କାର୍ଯ୍ୟରେ ସଫଳତା ପାଇଁ ନିରନ୍ତର ପ୍ରୟାସ ଲୋଡା

ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥୋମାସ୍ଏଡିସନ୍ ଙ୍କ ଜୀବନକଥା । ସେ ସବୁବେଳେ କିଛି ନୂଆ ନୂଆ ବସ୍ତୁ ଉଦ୍ଭାବନ ପାଇଁ ଜୀବନବ୍ୟାପୀ ଉଦ୍ୟମ କରିଥିଲେ । ତାଙ୍କର ଉଦ୍ଭାବନ ମାନବ ସମାଜ ଓ ବିଜ୍ଞାନଜଗତପାଇଁ ଅମୂଲ୍ୟ ଅବଦାନ ଚିରସ୍ମରଣୀୟ । ବିଦ୍ୟୁତ୍ ବଲ୍ବ, ଷ୍ଟୋରେଜ୍ ବ୍ୟାଟେରୀ ଭଳି ଅନେକ ଦରକାରୀ ଉପକରଣର ସେ ଥିଲେ ଜନକ ।

                ବୈଜ୍ଞାନିକ ଏଡିସନ୍ ତ ସର୍ବଦା ତାଙ୍କ ଗବେଷଣାଗାରରେ କାର୍ଯ୍ୟବ୍ୟସ୍ତ ଥାଆନ୍ତି । କାର୍ଯ୍ୟରେ ସଫଳ ନ ହେବାଯାଏଁ ସେ ଛାଡିବା ଲୋକ ମୋଟେ ନ ଥିଲେ । ନ ଖାଇ ନ ପିଇ ସେହିଭଳି ସେ ଲାଗିଥାନ୍ତି । ଥରେ ଏଡିସନ୍ ଷ୍ଟୋରେଜ୍ ବ୍ୟାଟେରୀ ନିର୍ମାଣ କାର୍ଯ୍ୟରେ ଗବେଷଣାରତ ଥାଆନ୍ତି । ଏଥିଲାଗି ସେ ଅନେକଥର ପ୍ରୟାସ କରିଥିଲେ ମଧ୍ୟ କାର୍ଯ୍ୟରେ ସଫଳତା ହାସଲ କରିପାରି ନ ଥିଲେ । ଏହିପରି ମୋଟ ପଚିଶଥର ଚେଷ୍ଟା କରି ସେ ବିଫଳ ହୋଇଥିଲେ ମଧ୍ୟ ଏଡିସନ୍ ଙ୍କ ମନରେ କିନ୍ତୁ ଆଦୌ ଦୁଃଖ ନଥିଲା । ସୁତରାଂ ସେ ସେଇଠି ଅଟକି ନ ଯାଇ ଛବିଶତମ ଥର ପୁଣି ପ୍ରୟାସ ଜାରି ରଖିଲେ । ଆଉ ସେହିଥର ହିଁ ସେ ସଫଳତା ହାସଲ କରିଥିଲେ ।

                ଏହି ଘଟଣାରେ ଏଡିସନ୍ ଙ୍କୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ତାଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କଲେ ଯେ, “ଆପଣ ପ୍ରଥମେ ପଚିଶଥର ପ୍ରୟାସ କରି ଅସଫଳ ହେଲେ । ଏଥିଲାଗି ବୃଥା ପ୍ରୟାସ କରି ଅଯଥାରେ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଦେଲେ । ଏଥିଲାଗି ଆପଣଙ୍କ ମତାମତ କ’ଣ ରହିବ?”

                ଏହାର ଉତ୍ତରରେ ଏଡିସନ୍ କହିଥିଲେ, “ନା, ମୋର ସମୟ ଆଦୌ ନଷ୍ଟ ହୋଇ ନାହିଁ । କାରଣ ପଚିଶଥରର ବିଫଳ ପ୍ରୟାସ ଯୋଗୁଁ ମୁଁ ପଚିଶିଟି ନୂଆ ଉପାୟ ଜାଣିବାକୁ ପାଇଥିଲି, ଯାହାକୁ କି ବ୍ୟବହାର କରି ମୁଁ ୨୬ତମ ଥର ବେଳକୁ ସଫଳ ହେଲି । ଅର୍ଥାତ୍ ଷ୍ଟୋରେଜ୍ ବ୍ୟାଟେରୀ ତିଆରି କଲି । ଏହି ବାରମ୍ବାର ବିଫଳତା ହିଁ ମୋତେ ସଫଳତା ପାଇଁ ପ୍ରେରଣା ଯୋଗାଇଥିଲା । ସୁତରାଂ ମଣିଷ ଭିତରେ ଏପରି ଏକ ଦୃଢ ମନୋବଳ ସୃଷ୍ଟି କରେ ଯାହାଦ୍ୱାରା ଅସମ୍ଭବକୁ ସମ୍ଭବ କରିହୁଏ । କେବଳ ସେତିକି ନୁହେଁ, ଅସଫଳ ହୋଇ ନିରାଶାରେ ବୁଡିରହି ନିଷ୍କ୍ରିୟ ନହୋଇ ଆଉଥରେ ପ୍ରୟାସ ଜାରି ରଖିଲେ ସୁଫଳ ନିଶ୍ଚୟ ମିଳିଥାଏ । ଏଣୁ ସଫଳତା ନ ମିଳିବା ଯାଏଁ ମନୁଷ୍ୟକୁ ନିରନ୍ତର ପ୍ରୟାସ କରିବାକୁ ହେବ ।”

ସୁତରାଂ କୁହାଯାଇଛି –

 “କୌଣସି କାର୍ଯ୍ୟରେ ସଫଳତା ଲାଭ ପାଇଁ ଲୋଡା ନିରନ୍ତର ପ୍ରୟାସ

ଧୈର୍ଯ୍ୟ ଧରି ଯିଏ କରୁଥାଏ ତାକୁ ମିଳିବ ସୁଫଳ ଦିନେ ଅବଶ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ