ସିଦ୍ଧିଲାଲୟମ୍ – ୧୯

(ଶିଖିମୁଖ ଏବଂ ବିକ୍ରମକେଶରୀ ସିଦ୍ଧିଲାଲୟମ୍ର ପୂଜାରୀର ଝୁମ୍ପୁଡିକୁ ଘେରିଯାଇ ନାଗମଲ୍ଲୀକୁ ବନ୍ଧନମୁକ୍ତ କଲେ । ପୂଜାରୀ ଶବରଗିଧ ସହିତ ଜଂଗଲ ଭିତରକୁ ପଳାଇଗଲା । ନାଗମଲ୍ଲୀ ଶିଖିମୁଖକୁ ବଚନ ଦେଲା ଯେ ସେ ବ୍ରହ୍ମପୁତ୍ରର ଘାଟୀରୁ ଫେରିବା ପର୍ଯ୍ୟନ୍ତ ବିବାହ କରିବ ନାହିଁ । ତା’ପରେ…)

ଶିବାଲ ତାଙ୍କ ଅନୁଚରମାନଙ୍କୁ ସାଥୀରେ ଧରି ରାସ୍ତା ସାରା ଚିନ୍ତା କରି ଆସୁଥିଲା ଯେ ତାଙ୍କର ଅନୁପସ୍ଥିତିରେ ସିଦ୍ଧିଲାଲୟମ୍ର ପୂଜାରୀ ଶବର ବସ୍ତି ଉପରେ ଆକ୍ରମଣ କରି ଆଉ କିଛି ଅନିଷ୍ଟ କରିନାହିଁ ତ । କିନ୍ତୁ ବସ୍ତିରେ ପହଁଚିବା ପରେ ଏପରି କୌଣସି ଅଘଟଣ ନ ଦେଖି ସେ ବହୁତ ପ୍ରସନ୍ନ ହେଲେ । ତାଙ୍କର ଗ୍ରାମ ସଂପୂର୍ଣ୍ଣ ସୁରକ୍ଷିତ ଥିଲା ।

                ବହୁତ ଦିନ ପରେ ଶିବାଲଙ୍କୁ ବିକ୍ରମକେଶରୀଙ୍କ ପିତା ପଠାଇଥିବା ତାଡପତ୍ରକୁ ଆରାମ୍ରେ ବସି ପଢିବାର ସୁଯୋଗ ମିଳିଲା । ସେହି ପତ୍ରରେ  ନିର୍ଦ୍ଧେଶିତ କିଛି ସ୍ଥାନର ନାମକୁ ଦେଖି ସେ ବୁଝିଗଲେ ଯେ ଜୟପାଳଙ୍କର ପିତା ବିକ୍ରମକେଶରୀଙ୍କୁ ପୁଣି ଥରେ ବ୍ରହ୍ମପୁତ୍ର ଘାଟୀ ଆଡକୁ କାହିଁକି ଯିବାକୁ ପଡିଥିଲା । ସେ ପୂର୍ବ ଥର ଭ୍ରମଣ କରି ଦେଖିଥିବା ବ୍ରହ୍ମପୁତ୍ରର ଅନେକ ଟାପୁରୁ ବୃଶ୍ଚିକ ଟାପୁରେ ପହଁଚିବା ପାଇଁ ନିଷ୍ପତି ନେଇଥିଲେ । ଜନମୁଖରୁ ଜଣାଯାଏ ଯେ ସେହି ଟାପୁରେ ସିଦ୍ଧିଲାଲୟମ୍ ରହିଛି । କୁହାଯାଏ ଯେ ସିଦ୍ଧିଲାଲୟମ୍ରେ ଅଶେଷ ଧନ ସହିତ ସୁନା ଏବଂ ଶିଳ୍ପ ସଂପଦ ମଧ୍ୟ ଭରି ରହିଛି । ବିକ୍ରମକେଶରୀ ସେହି ଦୁର୍ମୂଲ୍ୟ ପଦାର୍ଥ ନିଜର ରାଜମହଲକୁ ଆଣିବାକୁ ଚାହୁଁଥିଲେ ।

                ବିକ୍ରମକେଶରୀ ସେହି ତାଡ ପତ୍ରରେ ସିଦ୍ଧିଲାଲୟମ୍ରେ ପହଁଚିବା ପାଇଁ ଯେଉଁ ମାର୍ଗ ରହିଛି ସେ ସବୁର ବିସ୍ତାରପୂର୍ବକ ବର୍ଣ୍ଣନା କରିଥିଲେ । ସେହି ମନ୍ଦିର ଶହେ ବର୍ଷ ପୂର୍ବରୁ ଇଭ୍ୟ ନାମକ ଜଂଗଲି ଜାତିର ଲୋକଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା । ପ୍ରକୃତିର ପ୍ରକୋପ କାରଣରୁ ତଥା ବ୍ରହ୍ମପୁତ୍ର ନଦୀରେ ବନ୍ୟା ଆସିବାରୁ ସେହି ଟାପୁର ଚାରିପଟ ସ୍ଥାନ ଜଳମଗ୍ନ ହୋଇଗଲା । ଏହି କାରଣରୁ ସେହି ମନ୍ଦିର ବିଷୟରେ ବହୁ ବର୍ଷ ଧରି କୌଣସି କଥା ଜଣାପଡିଲା ନାହିଁ । ତଥାପି ଲୋକଙ୍କର ବିଶ୍ୱାସ ଯେ ଇଭ୍ୟ ଜାତିର କିଛି ଲୋକ ଏହି ସିଦ୍ଧିଲାଲୟମ୍ ଟାପୁ ବିଷୟରେ ଜାଣନ୍ତି । ଶିବାଲ ଏହି ଶହ ଶହ ପୃଷ୍ଠା ବିଶିଷ୍ଟ ତାଡପତ୍ରରେ ସିଦ୍ଧିଲାଲୟମ୍ ବିଷୟରେ ବିଭିନ୍ନ ସମାଚାର ବିକ୍ରମକେଶରୀଙ୍କୁ ଶୁଣାଇ କହିଲେ – “ବିକ୍ରମ, ତୁମର ଜେଜେବାପା ପ୍ରଭୁ ବିକ୍ରମକେଶରୀ ଯେ ଏପର୍ଯ୍ୟନ୍ତ ଜୀବିତ ଥିବେ ମୋର କାହିଁ ଏଥିରେ ବିଶ୍ୱାସ ହେଉନାହିଁ । ସେ ବୟସରେ ମୋ ଠାରୁ ବହୁତ ବଡ ଥିଲେ । ତାହା ବ୍ୟତୀତ ବ୍ରହ୍ମପୁତ୍ର ଘାଟୀରେ ଭ୍ରମଣ କରୁଥିବା ସମୟରେ ବିଷ ଜ୍ୱରର ଶିକାର ହୋଇ କେହି ଜୀବିତ ରହିଥିବାର ଜଣାନାହିଁ । ଏହା ମୋର ଅନୁମାନ, ତଥାପି ତୁମେ ଏହି ସମାଚାର ନିଜର ପିତାଙ୍କୁ କୁହ, ଯଦି ସେ ଏହି ପ୍ରଦେଶକୁ ଯିବାକୁ ଚାହାଁନ୍ତି ତେବେ ଆମେ ଅଟକାଇ ପାରିବୁ ନାହିଁ । ତୁମକୁ ଯଦି ସେ ପଠାଇବାକୁ ଚାହିଁବେ ତେବେ ତୁମର ସହାୟତା ପାଇଁ କେବଳ ସୁରସେନ ରାଜ୍ୟ ପର୍ଯ୍ୟନ୍ତ ନୁହେଁ ଏପରି କି ବ୍ରହ୍ମପୁତ୍ର ଘାଟୀ ପର୍ଯ୍ୟନ୍ତ ମଧ୍ୟ ମୁଁ ମୋର ପୁତ୍ର ଶିଖିମୁଖକୁ ପଠାଉଛି ।

ତା’ପରେ ବିକ୍ରମକେଶରୀ ଶିବାଲ୍ ପ୍ରତି କୃତଜ୍ଞତା ଜଣାଇଲେ । ଦ୍ୱିତୀୟ ଦିନ ସକାଳେ ଶିଖିମୁଖକୁ ସାଂଗରେ ନେଇ ନିଜ ଦେଶକୁ ସେ ବାହାରି ଗଲେ । ରାସ୍ତାରେ ଡାକୁମାନେ ତଥା ସିଦ୍ଧିଲାଲୟମ୍ ପୂଜାରୀ ଦ୍ୱାରା କୌଣସି ବିପତି ଆସିଲେ ତାହାର ଜବାବ୍ ଦେବା ପାଇଁ ଶିବାଲ୍ ଦୁଇ ଜଣ ବିଶାଳକାୟ ଶବର ଯୁବକଙ୍କୁ ମଧ୍ୟ ଅଂଗରକ୍ଷକ ଭାବେ ପଠାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ