ଆତ୍ମସମ୍ମାନ

ଶୋଭାପୁରରେ ସୁଧର୍ମ ନାମକ ଜଣେ ଶ୍ରମିକ ଥାଏ । ସେ ସର୍ବଦା ପରିଶ୍ରମ କରି, ଯାହା କିଛିବି ରୋଜଗାର କରେ ସେଥିରେ ସେ ତା’ ପରିବାର ଚଳାଏ; କାମ ନ ପାଇଲେ ସେ କେବେ କାହାଠୁ ମଧ୍ୟ ପଇସା ମାଗେନାହିଁ । ତା’ର ବହୁତ ଆତ୍ମସମ୍ମାନବୋଧ ଥିଲା ।

                ସେ ଗ୍ରାମରେ ସମସ୍ତେ ଭଲଭାବେ ଜାଣନ୍ତି ଯେ ଗରୀବ ହେଲେ ମଧ୍ୟ ସୁଧର୍ମର ସମ୍ମାନବୋଧ ଅଛି । କିନ୍ତୁ ଆଉ କେତେକ ଭାବନ୍ତି ସେ ବହୁତ ଗର୍ବୀ ।

                ସେ ଗାଁରେ ମଧ୍ୟ ଶ୍ରୀପତି ନାମକ ଜଣେ ବ୍ୟବସାୟୀ ଥିଲେ । ତାଙ୍କର ସ୍ୱଭାବ ଭାରି କ୍ରୁର ଥିଲା । ସେ ମଧ୍ୟ ବହୁତ ଲାଭଖୋର୍ ଥିଲେ । ଗରୀବମାନଙ୍କୁ ପଇସା ଋଣ ଦେଇ ତାଙ୍କଠୁ ଅଧିକା ସୁଧ ପଇସା ମାଗିବା ତାଙ୍କର ଏକ ଅଭ୍ୟାସ ଥିଲା । ସୁଧର୍ମ କେବେ ମଧ୍ୟ ଟଙ୍କା କରଜ କରିବାକୁ ଶ୍ରୀପତିଙ୍କ ପାଖକୁ ଆସେନାହିଁ । ତେଣୁ ସେ ଭାବୁଥା’ନ୍ତି ଯେ ସୁଧର୍ମ ଜଣେ ଅତ୍ୟନ୍ତ ଗର୍ବୀ ଲୋକ ।

                ଥରେ ଶ୍ରୀପତିଙ୍କର ସମୁଦି ରମାନାଥ ଶ୍ରୀପତିଙ୍କ ଘରକୁ ଆସିଥା’ନ୍ତି । ଦିନେ ସମୁଦି ଶ୍ରୀପତିଙ୍କୁ କହିଲେ, “ସମୁଦି, ଏହି ଗାଁରେ ସୁଧର୍ମ ନାମକ ଜଣେ ବ୍ୟକ୍ତି ଅଛି । ଆପଣ ତାକୁ ଡକାଇ ଆଣିବେ କି?”

                ଶ୍ରୀପତି ଗମ୍ଭୀର ହୋଇଯାଇ କହିଲେ, “ସୁଧର୍ମ ତ ଜଣେ ବଡ ଗର୍ବୀ ଲୋକ; ଆପଣଙ୍କର ତା’ ସହିତ କ’ଣ କାମ?”

                ଶ୍ରୀପତିଙ୍କ କଥା ଶୁଣି ସେ ଭାରି ଆଶ୍ଚର୍ଯ୍ୟ ହେଲେ, କାରଣ ସେ ଜାଣିଥିଲେ ଯେ ସୁଧର୍ମ ଜଣେ ଭଲ ମଣିଷ, ସେ ଆଦୌ ଗର୍ବୀ ନୁହେଁ । ସେ କହିଲେ, “ସୁଧର୍ମ କେବେ କେବେ ଆମ ଗାଁରେ ମଜୁରୀ ଲାଗିବାକୁ ଯାଏ । ତା’ର ତ ଆତ୍ମସମ୍ମାନବୋଧ ଯଥେଷ୍ଟ ଥିବାର ଜଣାଯାଏ, ମାତ୍ର ସେ ତ ଆଦୌ ଅହଂକାରୀ ନୁହେଁ । ଆପଣଙ୍କର ବୁଝିବା ଭୁଲ୍ ।”

                ଶ୍ରୀପତି କହିଲେ, “କିନ୍ତୁ ତାକୁ ତ ସମସ୍ତେ ଗର୍ବୀ ବୋଲି ଜାଣନ୍ତି ।” ସମୁଦି କହିଲେ, “ସମସ୍ତିଙ୍କ କଥା ଛାଡନ୍ତୁ । ଆପଣ ତାକୁ କିପରି ଗର୍ବୀ ବୋଲି କହୁଛନ୍ତି? ଆତ୍ମସମ୍ମାନ ଓ ଗର୍ବ ମଧ୍ୟରେ ଥିବା ପ୍ରଭେଦ ଆପଣ କ’ଣ ଜାଣନ୍ତି ନାହିଁ?” ଶ୍ରୀପତି କଥା ବଦଳାଇ କହିଲେ, “ସେକଥା ଛାଡନ୍ତୁ; ଏବେ କୁହନ୍ତୁ ଆପଣଙ୍କର ତା’ ସହିତ କି କାମ?”

                ସମୁଦି କହିଲେ “ସୁଧର୍ମ ଆମ ଗାଁର ତ୍ରିନାଥ ନାମକ ଜଣେ ଚାଷୀର କ୍ଷେତରେ ତିନିଦିନ ଧରି କାମ କରିଥିଲା । ତ୍ରିନାଥ ତା’ର ତିନିଦିନର ମଜୁରୀ ତାକୁ ଦେବା ପାଇଁ ସେ ମୋ ହାତରେ ଟଙ୍କା ଦେଇଛି ।”

                ଏକଥା ଶୁଣି ଶ୍ରୀପତି ତାଙ୍କ ଚାକରକୁ ଡାକିଲେ । ରମାନାଥ ସମୁଦିଙ୍କର ସୁଧର୍ମ ବିଷୟରେ ଥିବା ଭୁଲ୍ ଧାରଣାକୁ ଠିକ୍ କରି ଦେବାକୁ ଚାହିଁଲେ । ତେଣୁ ସେ ଚାକରକୁ କହିଲେ, “ସୁଧର୍ମକୁ ଖାଲି ଏତିକି କହିବ ଯେ ତୁମର ମାଲିକ ତାକୁ କୌଣସି ଏକ ଜରୁରୀ କାମ ଯୋଗୁଁ ଡାକିଛନ୍ତି । ହେଲେ ମୋର ଆସିବା କଥା ତାକୁ କିଛିବି କହିବ ନାହିଁ ।”

                ଚାକର ସୁଧର୍ମର ଘରେ ଯାଇ ପହଁଚିଲା । ସେତେବେଳେ ସୁଧର୍ମ କିଛି ଗୋଟେ କାମ କରୁଥିଲା । ଅଦୂରରେ ଜଣେ ବୃଦ୍ଧ ବ୍ୟକ୍ତି ମଧ୍ୟ ବସିଥା’ନ୍ତି । ଶ୍ରୀପତିଙ୍କ ଚାକରଠାରୁ ସବୁକଥା ଶୁଣି ସୁଧର୍ମ କହିଲା, “ତୁମେ ତ ଦେଖୁଛ ଯେ ମୁଁ ଏବେ କୌଣସି କାମରେ ଲାଗିଛି । ଏହାକୁ ଛାଡିଯାଇ ହେବନାହିଁ । ଆଉ ଯଦି ତୁମ ମାଲିକଙ୍କର ମୋ ସହିତ ଜରୁରୀ କଥାବାର୍ତ୍ତା ହେବାର ଅଛି ତେବେ ସେ ନିଜେ କାହିଁକି ଆସିଲେ ନାହିଁ? ମୋର ତ ତାଙ୍କ ସହିତ କିଛିବି କାମ ନାହିଁ ।” ସୁଧର୍ମର ଏପ୍ରକାର କଥାବାର୍ତ୍ତା ବୁଢାକୁ କିନ୍ତୁ ମୋଟେ ଭଲ ଲାଗିଲା ନାହିଁ । ସେ କହିଲା, “ପୁଅ, ଏମିତି କ’ଣ କହୁଛୁ? ଶ୍ରୀପତି ପରା ଏ ଗାଁର ଜଣେ ମୁଖିଆ । ତୋତେ ଯଦି ସେ ଡକାଇଛନ୍ତି, ତେବେ ତ ତୁ ସେଠାକୁ ନିଜେ ଯିବା ଉଚିତ୍; ଓଲଟା ତାଙ୍କୁ ଆସିବାକୁ କହୁଛୁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ