ଲୋକ କଥା ଢଗ ଢମାଳି

ଅନୁଭବ ଉପଦେଶ

୧/ ଅକାଳେ ନିୟମ ନାସ୍ତି । (ଦୁଃଖସମୟରେ ନିୟମକୁ ମାନି ଚଳିବା ସମ୍ଭବ ନୁହେଁ ।)

୨/ ଆଁ କଲେ ବତିଶ ଦାନ୍ତ ଦିଶେ । (ପେଟର ଗୁମର ପଦାରେ ପଡିଯିବା ।)

୩/ ଆଗତ ପଂଚା, ସବୁ କଂଚା । (କଂଚା ଫଳ ପାଚିଲେ ଖାଇବାର ଆଶା ଓ ଭବିଷ୍ୟତରେ ଫଳ ପାଇବା କଥାକୁ ଭାବିବା, ଏକା କଥା । ଆଗତ ପାଂଚ ଭଲ ନୁହେଁ ।)

୪/ ଆଲୋ ସଖି, ଆପଣା ମହତ ଆପେ ରଖି । (ନିଜର ସମ୍ମାନ ନିଜର କାର୍ଯ୍ୟ ଉପରେ ନିର୍ଭର କରେ ।)

୫/ କଥା ମାଜିଲେ ମୋଟ, ସୂତା ମାଜିଲେ ସରୁ । (ଗୋଟିଏ କଥାକୁ ଧରିବସି ବାରମ୍ବାର ଆଲୋଚନା କଲେ ତାହା କ୍ରମେ ବଡ ଆକାର ଧାରଣ କରେ ।)

୬/ ଝାଟିମାଟି ଚାଳଘର, ନିଆଁ-ପାଣିକି ସଦା ଡର ।

୭/ ତିନିଘର କୁଣିଆ ଉପାସ ରହେ । (ଅନ୍ୟ ବ୍ୟକ୍ତି କୁଣିଆଙ୍କର ତତ୍ତ୍ୱ ନେବ ବିଚାରି କେହି ଦାୟିତ୍ୱ ନେବା ହେତୁ ।)

୮/ ତୋଳିବାକୁ ସହସ୍ର ଦିନ, ଭାଙ୍ଗିବାକୁ କ୍ଷଣେ । (କୌଣସି ବସ୍ତୁ ଗଢିବା କଷ୍ଟ; କିନ୍ତୁ ଭାଙ୍ଗିବା ଅତି ସହଜ ।)

୯/ ଦିନ ଯାଏ, କଥା ରହେ । (ଦିନଦିନକର କଥା ବହୁକାଳକୁ ମନେରହେ ।)

୧୦/ ନିଆଁ ନ ଥାଇ ଧୂଆଁ ବାହାରେ ନାହିଁ । (କାରଣ ନ ଥାଇ କାର୍ଯ୍ୟ ଦେଖାଯିବା ସମ୍ଭବ ନୁହେଁ ।)

୧୧/ ବଡ ଥିଲେ ପଚାରି, ସାନ ଥିଲେ ବିଚାରି ।

୧୨/ ବିନାଶ କାଳେ ବିପରୀତ ବୁଦ୍ଧି ।

୧୩/ ବିଷ୍ଠାକୁ ଘାଂଟିଲେ ଗନ୍ଧେଇବ ସିନା; ବାସିବ ନାହିଁ । (ନୀଚ ଓ ଘୃଣ୍ୟ କାର୍ଯ୍ୟର ଅଧିକ ଆଲୋଚନା ଅବାଛନୀୟ ।)

୧୪/ ଯେଉଁଠି ଠିକନ୍ତି, ସେଇଠି ଶିଖନ୍ତି । (ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷା କରେ ।)

୧୫/ ରୋଗର ଶେଷ, ଋଣର ଶେଷ, ରଖିଲେ ସର୍ବନାଶ ।

୧୬/ ସବୁ ଯାଉ ମହତ ଥାଉ, ମହତ ଗଲେ ନ ମିଳେ ଆଉ ।

୧୭/ ସମ୍ପଦବେଳେ ନ କରିବ ଚାତର, ବିପଦବେଳେ ନ ହୋଇବ କାତର ।

୧୮/ କାନ ଦେବ, ଜିଭ ଦେବ ନାହିଁ । (ସବୁ ଶୁଣିବ; କିନ୍ତୁ ହଠାତ୍ ନିଜର ମତାମତ ବ୍ୟକ୍ତ କରିବ ନାହିଁ ।)

୧୯/ ନଖରେ ଛିଣ୍ଡିବା କଥା କୁରାଢି ଯାଏଁ କିଆଁ ଯିବ?

୨୦/ ନିଜ ବୁଦ୍ଧିରେ ଘାସ କାଟିବ, ପରବୁଦ୍ଧିରେ ଘୋଡା ଚଢିବ ନାହିଁ ।

୨୧/ ଅଳପ ଆୟୀ, ବହୁତ ବ୍ୟୟୀ, ଛୋଟ ପଣତ ପରାୟେ ସେହି । (ସ୍ୱଳ୍ପ ଆୟ ଛୋଟ ପଣତ ପରି ସର୍ବଦା ନିଅଂଟ ହୁଏ ।)

୨୨/ ଆୟ ଦେଖି ବ୍ୟୟ କର ।

୨୩/ ଆୟ ଦଶ ବ୍ୟୟ ଦଶ, ସବୁବେଳେ ହସହସ,

     ଆୟ ଦଶ ବ୍ୟୟ ବାଆର, ଦଉଡରେ ଭାଇ ସାହୁଘର,

     ବ୍ୟୟ ଆଠ ଆୟ ଦଶ, ନିଶରେ ହାତ ମାରି ବସ ।

୨୪/ ନିକିତି ତଉଲ ସାନବଡକୁ, ଯେହୁ ବଡ ହୁଏ ସେହୁ ତଳକୁ ।

୨୫/ କଳନ୍ତର ଆଗରେ ଘୋଡା ଦଉଡିପାରେ ନାହିଁ । (କରଜ ଟଙ୍କାର ସୁଧ ହୁ-ହୁ ବଢିଯାଏ ।)

୨୬/ ଠାକୁର ଖାଇ ଖଟୁଲି ଖାଇବା । (ଲାଭାଂଶ ଭୋଗ କରି ମୂଳଧନ ଖାଇଯିବା ।)

୨୭/ ଥିଲେ ବାଘର ଆହାର, ନ ଥିଲେ ପବନ ଆହାର । (ପାଖରେ ଧନ ଥିଲାବେଳେ ଲୋକ ଭୁରି ଭୋଜନରେ ଦିନ ଯାପନ କରେ ଏବଂ ପାଖରେ ଧନ ନଥିଲାବେଳେ କୌଣସି ପ୍ରକାରେ ପ୍ରାଣ ରକ୍ଷାକରେ ।)

୨୮/ ଦୀପ ତେଜିଲେ ହାତ ଚିକ୍କଣ । (ପରର ଧନ କାରବାର କରିବା ଲୋକର ମଧ୍ୟ ଅର୍ଥିକ ଲାଭ ହୁଏ ।)

୨୯/ ଦେଉଳକୁ ମୁକୁଶିଆଳି (ମୁଖଶାଳା) ବଳିଯିବା । (ଆୟକୁ ବ୍ୟୟ, ଲାଭକୁ କ୍ଷତି, ମୂଳଧନକୁ ସୁଧ ବଳିପଡିବା ।)

୩୦/ ପଇସା ନେବ ଗଣି, ପାଣି ପିଇବ ଛାଣି ।

୩୧/ ବସି ଖାଇଲେ ନଈବାଲି ସରେ । (ଉପାର୍ଜନ ନ କରି ଘରେ ବସି ଆଳସ୍ୟରେ ବ୍ୟୟ କଲେ ନଈବାଲିପରି ଅକଳନା ସମ୍ପତ୍ତି ମଧ୍ୟ ନିଃଶେଷିତ ହୋଇଯାଏ ।)

୩୨/ ବାପ ରୋପିଲା ତାଳ, ପୁଅ ମୁଣ୍ଡକୁ କାଳ । (ବାପ କରିଯାଇଥିବା ଋଣ ବଢି ବଢି ପୁଅକୁ ବିପଦରେ ପକାଏ ।)

୩୩/ ଯେତିକି ଚୁନାକୁ ସେତିକି ପିଠା । (ଆୟ ଘେନି ବ୍ୟୟ)

୩୪/ ଯେବେ ଆଣିବୁ ଅରଜି ତେବେ ଖାଇବୁ ଗରଜି । (ବ୍ୟୟ ଆୟ ଉପରେ ନିର୍ଭରଶୀଳ ।)

୩୫/ ସମୁଦ୍ରକୁ ଶଙ୍ଖେ ପାଣି । (ପ୍ରୟୋଜନ ଅନୁସାରେ ଯୋଗାଣ ଅତି କମ୍ ହେବ ।)

ଆଳସ୍ୟ

୧/ ଅଳସୁଆର ବାରବାଟି ଚାଷ । (ଅଳସୁଆ ଓ ନିକମା ଲୋକର ଗାଲୁଗିରି ଓ ବୃଥା ପୌଢି ପ୍ରଦର୍ଶନ ।)

୨/ କାମ ନ ଥାଇ ମୁକୁର ସେବା । (କାମ ନ ଥିଲେ ଆରିଶି ଧରି ମୁହଁ ଦେଖିବା ବା ସେହିପରି ଅନ୍ୟ କୌଣସି ମୂଲ୍ୟହୀନ କାର୍ଯ୍ୟରେ ଅତିବାହିତ କରିବା ।)

୩/ କୁଟାଖଣ୍ଡକ ଦିଖଣ୍ଡ ନ କରିବା । (ଆଳସ୍ୟପରାୟଣ ଅର୍କମଣ୍ୟ ବ୍ୟକ୍ତି)

୪/ ଠାପୁଆ ବଳଦ ରକ୍ଷା ପାଏ, ଠାପୁଆ ମଣିଷ ନାଶ ଯାଏ ।

୫/ ନାଗିଖିଆକୁ ମାଗିଖିଆ ସରି ନୁହେଁ ।

୬/ ପାଗ ବାନ୍ଧୁ ବାନ୍ଧୁ କଚେରି ବରଖାସ୍ତ । (ଆଳସ୍ୟପରାୟଣ ଦୀର୍ଘସୂତ୍ରୀ ବ୍ୟକ୍ତି ପ୍ରତି ଆକ୍ଷେପୋକ୍ତି ।)

୭/ ପେଲିଲା କୁକୁର କି ପାରିଧି କରେ । (ବାଧ୍ୟବାଧକତାରେ କାର୍ଯ୍ୟ ସିଦ୍ଧ ହୁଏ ନାହିଁ ।)

୮/ ପୋଲା ଖିଆ, ମେଲା ଶୁଆ । (ଶ୍ରମ ନ କରି ଅନ୍ୟ ଉପରେ ନିର୍ଭର କରି ଚଳୁଥିବା ବ୍ୟକ୍ତି ।)

୯/ ବସିବାଠାରୁ କାଶିବା ଭଲ । (ଆଳସ୍ୟରେ ସମୟ ଅତିବାହିତ କରିବାଠାରୁ ସାମାନ୍ୟ କାର୍ଯ୍ୟ କରିବା ଭଲ ।)

୧୦/ ବସ୍ଲା ଲୋକ କସ୍ଲେ ମଲା, କସ୍ଲା ଲୋକ ବସ୍ଲେ ମଲା । (ସମ୍ବଲପୁର ଅଂଚଳରେ ପ୍ରଚଳିତ ।) ଉଦ୍ଯୋଗୀ ପୁରୁଷ ଆଳସ୍ୟରେ ବସିରହିଲେଏବଂ ସୁସ୍ଥୀ ଆଳସ୍ୟପରାୟଣ ଲୋକ କାର୍ଯ୍ୟ କଲେ ରୋଗାକ୍ରାନ୍ତ ହୁଅନ୍ତି ।

୧୧/ ମଠରେ ଖାଇ ଖଟରେ ଶୋଇବା । (ଉଦ୍ୟମହୀନ ଓ ଚିନ୍ତାଶୂନ୍ୟ ଭାବରେ କାଳଯାପନ କରିବା ।)

୧୨/ ମାଗି ଖାଏ ଯେ ଲାଗେ ନାହିଁ, ଲାଗି ଖାଏ ଯେ ମାଗେ ନାହିଁ । (ଭିକ୍ଷୁକ ଓ ପରିଶ୍ରମୀ ବ୍ୟକ୍ତିର ତୁଳନା)

୧୩/ ଯତ୍ନ କଲେ ରତ୍ନ ମିଳେ । (ଉଦ୍ଯୋଗ ସର୍ବସିଧ ଉନ୍ନତିର ମୂଳ ।)

୧୪/ ଯିଏ ଦୁଧ ଖାଇବ, ସେ ନାତ ସହିବ । (ସୁଖଭୋଗ କରିବାକୁ ହେଲେ, ପ୍ରଥମେ କଷ୍ଟ ସ୍ୱୀକାର କରିବାକୁ ପଡିବ ।)

୧୫/ ମୁଣ୍ଡ ଅରଜିଲେ, ତୁଣ୍ଡ ଖାଏ ।

୧୬/ ଯେଝା ହାତରେ ଯେ ଚଉଦପା । (ଆତ୍ମନିର୍ଭରଶୀଳ ହେବା-ସମସ୍ତଙ୍କ ସମକକ୍ଷ ହେବା ।)

୧୭/ ଯେତେ ଜଳକୁ ଯିବ, ସେତେ ଫଳ ପାଇବ । (ଶ୍ରମ ଓ ନିଷ୍ଠା ଅନୁଯାୟୀ ଫଳ ।)

୧୮/ ସଳଖ ସୁନ୍ଦର ଭେଣ୍ଡିଆଟିଏ, ହାତ ଗୋଡ ନାହିଁ ଖଣ୍ଡିଆଟିଏ । (ସବଳ ଓ ସୁନ୍ଦର ଅଥଚ ଅକର୍ମଣ୍ୟ ଆଳସ୍ୟପରାୟଣ ଲୋକ)

୧୯/ ହାତରେ ଖଡା ନ ସିଝିବା । (ଅତ୍ୟନ୍ତ ଅକର୍ମଣ୍ୟ ଲୋକ ।)

୨୦/ ହାତ ପାତିଲେ କି ଗଛରୁ ଫଳ ପଡିବ? (ବିନା ପରିଶ୍ରମରେ ଫଳଲାଭ ଅସମ୍ଭବ ।)

୨୧/ ହେଳା କଲେ ଭେଳା ବୁଡେ । (ଆଳସ୍ୟପରାୟଣତା ଓ ଉଦ୍ୟମହୀନତା ମନୁଷ୍ୟର ସର୍ବନାଶର ମୂଳ ।)

୨୨/ ଘିଅଖିଆ ଦିହ ତରଳିପଡୁଛି! (ବିନା ପରିଶ୍ରମରେ ଦେହରୁ ଝାଳ ବୋହୁଥିବା ଲୋକପ୍ରତି କଟାକ୍ଷ-ବଚନ ।)

୨୩/ ଚେଇଁ ଶୋଇବ ଯିଏ, ତାକୁ ଉଠାଇବ କିଏ?

୨୪/ ନିୟତ ଘେନି ବରକତ । (ନିଷ୍ଠା ଅନୁଯାୟୀ ମନୁଷ୍ୟ ପୁରସ୍କୃତ ହୋଇଥାଏ ।)

୨୫/ ଉଦ୍ୟମ କଲେ ସର୍ବସିଦ୍ଧି, ଜାଣିବ ଏହୁ ମହାନିଧି ।

୨୬/ ଆପଣା ଶିଙ୍ଗରେ ଭୂଇଁ ତାଡିବା । (ସ୍ୱାବଲମ୍ବୀ ହେବା ।)

୨୭/ ପାଇଟିକି ପାରିବି ନାହିଁ, ଖାଇବାରେ ହାରିବି ନାହିଁ । (ଅଳସୁଆ କର୍ମକୁଣ୍ଠ ଲୋକ ପ୍ରତି ପ୍ରଯୁଜ୍ୟ)

ଗପ ସାରଣୀ

ତାଲିକାଭୁକ୍ତ ଗପ