କନ୍ୟା ନର୍ମଦା

ମଇକାଲ ପର୍ବତମାଳା ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରା ଅତ୍ୟନ୍ତ ଶୋଭନୀୟ ଅଂଚଳ ଥିଲା । ଛଅ ଋତୁଯାକ ସେଠାରେ ପୂର୍ଣ୍ଣ ଭାବରେ ବିକଶିତ ହେଉଥିଲେ । ସେଠି ଦେବଦେବୀମାନେ ଭ୍ରମଣ କରିବାକୁ ଭାରି ସୁଖ ପାଉଥିଲେ । ଶିବ ଥରେ ସେଠାରେ ଅବତରଣ କଲେ । ଉକ୍ତ ସ୍ଥାନର ସୌନ୍ଦର୍ଯ୍ୟ ଓ ଶାନ୍ତିରେ ମୁଗ୍ଧ ହୋଇ ସେ ସେଠାରେ ଧ୍ୟାନମଗ୍ନ ହେଲେ । ଏହି ଭିତରେ ଦୀର୍ଘକାଳ ବିତିଗଲା । ଶିବ ସେମିତି ନିଶ୍ଚଳ ରହିଥାନ୍ତି । ତାଙ୍କର ସେ ସୌମ୍ୟ ରୂପ ଅବର୍ଣ୍ଣନୀୟ । ସେଥିରେ ସମଗ୍ର ପ୍ରକୃତି ମୁଗ୍ଧ ହେଲା । ଏହି ସମୟରେ ହଠାତ୍ ଗୋଟିଏ ଅଭାବନୀୟ ଘଟଣା ଘଟିଲା: ତାଙ୍କ ବିକିରୀତ ସେହି ସୌମ୍ୟ ସୌନ୍ଦର୍ଯ୍ୟ ହଠାତ୍ ଏକ ସୁନ୍ଦରୀ କନ୍ୟାର ରୂପ ନେଲା । ହଠାତ୍ ସୃଷ୍ଟ ସେହି କନ୍ୟା ଶିବଙ୍କୁ ପ୍ରଣିପାତ ପୂର୍ବକ କହିଲେ, “ପିତା! ମୋତେ ଏହି ବର ଦିଅ ମୁଁ ଯେମିତି ଚିରଦିନ ମୁକ୍ତ ଓ ସୁଖୀ ରହିବି ।”

                ତା’ର ଇଚ୍ଛା ଜାଣି ଶିବ କହିଲେ “ତଥାସ୍ତୁ!” ସେ ତାଙ୍କ କନ୍ୟାର ନାମ ନର୍ମଦା ଦେଲେ, ଅର୍ଥାତ୍ ସିଏ ସର୍ବଦା ଅନ୍ୟ ହୃଦୟରେ ସମ୍ବେଦନ ସଂଚାର କରିପାରେ । ଲତା ପୁଷ୍ପ-ସୁଶୋଭିତ ପର୍ବତମାଳା ଭିତରେ ନାଚି ଖେଳି ନର୍ମଦା ବୁଲୁଥାନ୍ତି – ସେ ଅବା ସେ ଅରଣ୍ୟର ପ୍ରାଣ-ଦେବୀ! ପବନ ଭଳି ସେ ଚଳ ଚଂଚଳ ହେଉଥିଲେ । ମୃଗ, ମୟୁର ଓ ବନସ୍ତର ଅନ୍ୟ ପ୍ରାଣୀମାନେ ତା’ର ସହଚର ହୋଇଥାନ୍ତି । ସେମାନଙ୍କ ସହ ସେ ହସୁଥାନ୍ତି ଓ ଲୁଚକାଳି ଖେଳୁଥାନ୍ତି । ଏଣେ ସମୟ ବିତିଯାଉଥାଏ । ନର୍ମଦାଙ୍କ ଉପସ୍ଥିତି ସେ ପାର୍ବତ୍ୟ ମୂଲକର ଗାରିମା ବୃଦ୍ଧି କରୁଥାଏ । ପର୍ବତ-ଅରଣ୍ୟର ହୃଦୟ ଯେପରି ଉଲ୍ଲସି ଉଠୁଥାଏ । କିନ୍ତୁ ସେଠାକୁ ବୁଲି ଆସୁଥିବା ଦେବତାମାନେ ସେ ଅପୂର୍ବ କନ୍ୟାଙ୍କୁ ଦେଖିଲେ । ସେମାନେ ମୁଗ୍ଧ ହେଲେ । ସେମାନେ ଦୀର୍ଘ ସମୟ ଧରି ଶିଳାଖଣ୍ଡମାନ ପଛରେ ଲୁଚି ରହି ନର୍ମଦାଙ୍କୁ ନିରୀକ୍ଷଣ କରୁଥାନ୍ତି । ସେମାନେ ତାଙ୍କୁ ତାଙ୍କ ଅଜାଣତରେ ଅନୁସରଣ ମଧ୍ୟ କରୁଥାନ୍ତି ।

                ଏପରି ଏକ ସମୟ ଆସିଲା ଯେତେବେଳେ କି ନର୍ମଦା ସହ ବନ୍ଧୁତା ସ୍ଥାପନ କରିବା ଦିଗରେ ଦେବତାମାନେ ଆଉ ନିଜ ନିଜ ଲୋଭ ସମ୍ବରଣ କରିପାରିଲେ ନାହିଁ । ସେମାନେ ସେହି କନ୍ୟାଟି ଆଡକୁ ପ୍ରଭାବିତ ହେଲେ । କିନ୍ତୁ କାହାରି ସହ ସମ୍ପର୍କ ରଖି ବନ୍ଧନରେ ପଡିବାକୁ ନର୍ମଦା ପ୍ରସ୍ତୁତ ନଥିଲେ । ତାଙ୍କର ଆଦର୍ଶ ଥିଲା ଚିରଦିନ ସ୍ୱାଧୀନ ରହିବା । ଦେବତାମାନେ ତାଙ୍କ ପଛରେ ଗୋଡାଇଲେ । ବିଦ୍ୟୁତ୍ ଗତିରେ ନର୍ମଦା ଅପସରି ଯାଉଥାନ୍ତି । ମଇକାଲ ପର୍ବତମାଳାର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ଯାଏଁ ସେ ଦୌଡ ପ୍ରତିଯୋଗିତା ଚାଲିଲା । କେବେ କେବେ ଦେବତାମାନେ ତାଙ୍କୁ ଠିକ୍ ଧରି ପକାଇବାବେଳକୁ ସେ ଖସି ଯାଉଥାନ୍ତି । ଦିନେ ଦୌଡି ଦୌଡି ନର୍ମଦା ଗୋଟିଏ ପର୍ବତ ଶିଖରକୁ ଉଠିଗଲେ । ଦେବତାମାନେ ଏସବୁ ଦେଖି ଭାରି ଖୁସି ହେଲେ, କାରଣ ସେଠାରୁ ନର୍ମଦା ଆଉ କୁଆଡେ ବି ଖସି ଯାଇ ପାରିବେ ନାହିଁ ବୋଲି ସେମାନଙ୍କର ଧାରଣା ହେଲା । ନର୍ମଦା ଶିଖର ଉପରେ ଠିଆ ହୋଇ ଅଳ୍ପ ସମୟ ଦ୍ୱିଧାଗ୍ରସ୍ତ ରହିଲେ ।

                ତା’ପରେ ସେ ଆଖି ପିଛୁଳାକେ ଗୋଟିଏ ଝରଣାରେ ରୂପାନ୍ତରିତ ହୋଇ ଶିଖର ଦେଶରୁ ତଳକୁ ବହିଗଲେ । ଦେବତାମାନେ କିଂକର୍ତ୍ତବ୍ୟବିମୁଢ ଭାବରେ ଠିଆ ହୋଇ ରହିଲେ । କନ୍ୟା ନର୍ମଦା ନର୍ମଦା ନଦୀ ହେଲେ । ପର୍ବତ ଅତିକ୍ରମ କରି ସେ ସମତଳ ଭୂମିକୁ ଆସିଲେ ଓ ସମୁଦ୍ର ଦିଗରେ ଗତିକଲେ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟ ଭିତର ଦେଇ ବହମାନ ନର୍ମଦା – ଆବାହମାନ କାଳରୁ ଭାରତର ଅନ୍ୟତମ ପୂଣ୍ୟତୋୟା ନଦୀ । ନର୍ମଦା କୂଳରେ ମହାନ୍ ଋଷିମାନେ ତପସ୍ୟା କରିଛନ୍ତି । ନଦୀର ଉତ୍ପତିସ୍ଥଳ ଅମରକଂଟକରୁ ସମୁଦ୍ର ସଙ୍ଗମ ବ୍ରୋଚ ଯାଏଁ ଯାଇ ପୁଣି ଅନ୍ୟକୂଳ ଦେଇ ଅମରକଂଟକ ଲେଉଟି ଆସିବା ଦ୍ୱାରା ପୂଣ୍ୟ ହୁଏ ବୋଲି ଭକ୍ତମାନେ ଏହି ପରିକ୍ରମା କରନ୍ତି । ଅମରକଂଟକଠାରେ ନର୍ମଦା ଦେବୀଙ୍କ ପୂଜା ପାଇଁ ମନ୍ଦିର ଅଛି । ଯୁଗ ଯୁଗ ଧରି ଅମରକଂଟକ ଏକ ପବିତ୍ର ତୀର୍ଥ ରୂପେ ସ୍ୱୀକୃତ । ଅଗଣିତ ଭକ୍ତଙ୍କ ପାଇଁ ଦେବୀ ନର୍ମଦା ମାତା ରୂପେ ଆରାଧ୍ୟା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ