁଙ୍କ ଅବସ୍ଥା ଆହୁରି ଖରାପ ।

ରାତିରେ ତାଙ୍କୁ ନିଦ ଆସୁନି । ପୁଣି କାହାକୁ ଉଠାଇ ଟିକିଏ କଥା କହିଲେ ସମୟ କଟନ୍ତା ଯେ ସେଥିରେ ତ ସମସ୍ତେ ଚିଡିଲେ । ଏବେ ସେ କ’ଣ କରିବେ? ଦିନେ ରାତିରେ ସେ ତାଙ୍କ ଘରୁ ବାହାରି ବୁଲି ବୁଲି ଗାଁ ମୁଣ୍ଡ ପୋଖରୀ ପାଖରେ ଯାଇ ପହଁଚିଲେ । ସେଠାରେ ଗୋଟିଏ ତେନ୍ତୁଳି ଗଛ ତଳେ କିଏ ଶୋଇଥିବାର ସେ ଦେଖିଲେ ।

ତାକୁ ଦେଖିବା ମାତ୍ରେ ପୂର୍ଣ୍ଣବାବୁ ତାଙ୍କ ମନେ ମନେ ଇର୍ଷ୍ୟାରେ ଭାରି ଜଳିଲେ । ଘରେ ତ ସମସ୍ତେ ବେଶ୍ ଆରାମ୍ରେ ଶୋଇଲେ । ବିଚାରା ତାଙ୍କୁହିଁ କେବଳ ନିଦ ହେଉନାହିଁ । ଆଉ ଏଠି ଏ ଲୋକଟା ମାଟି ଉପରେ ମଧ୍ୟ ଏତେ ଆରାମ୍ରେ ଶୋଇଛି? ସେ ଯାଇ ତାକୁ ହଲାଇ ଦେଇ କହିଲେ, “କିଏ ଭାଇ ଏଠି ଏତେ ଆରାମ୍ରେ ଶୋଇଛ?”

ଏକଥା ଶୁଣି ସେ ଶୋଇବାବାଲା ଲୋକଟି ଧଡପଡ ହୋଇ ଉଠି ପଡିଲା; ହାତର ଠେଙ୍ଗାଟାକୁ ଗୋଟାଇ ନେଇ ସେ କହିଲା, “ତମେ କିଏ? ଚୋର ନା ପିଶାଚ?”

ପୂର୍ଣ୍ଣବାବୁ ଠେଙ୍ଗା ଆଡେ ଟିକିଏ ଡରି ଡରି ଚାହିଁଲେ ଓ କହିଲେ, “ମୁଁ କୌଣସି ଚୋର ନୁହେଁ କି ଭୂତ-ପ୍ରେତ ବି ନୁହେଁ । ମୋତେ ଗୋଟିଏ ରୋଗ ଘାରିଛି, ସେଇଟା ହେଲା ଅନିଦ୍ରା ରୋଗ । ରାତ୍ରିରେ ସମସ୍ତେ ଆରାମ୍ରେ ଶୋଉଛନ୍ତି ଯଦି କାହାକୁ ମୁଁ ଉଠାଇଲି ତ ସେ ମୋ ଉପରେ ଭାରି ରାଗିବ । ଭାଇ, ଏବେ ତମେ କୁହ ମୁଁ କ’ଣ କରିବି? ଚାଲୁ ଚାଲୁ ଏଠି ଆସି ମୁଁ ପହଁଚି ଯାଇଛି । ଏବେ ତୁମେ ତୁମ କଥା କୁହ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ