କଲ୍ୟାଣୀର ପରିଣୟ

ପାର୍ବତୀଙ୍କ ପୁତ୍ର ଆନନ୍ଦର ବିଭାଘର ପ୍ରସ୍ତାବ ସ୍ଥିରୀକୃତ ହେବା ସମ୍ବାଦରେ ଅନସୂୟା ଖୁବ୍ ମର୍ମାହତ ହେଲେ । ସେ ତାଙ୍କଘରେ ଭଡାରେ ରହୁଥିଲେ । ଶେଷରେ ବିବାହର ଶୁଭଦିନଟି ଆସି ପହଁଚିଲା ।

                ବାହାର ବିବାହମଣ୍ଡପରୁ କୋଳାହଳ ଶୁଭୁଥାଏ । ବାଦ୍ୟବାଜୁ ଥାଏ । ଛୋଟପିଲାମାନେ ଖୁସିରେ ଧାଁ ଦଉଡ କରୁଥାନ୍ତି । ଏସବୁ ଘଟଣା ଅନସୂୟାଙ୍କ ଦୁଃଖି ମନକୁ ଆହୁରି ଭାରାକ୍ରାନ୍ତ କରି ଦେଉ ଥାଏ । ପଲଙ୍କ ଉପରେ ଶୋଇରହି ପାର୍ବତୀଙ୍କ ଖଳବୁଦ୍ଧି କଥା ମନରେ ସେ ବିଚାରୁଥାନ୍ତି । ଝିଅ କଲ୍ୟାଣୀ ତରବରରେ ଭିତରକୁ ଆସି ତା’ ମାକୁ ତୁରନ୍ତ ବିବାହଉତ୍ସବରେ ଯୋଗଦେବାକୁ ଅନୁରୋଧ କଲା । କିନ୍ତୁ ଅନସୂୟା ନିରୁତ୍ସାହିତ ଭାବେ, ଶରୀର ଅସୁସ୍ଥତାର ବାହାନା ଦେଖାଇ ଝିଅକୁ ମନା କରିଦେଲେ ।

                କଲ୍ୟାଣୀ ତା’ ମାକୁ ଟିକିଏ ଚାହିଁ ନିରବରେ ସେଠାରୁ ଚାଲିଗଲା ।

                ଏହିଘରେ ଦୁଇବର୍ଷ ହେଲା ମାଆ ଝିଅ ଭଡାସୂତ୍ରରେ ରହି ଆସୁଛନ୍ତି । ସେହି ସମୟରେ ପାର୍ବତୀଙ୍କ ପୁଅ ବେକାର ହୋଇ ସମୟ କାଟୁଥିଲା ।

                ତାଙ୍କ ପୁଅ ଘରର କୌଣସି ଦାୟିତ୍ୱ ଗ୍ରହଣ କରୁନଥିବାରୁ ମା ପାର୍ବତୀ ଖୁବ୍ ଚିନ୍ତିତ ରହୁଥିଲେ । ସେ ଅନସୂୟାଙ୍କ ଆଗରେ ନିଜର ଦୁଃଖ ପ୍ରକାଶ କରି କହିଲେ, “କିଛି ଗୋଟାଏ ବ୍ୟବସାୟ ଆରମ୍ଭ କରାଇବା ମୋର ଇଚ୍ଛା । ହେଲେ ସେଥିପାଇଁ ଆମ୍ଭର ସମ୍ବଳ ନାହିଁ । କେବେ ତା ଜୀବନକୁ ସଠିକ ମାର୍ଗ ମିଳିବ, ତାହା ତ କେବଳ ଭଗବାନଙ୍କୁ ହିଁ ଜଣା ।”

                ପତିଙ୍କର ଦେହାନ୍ତ ସମୟରେ ଅନସୂୟାଙ୍କର ପଚାଶ ହଜାର ଟଙ୍କା ଥିଲା, ସେଥିରୁ କୋଡିଏ ହଜାର ଟଙ୍କା ଖର୍ଚ୍ଚ ହୋଇ ଯାଇଥାଏ । ବାକି ତିରିଶହଜାର ଟଙ୍କା ସେ ନିଜ କନ୍ୟାର ବିବାହ ଉଦ୍ଧେଶ୍ୟରେ ସୁରକ୍ଷିତ ରଖିଥାନ୍ତି । ନିଜେ ଆଚାର ପାମ୍ପଡ ଇତ୍ୟାଦି ପ୍ରସ୍ତୁତ କରି ସେ ବିକ୍ରି କରନ୍ତି । ସେଥିରୁ ମିଳୁଥିବା ଲାଭାଶଂରେ, ଆତ୍ମ ସମ୍ମାନର ସହିତ ସେ ତାଙ୍କ ପରିବାର ପ୍ରତିପୋଷଣ କରୁଥାନ୍ତି ।

                ଥରେ ସେ ପାର୍ବତୀଙ୍କୁ କହିଲେ, “ଆମେ ପରଲୋକ ଆପଣାର ହୋଇ ଏକ ପରିବାରସଦୃଶ ଚଳୁଛେ । ମୋ ପାଖରେ ତିରିଶ ହଜାର ଟଙ୍କା ଅଛି । କଲ୍ୟାଣୀର ବାହାଘର ଆଗାମୀ ଦୁଇ ବର୍ଷରେ କରାଇବାକୁ ମୁଁ ଇଚ୍ଛା କରୁନାହିଁ । ଏଣୁ ଏହି ଅର୍ଥ କୌଣସି ବ୍ୟବସାୟରେ ବିନିଯୋଗ କରିବା ପାଇଁ ମୁଁ ତୁମ ପୁଅକୁ ଦେବି । ତାହେଲେ ଯାଇ ତୁମର ଚିନ୍ତା ଦୂର ହେବ ।”

                ଏକଥା ଶୁଣି ପାର୍ବତୀଙ୍କ ଆଖି ଲୁହରେ ଭରିଗଲା । ଅନସୂୟାଙ୍କ ହାତ ଧରି ସେ କହିଲେ, “ଭଉଣୀ, କେତେ ବିଶାଳ ତୁମ ହୃଦୟ । ଦୁଇବର୍ଷ ପରେ ଏ ଅର୍ଥ ମୁଁ ଆଉ ଫେରସ୍ତ ଦେବି ନାହିଁ । କଲ୍ୟାଣୀ ବୋହୂ ରୂପେ ମୋ ଘରେ ପାଦ ଦେବ ।” ସେହି ଅର୍ଥକୁ ମୂଳଧନ କରି ଆନନ୍ଦ ତା’ ବ୍ୟବସାୟ ଆରମ୍ଭ କଲା । ସୌଭାଗ୍ୟକୁ ସେ ଦୁଇବର୍ଷ ଭିତରେ ଦୁଇଲକ୍ଷରୁ ବି ଅଧିକ ଟଙ୍କା ରୋଜଗାର କଲା ।

ଅନସୂୟା, କଲ୍ୟାଣୀ ଓ ଆନନ୍ଦଙ୍କ ବିବାହର ଶୁଭମୁହୂର୍ତ୍ତଟିକୁ ଅପେକ୍ଷାକରି ରହିଥାନ୍ତି । ଅଚାନକ ପାର୍ବତୀ ସେଦିନ ଆସି ତାଙ୍କୁ ସମସ୍ତ ଟଙ୍କା ଫେରସ୍ତ କରି ଦେଲେ । ଏସବୁ ଦେଖି ଅନସୂୟା କହିଲେ, “ଏ କଣ? ତୁମେତ ଏହି ଅର୍ଥ ଯୌତୁକ ରୂପେ ଗ୍ରହଣ କରି କଲ୍ୟାଣୀକୁ ପରା ନିଜର ବୋହୁ କରିବାର ପ୍ରତିଶ୍ରୁତି ଦେଇଥିଲ?”


ଗପ ସାରଣୀ

ତାଲିକାଭୁକ୍ତ ଗପ