ତିନି ତ୍ୟାଗୀ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ମଧ୍ୟରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ, ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷ ନିକଟକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି, ଶବଟିକୁ ଉତାରି ଆଣି, ତାକୁ ନିଜ କାନ୍ଧରେ ପକାଇ ସେ ସେହି ଶୂନ୍ ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ତୁମର ବହୁତ ଧୈର୍ଯ୍ୟ, ତୁମେ ଜଣେ ସମ୍ରାଟ, ଯାହା ଚାହିଁବ ତୁମ ପାଦ ତଳେ ଆସି ତାହା ତୁରନ୍ତ ପହଁଚିବ; କିନ୍ତୁ ତଥାପି ସବୁ ସୁଖ ଭୋଳରେ ଜଳାଞ୍ଜଳି ଦେଇ ଏହି ମହାଶ୍ମଶାନରେ ରାତି ଅଧରେ ବୁଲୁଛ । ଏସବୁ ଦେଖି ମୁଁ ଯେତିକି ଆଶ୍ଚର୍ଯ୍ୟ ହେଉଛି; ସେତିକି ମୋର ସନ୍ଦେହ ମଧ୍ୟ ହେଉଛି । ରାଜା ସର୍ବଦା ସାବଧାନ ରହିବା ଉଚିତ୍, କେବଳ ଶତୃଙ୍କ ପାଇଁ ନୁହେଁ, ମିତ୍ରଙ୍କ ପାଇଁ ଓ ସେବକଙ୍କ ପାଇଁ ମଧ୍ୟ । ନିଜର ଜଣେ ଗୁପ୍ତଚର ପାଇଁ ରାଜା ଚନ୍ଦ୍ରସେନ କିପରି ତାଙ୍କ ଜୀବନକୁ ମଧ୍ୟ ତୁଚ୍ଛ ମଣିଥିଲେ । କାହାଣୀଟି କହୁଛି ମନ ଦେଇ ଏବେ ତାହା ଶୁଣ, ଶୁଣିଲେ ତୁମ ଶ୍ରମଭାର ଲାଘବ ହେବ ।” ଏଥିଉତାରେ ସେ ବେତାଳ ଗପିଲା ।

                – ବହୁପୂର୍ବର ଘଟଣା – ଚନ୍ଦ୍ରପୁର ରାଜ୍ୟର ରାଜା ଚନ୍ଦ୍ରସେନଙ୍କ ଦରବାରରେ ଶିବଦତ ନାମକ ଏକ ଯୁବକ ଗୁପ୍ତଚର ଭାବେ କାମ କରୁଥିଲା । ତା’ର ରାଜଭକ୍ତି ଅତୁଳନୀୟ । ରାଜା ତାକୁ ବହୁତ ଭଲ ପାଉଥିଲେ । ସେ ରାଜାଙ୍କର ଅତି ବିଶ୍ୱସ୍ତ ଥିଲା, ବୁଦ୍ଧିରେ ମଧ୍ୟ ବିଚକ୍ଷଣ ।

                ମଣିପୁର ହେଉଛି ଚନ୍ଦ୍ରପୁର ରାଜ୍ୟର ପଡୋଶୀ ରାଜ୍ୟ । ପ୍ରଚଣ୍ଡ ସେଠାକାର ରାଜା ଥିଲେ । ସେ ସଦା ସର୍ବଦା ହଠାତ୍ ଆକ୍ରମଣ କରି ଚନ୍ଦ୍ରପୁର ରାଜ୍ୟକୁ ହସ୍ତଗତ କରିବାକୁ ଚାହୁଁଥା’ନ୍ତି । ଚନ୍ଦ୍ରସେନ ଭାବିଲେ, “ବରଂ ସେ ଆକ୍ରମଣ କରିବା ପୂର୍ବରୁ ଆମେ ଆକ୍ରମଣ କରିଦେବା ।” ସେଥିପାଇଁ ସେ ଦିନେ ଶିବଦତକୁ ଡାକି କହିଲେ ଯେ ସେ ଯେପରି ମଣିପୁର ଯାଇ ସେ ରାଜ୍ୟରୁ ଗୋପନରେ ଖବର ସଂଗ୍ରହ କରିବ । ରାଜା ଜାଣିବାକୁ ଚାହୁଁଥିଲେ ଯେ ତାଙ୍କର କେତେ ସୈନ୍ୟ, ହତିଆର କେତେ ଓ ଯୁଦ୍ଧ ଯୋଜନା କିପରି; ଦୁର୍ଗ ଭିତରକୁ ସହଜରେ ପ୍ରବେଶ କରିବାର ମାର୍ଗ କ’ଣ ଇତ୍ୟାଦି ।

                ପରଦିନ ଶିବଦତ ଏକ ସାଧାରଣ ନାଗରିକର ଛଦ୍ମବେଶରେ ମଣିପୁରକୁ ଗଲା । ଅତି ଚତୁରତାର ସହିତ ସମସ୍ତ ଖବର ସଂଗ୍ରହ କରିବା ପରେ ଏକ ଜଙ୍ଗଲି ରାସ୍ତା ଦେଇ ସେ ବହୁତ ତରବରରେ ଫେରୁଥିଲା । ହଠାତ୍ ଦେଖିଲା ଗୋଟିଏ ଗଛମୂଳେ ଏକ ବିରାଟ ରାକ୍ଷସ ଶୋଇଛି । ସେ ଛାନିଆରେ ସେଇଠୁ ଫେରି ପଛକୁ ଦୌଡିଲା । କିନ୍ତୁ ରାକ୍ଷସର ନିଦ ଭାଙ୍ଗିଗଲା ଓ ସେ ଗୋଡେଇ ଗୋଡେଇ ଯାଇ ତାକୁ ଧରିଲା ଓ ଡାହାଣ ହାତରେ ତାକୁ ଉଠାଇ ନେଲା ।

                ଶିବଦତ ଥରି ଥରି କହିଲା, “ରାକ୍ଷସ, ଅଳ୍ପ କେତେ ସମୟ ମୋତେ ଦିଅ, ମୁଁ ମୋର କାର୍ଯ୍ୟ ପୂର୍ଣ୍ଣ କରିବା ପରେ ତୁମ ପାଖକୁ ନିଜେ ଲେଉଟି ଆସିବି । ମୁଁ ମହାରାଜ ଚନ୍ଦ୍ରସେନଙ୍କ ନିକଟରେ ଗୁପ୍ତଚର ରୂପେ କାମ କରେ । ପଡୋଶୀ ରାଜ୍ୟର ରାଜା ଆକ୍ରମଣ କରି ଆମ ରାଜ୍ୟକୁ ଦଖଲ କରିବାକୁ ଚାହାଁନ୍ତି । ତେଣୁ ଶତୃରାଜାଙ୍କର ସୈନ୍ୟ ଓ ଯୁଦ୍ଧ ଯୋଜନା ବିଷୟରେ ଖବର ସଂଗ୍ରହ କରିବାକୁ ମୁଁ ଯାଇଥିଲି । ରାଜା ମୋତେ ଅପେକ୍ଷା କରିଥିବେ । ମୁଁ ତାଙ୍କୁ ଖବର ସବୁ ଦେବା ପରେ ତୁମ ପାଖକୁ ନିଶ୍ଚୟ ଫେରି ଆସିବି । ତା’ କଥା ଶୁଣି ରାକ୍ଷସ ହସି ଦେଇ କହିଲା, “ମୁଁ ଏଥର ଛାଡିଦେଲେ, ପୁଣି ତୋତେ ପାଇବି? ମୋତେ ବି କହିଦେ ଯେ ତୁ କି ଖବର ନେଇ ଯାଉଛୁ?”

                ଶିବଦତ ଦୃଢ ସ୍ୱରରେ କହିଲା, “ମହାରାଜାଙ୍କ ବ୍ୟତୀତ ମୁଁ ଏହି ଖବର ଆଉ କାହାରିକୁ ମଧ୍ୟ କହିବି ନାହିଁ । ରାକ୍ଷସ ମଧ୍ୟ ଜିଦ୍ କରି କହିଲା, “ଏକ୍ଷଣି କହିଦେ, ନହେଲେ ମୁଁ ତତେ ଗିଳି ପକାଇବି ।”

                ଶିବଦତ ସାହସର ସହିତ କହିଲା, “ଯାହା ଇଚ୍ଛା କର । ଶିବଦତର ଏଭଳି ଉତ୍ତରରେ ରାକ୍ଷସ ବଡ ଆଶ୍ଚର୍ଯ୍ୟ ହୋଇ କହିଲା, “ମୁଁ ତୋ ଉପରେ ପ୍ରସନ୍ନ ହୋଇଛି । ରାଜାଙ୍କୁ ଯାହା କହିବା କଥା କହିବା ପରେ ଏଠାକୁ ଚାଲିଆସ୍ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ