ଗ୍ରହଣ ଛୁଟା

ଶଭରୀ ଜମିଦାରଙ୍କ କାମରେ ଯାଉଥିଲା । ହଠାତ୍ ମେଘ ବର୍ଷିବାକୁ ଆରମ୍ଭ କଲା ଓ ସଂଧ୍ୟା ମଧ୍ୟ ହେବାକୁ ଗଲା । ସେ ଭାବିଲା ବରଂ ଯେଉଁଠି ହେଉ ପଛେ ରହିଯିବା ତା’ପାଇଁ ଭଲ । ବିଜୁଳି ଆଲୁଅରେ ସେ ଦେଖିଲା, ଅଦୂରରେ କେତୋଟି ଖପରୁଲି ଘର । ଏଣୁ ସେ ଶୀଘ୍ର ଯାଇ ସେଠାରେ ପହଁଚି କବାଟ ବାଡେଇଲା । ସଙ୍ଗେସଙ୍ଗେ ଜଣେ ବୁଢା ଛୋଟ ଲଣ୍ଠନଟିଏ ଧରି ଆସି କବାଟ ଫିଟାଇଲା । ତା’ର ଗୋଟିଏ ଗୋଡ ଛୋଟା । ସେ କହିଲା, “ଭିତରକୁ ଆସ, ବର୍ଷାରେ ଆଉ ଭିଜି ଯାଇନା ତ? ଏହି ଅନ୍ଧାର ବର୍ଷା ରାତିରେ ତୁମେ କୁଆଡେ ଯାଉଥିଲ?”

                ଶଭରୀ କହିଲା, “ମୁଁ ସର୍ବେଶ୍ୱରପୁର ଜମିଦାରଙ୍କ ପ୍ରହରୀ । ଜମିଦାରଙ୍କ ସାନପୁଅ ପାଇଁ ତାଙ୍କ ମାମୁଁ ଘରୁ ଗୋଟିଏ ବିଲେଇଛୁଆ ଆଣିବାକୁ ଯାଉଥିଲି । ନୂଆ ପ୍ରକାରର ବିଲେଇ । ଛୋଟବାବୁ ଯିଦ୍ ଧରିଛନ୍ତି ଯେ ବିଲେଇଛୁଆ ନ ଆସିଲେ ସେ ମୋଟେ ଖାଇବେ ନାହିଁ । ଜମିଦାର ତାଙ୍କ ସାନପୁଅକୁ ବହୁତ ଭଲ ପାଉଥିଲେ । ତେଣୁ ସେ ଯାହା ଚାହିଁବେ ସଙ୍ଗେସଙ୍ଗେ ତାଙ୍କ ଇଚ୍ଛା ପୂର୍ଣ୍ଣ ହୁଏ । ସେଇଥିପାଇଁ ମୁଁ ଯାଉଥିଲି ।”

                ଏକଥା ଶୁଣି ସେ ବୁଢା ହସି ହସି କହିଲା, “ତୁମର ବୟସ ହୁଏତ ପଚିଶ ହୋଇ ନାହିଁ । ତୁମେ ସିନା ଖଣ୍ଡା ଓ ଢାଲ ଧରି ରାଜ୍ୟରକ୍ଷା କରନ୍ତ, ମାତ୍ର ତା’ବଦଳରେ ତୁମେ ବିଲେଇଛୁଆ ଆଣିବାକୁ ଯାଉଛ? ନିଜର ଦେଶ ଓ ରାଜ୍ୟ ରକ୍ଷା କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଏସବୁ ଭୁଲି ଯାଇ ତୁମେ ଏଇସବୁ କାମ କରୁଛ ।”

                ବୁଢାଙ୍କର ଏପରି ତୀବ୍ର କଥା ଶୁଣି ଶଭରୀର ମନ ହଠାତ୍ ବହୁତ ଖରାପ୍ ହୋଇଗଲା । ତା’ପରେ ସେ ବୁଢା ତା’ପିଠି ଥାପୁଡେଇ ସ୍ନେହରେ କହିଲା, “ଠିକ୍ ଅଛି, କିନ୍ତୁ ମାସକ ପୂର୍ବରୁ ଆମ ରାଜ୍ୟରେ କ’ଣସବୁ ଘଟିଯାଇଛି ତୁମେ ସେ ବିଷୟରେ କିଛି ଜାଣିଛ କି?”

                ତାଙ୍କ କଥା ଶୁଣି ଶଭରୀ କହିଲା “ଜଣେ ରାଜା ସମୁଦ୍ର ଭିତରକୁ ଯାଇଥିଲେ ମାତ୍ର ସେଠାରେ ଡଙ୍ଗା ବୁଡିଯାଇ ରାଜା ମରିଗଲେ ।”

                ବୁଢା କହିଲେ, “ଆଚ୍ଛା, ତେବେ ତୁମେ ଏହାଠାରୁ ଅଧିକ ଆଉ କିଛିବି ଖବର ପାଇନାହଁ? ତେବେ ଶୁଣ । ଅଳକାନନ୍ଦା ହେଉଛନ୍ତି ସେ ରାଜାଙ୍କର ଏକମାତ୍ର କନ୍ୟା । ସେ ଯାହାକୁ ବିବାହ କରିବେ, କେବଳ ସେହିଁ ଏହି ରାଜ୍ୟର ରାଜା ହେବେ । ରାଜକୁମାରୀ ଘୋଷଣା କଲେ ଯେ ତାଙ୍କର ତିନୋଟି ପ୍ରଶ୍ନର ଉତ୍ତର ଯିଏ ଠିକ୍ ଭାବରେ ଦେବ ସେହିଁ କେବଳ ତାକୁ ବିବାହ କରିବେ । ଆଉ ଯଦି ଉତ୍ତର ଦେଇ ନ ପାରିବ ତେବେ ତାକୁ କୁମ୍ଭୀର ମୁହଁକୁ ପକାଇ ଦିଆଯିବ ।”

                ଶଭରୀ ପଚାରିଲା “ଏସବୁ କଥା ଆପଣ କିପରି ଜାଣିଲେ?”

                “ମୁଁ ରାଜାଙ୍କର ଦେହରକ୍ଷୀ ଭାବରେ ପନ୍ଦରବର୍ଷ କାମ କରିଛି, ଥରେ ରଥରେ ରାଜା ଯିବାବେଳେ, ରଥ ଦୁର୍ଘଟଣାର ସମ୍ମୁଖୀନ ହେବାବେଳେ, ମୁଁ ରାଜାଙ୍କୁ ରକ୍ଷା କରିବାକୁ ଯାଇ ପାଦଟିଏ ହରାଇଛି । ଏ ସ୍ଥାନ ମୋର ନିଜସ୍ଥାନ; ତେଣୁ ଏଠାରେ ରହି ମୁଁ ମୋର ଶେଷ ଦିନ ଗୁଡିକ ବିତାଉଛି । ଏହାଛଡା ମୋର ଜଣେ ଅନ୍ତରଙ୍ଗ ବ୍ୟକ୍ତିଠାରୁ ମୁଁ ରାଜାଙ୍କ ଅନ୍ତଃପୁରର ଖବର ପାଏ । ତୁମେ ଏହି ବିଲେଇଛୁଆ କଥା ବାଦ ଦେଇ ରାଜଧାନୀ ଫେରିଯାଅ । ରାଜକୁମାରୀଙ୍କର ଏହି ଖରାପ୍ ଅଭ୍ୟାସ ବନ୍ଦ କରିବାକୁ ଚେଷ୍ଟାକର । କାରଣ ତାଙ୍କର ଏହି କ୍ରୁର ବ୍ୟବହାର ବନ୍ଦ ନକଲେ ସେଥିରେ କେତେ ଲୋକ ଯେ ବଳୀ ପଡି ଚାଲିଥିବେ, କୁହ? ଏସବୁ ତୁମେ ଯଦି ବନ୍ଦ କରିପାରିବ ତେବେ ଜଣାପଡିବ ଯେ ତୁମେ ତୁମର ମାନବଧର୍ମ ପ୍ରକୃତରେ ରଖି ପାରିଛ ।”

                ଏହାପରେ ସେ ଶଭରୀ ତଳକୁ ମଥା ପୋତି କିଛି ସମୟ ଭାବିବା ପରେ କହିଲା, “ଠିକ୍ ଅଛି । ଆପଣ ଆଶିର୍ବାଦ ଦିଅନ୍ତୁ । ମୁଁ ରାଜଧାନୀକୁ ଯିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ