ବୀର ହନୁମାନ

ରାମଙ୍କର ସୀତାଙ୍କ ପ୍ରତି ଏପରି କଟୁବଚନ ଶୁଣି, ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ, ଭୟରେ ସେମାନେ କମ୍ପିଉଠିଲେ । ସୀତା ତ ତାଙ୍କ ଜୀବନରେ ଏପରି କଟୁବଚନ କେବେବି ଶୁଣି ନଥିଲେ । ଏହି ଭୟଙ୍କର ଅପମାନ ତାଙ୍କର କୋମଳ ହୃଦୟକୁ ବଡ ବାଧିଲା । ସେ ନୀରବ ରହିଲେ ଓ ତାଙ୍କ ଆଖିରୁ କେବଳ ଅଶ୍ରୁ ଝରିଗଲା ।

ତା’ପରେ ସେ ଧୈର୍ଯ୍ୟ ଧରି କହିଲେ, “ବୀର, କାହିଁକି ଏପରି କଥା କହୁଛ? ଏପରି ଅସତ୍ୟ ବାକ୍ୟ ମୋ ପାଇଁ ଆଦୌ ଯୋଗ୍ୟ ନୁହେଁ । ମୋର ଶାନ୍ତି ଓ ଦୃଢତା ସର୍ବଦା ସୁରକ୍ଷିତ ରହିଛି । ମୁଁ ପତିବ୍ରତା ଓ ନିଷ୍କଳଙ୍କ । ଯଦି ତୁମେ ଚାହଁ, ତେବେ ମୋର ପତିବ୍ରତା ଧର୍ମକୁ ପରୀକ୍ଷା କରିପାର । ତୁମେ ମୋର ସ୍ୱଭାବ ଚରିତ୍ର ଭଲ ଭାବରେ ଜାଣିଛ? ମୋ ଉପରେ କରୁଥିବା ଦୋଷାରୋପ ସମ୍ପୂର୍ଣ୍ଣ ମିଥ୍ୟା । ରାବଣ ମୋତେ ଉଠାଇ ଆଣିଲା, ସେଇଟା ଭଗବାନଙ୍କ ବିଚାର । ମୋର ଶରୀର ମୋର ବଶରେ ନଥିଲା, ଯେହେତୁ ମୁଁ ଅସହାୟା ଥିଲି । କିନ୍ତୁ ମୋର ମନରେ ତୁମ ଛଡା ଆଉ କେହିବି ନାହାଁନ୍ତି, ନଥିଲା, ରହିବ ନାହିଁ ମଧ୍ୟ । ମୋର ଏ ଦୁଃଖ ସମୟରେ ଅହର୍ନିଶ ମୁଁ କେବଳ ତୁମ ନାମହିଁ ଜପ କରୁଥିଲି । ତୁମ ସହିତ ମୁଁ ସର୍ବଦା ଛାୟା ପରି ରହିଥିଲି । ତୁମ ସହିତହିଁ ଜୀବନଯାପନ କରିଛି, ତଥାପି ତୁମେ ମୋର ସ୍ୱଭାବ କ’ଣ ତାହା ଜାଣି ପାରିଲ ନାହିଁ । ତୁମେ ଯଦି ମୋତେ ତ୍ୟାଗ କରିବାକୁ ଚାହଁ ତେବେ ହନୁମାନଙ୍କୁ ପଠାଇ ଖୋଜିବାର ଆବଶ୍ୟକତା କ’ଣ ଥିଲା? ତମେ ସେତେବେଳେ ହନୁମାନ ହାତରେ କହି ପଠାଇଲ ନାହିଁ କି ତମେ ମୋତେ ତ୍ୟାଗ କରିବ, ତେବେ ସେହି ହନୁମାନର ସମ୍ମୁଖରେହିଁ ମୁଁ ମୃତ୍ୟୁର ଆଶ୍ରୟ ନେଇଥା’ନ୍ତି । ତୁମର ଏତେ ଯୁଦ୍ଧ କରିବାର ଆବଶ୍ୟକତା ନ ଥା’ନ୍ତା ।”

ତା’ପରେ ସେ ଲକ୍ଷ୍ମଣଙ୍କୁ କହିଲେ, “ଲକ୍ଷ୍ମଣ, ମୋ ଦୁଃଖ ଦୂର ହେବାର ଏକମାତ୍ର ଉପାୟ ଅଗ୍ନିରେ ପ୍ରବେଶ କରିବା । ତମେ ଅଗ୍ନି ଜଳାଅ । ମୁଁ ସେଥିରେ ପ୍ରବେଶ କରିବି । କିନ୍ତୁ ଏପରି କଟୁବଚନ ଶୁଣିବା ପରେ ଦେହ ଧରି ରହିବା ମୋପକ୍ଷେ ବଡ କଷ୍ଟକର ।”

ସୀତାଙ୍କର ଏହି କଥା ଶୁଣି ଲକ୍ଷ୍ମଣ ଅତି ଦୁଃଖରେ ଝାଉଁଳି ପଡିଲେ ଓ ବଡ କରୁଣ ଭାବରେ ସେ ଶ୍ରୀରାମଙ୍କୁ ଚାହିଁଲେ । ଶ୍ରୀରାମଙ୍କ ମୁଖର ଭାବରୁ ଏହା ସ୍ପଷ୍ଟ ଥିଲା ଯେ ସୀତା ଅଗ୍ନିରେ ପ୍ରବେଶ କରିବାକୁ ଚାହାଁନ୍ତି ତ କରନ୍ତୁ, ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ ।

ତା’ପରେ ଲକ୍ଷ୍ମଣ ସୀତାଙ୍କ ଆଜ୍ଞା ପାଳନ କରିବାକୁ ନିଜର ଧର୍ମ ବୋଲି ଭାବି ଅଗ୍ନିର ଆୟୋଜନ କଲେ । ଅଗ୍ନି ଜଳିଲା, ସୀତା ନତ ମସ୍ତକ ହୋଇ ଶ୍ରୀରାମଙ୍କୁ ପରିକ୍ରମା କରି ଅଗ୍ନି ନିକଟରେ ଯାଇ ଠିଆ ହୋଇ କହିଲେ, “ଶ୍ରୀରାମଙ୍କ ବ୍ୟତୀତ ମୋ ହୃଦୟରେ ଅନ୍ୟ କୌଣସି ପୁରୁଷର ଆଦୌ ସ୍ଥାନ ନାହିଁ । ଏହା ସତ୍ୟ ହୋଇଥିଲେ ଅଗ୍ନିଦେବ ମୋତେ ରକ୍ଷା କରନ୍ତୁ । ସୂର୍ଯ୍ୟ, ବାୟୁ, ଦିଗମାନେ, ଚନ୍ଦ୍ର, ଦିନରାତି, ଉଭୟ ସଂଧ୍ୟା, ଭୂମି ଓ ଦେବତାମାନେ, ମୋତେ ଯଦି ପତିବ୍ରତା ବୋଲି ମାନୁଛନ୍ତି, ତେବେ ଅଗ୍ନିଦେବ ମୋତେ ରକ୍ଷା କରନ୍ତୁ ।” ଏତିକି କହି ସୀତା ପରିକ୍ରମା କରି ଅଗ୍ନିରେ ପ୍ରବେଶ କଲେ । ଏହା ଦେଖି ଉପସ୍ଥିତ ଜନତା ସମସ୍ତେ ଦୁଃଖରେ ଅଶ୍ରୁମୋଚନ କରୁଥା’ନ୍ତି । ସୀତା ଏହିପରି ସମସ୍ତ ଦେବାଦେବୀ ଓ ଦଶଦିଗ ପାଳଙ୍କୁ ସାକ୍ଷୀରଖି ଶପଥ ନେଇ ଅଗ୍ନିରେ ପ୍ରବେଶ କଲେ । ସୀତାଙ୍କ ସାନିଧ୍ୟ ଯୋଗୁଁ ଅଗ୍ନି ଯେପରି ଅଧିକ ଭାସ୍ୱର ଦିଶିଲେ । ଦେବତାମାନେ ପୁଷ୍ପବୃଷ୍ଟି କଲେ । ସୀତା ସେମିତି ଅଗ୍ନିରେ ଦଣ୍ଡାୟମାନ ହୋଇଥା’ନ୍ତି । ତାଙ୍କର କେଶାଗ୍ରକୁ ସୁଦ୍ଧା ଅଗ୍ନି ସ୍ପର୍ଶ କଲା ନାହିଁ । ତାହା ଭିତରୁ ଅଗ୍ନିଦେବ ପ୍ରକଟ ହୋଇ ସୀତାଙ୍କୁ ବାହାରକୁ ଆଣିଲେ । ସୀତା ପୂର୍ବ ପରି ଅଳଙ୍କାରରେ ସୁସଜ୍ଜିତା ଥିଲେ । ଅଗ୍ନିଦେବ କହିଲେ, “ଶ୍ରୀରାମ, ସୀତାଙ୍କୁ ସ୍ୱୀକାର କରନ୍ତୁ । ସେ ସମସ୍ତ ପାପର ଅତୀତ; କୌଣସି ପାପ ମଧ୍ୟ ତାଙ୍କୁ କେବେବି ସ୍ପର୍ଶ କରି ପାରିବ ନାହିଁ । ସେ ରାବଣପୁରୀରେ ଯେତେଦିନ ଧରି ଥିଲେ, ସେତେଦିନ ଉନ୍ମୁକ୍ତ ଆକାଶ ତଳେ ଅଶୋକବନରେ ରହି ବଡ କଷ୍ଟରେ ସେ ଜୀବନ ବିତାଉଥା’ନ୍ତି । ରାବଣ ତାଙ୍କର ମନ ଜୟ କରିବାକୁ ସମସ୍ତ ପ୍ରକାର ଉପାୟ କରିଥିଲା, କିନ୍ତୁ କେବେହେଲେବି ସେଥିରେ ସେ ସଫଳ ହେଲା ନାହିଁ । ଏବେ ତୁମେ ତାଙ୍କୁ ସ୍ୱୀକାର କରି ଶାନ୍ତି ଓ ଆନନ୍ଦରେ ଜୀବନଯାପନ କର ।”

ଶ୍ରୀରାମ ଏ କଥା ଶୁଣି ଭାରି ଖୁସି ହେଲେ । ଏପରି ପତିବ୍ରତା ସ୍ତ୍ରୀକୁ ଅପମାନ ଦେଇଥିବା ହେତୁ ତାଙ୍କ ଚକ୍ଷୁରୁ ଅବିରତ ଅଶ୍ରୁଧାରା ଝରିବାକୁ ଲାଗିଲା । ସେ ଅଗ୍ନିଦେବକୁ କହିଲେ, “ହେ ଅଗ୍ନିଦେବ, ମୁଁ ଭଲ ଭାବରେ ଜାଣେ ଯେ ସୀତା ପାପଶୁନ୍ୟ, ଓ ନିଷ୍କଳଙ୍କ । କିନ୍ତୁ ଏତେଦିନ ସେ ଯେହେତୁ ରାବଣପୁରୀରେ ଥିଲେ ତେଣୁ ତାଙ୍କର ସତୀତ୍ୱ ପରୀକ୍ଷା ନ କରି ତାଙ୍କୁ ଗ୍ରହଣ କଲେ, ଲୋକମାନେ ମୋତେ ଲାଂଛନା ଦେଇଥାନ୍ତେ । ସେମାନେ କହନ୍ତେ ଯେ ଦଶରଥ ପୁତ୍ର ରାମ ବଡ ଅବିବେକି, ଅଧର୍ମୀ ଓ କର୍ତ୍ତବ୍ୟଶୁନ୍ୟ । ଏସବୁଥିରୁ ମୁକ୍ତ ହେବା ପାଇଁ ମୁଁ ସୀତାଙ୍କୁ ଅଗ୍ନିରେ ପ୍ରବେଶ କରିବାକୁ ଚାହିଁଲି । ଏବେ ତିନିଲୋକ ଜାଣିଲେ ଯେ ସେ କିପରି ପତିବ୍ରତା, ନିଷ୍କଳଙ୍କ ଓ ଧର୍ମ ପରାୟଣା ଅଟନ୍ତି, ମୁଁ ଜାଣେ ତାଙ୍କ ହୃଦୟରେ ମୋର ସ୍ଥାନ କେଉଁଠି । ମୁଁ ଅବଶ୍ୟ ଆପଣଙ୍କ ଆଜ୍ଞା ପାଳନ କରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ