ବୋତଲ ଭୂତ

ଅନସୂୟାର ବିବାହ ପରେ ଶାଶୁଘରେ ଆସି ସେ ଦେଖିଲା ତା’ଜେଜେଶାଶୁ ବଡ ରାଗି । ସ୍ୱାମୀ ସୁଦାମ ବଡ ଶାନ୍ତସ୍ୱଭାବର ପିଲା । କିନ୍ତୁ ତା’ର ଜେଜେମା ବଡ ବଦରାଗୀ । ଘରର ସମସ୍ତ କାର୍ଯ୍ୟ ନୂଆ ବୋହୁ ଉପରେ ସେ ଲଦି ଦିଅନ୍ତି । କାମ କରି ନପାରିଲେ ଯାଚ୍ଛାତା ଗାଳି ଦିଅନ୍ତି । ଅନସୂୟା ବସି କାନ୍ଦେ । କାହାକୁ କିଛି ସେ କୁହେ ନାହିଁ । ସୁଦାମର ପିଲାଦିନୁ ବାପାମା’ ମରିଯାଇଥିବାରୁ ଜେଜେମା ତାକୁ ପାଳି ପୋଷି ମଣିଷ କରିଛନ୍ତି । ତେଣୁ ତାଙ୍କ କଥା ଉପରେ କଥା କହିବାକୁ ସେ ଆଦୌ ସାହସ କରେ ନାହିଁ । ସେଥିପାଇଁ ବୋହୁଟି ବିଚାରୀ ଅତ୍ୟାଚାରିତା ହୋଇଥାଏ ।

                ଦିନେ କଷ୍ଟ ଅସହ୍ୟ ହେବାରୁ ସେ ରାତିରେ ଜଙ୍ଗଲକୁ ଆତ୍ମହତ୍ୟା କରିବା ପାଇଁ ଗଲା । ସେତେବେଳେ ଜଣେ ତାନ୍ତ୍ରିକ ଭୂତମାନଙ୍କୁ ଖୋଜି ବୁଲୁଥାନ୍ତି । ସେ ଅନସୂୟା ସହିତ କଥାବାର୍ତ୍ତା କରି ସବୁ ଶୁଣିଲେ ।

                ଅନସୂୟା କହିଲା, “ମୁଁ ଆଉ ବଂଚିବାକୁ ଚାହେଁ ନାହିଁ । କିନ୍ତୁ ସହଜରେ କିପରି ମରିବି ମୋତେ ତାହା କହିଦିଅ ।”

                ତାନ୍ତ୍ରିକ ତାକୁ ଗୋଟିଏ ବୋତଲ ଦେଇ କହିଲେ, “ଝିଅ, ଆତ୍ମହତ୍ୟା କରି ମରିବା ବଡ ପାପ । ତୁ ଏହି ବୋତଲଟି ନେ; ଏହା ମଧ୍ୟରେ ଭୂତଟିଏ ଅଛି । ଠିପିରି ଖୋଲିଦେଲେ ସେ ବାହାରକୁ ଆସିବ ଓ ତୁ ତାକୁ ଯାହା କାମ ଦେବୁ ସେ ତାହା କରିବ ଓ ତା’ପରେ ସେ ନିଜେହିଁ ବୋତଲରେ ପଶିଯିବ । ଏହାପରେ ତୁ ସଙ୍ଗେ ସଙ୍ଗେ ଠିପିରି ବନ୍ଦ କରିଦେବୁ । ଏହି ପରି ଏକଶହ ଥର କାମ କରାଇବା ପରେ ତୁ ତାକୁ ମୁକ୍ତି ଦେବୁ । କିନ୍ତୁ ସାବଧାନ ଭୂତଦ୍ୱାରା କାହାର କୌଣସି କ୍ଷତି କରିବୁ ନାହିଁ ।” ଏହାପରେ ଅନସୂୟା ସେ ତାନ୍ତ୍ରିକକୁ କୃତଜ୍ଞତା ଜଣାଇ ବୋତଲଟି ଧରି ଘରକୁ ଗଲା ।

ପରଦିନ ସକାଳୁ ନିଦ ଭାଙ୍ଗିବାମାତ୍ରେ ଜେଜେଶାଶୁ ମଙ୍ଗଳା ଚିତ୍କାର କରି କହିଲେ, “ଆଲୋ, ହେ ପୋଡାମୁହିଁ, କାଲିକି ଉତ୍ସବ ଦିନ ଅଛି । ଏତେ ପର୍ଯ୍ୟନ୍ତ ଘର ପରିଷ୍କାର କରି ନାହୁଁ? ଦୁଆରେ ଚିତାଝୋଟି ଦିଆଯାଇ ନାହିଁ । ଆମ୍ବଡାଳ ପ୍ରଭୃତି ଆଣିବାର ବନ୍ଦୋବସ୍ତ କରିବୁ । ମୋତେ ଲାଗୁଛି ତୋର ଅଳସୁଆ ପଣରୁ ଏବର୍ଷ ଆମର ଉତ୍ସବଟା ଜାଣ ମାଟି ହେବ । ଶୀଘ୍ର ଯାଇ କାମ କର ।”

ଅନସୂୟା ଭାବିଲା ଯେ ଆସନ୍ତାକାଲି ଉତ୍ସବ ପାଳନ କରିବା ପାଇଁ ତାର ବାପମା’ଙ୍କର ଆସିବାକଥା । ତେଣୁ ସେ ନାନାରକମ ରାନ୍ଧି ଖୁଆଇବ । କିନ୍ତୁ ମଙ୍ଗଳା ତ ଘରଗୋଟାକର କାମ ତା’ରି ଉପରେ ଲଦିଦେଲେଣି ।

ଠିକ୍ ସେତିକିବେଳେ ଅନସୂୟାର ଭୂତ କଥା ମନେ ପଡିଲା । ଠିପିରି ଖୋଲିବା ମାତ୍ରେ ଭୂତ ବାହାରକୁ ଆସିଲା । ଅନସୂୟା ତାକୁ ନିଜର ଦୁଃଖ କାହାଣୀ ଶୁଣାଇଲା । ଭୂତ ଅନସୂୟାକୁ ସାନ୍ତ୍ୱନା ଦେବା ପରେ ନିଜେ ସବୁ କାମ କରିଦେଲା । ମଙ୍ଗଳା ଅନସୂୟାକୁ କାମ ବତାଇ ନିଜେ ପୁଣି ଶୋଇଗଲେ । ଉଠି ଦେଖନ୍ତି ତ ସମସ୍ତ କିଛି ସୁନ୍ଦର ଭାବରେ ସାଜସଜା ହୋଇଛି । ତା’ପରେ ଯାଇ ଖାଇବା ଘରେ ସେ ଦେଖିଲେ ନାନା ରକମର ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ ହୋଇ ରହିଛି । ଯାହାକୁ କି ଖାଇଲେ ଅତି ସ୍ୱାଦ ଲାଗୁଛି । ସେ ଆଶ୍ଚର୍ଯ୍ୟ ହୋଇ ଭାବିଲେ ଯେ ଅନସୂୟା କିପରି ଏକେଲା ଏତେ ସବୁ କାର୍ଯ୍ୟ କଲା? ସେ ସେଦିନ ଆଉ ଅନସୂୟାକୁ ଗାଳି ନଦେଇ ଚୁପ୍ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ