କୃଷ୍ଣାବତାର

ମେରୁପର୍ବତ ଉପରେ ବ୍ରହ୍ମା ଓ ବିଷ୍ଣୁଙ୍କ ସହିତ ଦେବତାମାନେ ମଧ୍ୟ ସଭା କରୁଥିଲେ । ସେତେବେଳେ ନାରଦ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସଭା ଶେଷ ହେବା ମାତ୍ରେ ନାରଦ ସିଧା ଯାଇ ମଥୁରା ନଗରୀରେ ପହଁଚିଲେ ।

କଂସ ରାଜା ନାରଦଙ୍କୁ ସ୍ୱାଗତ କରି ତାଙ୍କୁ ଭିତରକୁ ନେଲା ଓ ପାଦଦୋକ ଦେଇ ତାଙ୍କୁ ପୂଜା କଲା । ଏହାପରେ ନାରଦ କଂସକୁ ଆଶୀର୍ବାଦ କରି କହିଲେ, “ବତ୍ସ, ମୁଁ ତୁମକୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଦେବାକୁ ଆସିଛି । ତୁମେ ମୋର ପ୍ରିୟଜନ ବୋଲି ତୁମର ହିତ ପାଇଁ ମୁଁ କେତୋଟି କଥା କହିବି । ଇତିମଧ୍ୟରେ ବ୍ରହ୍ମା ବିଷ୍ଣୁଙ୍କୁ ନେଇ ଦେବତାମାନେ ଗୋଟିଏ ସଭା କରିଛନ୍ତି । ସେଥିରେ ସେମାନେ ତୁମର ମୃତ୍ୟୁ କିପରି ହେବ ସେହି ବିଷୟରେ ହିଁ ଆଲୋଚନା କରୁଥିଲେ । ଭାଗ୍ୟକୁ ମୁଁ ସେଠାରେ ଥିଲି । ଶୁଣିଲି ମହାବିଷ୍ଣୁ ତୁମକୁ ମାରିବାକୁ କୌଣସି ଅବତାର ନେଇ ସେ ଜନ୍ମ ନେବେ । ଅନ୍ୟାନ୍ୟ ଦେବତାମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଜନ୍ମ ନେବେ । ଏଣୁ ତମେ ନିଜର ଶାସନ ଓ ଜୀବନକୁ ସୁଦୃଢ କରିବା ପାଇଁ ସାବଧାନ ରହିବ । ଧର୍ମକାର୍ଯ୍ୟ କରି ପ୍ରଜାପାଳନ କରିବ । ମୁଁ ତୁମର ହିତୈଷୀ । ତେଣୁ ମୁଁ ଏ ଖବର ତୁମକୁ ଦେବାକୁ ଆସିଲି ।” ସବୁକଥା କଂସକୁ ବୁଝାଇ ଦେଇ ନାରଦ ନିଜ ରାସ୍ତାରେ ଚାଲିଗଲେ ।

ନାରଦମୁନି ସେଠାରୁ ପ୍ରସ୍ଥାନ କରିବା ପରେ କଂସ ତା’ର ଦରବାରସ୍ଥ ଲୋକଙ୍କୁ ଅନାଇ ହସି ହସି କହିଲା, “ନାରଦମୁନିଙ୍କୁ ତ ମୁଁ ବହୁତ ବୁଦ୍ଧିମାନ ବୋଲି ଭାବିଥିଲି ସେଥିପାଇଁ ମୁଁ ତାଙ୍କ ସହିତ ମିତ୍ରତା ରଖିଥିଲି, କିନ୍ତୁ ଆଜି ଜାଣିଲି ଯେ ସେ ଜଣେ ନିହାତି ମୂର୍ଖ ଲୋକ । କାହିଁକିନା ସେ ଏତିକି ବି ବୁଝିପାରୁନାହାଁନ୍ତି ଯେ କି ବ୍ରହ୍ମା କି ବିଷ୍ଣୁ, ଏ ତିନିଲୋକରେ ଏପରି କେହି ବି ନାହିଁ ଯିଏ କି ମୋର କିଛି ବି କ୍ଷତି କରିବାକୁ କେବେବି ସାହସ କରିବ । ଅଥଚ ବିଚାରା ନାରଦ ଭୟରେ କାତର ହୋଇ ମୋତେ ମଧ୍ୟ ଭୟଭୀତ କରିବାକୁ ଚାଲି ଆସିଛନ୍ତି । ଅବଶ୍ୟ ଦୁଇପକ୍ଷ ମଧ୍ୟରେ କଳହ ସୃଷ୍ଟି କରି ତା’ର ମଜା ଦେଖିବାରେ ତାଙ୍କର ଏକ ବିଶେଷ ଆନନ୍ଦ ଥାଏ । ଅଥଚ ଦେବତାମାନେ ମୋରି ଆଦେଶରେହିଁ ଚଳୁଛନ୍ତି । ଅଗ୍ନି ଓ ବାୟୁ ମୋର ପ୍ରଭାବ ଯୋଗୁଁ ଆଦୌ ପ୍ରବଳ ହୋଇପାରୁ ନାହାଁନ୍ତି । ତାଛଡା କଳହପ୍ରିୟ ନାରଦଙ୍କ କଥା ଉପରେ କୌଣସି ଗୁରୁତ୍ୱ ଦେବା ମଧ୍ୟ ପ୍ରଚଣ୍ଡ ମୂର୍ଖତା । ମୋ ସହିତ ଯେତେବଡ ବୀର ସବୁ ଅଛନ୍ତି ତାଙ୍କ ଭୟରେ ତ ଦେବତାମାନେ ବି ଥରହର । ଏଣୁ ତମେମାନେ ଆନନ୍ଦରେ ଓ ନିର୍ଭୟରେ ବିଚରଣ କର । ଆମର କେବେ କେହି କିଛି ବି କରି ପାରିବେ ନାହିଁ ।”

ଦରବାର ପରେ କଂସ ଗୁପ୍ତରେ ତା’ର କେତେକ ମନ୍ତ୍ରୀ ଓ ମିତ୍ରଙ୍କୁ ଡକାଇ ଏ ବିଷୟରେ ଆଲୋଚନା କଲା ଓ ସେ ନିଜେ ମଧ୍ୟ ଟିକିଏ ସାବଧାନ ହୋଇ ରହିଲା ।

ଏହି ଘଟଣାର କିଛିଦିନ ପରେ କଂସର ଦାଦାଝିଅ ଭଉଣୀ ଦେବକୀଙ୍କର ବିବାହ ବସୁଦେବଙ୍କ ସହିତ ହେଲା । ବିବାହ ପରେ କଂସ ନିଜେ ଦେବକୀ ଓ ବସୁଦେବଙ୍କୁ ରଥରେ ବସାଇ ଛାଡିବାକୁ ଗଲା । ରାଜ୍ୟସାରା ଲୋକେ କଂସକୁ ତା’ର ଏଭଳି ଭଉଣୀ ସ୍ନେହ ଦେଖି ତାକୁ ଖୁବ୍ ଧନ୍ୟ ଧନ୍ୟ କଲେ । କିନ୍ତୁ ଯିବା ରାସ୍ତାରେ ହଠାତ୍ ଏକ ଆକାଶବାଣୀ ହେଲା । ତାହା ଥିଲା ଏହିପରି, “ରେ ରେ ମୂର୍ଖ କଂସ, ତୁ ଯାହାର ରଥ ବାହି ଆଜି ଏତେ ଆନନ୍ଦ ଓ ଗର୍ବରେ ଚାଲିଛୁ ଦିନେ ସେହି ଦେବକୀର ଅଷ୍ଟମ ଗର୍ଭଜାତ ପୁତ୍ର ହସ୍ତରେ ହିଁ ତୋର ମୃତ୍ୟୁ ହେବ ।”

ଆକାଶବାଣୀ ଶୁଣିବା ମାତ୍ରେ କଂସ ସେହିକ୍ଷଣି ତା’ରଥରୁ ଡେଇଁପଡି ଦେବକୀର କେଶ ଧରି ତାକୁ ଟାଣି ଆଣିଲା । ତା’ପରେ କଂସ ଖଣ୍ଡାରେ ତାକୁ ହାଣିବାକୁ ଯାଉଛି, ଠିକ୍ ଏହି ସମୟରେ ବସୁଦେବ କହିଲେ, “କ୍ଷମା କରନ୍ତୁ ଭାଇ, ବିବାହ ଦିନ ଭଉଣୀକୁ ଏପରି ମାରି ଆପଣ କି ଯଶଲାଭ ପାଇବେ । ଏକେ ତ ନାରୀହତ୍ୟା ହେବ, ତା’ ଉପରେ ପୁଣି ଭଗିନୀ ହତ୍ୟା । ମୋ କଥା ଶୁଣନ୍ତୁ । ମୁଁ ପୁତ୍ର ଜନ୍ମ ହେବା ମାତ୍ରେ ଆପଣଙ୍କ ଶ୍ରୀଚରଣରେ ତାକୁ ଆଣି ସମର୍ପଣ କରିବି । ଭଉଣୀର ଜୀବନ ରଖନ୍ତୁ ।” ଏହିଭଳି ବହୁ ଅନୁନୟ ବିନୟ ପରେ କଂସ ଦେବକୀକୁ ଛାଡିଲା । କିନ୍ତୁ ସେ ତା’ର ଅନୁଚରମାନଙ୍କୁ ଦେବକୀ ଓ ବସୁଦେବଙ୍କୁ ବନ୍ଦୀଶାଳାରେ ରଖିବାକୁ ଆଦେଶ ଦେଲା । ସେ ଆହୁରି ମଧ୍ୟ କେତେକ ପରିଚାରିକାଙ୍କୁ କଡା ନିର୍ଦ୍ଧେଶ ଦେଲା କି ଦେବକୀର ପିଲା ପେଟରେ ରହିବାଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ତା’ର ଟିକିନିଖି ଖବର ଯେପରି ତାକୁ ଜଣାଇ ଦିଆଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ