ହସ ଏବଂ ଲୁହ

ବାଗଦାଦ୍ ନଗରୀର ଅଦୂରରେ ଗୋଟିଏ ଗ୍ରାମ ଥାଏ । ସେ ଗ୍ରାମର ବିଶିଷ୍ଟ ଲୋକେ ଅପରାହ୍ନରେ ସାଧାରଣତଃ ଗୋଟାଏ ବିରାଟ ଗଛର ଛାଇରେ ବସି ଗପସପ ହେଉଥାନ୍ତି ।

ଦିନେ ସେମାନେ ଗପରେ ମଜ୍ଜି ରହିଛନ୍ତି, କେତେବେଳେ ଯେ ଜଣେ ଅଜଣା ପଥିକ ସେହି ଗଛର ଅନ୍ୟ ପଟରେ ଛାଇରେ ଆସି ବସି ଗଲାଣି, ସେକଥା ସେମାନେ ଜାଣି ନଥାନ୍ତି ।

ଜଣେ ଗ୍ରାମବାସୀ କହୁଥାନ୍ତି, “ଘରଟି ତିଆରି କରିବା ଦିନରୁ ମୋ ସମୁଧି ବେଶ୍ ସୁଖରେ ଅଛନ୍ତି ।” ଆଉ ଜଣେ କହିଲେ, “ମୋ ମାମୁଁ ନବାବ୍ଙ୍କ ଦରବାରରେ ଚାକିରୀ ପାଇଗଲେ । ତାହା ପୁଣି ବଡ ଚାକିରୀ । ବାସ୍ତବିକ ସେ ଭାଗ୍ୟବାନ୍ ।”

ଅନ୍ୟ ଜଣେ ମନ୍ତବ୍ୟ ଦେଲେ “ଆଉ ଆମ ଅବ୍ଦୁଲ କଥା କହୁନ? ସେ ବାଟ ଚାଲୁ ଚାଲୁ ଗୋଟାଏ ଥଳି ପାଇଗଲା । ସେଥିରେ କୋଡିଏଟି ସୁନା ମୋହର ଥିଲା । ବାସ୍ତବିକ ସେ ଟୋକା କେଡେ ଭାଗ୍ୟବାନ! ସୁଖ ମିଳିବ ତ ଏମିତି ମିଳିବ!”

ଠିକ୍ ସେମିତି ଆଉ ଜଣେ ଦୁଇଜଣ ବି ସେମାନଙ୍କ ନିଜ ଲୋକଙ୍କ ସୌଭାଗ୍ୟ କଥା କହିଲେ ।

ସମସ୍ତଙ୍କ ସବୁକଥା ଶୁଣି ହଠାତ୍ ସେ ଅପରିଚିତ ଲୋକଟି ହସି ଉଠିଲା । ସେତେବେଳକୁ ଯାଇ ତା’ ଅସ୍ତିତ୍ୱ ବିଷୟରେ ସମସ୍ତେ ସଚେତନ ହେଲେ ।

ଜଣେ ତାଙ୍କୁ ପଚାରିଲେ “ତମେ କିଏ?”

ଆଉ ଜଣେ ଟିକିଏ ବିରକ୍ତ ହୋଇ ପଚାରିଲେ “ତମେ ଏମିତି କଥା ନାହିଁ-ବାର୍ତ୍ତା ନାହିଁ ହଠାତ୍ କାହିଁକି ହସିଦେଲ? କ’ଣ ଆମ କଥାଶୁଣି ତୁମକୁ ହସ ଲାଗିଲା? ଆମେ କ’ଣ କିଛି ହସିଲା ଭଳି କଥା କହୁଥିଲୁ?”

“ମୋ ଚେହେରା ଦେଖି ବୁଝୁଥିବେ, ମୁଁ ଜଣେ ଗରୀବ ଲୋକ । ମୋର ହସରୁ ବି ବୁଝୁଥିବେ, ମୁଁ ପ୍ରାୟ ପାଗଳ । ମୋ ହସ ଯୋଗୁଁ ଆପଣମାନେ ମୋତେ କ୍ଷମା କରନ୍ତୁ । ମୁଁ ଏଥର ଯାଉଛି ।”

ଏହା ଶୁଣି ଜଣେ ଗ୍ରାମବାସୀ କହିଲେ, “ନା, ନା, କାହିଁକି ହସିଲ, ଆଗେ ସେତିକି କହି ତା’ପରେ ଯାଇ ଏଠୁ ଯିବ ।” ଆଉ ଜଣେ ମନ୍ତବ୍ୟ ଦେଲେ “ତମେ ଗରୀବ ହୋଇପାର, କିନ୍ତୁ ପାଗଳ ହୋଇଥିବ ବୋଲି ମୋର କାହିଁ ବିଶ୍ୱାସ ହେଉନାହିଁ । ତମ ମୁହଁରେ ବହୁ ଅଭିଜ୍ଞତାର ଛାପ ରହିଛି । ହଁ, ଏଥର କୁହ ଯେ, ହସିଲ କାହିଁକି?”

ଲୋକଟି କୈଫିୟତ୍ ଦେଲା “ବାବୁ! ମୁଁ ମୋ ଆବେଗ ସମ୍ଭାଳି ପାରେ ନାହିଁ । ସେଥି ସକାଶେ ମୁଁ ମୋ ଜୀବନରେ ବଡ ହଇରାଣ ହେଲିଣି । ସେମିତି ଆବେଗ ସମ୍ଭାଳି ନପାରି ହସିଦେଲି ।”

ସମସ୍ତେ ସମସ୍ୱରରେ ପଚାରିଲେ “ଯାହାହେଉ, ହସର ତ ପୁଣି ନିଶ୍ଚୟ କିଛି କାରଣ ଥିବ! ସେ କାରଣଟି କ’ଣ?”


ଗପ ସାରଣୀ

ତାଲିକାଭୁକ୍ତ ଗପ