ଧମ୍ମଦ୍ଧଜ ଜାତକ

         ରାଜା ଧର୍ମଧ୍ୱଜଙ୍କୁ ସେହିପରି ଆଦେଶ ଦେଲେ । ଧର୍ମଧ୍ୱଜ ପୂର୍ବପରି ଅବିଚଳିତ ଭାବରେ ଉତ୍ତର କଲେ, “ଯଥାସାଧ୍ୟ ଚେଷ୍ଟା କରିବି ।”

         ଏଥର ମଧ୍ୟ ଶକ୍ର ବୋଧିସତ୍ୱଙ୍କୁ ଆଶ୍ୱାସନା ଦେଇ ଏପରି ଗୃହଟିର ନିର୍ମାଣଭାର ଗ୍ରହଣ କଲେ । ପ୍ରାତଃକାଳରେ ଦେଖାଗଲା, ପ୍ରମୋଦ ଉଦ୍ୟାନରେ ହସ୍ତୀଦନ୍ତ ନିର୍ମିତ ଭବନ ଉଭା ହୋଇଛି । ରାଜା ସମ୍ବାଦ ପାଇ ପ୍ରମୋଦ ଭବନ ଦେଖିବାକୁ ଆସିଲେ । ତାଙ୍କର ଆଦେଶ ଯଥାରୀତି ପାଳିତ ହୋଇଥିବାର ଦେଖି ସେ ଚିନ୍ତିତ ହୋଇପଡିଲେ ।

         ଯଥାସମୟରେ କାଳକ ଏହା ଶୁଣିପାରି ରାଜାଙ୍କୁ ଉପଦେଶ ଦେଲେ, “ଧର୍ମଧ୍ୱଜଙ୍କୁ ଆଦେଶ କରନ୍ତୁ, ରାତିରେ ପ୍ରମୋଦଭବନ ଆଲୋକିତ କରିବାପାଇଁ ସେଥିରେ ଗୋଟିଏ ମଣି ଖଞ୍ଜିଦେବ । ସେହି ଗୋଟିକର ଆଲୋକରେ ସମଗ୍ର ଭବନଟି ଆଲୋକିତ ହେବ ଓ ଆପଣ ରାତ୍ରିରେ ସେଥିରେ ସ୍ୱଚ୍ଛନ୍ଦରେ ଯିବାଆସିବା କରିପାରିବେ । ଏହା କରିନପାରିଲେ ଆପଣ ତାକୁ ପ୍ରାଣଦଣ୍ଡ ଦେବେ ।”

         ରାଜା ଧର୍ମଧ୍ୱଜଙ୍କୁ ଡକାଇ ଏହି ଆଦେଶ ଶୁଣାଇ କହିଲେ, “କାଲି ସନ୍ଧ୍ୟାବେଳକୁ ଏହା ହୋଇନଥିଲେ ତୁମ୍ଭର ପ୍ରାଣଦଣ୍ଡ ନିଶ୍ଚିତ ।”

         ଏଥର ମଧ୍ୟ ଶକ୍ର ପୂର୍ବପରି ଧର୍ମଧ୍ୱଜଙ୍କୁ ସାହାଯ୍ୟ କଲେ ଓ ମଣିଟି ଅବସ୍ଥାପିତ ହୋଇ ସମଗ୍ର ପ୍ରମୋଦଭବନକୁ ଉଜ୍ଜ୍ୱଳ ଆଲୋକରେ ଉଦ୍ଭାସିତ କଲା । ଯଥାସମୟରେ ରାଜା ମଣିଟିକୁ ଦେଖି ବାହାରେ ସନ୍ତୋଷ ପ୍ରକାଶ କଲେ ।

         ସେଦିନ ରାତ୍ରିରେ ପୁଣି ରାଜା ଓ ସେନାଧ୍ୟକ୍ଷ କାଳକଙ୍କ ମଧ୍ୟରେ ପରାମର୍ଶ ଚାଲିଲା । କାଳକ କହିଲେ, “ଧର୍ମଧ୍ୱଜ ନିଜ ଶକ୍ତିରେ ଏପରି ଅଦ୍ଭୁତ କାର୍ଯ୍ୟସବୁ କରିଥିବା ସମ୍ପୂର୍ଣ୍ଣ ଅସମ୍ଭବ । ନିଶ୍ଚୟ କୌଣସି ଦେବତା ତା’ର ସହାୟ ହୋଇ ସବୁ କରି ଦେଉଅଛନ୍ତି । ତେଣୁ ତାକୁ ଏପରି କିଛି କରିବାକୁ କହିବା, ଯାହାକି କୌଣସି ଦେବତା ସୁଦ୍ଧା କରିପାରିବେ ନାହିଁ ।” ଉଭୟଙ୍କ ପରାମର୍ଶରେ ସ୍ଥିରହେଲା, ଏଥର ଧର୍ମଧ୍ୱଜକୁ କୁହାଯିବ, ସେ ଉଦ୍ୟାନର ରକ୍ଷାପାଇଁ ଜଣେ ଚତୁର୍ଗୁଣସମନ୍ୱିତ ରକ୍ଷକ ଆଣିଦେଉ । ଏପରି ଲୋକ କୌଣସି ଦେବତା ମଧ୍ୟ ଦିନକରେ ସୃଷ୍ଟି କରିପାରିବେ ନାହିଁ । ତେଣୁ ତାକୁ ବଧ କରିବାର ଉପାୟ ମିଳିଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ