ଯମଙ୍କ ମହିଷ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ବାହାରକରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେ ବେତାଳ କହିଲା, “ରାଜା! ତମେ ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ଯେ ଏଭଳି ପରିଶ୍ରମ କରୁଛ, ଏଥିରେ ନିଶ୍ଚୟ ତମର କିଛି ବିଶେଷ ସ୍ୱାର୍ଥ ନିହିତ ଅଛି । ତେବେ କଥା କ’ଣ କି ଅନେକ ସମୟରେ ଅଭିଷ୍ଟ ସ୍ୱାର୍ଥ ସିଦ୍ଧିର ସୁଯୋଗ ଆସିଗଲେ ମଧ୍ୟ ଲୋକେ ସେ ସୁଯୋଗ ଗ୍ରହଣ କରନ୍ତି ନାହିଁ । କୁମାର ମିଶ୍ର ନାମକ ଜଣେ ବୈଦ୍ୟର କାହାଣୀ କହୁଛି ଶୁଣ । ଏକଥା ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ବେତାଳ ଗପିଲା: ବିନ୍ଧ୍ୟାଚଳ ରାଜ୍ୟର ଗୋଟିଏ ଗ୍ରାମରେ ସଦାନନ୍ଦ ମିଶ୍ର ନାମକ ଜଣେ ବୈଦ୍ୟ ଥିଲେ । ସେ ଅତ୍ୟନ୍ତ ଭଲ ମଣିଷ ଥିଲେ । ତାଙ୍କ ଚିକିତ୍ସାରେ ରୋଗୀମାନେ ଖୁବ୍ ଶିଘ୍ର ଉପକୃତ ହେଉଥିଲେ । କିନ୍ତୁ ସେ ବହୁତ କଷ୍ଟରେ ଚଳୁଥିଲେ । କାରଣ ସେ ରାଜ୍ୟର ଲୋକେ ଖୁବ୍ ଗରୀବ ଥିବାରୁ ତାଙ୍କୁ ଯଥେଷ୍ଟ ପଇସାପତ୍ର ଦେଇପାରୁ ନଥିଲେ । ସେ ମଧ୍ୟ ରୋଗୀମାନଙ୍କୁ ତାଙ୍କ ନିଜ ତରଫରୁ କିଛି ବି ମାଗିପାରୁ ନଥିଲେ ।

କେହି କେହି ଶୁଭେଚ୍ଛୁ ତାଙ୍କୁ ପରାମର୍ଶ ଦେଇ କହୁଥିଲେ: “ତମେ ରାଜାଙ୍କ ପାଖକୁ ଯାଅ । ସେ ତମକୁ ସମ୍ମାନ ଓ ଅର୍ଥ ଦେବେ । ଶେଷ ଜୀବନ ସୁଖରେ ରହିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ