ଅଦ୍ଭୁତ ବାୟସ

ନରିଆ ନାମକ ଜଣେ ବ୍ୟକ୍ତି ଜଙ୍ଗଲରୁ ଚଢେଇ ଧରି ତାକୁ ସେ ସହରରେ ବିକି ଆପଣା ପେଟ ପୋଷେ । ତା’ର ସ୍ତ୍ରୀ ନଥାଏ; ମାତ୍ର ସୁଦାମ ନାମରେ ତା’ର ପୁଅଟିଏ ଥାଏ । ବାପ ଥିବାତକ ସେ ବେଶ୍ ଗେହ୍ଲୋରେ ଚଳୁଥିଲା । ସେ ପୁଅଟି ଟିକିଏ ବଡ ହୋଇ ଯିବା ପରେ ହଠାତ୍ ଦିନେ ତା’ ବାପା ମରିଗଲେ । ତା’ପରେ ସେ ପିଲାଟି ନିଜକୁ ବଡ ଅସହାୟ ଅନୁଭବ କଲା । ତଥାପି ମନରେ ଧୈର୍ଯ୍ୟ ଓ ସାହସ ରଖି ସେ କ୍ରମେ ତା’ ନିଜ ଗୋଡରେ ଠିଆ ହେବାକୁ ଚେଷ୍ଟା କଲା ।

                ଦିନେ ସେ ସିଧା ଜଙ୍ଗଲକୁ ଯାଇ ପିଞ୍ଜିରାଟିଏ ଖୋଲି ଗଛଡାଳରେ ବସାଇଲା ଓ ନିଜେ ଲୁଚି ରହିଲା । ଅନେକ ସମୟ ପରେ ସେ ଯାଇ ଦେଖେ ଯେ କାଉଟିଏ ସେଥିରେ ପଡିଛି ।

                ସୁଦାମ କହିଲା “ଆରେ ଏଇଟାକୁ ନେଇ ମୁଁ କ’ଣ କରିବି? ଏହାକୁ କିଏ ବା କିଣିବ?”

                ଏଇ ସମୟରେ ସେ କାଉଟି ମଣିଷ କଣ୍ଠରେ ସୁଦାମକୁ କହିଲା, “ମହାଶୟ ମୋତେ ମାରନାହିଁ; ମୁଁ ତୁମର ବହୁତ ସେବା କରିବି ମୋତେ ଛାଡିଦିଅ । ଆଜି ତୁମେ ମୋତେ ଛାଡିଦେଲେ ମୁଁ ଗୋଟିଏ ଅତି ଆଶ୍ଚର୍ଯ୍ୟ ସୁନ୍ଦର ପକ୍ଷୀଟିକୁ ଏଇ ପିଞ୍ଜିରାକୁ ଡାକି ଆଣିବି ଯେ ତୁମେ ସେଇଟିକୁ ନେଇ ରାଜାଙ୍କୁ ଭେଟି ଦେଲେ ସେ ତୁମକୁ ବହୁତ ସୁନା ମୋହର ଦେବେ ।”

                ସୁଦାମ କାଉର କଥା ମାନି ତାକୁ ଛାଡିଦେଲା, କାଉ ଆନନ୍ଦରେ ଉଡିଗଲା । ସତରେ ପରଦିନ ସୁନ୍ଦର ପକ୍ଷୀଟିଏ ପିଞ୍ଜିରା ଭିତରେ ବସିଛି । ତାକୁ ଦେଖି ସୁଦାମ ଖୁବ୍ ଖୁସି ହୋଇଗଲା ଓ ପିଞ୍ଜିରା ସହିତ ଧରି ରାଜାଙ୍କ ପାଖକୁ ସେ ଗଲା । ରାଜା ମଧ୍ୟ ପକ୍ଷୀଟିକୁ ଦେଖି ଖୁସି ହେଲେ ଓ ଅନେକ ସୁନା ମୋହର ଦେଇ ତାହା କିଣି ନେଲେ । ସେ ମହାରାଜାଙ୍କ ପାଖରେ ଜଣେ ବିଦୁଷକ ଥିଲା । ଏସବୁ ଦେଖି ସେ ବିଦୁଷକ ସୁଦାମକୁ ବହୁ ଇର୍ଷ୍ୟା କଲେ । ତେଣୁ ସେ ମହାରାଜାଙ୍କୁ କହିଲେ, “ହଜୁର ଏଡେ ସୁନ୍ଦର ପକ୍ଷୀକୁ ଏହି ଲୁହା ପିଞ୍ଜରାରେ ରଖିଲେ ତାହା ମୋଟେ ଶୋଭା ପାଉନାହିଁ । ତେଣୁ ତା’ ପାଇଁ ହାତୀ ଦାନ୍ତର ଏକ ବଡ ଘର କରିଦେଲେ ସେ ମୁକ୍ତ ଭାବରେ ତା’ ମଧ୍ୟରେ ଘୁରି ବୁଲିବ ।”

ରାଜା ପଚାରିଲେ “କିନ୍ତୁ ଏତେ ହାତୀଦାନ୍ତ ମିଳିବ ବା କେଉଁଠୁ?”

ବିଦୁଷକ କହିଲେ “ଏଇଟା ଆଉ କ’ଣ କୋଉ ବଡକଥା? ଯେଉଁ ବ୍ୟକ୍ତି ଏତେ ସୁନ୍ଦର ପକ୍ଷୀ ଆଣିଦେଇ ପାରିଛି ସେ ହିଁ ଯଥେଷ୍ଟ ହାତୀଦାନ୍ତ ଆଣିଦେଇ ପାରିବ ।”

ରାଜା ପୁଣି ସୁଦାମକୁ ଡାକି କହିଲେ, “ତୁମେ ଏଡେ ସୁନ୍ଦର ପକ୍ଷୀଟିଏ ଦେଲ, ସେହି ଅନୁସାରେ ହାତୀଦାନ୍ତ ଗୁଡିଏ ଆଣିଦେବ ଯେ ପକ୍ଷୀପାଇଁ ଘରଟିଏ ତିଆରି କରିବା । ତମକୁ ମୁଁ ଚାଳିଶ ଦିନ ସମୟ ଦେଉଛି, ସଫଳ କାମ ନ ହେଲେ ତୁମକୁ କଠିନ ଦଣ୍ଡ ଦିଆଯିବ ।”

ରାଜାଙ୍କର ଏପରି କଡା ଆଦେଶ ପାଇ ସୁଦାମ ହଠାତ୍ ଛାନିଆ ହୋଇଗଲା । ତା’ପରେ କୌଣସି ମତେ ନିଜକୁ ସମ୍ଭାଳି ସେ ତା’ଘରକୁ ଫେରିଲା । ଘରେ ପହଁଚି ସେ ଦେଖିଲା ପୂର୍ବୋକ୍ତ କାଉଟି ବସିଛି । ସୁଦାମକୁ ଦେଖି ସେ କାଉଟି ପଚାରିଲା, “ଆଜି ତ କ’ଣ ତମ ମୁହଁ ଶୁଖିଯାଇଛି । କ’ଣ ହେଲାକି ତୁମର?”

ଏହାପରେ ସୁଦାମ କାଉକୁ ସବୁକଥା କହିଲା । ସବୁ ଶୁଣି କାଉ କହିଲା, “ଓ ଏଇ କଥା? ତୁମେ ରାଜାଙ୍କୁ ଯାଇ କୁହ କି ତୁମର ଚାଳିଶ୍ ବାଲ୍ଟି ମଦ ଦରକାର । ତାକୁ ପାଇଲେ ତୁମେ ଜଙ୍ଗଲକୁ ଯାଇ ଗୋଟିଏ ପୋଖରୀରେ ସେଗୁଡିକ ଢାଳିଦେବ । ପୋଖରୀଟି ଅବଶ୍ୟ ମୁଁ ଦେଖାଇ ଦେବି । ସେହି ପୋଖରୀକୁ ହାତୀଦଳ ପାଣି ପିଇବାକୁ ଆସନ୍ତି । ତା’ପରେ ଦେଖ କ’ଣ ହେଉଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ