ବିଶ୍ୱାସ

ବିଭାବସୁ ଜଣେ ବଡ ବୈଦ୍ୟ ଥିଲେ । ସମସ୍ତେ କୁହନ୍ତି କି ତାଙ୍କ ହାତରେ କୁହୁକ ଶକ୍ତି ଅଛି । ତାଙ୍କ ନିକଟରେ ବୈଦ୍ୟଶାସ୍ତ୍ର ଅଧ୍ୟୟନ କରିବାକୁ ମଣିରାଜ ନାମକ ଜଣେ ଯୁବକ ଆସିଲେ, ସେ ଗୁରୁଙ୍କର ଗଭୀର ଜ୍ଞାନ ଦେଖି ତାଙ୍କୁ ଅତ୍ୟନ୍ତ ଭୟ କରୁଥିଲେ ଓ ତାଙ୍କୁ ସମ୍ମାନ ମଧ୍ୟ କରୁଥିଲେ । ଏଥିସହ କିଛିଟା ଈର୍ଷ୍ୟା ମଧ୍ୟ ତାଙ୍କ ମନର ଗୋପନ ଅଂଶରେ ଥାଏ ।

ଥରେ ସେହି ଗ୍ରାମରେ ଓ ତା’ ପଡୋଶୀ ଗ୍ରାମରେ ଏକ ନୂଆ ରୋଗ ଦେଖା ଦେଲା । ସେ ରୋଗର ଲକ୍ଷଣ ଏହିପରି – ରୋଗୀର କିଛି ବି ଖାଇବାକୁ ଆଦୌ ଇଚ୍ଛା ହୁଏ ନାହିଁ । କ୍ରମେ ସେ କ୍ଷୀଣରୁ କ୍ଷୀଣତର ହୋଇ ଶେଷକୁ ମରିଯାଏ । ଏହିସବୁ କାରଣରୁ ସେ ରୋଗଟିର ନାମ କ୍ଷୀଣରୋଗ ।

ଏହି ରୋଗ ପାଇଁ ବିଭାବସୁଙ୍କ ହାତରେ କୌଣସି ଔଷଧ ନଥାଏ । ଜଡିବୁଟି ସଂଗ୍ରହ କରିବା ଦାୟିତ୍ୱ ସେ ତାଙ୍କ ଶିଷ୍ୟ ମଣିରାଜକୁ ଦେଲେ ।

ମଣିରାଜ ସେଗୁଡିକ ସଂଗ୍ରହ କରିବା ପରେ ନିଜପାଇଁ କିଛି ରଖିନେଲେ ଏବଂ ବାକିତକ ଗୁରୁଙ୍କୁ ଦେଲେ । ଗୁରୁ ଜିନିଷଗୁଡିକ ନେଇ ମଣିରାଜକୁ ବଟିକା ବନାଇବାକୁ ନିର୍ଦ୍ଧେଶ ଦେଲେ ।  ଉକ୍ତ ବଟିକାରୁ ସେ ମଧ୍ୟ କିଛି ନିଜ ପାଖରେ ରଖିଲେ । ଏବେ ତାଙ୍କର ଆତ୍ମବିଶ୍ୱାସ ଯଥେଷ୍ଟ ବଢିଗଲା । ଦିନେ ସେ ଗୁରୁଙ୍କୁ କହିଲେ, “ଗୁରୁଦେବ, ଏହି କ୍ଷୀଣରୋଗ ତ ପ୍ରାୟ ସମସ୍ତ ଗ୍ରାମରେ ଦିନକୁ ଦିନ ବ୍ୟାପିଲାଣି । ମୁଁ ଆପଣ କହିଥିବା ବଟିକା ତିଆରି କରି ସବୁ ଶିଖି ଯାଇଛି । ଏବେ ଆପଣ ମୋତେ ଆଜ୍ଞା ଦେଲେ ମୁଁ ନିଜେ ବଟିକା ତିଆରି କରି ବିପଦଗ୍ରସ୍ତ ଲୋକମାନଙ୍କର ସେବା କରିବି । ଫଳରେ ମୋର ଖ୍ୟାତି ବଢିବ ଓ ତାହା ସଙ୍ଗେ ସଙ୍ଗେ ଆପଣଙ୍କ ଶିଷ୍ୟ ଯୋଗୁଁ ଆପଣଙ୍କର ମଧ୍ୟ ସୁଖ୍ୟାତି ବୁଦ୍ଧି ପାଇବ ।”

ଏକଥା ଶୁଣି ବିଭାବସୁ କହିଲେ ଯେ, “ଚିକିତ୍ସା ଶାସ୍ତ୍ର ବିଷୟରେ ଜାଣିବା ଓ ଚିକିତ୍ସା କରିବା ଏ ଦୁଇଟି ଭିନ୍ନ ଜିନିଷ । ଆଉ ବର୍ଷେ ତୁମେ ମୋ ପାଖରେ ରହି ସବୁ କିଛି ରୋଗ ଚିକିତ୍ସା କରିବା ପରେ ଅଭିଜ୍ଞତା ଯଥେଷ୍ଟ ହେଲେ ବଡ ବଡ ରୋଗରେ ଯାଇ ହାତ ଦେବ । କ୍ଷୀଣରୋଗ ବଡ ଖରାପ ରୋଗ । ତୁମେ ଔଷଧ ବିଷୟରେ ଜାଣିଗଲ ମାତ୍ର ତାହାର ଅର୍ଥ ଏହା ନୁହେଁ ଯେ ତୁମେ ଚିକିତ୍ସା କରିବ । ଯଦି ବା ତୁମେ ସେପରି କର ତେବେ ତୁମେ କେବେବି ସୁନାମ ଅର୍ଜନ କରିପାରିବ ନାହିଁ ।”

ମଣିରାଜ ଆଉ ଗୁରୁବାକ୍ୟ ଖଣ୍ଡନ କରିପାରିଲେ ନାହିଁ । କିନ୍ତୁ ଗୁରୁଙ୍କୁ ସେ ପ୍ରାର୍ଥନା କଲେ, “ଏବେ କ୍ଷୀଣରୋଗ ଖୁବ୍ ବ୍ୟାପିଛି । ବୈଦ୍ୟବୃତ୍ତି ଆରମ୍ଭ କରିବାର ଏହାହିଁ ତ ପ୍ରକୃଷ୍ଟ ସମୟ । ଏପରି ସୁଯୋଗ ତ ଆଉ ପୁଣି କେବେବି ମିଳିବ ନାହିଁ; ତେଣୁ ମୋତେ ଖାଲି ଏଥିଲାଗି ଥରେ ଅନୁମତି ଦିଅନ୍ତୁ ।”

                ଏହାପରେ ବିଭାବସୁଙ୍କର ମଣିରାଜଙ୍କ ଉପରେ ଦୟା ହେଲା । ସୁତରାଂ ସେ କହିଲେ, “ଠିକ୍ ଅଛି; ପଡୋଶୀ ଗ୍ରାମରେ ଯାଇ ବୈଦ୍ୟବୃତ୍ତି କର । ଆମେ ଯେଉଁ ବଟିକା ତିଆରି କଲେ ସେସବୁଥିରୁ ତୁମେ ଅଧେ ତୁମ ସାଙ୍ଗରେ ନେଇ ଯାଅ । ରୋଗୀକୁ ପ୍ରଥମ ଦିନ ଏହି ବଟିକା ଦେବା ପରେ ତା’ର ପେଟ ବହୁତ ପୋଡିବ । ତୁମେ କହିବ ଯେ ତୁମ ଔଷଧ ବଦଳାଉଛ । କିନ୍ତୁ ଦ୍ୱିତୀୟ ଦିନ ତୁମେ ରୋଗୀକୁ ସେହି ଏକହିଁ ଔଷଧ ଦେବ । ପୁଣି ଟିକିଏ କଷ୍ଟ ହେବ । ତଥାପି ମଧ୍ୟ ତୁମେ ଏହି ପରି ଔଷଧ ସବୁଦିନେ ଦେବ । ଦେଖିବ ଦଶଦିନ ପରେ ସେ ରୋଗୀଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ । କିନ୍ତୁ ମନେରଖ ଶେଷପର୍ଯ୍ୟନ୍ତ ତୁମକୁ ସର୍ବଦା ଧୈର୍ଯ୍ୟର ସହିତ ରୋଗୀକୁ ସମ୍ଭାଳିବାକୁ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ