ସଦାନନ୍ଦ

ସଦାନନ୍ଦ ନାମକ ଜଣେ ଯୁବକ ବିଶାଳପୁର ଗ୍ରାମରେ ରହୁଥିଲା । ସେ ଖୁବ୍ ପରିଶ୍ରମୀ ଓ ସବୁ ବିଷୟ ଶିଖିବାରେ ତା’ର ବଡ ଆଗ୍ରହ । ସେ କାହାରି ଉପରେ କେବେବି ବିରକ୍ତ ହୁଏ ନାହିଁ । ସବୁବେଳେ ସେ ଖାଲି ହସହସ, ଖୁସିବାସିଆ ରହେ । ଲୋକମାନେ କହନ୍ତି ନାମ ଅନୁସାରେ ତା’ର ପ୍ରକୃତି ମଧ୍ୟ ସଦାନନ୍ଦ ।

ସେହି ଗ୍ରାମକୁ ପ୍ରାରବ୍ଧ ନାମକ ଜଣେ ଧନୀବ୍ୟକ୍ତି ଜଳବାୟୁ ପରିବର୍ତ୍ତନ ଉଦ୍ଧେଶ୍ୟରେ ଆସିଥିଲେ । ଏକ କଠିନ ବେମାରୀରେ ପଡି, ଭାଗ୍ୟବଶତଃ ସେ ମୃତ୍ୟୁମୁଖରୁ ବର୍ତିଥାନ୍ତି । ଚିକିତ୍ସକଙ୍କ ପରାମର୍ଶ ଅନୁସାରେ, ସେ ସେହି ଗ୍ରାମକୁ ଆସିଥାନ୍ତି ।

ପ୍ରାରବ୍ଧ, ସେହି ଗ୍ରାମର ଏକ ବିରାଟ କୋଠା ଭଡାରେ ନେଇଥାନ୍ତି । ଜଣେ ପୁଝାରୀ ଓ ଜଣେ ଚାକରକୁ ମଧ୍ୟ ପାଖରେ ରଖିଥାନ୍ତି । ପ୍ରତିଦିନ, ଗ୍ରାମର ମୁଖିଆଶ୍ରେଣୀ ଲୋକମାନେ, ତାଙ୍କ ପାଖକୁ ଗପସପ କରିବାକୁ ଆସନ୍ତି ।

କିନ୍ତୁ ପ୍ରାରବ୍ଧ ସର୍ବଦା ମନମାରି ରହୁଥାନ୍ତି । ଏହା ଲକ୍ଷ୍ୟକରି ଜଣେ ମୁଖିଆ କହିଲେ, “ଏହି ଗ୍ରାମରେ ସଦାନନ୍ଦ ନାମକ, ଯୁବକଟିଏ ଅଛି । ତା’ର ନାମ ଅନୁଯାୟୀ ସ୍ୱଭାବ ମଧ୍ୟ ସଦା ସନ୍ତୁଷ୍ଟ । ତାକୁ ଆପଣ ପାଖରେ ରଖନ୍ତୁ, ଦେଖିବେ, ଆପଣଙ୍କର ସ୍ୱଭାବରେ ମଧ୍ୟ ପ୍ରସନ୍ନତା ଓ ସନ୍ତୋଷଭାବ ପ୍ରକଟିତ ହେବ ।

ପ୍ରାରବ୍ଧଙ୍କୁ ଏକଥା ଭାରି ଭଲ ଲାଗିଲା । ସେ ସଦାନନ୍ଦକୁ ନିଜ ପାଖରେ ନିଯୁକ୍ତି ଦେଲେ । ତା’ର କାମ ହେଲା, ସର୍ବଦା ମାଲିକଙ୍କ ପାଖେ ପାଖେ ରହି ତାଙ୍କୁ ତୁଷ୍ଟ କରିବା ଓ ତାଙ୍କର ବିଭିନ୍ନ ଆବଶ୍ୟକତା ପୂରଣ କରିବା ।

ସଦାନନ୍ଦ, ମନପ୍ରାଣ ଦେଇ ପ୍ରାରବ୍ଧଙ୍କ ସେବାରେ ଲାଗି ପଡିଲା । ଯିଏ ବି ଦେଖୁଥାନ୍ତି, ସଦାନନ୍ଦର କାର୍ଯ୍ୟ ଦକ୍ଷତାର ଅନେକ ପ୍ରଶଂସା କରନ୍ତି । କିନ୍ତୁ ପ୍ରାରବ୍ଧଙ୍କ ମନର ଅବସ୍ଥା କିଛି ବି ବଦଳୁ ନ ଥାଏ । ଦିନେ ସେ ସଦାନନ୍ଦକୁ ପଚାରିଲେ, “ଦେଖିଲୁ, ମୋ ପାଖରେ ସୁଖର କେଉଁ ସାମଗ୍ରୀ ବା ଅଭାବ ରହିଛି? ତେବେ ବି ମୁଁ ଶାନ୍ତି ପାଇପାରୁନାହିଁ । କିନ୍ତୁ, ତୁ ଅବିଶ୍ରାନ୍ତ ଭାବେ ଖଟିଚାଲିଛୁ, ଅଥଚ ସବୁବେଳେ ହସହସ । ତୋ’ର ଏଇ ତୃପ୍ତିର ରହସ୍ୟ ମତେ ଜଣେଇଲୁ?”

ସଦାନନ୍ଦ ଓଲଟି ପ୍ରଶ୍ନ କଲା “ଏହି ସଂସାର ସୁଖ ଓ ଆନନ୍ଦରେ ଭରା । ଦୁଃଖ ବୋଲି କିଛି ନାହିଁ । ମୁଁ ତ ବୁଝିପାରୁନାହିଁ ଯେ, ଆପଣ କାହିଁକି ଦୁଃଖୀ ଓ ଅସନ୍ତୁଷ୍ଟ ରହୁଛନ୍ତି?”

ପ୍ରାରବ୍ଧ କହିଲେ “ପିଲାଦିନରୁ ମୁଁ ମଧ୍ୟ ଜାଣି ନ ଥିଲି ଯେ, ଏ ଦୁଃଖ କ’ଣ । ଶହେଟି ଟଙ୍କାକୁ ମୂଳଧନ କରି ମୁଁ ମୋ ବ୍ୟବସାୟ ଆରମ୍ଭ କରିଥିଲି । ମାତ୍ର ଏବେ ମୁଁ କୋଟିପତି । ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ, ମୁଁ ଏ ଗ୍ରାମକୁ ସ୍ଥାନ ପରିବର୍ତ୍ତନ ନିମନ୍ତେ ଆସିଛି । ମୋର ପରିବାର ଲୋକମାନେ ବ୍ୟବସାୟ କଥା ବୁଝୁଛନ୍ତି । ସେମାନେ ମୋତେ ଏଠାକୁ ଏକା ପଠାଇଦେଲେ । ସବୁକିଛି ଥାଇ, ସମସ୍ତେ ଥାଇ ମଧ୍ୟ ମୁଁ ଆଜି ନିଃସଙ୍ଗ, ସାଥିହୀନ । ଏହି ଚିନ୍ତାରେ, ମୁଁ ମ୍ରିୟମାଣ ହୋଇପଡୁଛି ।”

ଏ କଥାରେ ସଦାନନ୍ଦ ହସି ଦେଲା । କହିଲା, “ଆପଣଙ୍କର ତ ଏଥିରେ ଖୁସି ହେବା କଥା । ଆପଣଙ୍କ ଅନୁପସ୍ଥିତିରେ, ଆପଣଙ୍କ ପରିବାର ଲୋକ ସୂଚାରୁ ରୂପେ ବ୍ୟବସାୟ ପରିଚାଳନା କରିପାରୁଛନ୍ତି । ଆପଣ, ନିଜର ସୁଖପାଇଁ ମନଇଚ୍ଛା ଅର୍ଥ ଖର୍ଚ୍ଚ କରି ଆନନ୍ଦରେ ରହନ୍ତୁ ।”

ପ୍ରାରବଧ ମନମାରି କହିଲେ “କିନ୍ତୁ, ନିଜର ଲୋକ ପାଖରେ ରହି ସେବା କରିଥିଲେ, ମତେ ଯେଉଁ ଆନନ୍ଦ ମିଳିଥାନ୍ତା, ତାହା କ’ଣ ମୁଁ ଆଉ କେଉଁଥିରୁ ପାଇପାରିବି?”


ଗପ ସାରଣୀ

ତାଲିକାଭୁକ୍ତ ଗପ