ସୁନ୍ଦରବତୀ କଥା

ପରଦିନ ନିଜର ଭବିଷ୍ୟତକୁ ନିଜର ଭାଗ୍ୟହାତରେ ଛାଡିଦେଇ ଭୋଜରାଜ ଚମତ୍କାରୀ ସିଂହାସନ ପାଖରେ ଉପସ୍ଥିତ ହେବାକ୍ଷଣି ପଂଚଦଶ ପୁତ୍ତଳିକା ସୁନ୍ଦରବତୀ ଛିଡା ହୋଇ କହିଲା, “ଆଜ୍ଞା! ଏ ସିଂହାସନରେ ବସିବା ଆଗରୁ ପ୍ରଥମେ ମୋ କଥା ଶୁଣନ୍ତୁ । ମହାରାଜ ବିକ୍ରମାଦିତ୍ୟଙ୍କ ପରି ଆପଣ ଅଦ୍ଭୂତଦାନ ଏବଂ କଲ୍ୟାଣକର କାର୍ଯ୍ୟ କରୁଛନ୍ତି କି ନାହିଁ ମନେ ପକାନ୍ତୁ ।” ସୁନ୍ଦରବତୀ କାହାଣୀ ଶୁଣାଇଲା:

       ମହାରାଜ ବିକ୍ରମାଦିତ୍ୟ ନିଜ ପ୍ରଜାଙ୍କୁ ଆତ୍ମୀୟପରି ପାଳୁଥିଲେ । ସେମାନଙ୍କର ସୁଖ ଦୁଃଖ ପ୍ରତି ଧ୍ୟାନ ଦେଉଥିଲେ । ତାଙ୍କ ଶାସନ କାଳରେ ପ୍ରଜାମାନେ ସୁଖ ଶାନ୍ତିରେ ରହୁଥିଲେ । ଉଜ୍ଜୟିନୀ ବେଶ୍ ସମୃଦ୍ଧଶାଳୀ ହୋଇଥିଲା । ଚୋରୀ, ଡକାୟତି, ଆଦି ଅପରାଧ ହେଉ ନଥିଲା । ପ୍ରଜାମାନଙ୍କ ମଧ୍ୟରେ ପାରସ୍ପରିକ ସ୍ନେହ, ସୌହାଦ୍ଦ୍ୟ, ମମତା ଭରି ରହିଥିଲା । ବେପାର ବାଣିଜ୍ୟ କ୍ଷେତ୍ରରେ ଅପାର ସଫଳତା ମିଳୁଥିଲା ।

       ସେ ସମୟରେ ଶେଠ୍ ପନ୍ନାଲାଲ୍ ନାମକ ଜଣେ ଭଦ୍ର, ଅମାୟିକ, ବନ୍ଧୁ ବତ୍ସଳ, ଦୟାଳୁ ବ୍ୟକ୍ତି ଉଜ୍ଜୟିନୀରେ ବାସ କରୁଥିଲେ । ତାଙ୍କର ସୁନାମ ଚାରିଆଡେ ବ୍ୟାପି ଯାଇଥିଲା । ସେ ଦୁଃଖୀ ରଙ୍କୀଙ୍କର ମନକଥା ବୁଝି ପାରୁଥିଲେ । ତାଙ୍କ ପାଖରୁ କେହି ଖାଲି ହାତରେ ଫେରୁ ନଥିଲେ । ତାଙ୍କର ବ୍ୟବସାୟ ରାଜ୍ୟଯାକରେ ଚାଲିଥିଲା । ତାଙ୍କର ଏକମାତ୍ର ପୁତ୍ର ହୀରାଲାଲ୍ ମଧ୍ୟ ଠିକ୍ ତାଙ୍କପରି ଗୁଣବାନ୍, ନମ୍ର, ସୁଶୀଳ ସ୍ୱଭାବର ଥିଲା । ପିତାଙ୍କ ପଦାଙ୍କ ଅନୁସରଣ କରି ହୀରାଲାଲ୍ ମଧ୍ୟ ଯଥେଷ୍ଟ ଜନପ୍ରିୟତା ହାସଲ କରିଥିଲା ।

       ସମୟକ୍ରମେ ଶେଠ୍ ପନ୍ନାଲାଲ୍ ପୁତ୍ରର ବିବାହ ପାଇଁ ଚିନ୍ତିତ ହୋଇ ପଡିଲେ । ସାଧୁ, ଜ୍ୟୋତିଷମାନଙ୍କୁ ଡକାଇ ଲଗ୍ନ ଠିକ କରି ପୁତ୍ରପାଇଁ ଉପଯକ୍ତ କନ୍ୟା ଠିକ୍ କରିବାକୁ ଅନୁରୋଧ କଲେ । ସେମାନେ ମଧ୍ୟ କାଳବିଳମ୍ବ ନକରି ହୀରାଲାଲ୍ ସମୁଦ୍ର ସେପାରି ଦ୍ୱୀପରେ ଥିବା ଗୁଣବତୀ କନ୍ୟା ସହିତ ବିବାହ କରାଇବା ପାଇଁ ତିଥିବାର ଠିକ୍ କରି ଦେଲେ । ମାତ୍ର ଦୁଃଖର କଥା ଏହି ଯେ ଠିକ୍ ବିବାହ ତିଥି ଦିନକୁ ପ୍ରବଳ ଝଡ ତୋଫାନ ସହିତ ମୂଷଳ ଧାରାରେ ବର୍ଷା ଲାଗି ରହିଲା । ନଦୀନାଳ, ରାସ୍ତାଘାଟ ସବୁ ଜଳମୟ ହୋଇଉଠିଲା । ପରିସ୍ଥିତି ଏପରି ହେଲା ଯେ କ’ଣ କରିବେ କିଛି ଠିକ୍ କରି ପାରିଲେ ନାହିଁ । ଆତ୍ମୀୟ ଏବଂ ସାଧୁମାନଙ୍କୁ ଡକାଇ ପରାମର୍ଶ ଲୋଡିଲେ ।

       ଜନୈକ ସାଧୁ ପରାମର୍ଶ ଦେଲେ, “ଆଜ୍ଞା! ଆପଣ ଗୋଟାଏ କାମ କରନ୍ତୁ । ମହାରାଜ ବିକ୍ରମାଦିତ୍ୟଙ୍କ ପାଖକୁ ଯାଆନ୍ତୁ । ସେ ଖୁବ୍ ଦୟାଳୁ ଏବଂ ପରୋପକାରୀ । ପ୍ରଜାଙ୍କର ଦୁଃଖ ମୋଚନ କରିବା ପାଇଁ ସେ ସବୁ ଅସମ୍ଭବକୁ ସମ୍ଭବ କରିପାରନ୍ତି । ତାଙ୍କ ପାଖରେ ଏକ ଅଦ୍ଭୂତ ରଥ ଅଛି । ତାକୁ ଦୁଇଟି ଘୋଡା ଟାଣନ୍ତି । ସେମାନେ ପବନ ବେଗରେ ଆକାଶରେ ଉଡି ପାରନ୍ତି । ଯଦି ମହାରାଜା ସେ ରଥ ଆମକୁ ଦିଅନ୍ତି ତେବେ କୌଣସି ଅସୁବିଧା ହେବ ନାହିଁ । ଆମ ପକ୍ଷର ଆଠ ଦଶଜଣ ଯାଇ କନ୍ୟାଘରେ ପହଁଚି ବିବାହ କାର୍ଯ୍ୟ ସଂପନ୍ନ କରି ଫେରି ଆସି ପାରିବା ।”

       ଶେଠ୍ କହିଲେ, “ମହାରାଜା କ’ଣ ମୋ କଥା ରଖିବେ? ମୋତେ ତାଙ୍କର ପବନ ରଥ ଦେଇ ସାହାଯ୍ୟ କରିବେ? ଯଦି ମନା କରି ଦିଅନ୍ତି ଏବଂ ମୋ କଥା ନରହେ ତେବେ ମୋତେ ଆଦୌ ଭଲ ଲାଗିବ ନାହିଁ । ମୁଁ ଶାନ୍ତିରେ ରହି ପାରିବି ନାହିଁ ।”

       ଅନ୍ୟ ଜଣେ ଆତ୍ମୀୟ କହିଲେ, “ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ମହାରାଜ ବିକ୍ରମାଦିତ୍ୟ ଜଣେ ପ୍ରଜାପାଳକ, ଅମାୟିକ, ପରୋପକାରୀ ବ୍ୟକ୍ତି ଅଟନ୍ତି । ସେ ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବେ । ଆପଣ ଯଥାଶୀଘ୍ର ଯାଇ ତାଙ୍କୁ ଭେଟନ୍ତୁ ଏବଂ ନିଜ ଅସୁବିଧା କଥା ଜଣାନ୍ତୁ ।”

      ସାଧୁ ଏବଂ ଆତ୍ମୀୟମାନଙ୍କର ପରାମର୍ଶ ମାନି ଶେଠ୍ ପନ୍ନାଲାଲ୍ ମହାରାଜ ବିକ୍ରମାଦିତ୍ୟଙ୍କ ଦରବାରରେ ପହଁଚିଲେ ଏବଂ ବିନମ୍ରତାର ସହିତ ନିଜର ଅନୁରୋଧ ଜଣାଇଲେ । କାଳେ ମହାରାଜ ତାଙ୍କ କଥା ନ ରଖିବେ ସେଇ ଆଶଙ୍କା ଆଣିଲେ ଭାରାକ୍ରାନ୍ତ ମନ ନେଇ ବସି ରହିଲେ ।

       ମହାରାଜ ବିକ୍ରମାଦିତ୍ୟ କହିଲେ, “ଚିନ୍ତା କରନ୍ତୁନି ଶେଠ୍ । ମୋର ସବୁକିଛିତ ପ୍ରଜାଙ୍କ ପାଇଁ । ମୁଁ ପ୍ରଜାଙ୍କର ସେବକ । ତୁମେ ରଥ ଏବଂ ଘୋଡା ନେଇ ଯାଅ । ପୁଅର ବାହାଘର ଧୂମ ଧାମରେ କରି ଫେରିଆସ । ତୁମ ସହିତ ମୋର ଶୁଭକାମନା ରହିଛି ।

       ଶେଠ୍ ପନ୍ନାଲାଲ୍ ଖୁସି କହିଲେ ନ ସରେ । ଯାହାହେଉ ମହାରାଜ ବିକ୍ରମାଦିତ୍ୟଙ୍କ ଦୟାରୁ ତାଙ୍କ ପୁଅର ବିବାହରେ କୌଣସି ବାଧା ବିପଦ ରହିବ ନାହିଁ । ସେମାନେ ସୁବିଧାରେ ଦ୍ୱୀପକୁ ଯାଇ ବିବାହ ସଂପନ୍ନ କରାଇ ପୁଅ ବୋହୂଙ୍କୁ ଧରି ନିର୍ବିଘ୍ନରେ ଫେରି ଆସି ପାରିବେ ।

       ମହାରାଜ ଅଶ୍ୱଶାଳାର ପ୍ରବନ୍ଧକଙ୍କୁ ଡକାଇ ପନ୍ନାଲାଲ୍ ପବନ ରଥ, ଦୁଇଟି ଧଳାଘୋଡା ଏବଂ କୁଶଳୀ ସାରଥୀଙ୍କୁ ଦେବାପାଇଁ ନିର୍ଧେସ ଦେଲେ । ପନ୍ନାଲାଲ୍ ରଥ ଏବଂ ସାରଥୀଙ୍କୁ ନେଇ ଆନନ୍ଦିତ ହୋଇ ମହାରାଜାଙ୍କ ପ୍ରଶଂସାରେ ଶତମୁଖ ହେଲେ ।

       ପନ୍ନାଲାଲ୍ ଚାଲିଯିବା ପରେ ମହାରାଜ ଭାବିଲେ, “ରଥ, ସାରଥୀ ଯୋଗାଇ ଦେବା ସତ୍ୱେ ଯଦି କିଛି ଅସୁବିଧା ଦେଖାଦିଏ ତେବେ ଶେଠ୍ ପନ୍ନାଲାଲ୍ ପୁଅର ବିଭାଘର ଠିକ୍ ରୂପେ ହୋଇପାରିବ ନାହିଁ । ଏଣୁ ସେ ବେତାଳଙ୍କୁ ଡାକି କହିଲେ, “ତମେ ଦୁହେଁ ଅଦୃଶ୍ୟ ରୂପରେ ଶେଠ୍ ପନ୍ନାଲାଲ୍ ସହିତ ରହିବ । ଯଦି କୋଉଠି କିଛି ବାଧା ଦେଖାଦିଏ ତେବେ ନିଜ ବିଚାରଶକ୍ତି ବଳରେ ତା’ର ସମାଧାନ କରିବ । ତାଙ୍କ ପୁଅର ବିବାହ କାର୍ଯ୍ୟ ଏବଂ କନ୍ୟାକୁ ଧରି ପ୍ରତ୍ୟାବର୍ତନ କରିବା ଯାଏଁ ତମେ ଦୁହେଁ ସବୁଠି ରକ୍ଷକ ସାଜି କାର୍ଯ୍ୟ କରିବ ।”

       ମହାରାଜାଙ୍କ କଥା ମାନି ବେତାଳ ଦୁହେଁ ଯାଇ ଶେଠ୍ ପନ୍ନାଲାଲ୍ ଦଳ ସହିତ ଅଦୃଶ୍ୟ ଭାବରେ ରହିଲେ । ବର୍ଷା ଏତେ ପ୍ରବଳ ହେଲା ଯେ ରାସ୍ତାଘାଟ ଜଳମୟ ହୋଇଗଲା । ଶେଠ୍ ଚିନ୍ତାରେ ପଡିଗଲେ । ବେତାଳ ଦୁହେଁ ରଥକୁ ଶୂନ୍ୟରେ ଉଡାଇ ନେଲେ । ଶେଠ୍ କନ୍ୟାଘରେ ପହଁଚି ପୁଅର ବାହାଘର ଶେଷ କରି ଘରକୁ ଫେରି ଆସିଲେ । ମାତ୍ର ପ୍ରଥମେ ନିଜ ଘରକୁ ନ ଯାଇ ମହାରାଜ ବିକ୍ରମାଦିତ୍ୟଙ୍କ ଦରବାରକୁ ଗଲେ । ପୁଅ ବୋହୂ ମହାରାଜଙ୍କୁ ପ୍ରଣାମ କଲେ । ମହାରାଜ ସେମାନଙ୍କୁ ଆଶୀର୍ବାଦ ଦେଲେ । ଶେଠ୍ କଥା କଥାରେ ପବନରଥ ଓ ଘୋଡାଙ୍କର ପ୍ରଶଂସା କରି ଚାଲିଥାନ୍ତି । ତାଙ୍କ ମନକଥା ଜାଣି ମହାରାଜ ତାଙ୍କୁ ପବନରଥ ଓ ଘୋଡା ଦାନ କରିଦେଲେ । ସାରଥୀଙ୍କୁ ମଧ୍ୟ ନିର୍ଧେସ ଦେଲେ ରାଜକୋଷରୁ ଦରମା ନେଇ ସେ ପନ୍ନାଲାଲ୍ଙ୍କ ନିର୍ଧେସରେ କାମ କରିବ ।

       କାହାଣୀ ଶୁଣାଇ ସାରି ସୁନ୍ଦରବତୀ କହିଲା, “କୁହନ୍ତୁ ରାଜା! ଆପଣ କ’ଣ ଏମିତି ଅଦ୍ଭୂତ ଦାନ କେବେ କରିଛନ୍ତି? ପରୋପକାର କରିଛନ୍ତି? ପ୍ରଜାଙ୍କ ମଙ୍ଗଳ ପାଇଁ ତ୍ୟାଗ କରିଛନ୍ତି?”

       ଭୋଜରାଜ କିଛି ନ କହି ଉଆସ ଆଡକୁ ଅଗ୍ରସର ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ