କୃଷ୍ଣାବତାର

ଯମୁନା ତଟରେ ଗୋପପୁର ନାମରେ ଗ୍ରାମଟିଏ ଥିଲା, ଏହା ପ୍ରାକୃତିକ ସମ୍ପଦରେ ସମୃଦ୍ଧିଶାଳୀ ଥିଲା । ଗୋପପୁରର ଅଧିକାଂଶ ବାସିନ୍ଦା ଗୋପାଳ ଥିଲେ । ଗୋପାଳନ ସେମାନଙ୍କର ଜୀବିକା ନିର୍ବାହର ପନ୍ଥା ଥିଲା । ନନ୍ଦ ସେମାନଙ୍କର ରାଜା ଥିଲେ । ରୋହିଣୀ ଓ ଯଶୋଦାଙ୍କ କୋଳରେ ରାମ ଓ କୃଷ୍ଣ ଚନ୍ଦ୍ରକଳା ପରି ବଢିବାକୁ ଲାଗିଲେ । କୃଷ୍ଣଙ୍କର ବୟସ ମାତ୍ର କେତେ ଦିନ । ମାସଟିଏ ବି ହୋଇ ନାହିଁ । କିନ୍ତୁ ତାଙ୍କର ଦିବ୍ୟ ସୌନ୍ଦର୍ଯ୍ୟରେ ଆବାଳବୃଦ୍ଧବନିତା ଆକୃଷ୍ଟ ହୋଇ ଦେଖିବାକୁ ଆସନ୍ତି । ଠିକ୍ ଏହି ସମୟରେ କଂସ ପୁତନାକୁ ପଠାଇଲା । ରାକ୍ଷସୀ ପୁତନାକୁ ଶିଶୁମାନଙ୍କୁ କ୍ଷୀରପାନ କରାଇ ସେଥିରେ ବିଷଦେଇ ହତ୍ୟା କରିବାର କାମ ଦିଆଯାଇଥାଏ । ପୁତନା ଏକ ନିର୍ଦ୍ଦୟ ରାକ୍ଷସୀ ଥିଲା ।

                ନବଜାତ ଶିଶୁମାନଙ୍କୁ ଖୋଜି ଖୋଜି ପୁତନା ମାରିଲା । ଦେଖିବାକୁ ସେ ଅତ୍ୟନ୍ତ ବିକୃତ ଓ ବିଶାଳ । କିନ୍ତୁ ରାକ୍ଷସୀ ତା’ ମାୟାରେ ସେ ନିଜକୁ ଏକ ସୁନ୍ଦରୀ ଯୁବତୀରେ ରୂପାନ୍ତରିତ କଲା । ନାନା ଗ୍ରାମ ଓ ଜନପଦ ସବୁ ବୁଲି ବୁଲି ସେ ଶିଶୁମାନଙ୍କୁ ବିଷଦୁଗ୍ଧ ପାନ କରାଇ ମାରିଲା । ଅବଶେଷରେ ସେ ଗୋପପୁରରେ ନନ୍ଦରାଣୀ ଯଶୋଦାଙ୍କ ନିକଟରେ ଯାଇ ପହଁଚିଲା । ଯଶୋଦାଙ୍କ କୋଳରେ ଶିଶୁ କୃଷ୍ଣଙ୍କୁ ଦେଖି ସେ ଆଗ କିଛି ସମୟ ପାଇଁ ସ୍ତମ୍ଭିତ ହୋଇ ଠିଆ ହେଲା । ଭାବିଲା, “ଏ ତ ସାଧାରଣ ଶିଶୁ ନୁହେଁ । ସମସ୍ତିଙ୍କଠାରୁ ଭିନ୍ନ ଏହି ଶିଶୁ ନିଶ୍ଚୟ କଂସର ଶତୃ । ତାକୁ ମାଇଲେହିଁ ମୋର ଅଭିଷ୍ଟ ସିଦ୍ଧି ହେବ ।” ହାୟ ଯେଉଁ ଦିବ୍ୟ ଶିଶୁର ମଧୁର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ମୁଗ୍ଧ କରି ଆକର୍ଷିତ କରୁଥିଲା ସେହି ଶିଶୁକୁ ହତ୍ୟା କରିବାର ଅଭିପ୍ରାୟ ନେଇହିଁ ପୁତନା ସେଠାକୁ ଆକର୍ଷିତ ହୋଇ ଆସିଲା । ମୁହଁରେ କପଟ ହସ ହସି ସେ ଆସି ଯଶୋଦାଙ୍କୁ କହିଲା, “ଦେଖ, ମୋର ଅଧିକ ଦୁଗ୍ଧ ହେବାରୁ ମୋ ପିଲା ଖାଇପାରୁନାହିଁ ତମର ନୂଆ ଜନ୍ମିଥିବା ଛୁଆଟି ଆହା କି ପତଳା ହୋଇଛି । ଦିଅ ମୁଁ ତାକୁ ଟିକେ ଦୁଗ୍ଧ ପାନ କରାଇବି ।”

                ଯଶୋଦା ରାକ୍ଷସୀ ପୁତନାର କପଟ କଥାରେ ଭଳିଗଲେ । ସେ ଭାବିଲେ, “ଏତେ ସ୍ୱାସ୍ଥ୍ୟବତୀ ଜଣେ ନାରୀଠାରୁ କ୍ଷୀରପାନ କଲେ ମୋ ପୁଅର ସ୍ୱାସ୍ଥ୍ୟ କାଳେ ଭଲ ହୋଇଯିବ । ଆହା ମୋ ଶିଶୁର କି ଭାଗ୍ୟ ।” ଏକଥା ଭାବି ସେ ମହା ଆନନ୍ଦରେ ଶିଶୁକୁ ପୁତନା ହାତକୁ ବଢାଇ ଦେଲେ । ଶିଶୁର ମଙ୍ଗଳ ହେବା ଆଶାରେ ସେ ଏ କାମ କଲେ । ସେତେବେଳେ ସେ କ’ଣ ବୁଝିପାରିଥିଲେ କି ଏହି ଛଳନାମୟୀ ନିର୍ଦ୍ଦୟା ରାକ୍ଷସୀର କଥା ।

                ପୁତନା ତ ଆଗରୁ ବିଷ ପ୍ରୟୋଗ କରି ରଖିଥିଲା । ତେଣୁ ମନ ଆନନ୍ଦରେ କୃଷ୍ଣୁଙ୍କୁ ନେଇ ସେ ଦୁଗ୍ଧ ପାନ କରାଇଲା । କିନ୍ତୁ ଏ କ’ଣ? କ୍ଷଣକ ମଧ୍ୟରେ ସେ ଆନନ୍ଦ ତା’ର କ୍ରମେ ଅଧିକରୁ ଅଧିକତର ଯନ୍ତ୍ରଣାରେ ପରିଣତ ହେଲା । ଶିଶୁ କୃଷ୍ଣ ଦୁଗ୍ଧପାନ କରୁ କରୁ ପୁତନାର ପଂଚପ୍ରାଣ ଶୋଷଣ କରିବାକୁ ଲାଗିଲେ । ପୁତନାର ଯନ୍ତ୍ରଣା ଅଧିକରୁ ଅଧିକତର ହେଲା ଓ ତା’ର ଚିତ୍କାର ବିକଟରୁ ବିକଟତର ହେଲା । ଭୟଙ୍କର ଶବ୍ଦ ସହିତ ତା’ର ରାକ୍ଷସୀ ରୂପ ମଧ୍ୟ ପ୍ରକଟିତ ହେଲା । ସେ ସେହି ବିଭତ୍ସ ରାକ୍ଷସୀ ରୂପ ପ୍ରକଟ କରି ତଳେ ପଡିଗଲା । ସତେ ଅବା ଏକସଙ୍ଗେ ବଜ୍ରପାତ ଓ ଭୂମିକମ୍ପ ହେଲା । ସେହିଠାରେହିଁ ତା’ ଜୀବନର ଇତି ହୋଇଗଲା ।

                ତା’ର ସେ ଶବ୍ଦରେ ସାରା ଗୋପପୁର କମ୍ପି ଉଠିଲା । ସମସ୍ତେ ଯିଏ ଯାହାର କାମ ଛାଡି ଆସି ସେହି ସ୍ଥାନରେ ଏକତ୍ରିତ ହେଲେ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ ପ୍ରଶ୍ନ, “ଶିଶୁ କୃଷ୍ଣ କାହିଁ?”

                କିଛି ସମୟ ପରେ ସମସ୍ତେ କୃଷ୍ଣଙ୍କୁ ଖୋଜି ଖୋଜି ଯାଇ ପୁତନା ପାଖରେ ପହଁଚି ଦେଖିଲେ ରାକ୍ଷସୀ ମରି ପଡିଅଛି ଓ ତା’ର ଛାତି ଉପରେ ଶିଶୁ କୃଷ୍ଣ ବସିଛନ୍ତି । ଏହାଦେଖି ଯଶୋଦା ଭୟରେ ଶିହରି ଉଠିଲେ ଓ ତତ୍କ୍ଷଣାତ୍ କୃଷ୍ଣଙ୍କୁ ନିଜ କୋଳକୁ ନେଲେ । ନନ୍ଦ ଓ ଅନ୍ୟ ଗୋପବାସୀଗଣ ମଧ୍ୟ ସେଠାରେ ପହଁଚି ଏଭଳି ଅଲୌକିକ ଘଟଣା ଦେଖିଲେ । ଶିଶୁଟି ବଂଚି ଯାଇଛି ବୋଲି ସେମାନେ ବହୁ ପ୍ରକାର ପୂଜା, ଯଜ୍ଞ ଆଦି କରି ଭଗବାନ୍ଙ୍କ ପାଖରେ ଅନେକ ଅନେକ କୃତଜ୍ଞତା ଜଣାଇଲେ । ସମସ୍ତେ ମିଶି ଶିଶୁ କୃଷ୍ଣଙ୍କର ଦୀର୍ଘ ଜୀବନ କାମନା କରି ତାକୁ ଆଶିର୍ବାଦ ଦେଲେ ।

                ବସୁଦେବ ତ ନିଜ ପୁତ୍ରମାନଙ୍କ କଥା ସଦାବେଳେ ଭାବୁଥା’ନ୍ତି । କିନ୍ତୁ ମୁହଁ ଖୋଲି ସେ କେବେବି କାହାକୁ କିଛି କହନ୍ତି ନାହିଁ । ଏସବୁ ସେ ଗୋପନରେ କରୁଥା’ନ୍ତି । କାରଣ କଂସ ଜାଣିଲେ ସର୍ବନାଶ ।


ଗପ ସାରଣୀ

ତାଲିକାଭୁକ୍ତ ଗପ