ପରିବର୍ତ୍ତନ

                ସେହିଦିନଠାରୁ ରାଜୁ ଆଉ ବିଜୁ ସହିତ ସାଙ୍ଗ ହେଲା ନାହିଁ । ଦୁହେଁ ସ୍କୁଲକୁ ଯାଆନ୍ତି, କିନ୍ତୁ ଆଉ ଆଗଭଳି କଥାବାର୍ତ୍ତା, ଖେଳିବା, ବୁଲିବା ସବୁ ବନ୍ଦ । ଏମିତି କିଛିଦିନ ବିତିଗଲା । ଦିନକର ଘଟଣା, ବିଜୁ ଗାଆଁ ମୁଖିଆ ମଙ୍ଗରାଜ ପ୍ରଧାନଙ୍କ ବାଡିରେ ପଶି ପିଜୁଳି ଚୋରି କରୁଥିବା ବେଳେ ଜଗୁଆଳି ବିଜୁକୁ ଧରି ପକାଇଲା । ଜଗୁଆଳି ବିଜୁକୁ ଧରି ବଗିଚାର ମାଲିକ ମଙ୍ଗରାଜ ପ୍ରଧାନଙ୍କ ନିକଟରେ ହାଜର କରାଇଲା । ସେ ଗାଆଁ ମୁଖିଆ ତ ବିଜୁକୁ ଭଲଭାବେ ଜାଣନ୍ତି । ବଗିଚାରେ ପ୍ରତିଦିନ ଚୋରି ହୁଏ । ଚୋର ଧରା ପଡୁନଥିଲା । ବିଜୁ ତା’ର ସ୍ୱଭାବର ଆଉ କେତେ ଜଣ ପିଲାଙ୍କୁ ସାଙ୍ଗରେ ଧରି ମଙ୍ଗରାଜ ପ୍ରଧାନଙ୍କ ବଗିଚାରୁ ପିଜୁଳି ଚୋରି କରେ । ଆଜି ଏକା ଧରା ପଡିଛି । ମଙ୍ଗରାଜ ପ୍ରଧାନ ଜାଣନ୍ତି, ବିଜୁ ଗାଆଁରେ ସମସ୍ତଙ୍କ ବାଡି ବଗିଚାରୁ ପିଜୁଳୀ, କାକୁଡି, ଆମ୍ବ ଚୋରି କରୁଛି । ହେଲେ କେହି ବିଜୁକୁ ଧରି ତାଙ୍କ ନିକଟରେ ପହଁଚାଇଲେ ସେ ବିଜୁର ବିଚାର କରନ୍ତେ ।

                ମଙ୍ଗରାଜ ପ୍ରଧାନ ବି ସେହିଭଳି ଏକ ସୁଯୋଗକୁ ଅପେକ୍ଷା କରି ରହିଥିଲେ । ଆଜି ଯେତେବେଳେ ତାଙ୍କ ବଗିଚାରୁ ବିଜୁ ପିଜୁଳୀ ଚୋରି କରି ଧରା ପଡିଛି । ମଙ୍ଗରାଜ ପ୍ରଧାନଙ୍କ ରାଗ ହଠାତ୍ ଗୋଡରୁ ମୁଣ୍ଡ ପର୍ଯ୍ୟନ୍ତ ଚଢିଗଲା । ପିଜୁଳୀ ବାଡି ଖଣ୍ଡେ ଭାଙ୍ଗି ମଙ୍ଗରାଜ ପ୍ରଧାନ ନିସ୍ତୁକ ପିଟିଲେ ବିଜୁକୁ । ବିଜୁ ମାଡ ଖାଇ ବାପା ଲୋ ବୋଉ ଲୋ ହେଉଥାଏ ।

                ଠିକ୍ ସେହି ସମୟରେ ରାଜୁ ଟିଉସନରୁ ଛୁଟି ହୋଇ ବହି ବସ୍ତାନୀ ଧରି ଘରକୁ ଫେରୁଥିଲା । ହଠାତ୍ ଏକ ପିଲାର କାନ୍ଦଣା ଶୁଣି ରାଜୁ ଆଗକୁ ଆଗକୁ ଚାଲିଲା । ପହଁଚିଲା ମଙ୍ଗରାଜ ପ୍ରଧାନଙ୍କ ଘର ନିକଟରେ । ରାଜୁ ମଙ୍ଗରାଜଙ୍କ ଘର ପାଖରେ ପହଁଚି ତା’ସାଙ୍ଗ ବିଜୁକୁ ମଙ୍ଗରାଜ ପ୍ରଧାନ ମାଡ ମାରୁଥିବାର ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲା । ମଙ୍ଗରାଜ ପ୍ରଧାନ ରାଜୁକୁ ଦେଖି ବିଜୁକୁ ଆଉ ବାଡିଆ ପିଟା କଲେ ନାହିଁ । ମାଡ ମାରିବା ବନ୍ଦ କରିଦେଲେ । ପ୍ରଧାନେ ରାଜୁକୁ କହିଲେ, ବୁଝିଲୁ ରାଜୁ ଏ ବଦମାସ ଚୋର ଟୋକା ପ୍ରତିଦିନ ମୋ ବାଡିରେ ପଶି ଆମ୍ବ, ପିଜୁଳି ଚୋରି କରେ । କିନ୍ତୁ ଆଜି ମୋ ଜଗୁଆଳି ଏ ଚୋର ଟୋକାକୁ ଧରି ଆଣି ମୋ ପାଖରେ ପହଁଚିଗଲା । ଗାଆଁ ମୁଖିଆ ବାଡିରୁ ପୁଣି ଚୋରି! ଆଜି ଗ୍ରାମ ସଭା ଡକାଇବି । ତା’ ବାପାକୁ ଡାକିବି, ସବୁ କହିବି ଆଜି ୟାର ଗୋଟେ ବିଚାର କରିବି । ପ୍ରଧାନେ ଏହି କଥା ରାଗ ଜର ଜର ହୋଇ କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ