ବହ୍ନି ଦ୍ୱୀପ

ରାକ୍ଷସ ଉଗ୍ରାକ୍ଷର ଅତିଥି ଭାବରେ ଥିବା ବେଳେ ରାତିରେ ରାଜା ଚିତ୍ରସେନ ଅଗ୍ନିଦ୍ୱୀପର ଭୟଙ୍କର ପକ୍ଷୀମାନଙ୍କ କଥା ଶୁଣି ସେମାନଙ୍କୁ ଦେଖିବାକୁ ଗଲେ । ଉଗ୍ରାକ୍ଷର ଅନୁଚରମାନଙ୍କ ସହ ସେ ପକ୍ଷୀମାନଙ୍କ ଉପରେ ସବାର୍ ହୋଇ ଆସିଥିବା ଲୋକଙ୍କର ଲଢେଇ ହେଲା । ଉଗ୍ରାକ୍ଷ ଆହତ ହେଲା । ତା’ପରେ…

ଉଗ୍ରାକ୍ଷ ନିଜ ସେବକ କାନ୍ଧରେ ଭରାଦେଇ ଠିଆ ହେଲା । ଯନ୍ତ୍ରଣା ଯୋଗୁଁ ଥରେ ସେ ଚିତ୍କାର କଲା । କିଛି ସମୟ ଚିନ୍ତା କରି ସେ ଚିତ୍ରସେନଙ୍କୁ କହିଲା, “ଚିତ୍ରସେନ! ଅବସ୍ଥା ଦେଖୁଛ ତ? ମୁଁ ଗୋଟିଏ ଯଶଶ୍ୱୀ ରାକ୍ଷସ ବଂଶର ସନ୍ତାନ । ଏ ବଣରେ ଯେଉଁଆଡେ ମନ ସେହିଆଡେ ମୁଁ ଅବାଧରେ ବିଚରଣ କରୁଥିଲି । ଆଜି କୁଆଡୁ ଗୁଡିଏ ମଣିଷ ପକ୍ଷୀ ଉପରେ ସବାର୍ ହୋଇ ଆସି ମୋ ଗର୍ବକୁ ଖର୍ବ କରିଦେଲେ । ଏହା କ’ଣ ମୋ ପକ୍ଷରେ କମ୍ ଅପମାନର ବିଷୟ?

                ଚିତ୍ରସେନ କହିଲେ, “ଉଗ୍ରାକ୍ଷ! ଚିନ୍ତା କରି କିଛିବି ଲାଭ ନାହିଁ । ତୁମେ ଓ ମୁଁ, ଆମେ ଦୁହେଁ ପରାଜିତ ହୋଇଛୁ! ଆମକୁ ଏ ମଣିଷମାନେ ପରାଜିତ କରି ନାହାଁନ୍ତି, ସେମାନେ ଯେଉଁ ପକ୍ଷୀ ଉପରେ ସବାର୍ ହୋଇ ଆସନ୍ତି, ସେହି ପକ୍ଷୀମାନେ ପରାଜିତ କରିଛନ୍ତି । ସେସବୁ ଭୀଷଣ ପକ୍ଷୀଙ୍କୁ ସାମ୍ନା କରିବା ପାଇଁ ଯେଉଁ ଧରଣର ଅସ୍ତ୍ରଶସ୍ତ୍ର ସବୁ ଆବଶ୍ୟକ, ବର୍ତ୍ତମାନ ଆମ ପାଖରେ ତାହା ନାହିଁ । ତେଣୁ ସେମାନଙ୍କୁ ଦମନ କରିବା ନିମନ୍ତେ ଆମକୁ କିଛି ଭିନ୍ନ ଉପାୟ କରିବାକୁ ପଡିବ ।

                ଚିତ୍ରସେନ ତାକୁ ସିନା ସାନ୍ତ୍ୱନା ଦେଉଥିଲେ, ବାସ୍ତବରେ ସେ ନିଜେ ମଧ୍ୟ କମ୍ ଚିନ୍ତିତ ନଥିଲେ । ଅବଶ୍ୟ ରାକ୍ଷସର ଭବିଷ୍ୟତ କଥା ଯେତେ ନୁହେଁ, ନିଜ ପ୍ରଜାଙ୍କ ଭବିଷ୍ୟତ କଥା ଭାବି ସେ ସେତେ ବିଚଳିତ ବୋଧ କରୁଥିଲେ ।

                ଉଗ୍ରାକ୍ଷ ପ୍ରାୟ ଭାଙ୍ଗି ପଡିଲା ଭଳି କହିଲା, “ଆମେ ସେଭଳି ଉପାୟ ଭାବି ବାହାର କରିବା ବେଳକୁ ସେ ଧୂର୍ତ୍ତ ଲୋକେ ମୋର ଏ ବଣ, ତମର ସେ ସୁନ୍ଦର ପ୍ରାସାଦ, ସବୁ ଦଖଲ କରିନେବେ । ସେମାନେ ଯେପରି ଦୁର୍ଦ୍ଦାନ୍ତ, ଠିକ୍ ସେହିପରି କ୍ଷୀପ୍ର ମଧ୍ୟ । ସେକଥା ବୁଝୁଛ ତ?”

                ଏଡେ ଭୟଙ୍କର ରାକ୍ଷସକୁ ଏଭଳି ଭୟଭୀତ ହେବାର ଦେଖି ଚିତ୍ରସେନଙ୍କୁ ବଡ ଅସୁବିଧା ଲାଗିଲା । ଉଗ୍ରାକ୍ଷ ପ୍ରତି ତାଙ୍କର ଦୟା ବି ଆସିଲା ।

                ଚିତ୍ରସେନ ପଚାରିଲେ, “ଉଗ୍ରାକ୍ଷ! ଅଗ୍ନିଦ୍ୱୀପର ଲୋକେ ଆମ ରାଜ୍ୟ ଓ ବଣ ଦଖଲ କରିବାକୁ ଚାହାଁନ୍ତି, ତମର କ’ଣ ଏଇଆ ଧାରଣା?”

                ଉଗ୍ରାକ୍ଷ ଚିନ୍ତାକ୍ଳିଷ୍ଟ ଭାବରେ କହିଲା “ସେଭଳି ଉଦ୍ଧେଶ୍ୟ ନଥିଲେ ସେମାନେ ବା କାହିଁକି ଆସି ବାରମ୍ବାର ଆମ ଉପରେ ଆକ୍ରମଣ କରିବେ?”

                ଚିତ୍ରସେନ ପଚାରିଲେ “କିନ୍ତୁ ଉଗ୍ରାକ୍ଷ, ସେମାନଙ୍କ ଉଦ୍ଧେଶ୍ୟ ଯଦି ସେଇଆ, ତେବେ ସେମାନେ କାହିଁକି ଜଣ ଜଣ କରି ଆମ ଲୋକଙ୍କୁ ହରଣଚାଲ କରି ନେଇ ଯାଉଛନ୍ତି?”

                ଉଗ୍ରାକ୍ଷ ମନସ୍ତାପ କରି କହିଲା “ତାହା ତ ବାସ୍ତବିକ ରହସ୍ୟମୟ । ଯଦି କୌଣସି ମତେ ଆମେ ସେ ଲୋକଙ୍କ ଭିତରୁ ଜଣକୁ କାବୁ କରି ଅଟକାଇ ପାରନ୍ତୁ, ତେବେ ତାକୁ ଜେରା କରି ତା’ଠୁ ସବୁ କଥା ବାହାର କରି ନିଅନ୍ତୁ । ଜଣକୁ ଧରିଥିଲୁ ଯେ; କିନ୍ତୁ ସେ ମରିଗଲା ।”

                “ଦିନେ ନା ଦିନେ ସେ ଲୋକଙ୍କ ଭିତରୁ କେଇଜଣଙ୍କୁ ଆମେ ଅବଶ୍ୟ ଧରି ପାରିବୁ । ସେଦିନ ସବୁ ରହସ୍ୟ ଜଣା ପଡିବ । ସେ ଅଗ୍ନିଦ୍ୱୀପ କେଉଁଠି? ଏ ଭୀଷଣ ପକ୍ଷୀମାନଙ୍କୁ ସେ ଧୂର୍ତ୍ତ ଲୋକେ କିପରି ବଣକୁ ଆଣିଲେ? ସେ ପକ୍ଷୀଙ୍କୁ ବାହନ କରି ଆମ ରାଜ୍ୟକୁ ଆସି ଲୋକଙ୍କୁ ଧରି ନେଇଯାଇ ସେମାନେ କ’ଣ ପାଉଛନ୍ତି? ଏସବୁ କଥା ଆମେ ଜାଣିବା ଅତ୍ୟନ୍ତ ଆବଶ୍ୟକ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ