ପୁଣ୍ୟବାନ୍

ଶିବବାବୁଙ୍କର ଅଚାନକ ଟଙ୍କା ଦରକାର ହେଲା । ସେ ସମସ୍ତିଙ୍କୁ କରଜ ମାଗିଲେ । କିନ୍ତୁ କେଉଁଠି ହେଲେବି ସେ ଟଙ୍କା ପାଇଲେ ନାହିଁ । ତାଙ୍କର ବନ୍ଧୁବାନ୍ଧବରେ ଧନୀ କେଶବବାବୁ ଅତି କୃପଣ ଥିଲେ । ଶେଷକୁ ସେ କହିଲେ, “ଜାଣିଶୁଣି ମୁଁ ତୁମକୁ କିପରି ଦେବି? ଦେଲେ ମଧ୍ୟ ତମେ ଫେରେଇ ପାରିବ କି? ତେଣୁ ମୋ କଥା ମାନ; ଶ୍ରୀପୁରର ଗୁଣାଢ୍ୟ ଅତି ଦୟାଳୁ । ତାଙ୍କ ଦ୍ୱାରରୁ କେହି କେବେବି ଖାଲି ହାତରେ ଫେରି ନାହିଁ ।”

                ଶିବବାବୁ ଶ୍ରୀପୁର ଯାଇ ଗୁଣାଢ୍ୟଙ୍କ ସହ ଦେଖା କରି ତାଙ୍କୁ ସବୁ କହିଲେ । ସେ କହିଲେ, “ଯେତେବେଳେ ଦରକାର ପଡିଲା କରଜ ନବାକୁ ଆସିଲ, ଏମିତି ହେଲେ ତୁମର କେବେବି ଉନ୍ନତି ହେବ ନାହିଁ । ପ୍ରଧାନ କଥା ହେଲା ଜବାବ । ତା’ପରେ ତୁମେ ମନେ ମନେ ସ୍ଥିର କରିଥିବା ଉଚିତ୍ ଯେ କିଭଳି ବ୍ୟବସାୟ କରିବ ଏବଂ ସେଥିରୁ ଯେପରି ନିଶ୍ଚୟ ପଇସା ପାଇବ । ଯଦି ଠିକ୍ ସମୟରେ ସୁଧ ଦେଇ ନ ପାରିବ, ତେବେ ନିଜର କଥା କିପରି ରଖିବ? ତୁମକୁ ମୁଁ ହଜାରେ ମୁଦ୍ରା ଦେଉଛି । ତମେ ବ୍ୟବସାୟ କର । ଆସନ୍ତା ବର୍ଷ ଦୁଇହଜାର ଦେବ । ଯଦି ଦୁଇବର୍ଷ ରଖ ତ ଚାରିହଜାର ଦେବ । କ’ଣ ରାଜି?”

                ଶିବବାବୁ ସେଥିରେ ରାଜି ହୋଇଗଲେ । ତା’ପରେ କାଗଜରେ ଦସ୍ତଖତ କରି ଟଙ୍କା ଧରି ଆସିଲେ । ହୁଏତ ଗୁଣାଢ୍ୟଙ୍କ ଟଙ୍କାରେ କିଛି ଯାଦୁ ଥିଲା । ଶିବବାବୁ ବର୍ଷକ ଭିତରେ ଖର୍ଚ୍ଚ ଛଡା ପାଞ୍ଚହଜାର ରୋଜଗାର କଲେ । ସେ ଦୁଇହଜାର ଧରି ଋଣ ଶୁଝିବାକୁ ଯାଉଛନ୍ତି, ଏତିକିବେଳେ ଜଣେ ବ୍ୟବସାୟୀ ସେଠାରେ ଆସି ପହଁଚି କହିଲେ, “ତୁମ ପାଖରେ ପାଞ୍ଚହଜାର ଅଛି ତ ମୋ ସହିତ ମିଶି ବ୍ୟବସାୟ କର । ବର୍ଷକରେ ଅତି କମ୍ରେ ପଚାଶ ହଜାର ମିଳିବ ।”

                ଶିବବାବୁ ଭାବିଲେ, “ଏବେ ଦୁଇହଜାର ଦେଲେ ମୋ ବ୍ୟବସାୟ କମତି ପଡିବ । ଆରବର୍ଷ ପଚାଶ ହଜାରରୁ ଚାରି ହଜାର ଦେବାକୁ ମୋତେ ସେତେ ବାଧିବ ନାହିଁ ।”

                ତା’ପରେ ସେ ସେହି ବ୍ୟବସାୟୀଙ୍କୁ ପାଞ୍ଚହଜାର ଦେଇ ତାଙ୍କ ବ୍ୟବସାୟରେ ଭାଗୀଦାର ହେଲେ । ଧନ ବହୁତ ବଢିଲା । ଖର୍ଚ୍ଚ ମଧ୍ୟ ବଢିଲା ପାଞ୍ଚବର୍ଷରେ ସେ ଲକ୍ଷେ ଟଙ୍କା ପାଇଗଲେ । ଏଥର ତାଙ୍କୁ ବତିଶହଜାର ଶୁଝିବାକୁ ହେବ । ଏତେ ଗୁଡାଏ ଟଙ୍କା ଦେଇ ଦେବାକୁ ତାଙ୍କର ଆଦୌ ଇଚ୍ଛା ହେଲା ନାହିଁ । ସେ ଭାବିଲେ, “ମାତ୍ର ହଜାର ଟଙ୍କା କରଜ ଦେଇ ପାଞ୍ଚ ବର୍ଷରେ ବତିଶ ହଜାର ନେବା ଲୋକଙ୍କୁ କାହିଁକି ପୁଣ୍ୟବାନ୍ କୁହନ୍ତି? ପ୍ରକୃତରେ ଦେଖିଲେ ସାହାଯ୍ୟ କରିବା ନାମରେ ଅନ୍ୟ ମାନଙ୍କୁ ସେ ଲୁଟି ନେଉଛି ।” ଏହିସବୁ କଥା ମନରେ ଭାବି ସେ ଆଉ ଗୁଣାଢ୍ୟଙ୍କର ଟଙ୍କା ମୋଟେ ଶୁଝିଲେ ନାହିଁ ।

                ଗୁଣାଢ୍ୟଙ୍କର ଝିଅ ବାହାଘର ହେବାର ଥାଏ । ଅଳଙ୍କାର କିଣିବାକୁ ସେ ଶିବବାବୁଙ୍କ ଦୋକାନକୁ ଆସିଲେ । ଚାରିହଜାର ଟଙ୍କା ମୂଲ୍ୟର ହାରଟିଏ ସେ ସେହି ଦୋକାନରୁ କିଣିଲେ । ହଜାର ଟଙ୍କା କମ୍ ପଡିଲା । ଶିବବାବୁ ଦେଖିଲେ ପରିସ୍ଥିତି ଆଦୌ ଭଲ ନୁହେଁ । ଏଣୁ ସେ ସେଠାରୁ ଚୁପ୍କରି ଖସିଗଲେ । କିନ୍ତୁ ସେଠୁ ଯିବାପୂର୍ବରୁ ସେ ତାଙ୍କ କର୍ମଚାରୀକୁ କହିଗଲେ କି ଗୁଣାଢ୍ୟଙ୍କୁ ଭଲ ବ୍ୟବହାର କରିବ ଓ ଦରକାର ହେଲେ ପଇସା ନନେଇ ତାଙ୍କୁ ଗହଣା ଦେବ ।

                କର୍ମଚାରୀ ଗୁଣାଢ୍ୟଙ୍କୁ କହିଲେ, “ମହାଶୟ, ଆମ ମାଲିକଙ୍କର କୌଣସି ଏକ ଅତି ଜରୁରୀ କାମ ପଡିବାରୁ ସେ ବାହାରକୁ ଯାଇଛନ୍ତି । ଏହି ଦୋକାନକୁ ନିଜର ଭାବି ଯେକୌଣସି ଅଳଙ୍କାର ପସନ୍ଦ କରି ନେଇଯା’ନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ